ପୁଣି ଅଷ୍ଟ୍ରେଲିଆ ଟିମର କ୍ୟାପଟେନ୍ ହେବେ ସ୍ମିଥ୍‌!

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ପୁଣିଥରେ ଜାତୀୟ ଦଳର ନେତୃତ୍ୱ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହାର କାରଣ ହେଉଛି, ତାଙ୍କ କ୍ୟାପଟେନ୍ସି ଉପରେ ଲାଗିଥିବା ଦୁଇବର୍ଷର ପ୍ରତିବନ୍ଧ ରବିବାର ଅର୍ଥାତ୍ ମାର୍ଚ୍ଚ ୨୯ ତାରିଖରେ ଶେଷ ହୋଇଛି। ଆଜକୁ ଦୁଇ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮, ମାର୍ଚ୍ଚ ୨୯ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ ବଲ୍ ଟ୍ୟାମ୍ପରିଂ ଯୋଗୁ ସ୍ମିଥଙ୍କ ଉପରେ ବର୍ଷେ ଏବଂ ତାଙ୍କ କ୍ୟାପଟେନ୍ସି ଉପରେ ଦୁଇବର୍ଷର ବାସନ୍ଦାଦେଶ […]

smith

Ranjit Kumar Jena
  • Published: Sunday, 29 March 2020
  • , Updated: 29 March 2020, 08:37 PM IST

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ପୁଣିଥରେ ଜାତୀୟ ଦଳର ନେତୃତ୍ୱ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହାର କାରଣ ହେଉଛି, ତାଙ୍କ କ୍ୟାପଟେନ୍ସି ଉପରେ ଲାଗିଥିବା ଦୁଇବର୍ଷର ପ୍ରତିବନ୍ଧ ରବିବାର ଅର୍ଥାତ୍ ମାର୍ଚ୍ଚ ୨୯ ତାରିଖରେ ଶେଷ ହୋଇଛି। ଆଜକୁ ଦୁଇ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୮, ମାର୍ଚ୍ଚ ୨୯ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ ବଲ୍ ଟ୍ୟାମ୍ପରିଂ ଯୋଗୁ ସ୍ମିଥଙ୍କ ଉପରେ ବର୍ଷେ ଏବଂ ତାଙ୍କ କ୍ୟାପଟେନ୍ସି ଉପରେ ଦୁଇବର୍ଷର ବାସନ୍ଦାଦେଶ ଲାଗିଥିଲା।

ସ୍ମିଥ୍ ସ୍ୱୀକାର କରିଥିଲେ ଯେ କେପ୍ ଟାଉନରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ ବେଳେ ସେ କାମେରନ୍ ବ୍ୟାନକ୍ରଫ୍ଟଙ୍କୁ ବଲ୍ ଟ୍ୟାମ୍ପରିଂ କରିବାକୁ କହିଥିଲେ। ସ୍ମିଥ୍ ଓ ବ୍ୟାନକ୍ରଫ୍ଟଙ୍କ ସହ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କୁ ଭାଇସ୍‌-କ୍ୟାପଟେନ୍ ପଦରୁ ନିଲମ୍ବନ କରାଯାଇଥିଲା। ସେହିପରି ବ୍ୟାନକ୍ରଫ୍ଟଙ୍କ ଉପରେ ୯ମାସର ବାସନ୍ଦାଦେଶ ଲଗାଯାଇଥିଲା। ୨୦୧୮ ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ଏହି ଗସ୍ତର ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଓପ୍ନର ବ୍ୟାନକ୍ରଫ୍ଟ ଗ୍ରାଉଣ୍ଡରେ ବଲ୍ ଟ୍ୟାମ୍ପରିଂ କରୁଥିବାର ଧରା ପଡ଼ିଥିଲେ।

ବ୍ୟାନକ୍ରଫ୍ଟ ମ୍ୟାଚ୍ ବେଳେ ନିଜର ଟ୍ରାଉଜରରୁ ହଳଦିଆ ରଙ୍ଗର କିଛି ଜିନିଷ କାଢ଼ିଥିଲେ। ଟିଭି ରିପ୍ଲେରେ ଦେଖିବାକୁ ମିଳିଥିଲା ଯେ ବଲର ଆକାର ଖରାପ କରିବା ପାଇଁ ବ୍ୟାନକ୍ରଫ୍ଟ ନିଜ ପକେଟରୁ ହଳଦିଆ ରଙ୍ଗର ଟେପ୍ ଭଳି ଦିଶୁଥିବା ଏକ ପଦାର୍ଥର ବ୍ୟବହାର କରୁଛନ୍ତି, ଯାହା ପରେ ସେ ଏହାକୁ ନିଜ ଟ୍ରାଉଜରରେ ଲୁଚାଇବାକୁ ପ୍ରୟାସ କରିଥିଲେ। ଏହି ଘଟଣା ପରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ସ୍ମିଥ୍ ସାମ୍ବାଦିକ ସମ୍ମିଳନୀରେ ବଲ୍ ଟ୍ୟାମ୍ପରିଂ କଥା ସ୍ୱୀକାର କରିଥିଲେ । ବଲ୍ ଟ୍ୟାମ୍ପରିଂ ଘଟଣାର କିଛି ଘଣ୍ଟା ପରେ ଅଷ୍ଟ୍ରେଲିଆ ସରକାର ସ୍ମିଥଙ୍କୁ କ୍ୟାପଟେନ୍ ପଦରୁ ହଟାଇବା ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆକୁ (ସିଏ)କୁ ନିର୍ଦ୍ଦେଶ ଦେଇଥିଲେ।

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମାଲକମ୍ ଟର୍ନବୁଲ୍ ଏହି ଘଟଣାକୁ ଅତ୍ୟନ୍ତ ନୈରାଶ୍ୟଜନକ ଏବଂ ଆଶ୍ଚର୍ଯ୍ୟଚକିତ ବୋଲି କହିଥିଲେ। ଏହା ପରେ ସ୍ମିଥ୍ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମର କ୍ୟାପଟେନ୍ ପଦ ଛାଡ଼ିଥିଲେ। ଭାଇସ-କ୍ୟାପଟେନ୍ ୱାର୍ଣ୍ଣର୍ ନିଜ ପଦରୁ ହଟିଯାଇଥିଲେ। ଏବେ ସ୍ମିଥଙ୍କ ଉପରକୁ ସବୁ ପ୍ରକାରର ବାସନ୍ଦାଦେଶ ଉଠିଛି। ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୟ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର କ୍ରିକେଟ୍ ମ୍ୟାଚକୁ ବନ୍ଦ କରାଯାଇଛି। ତେଣୁ ଅଷ୍ଟ୍ରେଲିଆ ଟିମ୍ ପୁଣି କେବେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ, ତାହା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ଅଷ୍ଟ୍ରେଲିଆ ଟେଷ୍ଟ ଟିମର ନେତୃତ୍ୱଭାର ଟିମ୍ ପେନ୍ ବହନ କରୁଥିବା ବେଳେ ଆରୋନ୍ ଫିଞ୍ଚ୍ ଉଭୟ ଦିନିକିଆ ଓ ଟି-୨୦ ଦଳର କ୍ୟାପଟେନ୍ ଅଛନ୍ତି। ଏଭଳି ସ୍ଥିତିରେ ସ୍ମିଥଙ୍କୁ ହୁଏତ ଟେଷ୍ଟ ଦଳର କ୍ୟାପଟେନ୍ କରାଯାଇପାରେ।

Related story