ନୂଆଦିଲ୍ଲୀ: କରୋନାଭାରଇସ୍ ଯୋଗୁ ଆଇପିଏଲ୍ ସ୍ଥଗିତ ରହିଛି ଏବଂ ଆଗାମୀ ଦିନରେ ଏହି ଟି-୨୦ ଲିଗ୍ ଆୟୋଜିତ ହେବ କି ନାହିଁ, ତାହା କହିହେବ ନାହିଁ। ଯଦି ଆଇପିଏଲ୍ ନହୁଏ, ତାହେଲେ ଭାରତର ପୂର୍ବତନ କ୍ୟାପଟେନ୍ ତଥା ଭେଟେରାନ୍ ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି କ'ଣ କରିବେ, ଏ ନେଇ ପ୍ରଶ୍ନ କରିଛନ୍ତି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର। ଧୋନି ଶେଷଥର ପାଇଁ ଗତବର୍ଷ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବିଶ୍ୱକପ୍ ସେମିଫାଇନାଲରେ ଖେଳିଥିଲେ। ଏହା ପରେ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳଳକ କ୍ରିକେଟ୍ ଖେଳିନାହାନ୍ତି।
ସୁନୀଲ ଗାଭାସ୍କର ଓ କପିଲ୍ ଦେବଙ୍କ ଭଳି ମହାନ ଖେଳାଳି ପୂର୍ବରୁ କହିସାରିଛନ୍ତି ଯେ କ୍ରିକେଟରୁ ଅଧିକ ଦିନ ଦୂରେଇ ରହିବା ଦ୍ୱାରା ଧୋନିଙ୍କର ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା କଷ୍ଟକର ହୋଇଯିବ। ଅନ୍ତର୍ଜାତୀୟ କ୍ରିକେଟ୍ ନଖେଳିଲେ ବି ଧୋନି ଚଳିତ ବର୍ଷ ଆଇପିଏଲ୍ ଖେଳିବା ନେଇ ଆଶାବାଦୀ ଥିଲେ, କିନ୍ତୁ କୋଭିଡ୍-୧୯ କାରଣରୁ ଏହି ଲିଗର ଆୟୋଜନ ନେଇ ଆଶଙ୍କା ଦେଖା ଦେଇଛି।
ତେବେ ଧୋନିଙ୍କ ଭବିଷ୍ୟତକୁ ନେଇ ଗମ୍ଭୀର କହିଛନ୍ତି, ଯଦି ଆଇପିଏଲ୍ ଚଳିତ ବର୍ଷ ଆୟୋଜିତ ନହୁଏ, ତାହେଲେ ଧୋନିଙ୍କ ପକ୍ଷେ ପ୍ରତ୍ୟାବର୍ତ୍ତନ କରିବା କଷ୍ଟକର ହୋଇଯିବ। ଏହା ପରେ ଧୋନିଙ୍କୁ କେଉଁ ଆଧାରରେ ଚୟନ କରାଯିବ କାରଣ ଗତ ବର୍ଷେ ହେବ ଧୋନି କ୍ରିକେଟ୍ ଖେଳିନାହାନ୍ତି। ଆଗାମୀ ଦିନରେ ଧୋନି କ'ଣ ନିଷ୍ପତ୍ତି ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା। ଧୋନି ଅବସର ନେବେ କି ନାହିଁ, ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏହାଛଡ଼ା ଧୋନି ଅନେକ କ୍ରିକେଟ୍ ଖେଳିସାରିଛନ୍ତି।
ଧୋନିଙ୍କ ସ୍ଥାନ ନେବା ପାଇଁ ମଧ୍ୟ ଖେଳାଳି ଉପସ୍ଥିତ ଅଛନ୍ତି। ମୋ ମତରେ ଲୋକେଶ ରାହୁଲ ଧୋନିଙ୍କ ଉପଯୁକ୍ତ ବିକଳ୍ପ ହୋଇପାରିବେ। ହୁଏତ ରାହୁଲଙ୍କ ୱିକେଟକିପିଙ୍ଗ୍ ଧୋନିଙ୍କ ସ୍ତରର ନୁହେଁ କିନ୍ତୁ ଆମେ ଯଦି ଟି-୨୦ କ୍ରିକେଟକୁ ଦେଖିବା, ତାହେଲେ ଉପଯୋଗୀ ଖେଳାଳି। ସେ ୱିକେଟକିପିଙ୍ଗ୍ କରିବା ବ୍ୟବୀତ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିପାରନ୍ତି। ରାହୁଲଙ୍କ ବ୍ୟତୀତ ଋଷଭ ପନ୍ତ ଓ ସଞ୍ଜୁ ସାମସନଙ୍କ ଭଳି ବିକଳ୍ପ ମଧ୍ୟ ଉପଲବ୍ଧ ଅଛନ୍ତି। ତେବେ ଏସବୁ ନିଷ୍ପତ୍ତି ଚୟନକର୍ତ୍ତା ନେବେ।