Advertisment

ମନୁଙ୍କୁ ନେବାକୁ ମନ ବଳାଇଛନ୍ତି ୪୦ରୁ ଅଧିକ ବ୍ରାଣ୍ଡ, ୨୦-୨୫ ଲକ୍ଷରୁ ଦେଢ଼ କୋଟିକୁ ବଢ଼ିଲା ଫି’

ନିଜ ଜିନିଷର ପ୍ରଚାର ପ୍ରସାର ପାଇଁ ମନୁ ଭାକରଙ୍କୁ ନେବାକୁ ମନ ବଳାଇଛନ୍ତି ୪୦ରୁ ଅଧିକ ବ୍ରାଣ୍ଡ।

author-image
Jitendra Garnayak
Manu Bhakar

Manu Bhakar

ପ୍ୟାରିସ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିବା ପରେ ସାରା ଦେଶରେ ଏକ ପରିଚିତ ମୁହଁ ପାଲଟି ଯାଇଛନ୍ତି ଶୁଟର ମନୁ ଭାକର। ତାଙ୍କର ଲୋକପ୍ରିୟତା ବହୁ ଗୁଣିତ ହୋଇଯାଇଛି। ଆଉ ଏହାକୁ ଦେଖି ନିଜ ଜିନିଷର ପ୍ରଚାର ପ୍ରସାର ପାଇଁ ମନୁ ଭାକରଙ୍କୁ ନେବାକୁ ମନ ବଳାଇଛନ୍ତି ୪୦ରୁ ଅଧିକ ବ୍ରାଣ୍ଡ। ମନୁ ମଧ୍ୟ ନିଜର ଫି’ ବଢ଼ାଇ ଦେଇଛନ୍ତି। ସେ ଏବେ ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ୟସ୍ତ ଥିବା ବେଳେ ତାଙ୍କର ଏଣ୍ଡୋର୍ସମେଣ୍ଟ କଥା ବୁଝାବୁଝି କରୁଥିବା ଏଜେନ୍ସୀ- ଆଇଓଏସ୍ ସ୍ପୋର୍ଟସ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟ କିଛି ବ୍ରାଣ୍ଡ ସହିତ ଚୁକ୍ତି କରିସାରିଥିବା ଜଣାପଡ଼ିଛି। 

Advertisment

ମନୁ ଭାକର ପୂର୍ବରୁ ଗୋଟିଏ ବ୍ରାଣ୍ଡର ପ୍ରଚାର ପ୍ରସାର ପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ନେଉଥିଲେ। କିନ୍ତୁ ଏବେ ସେ ଏହି ଫି’କୁ ୬-୭ ଗୁଣା ବଢ଼ାଇ ଦେଇଛନ୍ତି। ସୂଚନା ଅନୁଯାୟୀ, ୟା ଭିତରେ ତାଙ୍କର ଏକ ଡିଲ୍ ଦେଢ଼ କୋଟି ଟଙ୍କାରେ ସ୍ଥିର ହୋଇଛି।  

ଆଇଓଏସ୍ ସ୍ପୋର୍ଟସ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟର ସିଇଓ ଓ ଏମ୍‌ଡି ନୀରବ ତୋମାର କହିଛନ୍ତି, ଗତ ଦୁଇ ତିନି ଭିତରେ ୪୦ରୁ ଅଧିକ ବ୍ରାଣ୍ଡ ଆମ ସହିତ କଥାବାର୍ତ୍ତା ହେଲେଣି। କିଛି ବ୍ରାଣ୍ଡ ସହିତ ଆମର ଚୁକ୍ତି ହେବା ସ୍ଥିର ହୋଇସାରିଛି। ମନୁ ଭାକରଙ୍କ ବ୍ରାଣ୍ଡ ଭାଲ୍ୟୁ ବଢ଼ି ଯାଇଛି। ଏହା ୬ରୁ ୭ ଗୁଣା ବଢ଼ି ଯାଇଛି। ପୂର୍ବରୁ ଆମେ ୨୦-୨୫ ଲକ୍ଷରେ ତାଙ୍କ ପାଇଁ ଚୁକ୍ତି ସ୍ୱାକ୍ଷର କରୁଥିଲୁ। କିନ୍ତୁ ଏବେ ଗୋଟିଏ ଗୋଟିଏ ଏଣ୍ଡୋର୍ସମେଣ୍ଟ ପାଇଁ ଦେଢ଼ କୋଟି ଟଙ୍କାର ଡିଲ୍ ହେଉଛି। ଏହି ଚୁକ୍ତି ଗୋଟିଏ ବର୍ଷ ପାଇଁ ହେଉଛି। 

Advertisment

ସେ କହିଛନ୍ତି, ତେବେ ଆମେ ଦୀର୍ଘ କାଳୀନ ଚୁକ୍ତି ଉପରେ ଗୁରୁତ୍ୱ ଦେଉଛି। କିନ୍ତୁ କିଛି ଶର୍ଟ-ଟର୍ମ ଏଣ୍ଡୋର୍ସମେଣ୍ଟ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। 

ମନୁ ଭାକର ୧୦ମିଟର ଏୟାର ପିସ୍ତଲ ମହିଳା ଏକକ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଛନ୍ତି। ଦୁଇଟି ପଦକ ଜିତି ସେ ଇତିହାସ ରଚିଛନ୍ତି। ତାଙ୍କ ନାଁରେ ଯୋଡ଼ି ହୋଇଛି ଅନେକ ରେକର୍ଡ। ସେହିପରି ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଇଭେଣ୍ଟରୁ ମଧ୍ୟ ସେ ପଦକ ଜିତିବେ ବୋଲି ଆଶା କରାଯାଉଛି। ଯଦି ଏହି ଇଭେଣ୍ଟରେ ମନୁ ଭାକର ପଦକ ଜିତନ୍ତି, ତା’ହେଲେ ସେ ଅଲିମ୍ପିକ୍ସର ଯେକୌଣସି ସଂସ୍କରଣରେ ୩ଟି ପଦକ ଜିତିବାରେ ପ୍ରଥମ ଭାରତୀୟ କ୍ରୀଡ଼ାବିତ୍ ହେବେ।     

Paris Olympics 2024 Paris Olympics Olympics 2024 Manu Bhaker