ଏପ୍ରିଲ୍ ୧୫: ରିଚାର୍ଡ୍ସ ରଚିଥିଲେ ବିଶ୍ୱ କୀର୍ତ୍ତିମାନ

ନୂଆଦିଲ୍ଲୀ: ସାର୍ ଭିଭିଆନ୍ ରିଚାର୍ଡ୍ସ ନିଜର ବିସ୍ଫୋରକ ବ୍ୟାଟିଂ ଏବଂ ବିନ୍ଦାସ ଅନ୍ଦାଜ ପାଇଁ ଖୁବ୍ ପରିଚିତ। ତାଙ୍କର ଏମିତି କିଛି ଇନିଂସ୍ ଅଛି, ଯାହା ଆଜି ବି କ୍ରିକେଟପ୍ରେମୀଙ୍କ ମନରେ ତାଜା ଅଛି। ସେଥିମଧ୍ୟରୁ ସେଣ୍ଟ ଜନ୍ସରେ ସେ ଯେଉଁ ଇନିଂସ୍ ଖେଳିଥିଲେ, ତାହା ବିଶ୍ୱ ରେକର୍ଡ ହୋଇଥିଲା। ରିଚାର୍ଡ୍ସ ୩୪ ବର୍ଷ ତଳେ ଇଂଲଣ୍ଡ ବିପକ୍ଷରେ ଚମକପ୍ରଦ ଶତକ ମାରିଥିଲେ। ୧୯୮୬ ମସିହା ଏପ୍ରିଲ୍ ୧୫ ଅର୍ଥାତ୍ ଆଜିର ତାରିଖରେ ରିଚାର୍ଡ୍ସ ମାତ୍ର ୫୬ […]

richards

Ranjit Kumar Jena
  • Published: Wednesday, 15 April 2020
  • , Updated: 15 April 2020, 05:07 PM IST

ନୂଆଦିଲ୍ଲୀ: ସାର୍ ଭିଭିଆନ୍ ରିଚାର୍ଡ୍ସ ନିଜର ବିସ୍ଫୋରକ ବ୍ୟାଟିଂ ଏବଂ ବିନ୍ଦାସ ଅନ୍ଦାଜ ପାଇଁ ଖୁବ୍ ପରିଚିତ। ତାଙ୍କର ଏମିତି କିଛି ଇନିଂସ୍ ଅଛି, ଯାହା ଆଜି ବି କ୍ରିକେଟପ୍ରେମୀଙ୍କ ମନରେ ତାଜା ଅଛି। ସେଥିମଧ୍ୟରୁ ସେଣ୍ଟ ଜନ୍ସରେ ସେ ଯେଉଁ ଇନିଂସ୍ ଖେଳିଥିଲେ, ତାହା ବିଶ୍ୱ ରେକର୍ଡ ହୋଇଥିଲା। ରିଚାର୍ଡ୍ସ ୩୪ ବର୍ଷ ତଳେ ଇଂଲଣ୍ଡ ବିପକ୍ଷରେ ଚମକପ୍ରଦ ଶତକ ମାରିଥିଲେ। ୧୯୮୬ ମସିହା ଏପ୍ରିଲ୍ ୧୫ ଅର୍ଥାତ୍ ଆଜିର ତାରିଖରେ ରିଚାର୍ଡ୍ସ ମାତ୍ର ୫୬ ବଲରେ ଶତକ ମାରିବାର ବିଶ୍ୱ କୀର୍ତ୍ତିମାନ କରିଥିଲେ। ଯାହାକି ଟେଷ୍ଟ କ୍ରିକେଟର ଏହା ସବୁଠାରୁ ଦ୍ରୁତ ଶତକ। ଏହି ରେକର୍ଡ ମଧ୍ୟ ୩୦ ବର୍ଷ ପର୍ଯ୍ୟନ୍ତ ଅତୁଟ ରହିଥିଲା।

ଇଂଲଣ୍ଡ ବିପକ୍ଷ ଉକ୍ତ ଟେଷ୍ଟରେ ପ୍ରଥମ ଇନିଂସରେ ରିଚାର୍ଡ୍ସ ୨୬ ରନ୍ କରି ଆଉଟ୍ ହୋଇଥିଲେ, କିନ୍ତୁ ଦ୍ୱିତୀୟ ଇନିଂସରେ ସେ ୫୮ ବଲରେ ୧୧୦ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ, ଯେଉଁଥିରେ ୭ ଚୌକା ଓ ୭ ଛକା ସାମିଲ୍ ଥିଲା। ରିଚାର୍ଡ୍ସଙ୍କ ଧମାକାର ଦୁଇ ଦିନ ପରେ ୱେଷ୍ଟଇଣ୍ଡିଜ୍ ଉକ୍ତ ଟେଷ୍ଟକୁ ୨୪୦ ରନରେ ଜିତି ଇଂଲଣ୍ଡକୁ ୫-୦ରେ କ୍ଲିନସୁଇପ୍ କରିଥିଲା।

