ବୟସ ଜାଲିଆତି ରୋକିବାକୁ ଓସିଏ ଗଠନ କରିବ କମିଟି

କଟକ: ଓସିଏରେ ବୟସ ଜାଲିଆତିକୁ ନେଇ ଓଟିଭିରେ ଖବର ପ୍ରସାରଣ ହେବା ପରେ ସିବିଆଇ ତନାଘନା କରି ଏହାର ପର୍ଦ୍ଦାଫାଶ କରିଛି। ଏହା ପରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ଚେତା ପଶିଛି। ବୟସ ଜାଲିଆତି ରୋକିବାକୁ ଓସିଏ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଏହି କମିଟିରେ ଓସିଏ ସହ ଜଡ଼ିତ ବ୍ୟକ୍ତି ରହିବେ ନାହିଁ। ଏହାସହ ଅକ୍ଟୋବର ହେବାକୁ ଥିବା ଓସିଏର ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଆଜି ଅନୁଷ୍ଠିତ କାଉନ୍‌ସିଲ ଏବଂ ବାର୍ଷିକ […]

asirbad-behera

Rakesh Mallick
  • Published: Sunday, 28 August 2016
  • , Updated: 28 August 2016, 06:36 PM IST

କଟକ: ଓସିଏରେ ବୟସ ଜାଲିଆତିକୁ ନେଇ ଓଟିଭିରେ ଖବର ପ୍ରସାରଣ ହେବା ପରେ ସିବିଆଇ ତନାଘନା କରି ଏହାର ପର୍ଦ୍ଦାଫାଶ କରିଛି। ଏହା ପରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ଚେତା ପଶିଛି। ବୟସ ଜାଲିଆତି ରୋକିବାକୁ ଓସିଏ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଏହି କମିଟିରେ ଓସିଏ ସହ ଜଡ଼ିତ ବ୍ୟକ୍ତି ରହିବେ ନାହିଁ। ଏହାସହ ଅକ୍ଟୋବର ହେବାକୁ ଥିବା ଓସିଏର ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଆଜି ଅନୁଷ୍ଠିତ କାଉନ୍‌ସିଲ ଏବଂ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି,‘ଓସିଏରେ ବୟସ ଜାଲିଆତିର ସିବିଆଇ ତଦନ୍ତ ପରେ ଆମେ ୨ଟି କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛୁ। ବାଳକ ୟୁ-୧୬, ୟୁ-୧୯ ଓ ୟୁ-୨୩ ପାଇଁ ଗୋଟିଏ କମିଟି ଗଠନ ହେବ। ସେହିପରି ବାଳିକା ୟୁ-୧୯ ଓ ୟୁ-୨୩ ପାଇଁ ଅନ୍ୟ ଏକ କମିଟି ଗଠନ ହେବ। ଉଭୟ କମିଟିରେ ଜଣେ ଲେଖାଏଁ ଡାକ୍ତର ରହିବେ। ଏହି କମିଟିର ସଦସ୍ୟମାନେ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଖେଳାଳି ଓ ସେମାନଙ୍କର ବାପାମା’ ଏକ୍‌ଜ୍ୟୁକୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ତତ୍ତ୍ୱାବଧାନରେ ଏକ ସତ୍ୟପାଠ ଦାଖଲ କରିବେ। ଦୁଇଟି ଯାକ କମିଟିରେ କେଉଁମାନେ ସଦସ୍ୟ ରହିବେ ଓ ସେମାନଙ୍କର କାର୍ଯ୍ୟାବଳୀ କ’ଣ ହେବ ସେ ନେଇ ଓସିଏ ସଚିବ ଖୁବଶୀଘ୍ର ସୂଚନା ଦେବେ। ତାଙ୍କୁ ସେ ଅଧିକାର ଦିଆଯାଇଛି।”

ଓସିଏ ନିର୍ବାଚନ ନେଇ ସେ କହିଛନ୍ତି,“ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଓସିଏର ସାଧାରଣ ପରିଷଦ ବୈଠକ ହେବା କଥା। କିନ୍ତୁ ଲୋଧା କମିଟିର ସୁପାରିଶକୁ ନେଇ ବିସିସିଆଇ ସୁପ୍ରିମ୍‌କୋର୍ଟରେ ରିଭ୍ୟୁ ପିଟିସନ୍‌ ଦାଖଲ କରିଛି। ଯେତେବେଳ ଯାଏଁ କୋର୍ଟ କୌଣସି ନିଷ୍ପତ୍ତି ଶୁଣାଇ ନାହାନ୍ତି ସେତେବେଳ ଯାଏଁ ଓସିଏ ନିର୍ବାଚନକୁ ସ୍ଥଗିତ ରଖାଯିବ। ସୁପ୍ରିମ୍‌କୋର୍ଟରେ ମାମଲାର ରହିଥିବାରୁ କେବେ ନିର୍ବାଚନ ହେବ ତାହା କହି ହେବ ନାହିଁ। ଅଶା କରାଯାଉଛି ଏହା ମାର୍ଚ୍ଚ କିମ୍ବା ଏପ୍ରିଲରେ ହୋଇପାରେ।”

ସେ ଆହୁରି କହିଛନ୍ତି,“ଆଜିର ବୈଠକରେ ସର୍ବସମ୍ମତ୍ତିକ୍ରମେ ୨୦୧୫-୧୬ ବର୍ଷର ଆକାଉଣ୍ଟ ବିଲ୍‌, ୧୬-୧୭ ବର୍ଷର ବାର୍ଷିକ ବଜେଟ୍‌, ଜାନୁଆରୀ ୧୯ ତାରିଖରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍‌ ପାଇଁ ୩ କୋଟିର ବଜେଟ୍‌ ଓ ସେକ୍ରେଟାରୀ ରିପୋର୍ଟ ପାସ୍‌ ହୋଇଛି।”

ଜାନୁଆରୀ ୧୯ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ନେଇ ଆଶୀର୍ବାଦ କହିଛନ୍ତି,“ ବିସିସିଆଇ ଓ ଓସିଏର ଗାଇଡ୍‌ଲାଇନ୍‌ ଅନୁସାରେ ଆମେ ଯେଉଁଠି ଚେୟାର ପଡୁଥିଲା ସେଠାରେ ନମ୍ବରିଂ କରୁଥିଲୁ। ଏବେ ଆମେ ଗ୍ୟାଲେରୀରେ ମଧ୍ୟ ନମ୍ବରିଂ କରିବୁ। ଆଗରୁ ସିଟ୍‌ ସଂଖ୍ୟା ୪୫ ହଜାର ଥିଲା। ଏବେ ଏହା ୩୦୦୦ହ୍ରାସ ପାଇ ୪୨ ହଜାରରେ ସିମୀତ ରହିବ। ନମ୍ବରିଂ ଦ୍ୱାରା ନନ୍‌ଅଥରାଇଜିଂ ପର୍ସନ ସେଠାକୁ ଯାଇପାରିବେ ନାହିଁ। ଯାହାପାଖରେ ଟିକେଟ୍‌ ଥିବ ସେ ହିଁ ଖେଳ ଦେଖିବାର ସୁଯୋଗ ପାଇବ।”

ଟିକେଟ ଦର ବୃଦ୍ଧି ନେଇ ସେ କହିଛନ୍ତି,“୧ ନମ୍ବର ଓ ୩ ନମ୍ବର ଗ୍ୟାଲେରୀରେ ଟିକେଟ୍‌ର ମୂଲ୍ୟ ୫୦୦ଟଙ୍କାରୁ ୬୦୦ଟଙ୍କାକୁ ବୃଦ୍ଧି ପାଇଛି। ସ୍ପେଶାଲ ଏନ୍‌କ୍ଲୋଜର୍‌ ଟିକେଟ୍‌ର ମୂଲ୍ୟ  ପୂର୍ବରୁ ୧୫୦୦ଟଙ୍କା ଥିବେ ବେଳେ ଏହାକୁ ୨୦୦୦ ଟଙ୍କା କରି ଦିଆଯାଇଛି।”

ବୈଠକରେ ଓସିଏ ସଭାପତି ରଞ୍ଜୀବ ବିଶ୍ୱାଳଙ୍କ ସମେତ ସମସ୍ତ ଉଚ୍ଚପଦସ୍ତ ଅଧିକାରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ୩୩ ଜଣ ଖେଳାଳିଙ୍କ ବୟସ ଜାଲିଆତି ଅଭିଯୋଗ ନେଇ ସିବିଆଇ ୪ ଦିନ ଧରି ଓସିଏରେ ଖୋଳତାଡ଼ କରିଥିଲା। ଏହା ସହିତ ଓସିଏର ସିଇଓ ବିଦ୍ୟୁତ୍ ନାୟକ ଓ ମୁଖ୍ୟ ସଂଯୋଜକ ଡାନିଏଲ୍ ରାଉତଙ୍କୁ ମଧ୍ୟ ପଚରାଉଚରା କରିଥିଲା।

Related story