ଅନ୍ତ୍ୟୋଦୟ ଯୋଜନାରୁ ୪ ଲକ୍ଷ ହିତାଧିକାରୀ ବାଦ୍ ପଡ଼ିବା ଘଟଣାରେ ଦୁର୍ନୀତିର ଗନ୍ଧ; ସିବିଆଇ ତଦନ୍ତ ଦାବି କଲେ ବିରୋଧୀ

ଭୁବନେଶ୍ୱର: ରାଜ୍ୟରେ ଅନ୍ତ୍ୟୋଦୟ ଯୋଜନାରୁ ୪ ଲକ୍ଷ ହିତାଧିକାରୀ ବାଦ୍ ପଡ଼ିବା ଘଟଣାରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି ବୋଲି ଅଭିଯୋଗ କରି ବିରୋଧ ଦଳଗୁଡ଼ିକ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି। ରାଜ୍ୟ ଯୋଗାଣ ବିଭାଗ ସଚିବ ମଧୁସୂଦନ ପାଢ଼ୀ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠି ‘ଓଟିଭି’ର ହସ୍ତଗତ ହୋଇଛି। ଏଥିରେ ଯୋଗାଣ ସଚିବ ଲେଖିଛନ୍ତି,“କେନ୍ଦ୍ର ସରକାର ଅନ୍ତ୍ୟୋଦୟ ଯୋଜନାରେ ଓଡ଼ିଶାର ୧୨,୬୪,୫୦୦ ପରିବାରକୁ ଚାଉଳ ଯୋଗାଇ ଦେବା […]

antyodaya

Rakesh Mallick
  • Published: Monday, 07 March 2016
  • , Updated: 07 March 2016, 05:16 PM IST

ଭୁବନେଶ୍ୱର: ରାଜ୍ୟରେ ଅନ୍ତ୍ୟୋଦୟ ଯୋଜନାରୁ ୪ ଲକ୍ଷ ହିତାଧିକାରୀ ବାଦ୍ ପଡ଼ିବା ଘଟଣାରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି ବୋଲି ଅଭିଯୋଗ କରି ବିରୋଧ ଦଳଗୁଡ଼ିକ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି।

ରାଜ୍ୟ ଯୋଗାଣ ବିଭାଗ ସଚିବ ମଧୁସୂଦନ ପାଢ଼ୀ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଏହି ଚିଠି ‘ଓଟିଭି’ର ହସ୍ତଗତ ହୋଇଛି। ଏଥିରେ ଯୋଗାଣ ସଚିବ ଲେଖିଛନ୍ତି,“କେନ୍ଦ୍ର ସରକାର ଅନ୍ତ୍ୟୋଦୟ ଯୋଜନାରେ ଓଡ଼ିଶାର ୧୨,୬୪,୫୦୦ ପରିବାରକୁ ଚାଉଳ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ। ତେବେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ଯେ ଏହି ଯୋଜନାରେ ରାଜ୍ୟରେ ଯୋଗ୍ୟ ହିତାଧିକାରୀ ପରିବାର ସଂଖ୍ୟା ହେଉଛି ୧୨,୫୪,୦୫୦। କିନ୍ତୁ ୨୦୧୫ ନଭେମ୍ବର ମାସରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ କାର୍ଯ୍ୟକାରୀ ହେବା ପରେ ଏହି ହିତାଧିକାରୀଙ୍କ ସଂଖ୍ୟା ପ୍ରଥମେ ୭.୮୫ ଲକ୍ଷ ଓ ତିନି ମାସ ପରେ ୮.୪୬ ଲକ୍ଷରେ ପହଞ୍ଚିଛି। କେଉଁ କାରଣରୁ ହିତାଧିକାରୀଙ୍କ ସଂଖ୍ୟା ହ୍ରାସ ହୋଇଛି ତା’ର ରିପୋର୍ଟ ଦିଅନ୍ତୁ। ଭୁଲ୍ ତଥ୍ୟ, ଅବହେଳା ଅବା ଅଫିସରଙ୍କ ଆନ୍ତରିକତାର ଅଭାବ- କେଉଁ କାରଣରୁ ଏହି ହିତାଧିକାରୀଙ୍କ ସଂଖ୍ୟା କମିଛି,ତାହାର ରିପୋର୍ଟ ଦିଅନ୍ତୁ।”

