ମୁମ୍ବାଇ: ରବିବାର ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମର ଘୋଷଣା କରାଯାଇଛି। ଟିମରେ ବିଶେଷ କରି ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ମିଳିଛି। ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟି-୨୦ ଟିମରେ ରାଜସ୍ଥାନର ଲେଗ୍ ସ୍ପିନର୍ ରାହୁଲ ଚହରଙ୍କୁ ସାମିଲ୍ କରାଯାଇଛି। ସେ ପ୍ରଥମଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।
ଆଇପିଏଲ୍ ଏବଂ ଘରୋଇ କ୍ରିକେଟରେ ଉନ୍ନତ ପ୍ରଦର୍ଶନର ଉପହାର ସ୍ୱରୂପ ତାଙ୍କୁ ଜାତୀୟ ଦଳରେ ସୁଯୋଗ ମିଳିଛି। ତାଙ୍କ ଦାଦା ପୁଅ ଭାଇ ଦୀପକ ଚହରଙ୍କୁ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି। ଦୀପକ ମଧ୍ୟ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଛନ୍ତି। ଦୁଇ ଭାଇ ଘରୋଇ କ୍ରିକେଟରେ ରାଜସ୍ଥାନ ପକ୍ଷରୁ ଖେଳନ୍ତି। ଆଇପିଏଲ୍ ଟିମ୍ ରାଇଜିଂ ପୁନେ ସୁପର୍ ଜାଏଣ୍ଟସରେ ଦୁହେଁ ଏକାଠି ଖେଳିଥିଲେ।
ରାହୁଲ୍ ମଧ୍ୟ ବଡ଼ ଭାଇ ଦୀପକଙ୍କ ଭଳି ପେସ୍ ବୋଲର୍ ହେବାକୁ ଚାହୁଁଥିଲେ, କିନ୍ତୁ ଦୀପକଙ୍କ ପିତା ରାହୁଲଙ୍କୁ ସ୍ପିନ୍ ହେବା ପାଇଁ ପରାମର୍ଶ ଦେଇଥିଲେ। ରାହୁଲ୍ ସର୍ବପ୍ରଥମେ ୨୦୧୩-୧୪ରେ ଚର୍ଚ୍ଚାକୁ ଆସିଥିଲେ । ସେ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିର ୪ଟି ମ୍ୟାଚ୍ ମଧ୍ୟରୁ ତିନୋଟିରେ ୫ଟି ଲେଖାଏ ୱିକେଟ୍ ନେଇଥିଲେ। ୨୦୧୭ରେ ରାହୁଲ୍ ପୁନେ ରାଇଜିଂ ସୁପର ଜାଏଣ୍ଟସ୍ ଟିମରେ ସ୍ଥାନ ପାଇଥିଲେ ହେଁ, ତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ମିଳିନଥିଲା।
ଏଥିସହ ମୁମ୍ବାଇ ଇଣ୍ଡିଆନ୍ସକୁ ବିଜେତା କରାଇବାରେ ପଛରେ ସେ ପ୍ରମୁଖ ଭୂମିକା ମଧ୍ୟ କରିଛନ୍ତି। ଦୀପକ ଓ ରାହୁଲ୍ ଚତୁର୍ଥ ଭାଇ ଯୋଡ଼ି ଭାବେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ଏହା ପୂର୍ବରୁ ମହିନ୍ଦର ଓ ସୁରିନ୍ଦର ଅମରନାଥ, ଇରଫାନ୍ ଓ ୟୁସୁଫ୍ ପଠାନ୍ ଏବଂ ହାର୍ଦ୍ଦିକ ଓ କୃନାଲ୍ ପାଣ୍ଡ୍ୟା ଭାରତ ପକ୍ଷରୁ ଖେଳିସାରିଛନ୍ତି। ଦୀପକ ଭାରତ ପକ୍ଷରୁ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି।