ଗହିରମଥାରେ ଅଣ୍ଡାଦାନ ପାଇଁ ପହଞ୍ଚିଲେ ଅଲିଭ୍ ରିଡଲେ କଇଁଛ

କେନ୍ଦ୍ରାପଡା: ଆରମ୍ଭ ହୋଇଛି ଅଲିଭ୍ ରିଡଲେଙ୍କ ପ୍ରଜନନ ଋତୁ। ଅଣ୍ଡା ଦେବା ପାଇଁ କେନ୍ଦ୍ରାପଡ଼ା ଗହିରମଥାରେ ହଜାର ହଜାର ସଂଖ୍ୟାରେ ଏହି ବିରଳ ପ୍ରଜାତିର କଇଁଛ ପହଞ୍ଚୁଛନ୍ତି। କଇଁଛ ଓ ଅଣ୍ଡାର ସୁରକ୍ଷା ଲାଗି ବନବିଭାଗ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି। ୧୯୯୭ରେ ରାଜ୍ୟ ସରକାର ଗହୀରମଥାକୁ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିଥିଲେ। ଏହାପରଠାରୁ ଗହୀରମଥାରେ କ୍ରମାଗତ ଭାବେ କଇଁଛଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଅଭୟାରଣ୍ୟ ଘୋଷଣା ସତ୍ତ୍ୱେ କଇଁଛ ଓ ଅଣ୍ଡାର ସୁରକ୍ଷା ଏକ ଚ୍ୟାଲେଞ୍ଜ ହୋଇ ରହିଛି। ମାଛଧରା ଜାଲରେ ଲାଗି ବହୁ ସଂଖ୍ୟାରେ କଇଁଛ ମୃତାହତ ହେବାର ନଜିର ରହିଛି। ସେହିପରି ଶିକାରୀ ଓ ଅନ୍ୟ ବନ୍ୟ ପ୍ରାଣୀଙ୍କ କବଳରୁ ଅଣ୍ଡାକୁ ସୁରକ୍ଷା ଦେବା ମଧ୍ୟ ଏକ କଠିନ କାମ। ତେବେ ଦେବୀ ନଦୀ ମୁହାଣଠାରୁ ମହାନଦୀ ଓ ସମୁଦ୍ର ଉପକୁଳ ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ଅଞ୍ଚଳରେ ଯନ୍ତ୍ରଚାଳିତ ଡଙ୍ଗ।କୁ ନିଷେଧ କରିଛି ବନ ବିଭାଗ। ସେହିପରି କୋଷ୍ଟଗାର୍ଡ, ପୋଲିସ, ବନବିଭାଗ ପକ୍ଷରୁ ପାଟ୍ରୋଲିଂ ମଧ୍ୟ କରାଯାଉଛି।