ସେହି ଟେଷ୍ଟରେ ୱେଷ୍ଟଇଣ୍‌ଡିଜ୍ ପ୍ରଥମ ଇନିଂସରେ ୪୭୪ ରନ୍ କରିବା ପରେ ଇଂଲଣ୍ଡକୁ ୩୧୦ ରନରେ ଅଲଆଉଟ୍ କରିଥିଲା। ଏହା ପରେ ଦ୍ୱିତୀୟ ଇନିଂସରେ ଇଣ୍ଡିଜ୍ ଟିମ୍ ଇଂଲଣ୍ଡ ଆଗରେ ୪୧୧ ରନର ଲକ୍ଷ୍ୟ ରଖିଥିଲା। ଇଣ୍ଡିଜ୍ ଦଳର ପେସ୍ ଆକ୍ରମଣ ଆଗରେ ଆତ୍ମସମର୍ପଣ କରି ଇଂଲଣ୍ଡ ଟିମ୍ ୧୭୦ ରନରେ ଅଲଆଉଟ୍ ହୋଇଯାଇଥିଲା। ୬୮ ବର୍ଷୀୟ ରିଚାର୍ଡ୍ସଙ୍କୁ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କୁହାଯାଏ।

୧୯୮୦ ଦଶକରେ ତାଙ୍କର ବ୍ୟାଟିଂ ଯାଦୁ ସାରା ବିଶ୍ୱରେ ଚମକୁଥିଲା। ସେ ୧୨୧ ଟେଷ୍ଟରେ ୮୫୪୦ ରନ୍ କରିଛନ୍ତି। ସେହିପରି ଦିନିକିଆରେ ସେ ୪୭ ହାରରେ ୬୭୨୧ ରନ୍ କରିଛନ୍ତି। ରିଚାର୍ଡ୍ସଙ୍କ ସେହି ଦ୍ରୁତ ଟେଷ୍ଟ ଶତକକୁ ୩୦ ବର୍ଷ ପରେ ଅର୍ଥାତ୍ ୨୦୧୬ରେ ନ୍ୟୁଜିଲ୍ୟାଣ୍ଡର ବ୍ରେଣ୍ଡନ୍ ମ୍ୟାକକୁଲମ୍ ଭାଙ୍ଗିଥିଲେ। ମ୍ୟାକକୁଲମ୍ କ୍ରାଇଷ୍ଟଚର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୫୪ ବଲରେ ଶତକ ମାରି ଏହି ରେକର୍ଡ ବ୍ରେକ୍ କରିଥିଲେ।

ଟେଷ୍ଟ କ୍ରିକେଟରେ ଦ୍ରୁତ ଶତକ
୫୪ ବଲ୍‌: ବ୍ରେଣ୍ଡନ୍ ମ୍ୟାକକୁଲମ୍ (ନ୍ୟୁଜିଲ୍ୟାଣ୍ଡ୍‌) ବନାମ ଅଷ୍ଟ୍ରେଲିଆ, କ୍ରାଇଷ୍ଟଚର୍ଚ୍ଚ, ୨୦୧୬
୫୬ ବଲ୍‌: ଭିଭିଆନ୍ ରିଚାର୍ଡ୍ସ (ୱେଷ୍ଟଇଣ୍ଡିଜ୍‌) ବନାମ ଇଂଲଣ୍ଡ, ସେଣ୍ଟ ଜନ୍ସ, ୧୯୮୬
୫୬ ବଲ୍‌: ମିଶବା ଉଲ୍ ହକ୍ (ପାକିସ୍ତାନ), ବନାମ ଅଷ୍ଟ୍ରେଲିଆ, ଆବୁଧାବି, ୨୦୧୪
୫୭ ବଲ୍‌: ଆଡାମ ଗିଲଖ୍ରୀଷ୍ଟ (ଅଷ୍ଟ୍ରେଲିଆ), ବନାମ ଇଂଲଣ୍ଡ, ପର୍ଥ, ୨୦୦୬

Related story