elephant
କେନ୍ଦୁଝର (ଓଡ଼ିଶା ରିପୋର୍ଟ): ଝାଡ଼ଖଣ୍ଡରୁ ଆସୁଥିବା ୧୫୦ରୁ ୨୦୦ ହାତୀ ବାଲେଶ୍ୱର ଜିଲ୍ଲା ନୀଳଗିରି ନଯାଇ କେନ୍ଦୁଝର ମୁହାଁ ହୋଇଛନ୍ତି। ସେମାନେ ଯେକୌଣସି ସମୟରେ ଜିଲ୍ଲାରେ ପ୍ରବେଶ କରିପାରନ୍ତି। ଏହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଭୟରେ ବାତା ବରଣ ଖେଳିଯାଇଛି। ବିଶେଷ କରି ଚାଷୀମାନେ ବେଶୀ ଚିନ୍ତାରେ ପଡ଼ିଯାଇଛନ୍ତି। ଝାଡ଼ଖଣ୍ଡୀ ହାତୀ ପଲଙ୍କ ଆଗମନକୁ ଦୃଷ୍ଟି ରଖି ସୀମାରେ ସତର୍କ ରହିବାକୁ ହାତୀ ସୁରକ୍ଷା ସ୍କ୍ୱାଡ଼ଙ୍କୁ ବନ ବିଭାଗ ନିର୍ଦ୍ଦେଶ ଦେଇଛି।
ବର୍ତ୍ତମାନ କେନ୍ଦୁଝର ଜିଲ୍ଲାରେ ୭୦ରୁ ହାତୀ ରହିଛନ୍ତି। ଜଙ୍ଗଲ ନଷ୍ଟ ହେଉଥିବାରୁ ସେମାନେ ଖାଦ୍ୟ ଅନ୍ୱେଷଣରେ ଗ୍ରାମାଞ୍ଚଳରେ ପଶି ଆସି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଏହାକୁ ନେଇ ଅନେକ ସମୟରେ ହାତୀ ଓ ମଣିଷ ଲଢ଼େଇ ହେଉଛି। କେତେବେଳେ ହାତୀ ଆକ୍ରମଣରେ ମଣିଷର ମୃତ୍ୟୁ ହେଉଛି ତ ଆଉ କେତେବେଳେ ହାତୀର ଜୀବନ ଯାଉଛି। ଏପରି ସ୍ଥଳେ ଯଦି ଆଉ ୨୦୦ ଝାଡ଼ଖଣ୍ଡ ହାତୀ ଜିଲ୍ଲାରେ ପ୍ରବେଶ କରନ୍ତି, ତାହାହେଲେ ସ୍ଥିତି ଜଟିଳ ହେବ। ଏହି ଖବର ପ୍ରଚାରିତ ହେବା ପରେ ବନ ବିଭାଗ ଓ ଚାଷୀଙ୍କ ଆଖିରୁ ନିଦ ହଜି ଯାଇଛି।
କେନ୍ଦୁଝର ଡିଏଫ୍ଓ ରୋହିତ କୁମାର ଲେଙ୍କା କହିଛନ୍ତି-“ଝାଡ଼ଖଣ୍ଡରୁ ଆସୁଥିବା ୧୫୦ରୁ ୨୦୦ ହାତୀ ଏବେ କେନ୍ଦୁଝର ମୁହାଁ ହୋଇଛନ୍ତି। ସେମାନଙ୍କ ଗତିପଥ ରୋକିବା ପାଇଁ କରଞ୍ଜିଆ, ରାଇରଙ୍ଗପୁର, ଚମ୍ପୁଆ, ପାଟଣା ଓ ବଡ଼ବିଲ୍ ରେଞ୍ଜର କର୍ମଚାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।”
ସେ ଆହୁରି କହିଛନ୍ତି-“ବର୍ତ୍ତମାନ ଚମ୍ପୁଆ ରେଞ୍ଜରେ ୨୨ ହାତୀ ଗ୍ରୁପ୍ ରହିଛି। ସେମାନେ ଅନେକ ସମୟରେ ଜମିରେ ପଶି ଚାଷ ନଷ୍ଟ କରୁଛନ୍ତି। ସେମାନଙ୍କ ଗତିପଥକୁ ରୋକିବା ପାଇଁ ବନ ବିଭାଗ ଉଦ୍ୟମ କରୁଛି। ମାତ୍ର ସେମାନେ(ହାତୀ) ବନ ବିଭାଗ କର୍ମଚାରୀଙ୍କୁ ଚକ୍ମା ଦେଇ ଗ୍ରାମାଞ୍ଚଳରେ ପ୍ରବେଶ କରୁଛନ୍ତି।”
ଚାଷୀ ନବକିଶୋର ନାୟକ କହିଛନ୍ତି-“ଆଗରୁ କେନ୍ଦୁଝରରେ ୫୦ରୁ ୬୦ ହାତୀ ଥିଲେ। ଏବେ ପୁଣି ୨୦୦ ଝାଡ଼ଖଣ୍ଡ ହାତୀ ଜିଲ୍ଲାରେ ପ୍ରବେଶ କଲେ ଚାଷ ନଷ୍ଟ ହୋଇଯିବ। ଯଦି ବନ ବିଭାଗ ହାତୀ ଘଉଡ଼ାଇବାର ବ୍ୟବସ୍ଥା କରନ୍ତେ, ତାହାହେଲେ ଆମେ ବଞ୍ଚି ଯାଆନ୍ତୁ।”
ଚାଷୀ ଅଶୋକ କୁମାର ନାଏକ କହିଛନ୍ତି-“ବହୁ କଷ୍ଟରେ ଚାଷୀ ଚାଷ କରିଛି। ଏପରି ସ୍ଥଳେ ଯଦି ଝାଡ଼ଖଣ୍ଡ ହାତୀ ଆସନ୍ତି, ତାହାହେଲେ ଚାଷ ବଞ୍ଚାଇବା କଷ୍ଟକର ହୋଇପଡ଼ିବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