ଯୋଗାଣ ସଚିବଙ୍କ ଏହି ଚିଠି ଏବେ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଯେମିତି କି, ୪ ଲକ୍ଷ ହିତାଧିକାରୀ କୁଆଡ଼େ ଗଲେ? ଯଦି ସେମାନେ ଏଇ ଯୋଜନା ପାଇଁ ଯୋଗ୍ୟ ନ ଥିଲେ, ତା’ହେଲେ ପୂର୍ବରୁ ସେମାନଙ୍କୁ ଚାଉଳ ମିଳୁଥିଲା କିପରି? ବାଦ ପଡ଼ିଥିବା ୪ ଲକ୍ଷ ହିତାଧିକାରୀଙ୍କୁ ପୁଣି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ କି?

ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ଏଥିରୁ ପ୍ରମାଣିତ ହେଉଛି ଏହି ଯୋଜନାରେ ଯେଉଁ ଚାଉଳ ଜିଲ୍ଲାଗୁଡ଼ିକୁ ଦିଆଯାଉଥିଲା ତାହାକୁ ଭୂତ ହିତାଧିକାରୀମାନେ ନେଉଥିଲେ ନ ହେଲେ ସେଗୁଡ଼ିକର କଳାବଜାରୀ କରାଯାଉଥିଲା। ଏଥିରେ ବଡ଼ ଦୁର୍ନୀତି ହୋଇଥିବାର ସଂକେତ ମିଳୁଛି। ସରକାର ଏହା ବିଚାରବିଭାଗୀୟ ତଦନ୍ତ କରାନ୍ତୁ।”

ସେହିଭଳି ଏ ଘଟଣାରେ କ୍ଷୋଭ ପ୍ରକାଶ କରି କଂଗ୍ରେସ ନେତା ଶରତ ରାଉତ କହିଛନ୍ତି,“ଏହି ଘଟଣା ଏକ ବଡ଼ ଧରଣର ଘୋଟାଲା ହୋଇଥିବା କଥା ସୂଚାଉଛି। ଚାଉଳ କେମିତି ଓ କାହାକୁ ଦିଆଗଲା, ସେ ବିଷୟରେ କିଛି ଜଣାନାହିଁ। ତେଣୁ କଂଗ୍ରେସ ଏ ଘଟଣାର ସିବିଆଇ ତଦନ୍ତ ଦାବି କରୁଛି।”

ତେବେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି,“ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହେବା ପାଇଁ ହିତାଧିକାରୀଙ୍କୁ ଜିଲ୍ଲାସ୍ତରରେ ନୂଆ କରି ଆବେଦନ କରିବାକୁ ପଡୁଛି। ଯେହେତୁ ରାଜ୍ୟ ସରକାରଙ୍କ କୋଟା ଉପଲବ୍ଧ ଅଛି, ତେଣୁ ଆମେ ଉକ୍ତ ହିତାଧିକାରୀମାନଙ୍କୁ ପୁଣି ଥରେ ଆବେଦନ କରିବାକୁ ଅନୁରୋଧ କରୁଛୁ। ବାଦ୍‌ ପଡ଼ିଥିବା ହିତାଧିକାରୀମାନେ ସେମାନଙ୍କ ଅନ୍ତ୍ୟୋଦୟ କାର୍ଡର ଫଟୋ କପି ଜିଲ୍ଲାପାଳଙ୍କ ଅଫିସରେ ଦାଖଲ କରନ୍ତୁ। ତା’ହେଲେ ପଦକ୍ଷେପ ନେବାରେ ସହଜ ହେବ।”

Related story