ଲୋଧା କମିଟି ସୁପାରିଶ ଗ୍ରହଣଯୋଗ୍ୟ ନୁହେଁ: ଆଶୀର୍ବାଦ ବେହେରା

ଭୁବନେଶ୍ୱର: କ୍ରିକେଟରେ ସଂସ୍କାର ଆଣିବା ନେଇ ଜଷ୍ଟିସ୍‌ ଲୋଧା କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟକୁ ରବିବାର ବିରୋଧ କରିଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)। ଏ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସୁପ୍ରିମକୋର୍ଟରେ ଇଣ୍ଟରଭେନର କରାଯିବ। ୧୫ରୁ ୨୦ ଆସୋସିଏସନ ସୁପ୍ରିମକୋର୍ଟରେ ଇଣ୍ଟରଭେନର ହେବେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା। ଓସିଏ ସମ୍ପାଦକ ବେହେରା କହିଛନ୍ତି, “ଲୋଧା କମିଟି ସୁପ୍ରିମକୋର୍ଟରେ ଦୁଇଟି ଭଲ୍ୟୁମ […]

ashiribad

Rakesh Mallick
  • Published: Sunday, 28 February 2016
  • , Updated: 29 February 2016, 10:24 AM IST

ଭୁବନେଶ୍ୱର: କ୍ରିକେଟରେ ସଂସ୍କାର ଆଣିବା ନେଇ ଜଷ୍ଟିସ୍‌ ଲୋଧା କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟକୁ ରବିବାର ବିରୋଧ କରିଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)। ଏ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସୁପ୍ରିମକୋର୍ଟରେ ଇଣ୍ଟରଭେନର କରାଯିବ। ୧୫ରୁ ୨୦ ଆସୋସିଏସନ ସୁପ୍ରିମକୋର୍ଟରେ ଇଣ୍ଟରଭେନର ହେବେ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା।

ଓସିଏ ସମ୍ପାଦକ ବେହେରା କହିଛନ୍ତି, “ଲୋଧା କମିଟି ସୁପ୍ରିମକୋର୍ଟରେ ଦୁଇଟି ଭଲ୍ୟୁମ ଦାଖଲ କରିଛନ୍ତି। ପ୍ରଥମ ଭଲ୍ୟୁମ ୧୬୯ ଓ ଦ୍ୱିତୀୟ ଭଲ୍ୟୁମ ୧୪୬ ପୃଷ୍ଠାର ରହିଛି। ଏହାର ନକଲ ଆମର ସମସ୍ତ ଅନୁବନ୍ଧିତ ୟୁନିଟଙ୍କ ପାଖକୁ ପଠାଯାଇଛି। ଏହାକୁ ତର୍ଜମା କରାଯିବା ପରେ କିଛି ଜିଲ୍ଲାରୁ ପ୍ରସ୍ତାବ ଆସିଥିଲା। କମିଟିର ସୁପାରିଶ ନେଇ ଓସିଏରେ ଥିବା ଲିଗାଲ ଆଡଭାଇଜର, ଆଡଭୋକେଟ୍‌ଙ୍କଠାରୁ ପରାମର୍ଶ ଲୋଡାଯାଇଥିଲା। ତର୍ଜମା କରାଯିବା ସହ କାର୍ଯ୍ୟକାରିଣୀ ବୈଠକ ଡକା ଯାଇଥିଲା। ମୁଖ୍ୟତଃ ୧୭ଟି ବିଷୟ ଉପରେ ଏଥିରେ ଆଲୋଚନା କରାଯାଇଥିଲା। ସୁପ୍ରିମକୋର୍ଟରେ ଓସିଏ ଇଣ୍ଟରଭେନର ହେବାକୁ କାଉନସିଲର ଅନୁମତି ନେବାକୁ ହୁଏ। ଏ ନେଇ ଆଜି ଅନୁମତି କାଉନସିଲ ଦେଇଛି । ଏହାସହ ବିସିସିଆଇ ସମ୍ପାଦକଙ୍କୁ ଓସିଏ ଇଣ୍ଟରଭେନର ହେବାକୁ ଅନୁମତି ମାଗିଛି। ମାର୍ଚ୍ଚ ୩ ପୂର୍ବରୁ ସମ୍ପାଦକଙ୍କ ନିକଟରୁ ଅନୁମତି ମିଳିଲେ, ଲୋଧା କମିଟି ବିପକ୍ଷରେ ସୁପ୍ରିମକୋର୍ଟରେ ଓସିଏ ଇଣ୍ଟରଭେନର କରିବ।”

ଲୋଧା କମିଟି ଦେଇଥିବା ରିପୋର୍ଟକୁ ଓସିଏ ସମ୍ମାନ ଜଣାଇଥିଲେ ମଧ୍ୟ ରିପୋର୍ଟ ପ୍ରସ୍ତୁତି ଏକା ପାଖିଆ ଭାବେ ନିଆଯାଇଛି, ପରାମର୍ଶ ନିଆଯାଇ ରିପୋର୍ଟ ପ୍ରସ୍ତୁତ ହୋଇଥିଲେ ଭଲ ହୋଇଥାନ୍ତା ବୋଲି ଆଶୀର୍ବାଦ କହିଛନ୍ତି।

ଓସିଏର ଇଣ୍ଟରଭେନର ପାଇଁ ସୁପ୍ରିମକୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀଙ୍କୁ ନିଯୁକ୍ତି କରାଯିବ। ଏ ନେଇ କଥାବାର୍ତ୍ତା ଚାଲିଛି, ଖୁବଶୀଘ୍ର ଏନେଇ ନିଷ୍ପତ୍ତି ହେବ। କେଉଁ ରାଜ୍ୟ ଇଣ୍ଟରଭେନର ହେଉ କି ନ ହେଉ କିନ୍ତୁ ଓଡ଼ିଶା କ୍ରିକେଟ ଆସୋସିଏସନ ସୁପ୍ରିମକୋର୍ଟରେ ପ୍ରଥମ ଇଣ୍ଟରଭେନର ହେବା ନିଶ୍ଚିତ ବୋଲି ଆଶୀର୍ବାଦ କହିଛନ୍ତି।

ବେହେରା ଆହୁରି କହିଛନ୍ତି, “କିଛିଦିନ ତଳେ ବିସିସିଆଇର ହୋଇଥିବା ବାର୍ଷିକ ସାଧରଣ ପରିଷଦ ବୈଠକରେ ଓସିଏ ପକ୍ଷରୁ ସେ ଯୋଗ ଦେଇଥିଲେ। ସେଠାରେ ଏ ନେଇ ପ୍ରଶ୍ନ ଉଠିଥିଲା। ବିସିସିଆଇ ପକ୍ଷରୁ ସମ୍ପାଦକ ଅନୁରାଗ ଠାକୁର ଲୋଧା କମିଟି ରିପୋର୍ଟକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାସହ ଭେନୁଗୋପାଳ ବିସିସିଆଇର ଆଡଭୋକେଟ ଭାବେ ମାମଲା ଲଢିବେ ବୋଲି ନିଷ୍ପତ୍ତି ହୋଇଥିଲା। ଅନୁରାଗ ଠାକୁର ବିସିସିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଲୋଧା କମିଟିଙ୍କ ରିପୋର୍ଟକୁ ଲାଗୁ କରାଗଲେ କ୍ରିକେଟ ବୋଲି କିଛି ରହିବ ନାହିଁ, ଦେଶରୁ କ୍ରିକେଟ ସମ୍ପୂର୍ଣ୍ଣ ଭାବେ ମରିଯିବ।”

Related story