କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ପ୍ରସଙ୍ଗ: ନିଜ ମନ୍ତବ୍ୟ ପାଇଁ ଦୁଃଖପ୍ରକାଶ କଲେ ଭକ୍ତ ଦାସ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଚୟନ ସଂପର୍କିତ ବିବୃତ୍ତି ନେଇ ଗୁରୁବାର ଦୁଃଖ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ସେ କହିଛନ୍ତି, କମ୍ୟୁନିକେସନର ଅଭାବ ଯୋଗୁଁ ଏଭଳି ଏକ ଘଟଣା ଘଟିଗଲା। ଏଥିପାଇଁ ସେ ଦୁଃଖିତ। ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇପାରି ଥାଆନ୍ତା। କିନ୍ତୁ ଏ କ୍ଷେତ୍ରରେ ସେଭଳି ହୋଇନାହିଁ। ଗଣମାଧ୍ୟମରେ ତାଙ୍କର ଏଭଳି ବିବୃତ୍ତି ଦଳର କ୍ଷତି କରିଛି। ପିସିସି ସଭାପତିଙ୍କ ସହିତ ତାଙ୍କର ତିକ୍ତତା ନାହିଁ। କଳାହାଣ୍ଡି […]

bhakta-das

Rakesh Mallick
  • Published: Thursday, 07 January 2016
  • , Updated: 02 February 2016, 09:53 AM IST

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଚୟନ ସଂପର୍କିତ ବିବୃତ୍ତି ନେଇ ଗୁରୁବାର ଦୁଃଖ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ସେ କହିଛନ୍ତି, କମ୍ୟୁନିକେସନର ଅଭାବ ଯୋଗୁଁ ଏଭଳି ଏକ ଘଟଣା ଘଟିଗଲା। ଏଥିପାଇଁ ସେ ଦୁଃଖିତ। ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇପାରି ଥାଆନ୍ତା। କିନ୍ତୁ ଏ କ୍ଷେତ୍ରରେ ସେଭଳି ହୋଇନାହିଁ। ଗଣମାଧ୍ୟମରେ ତାଙ୍କର ଏଭଳି ବିବୃତ୍ତି ଦଳର କ୍ଷତି କରିଛି। ପିସିସି ସଭାପତିଙ୍କ ସହିତ ତାଙ୍କର ତିକ୍ତତା ନାହିଁ। କଳାହାଣ୍ଡି ଜିଲ୍ଲା ସଭାପତି ନେଇ ତାଙ୍କର ବିବାଦୀୟ ମନ୍ତବ୍ୟ ପରେ ଆଜି ସେ ପ୍ରଥମ ଥର ପାଇଁ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପହଞ୍ଚିଥିଲେ ଏବଂ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଭେଟି ଥିଲେ। ଉଭୟଙ୍କ ମଧ୍ୟରେ ରୁଦ୍ଧ ଦ୍ୱାର ବୈଠକ ହୋଇଥିଲା। ଏହି ରୁଦ୍ଧ ଦ୍ୱାର ବୈଠକ ପରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଏସବୁ କଥା କହିଥିଲେ।

ଏ ଘଟଣାଟି ହଠାତ୍ ଘଟି ଗଲା ବୋଲି କହିଛନ୍ତି ଭକ୍ତ। ସେ କହିଥିଲେ,’ପିସିସି ସଭାପତି ମୋ ସାନଭାଇ ଭଳି। ତାଙ୍କ ସହିତ ମୋର କେବେ ବି ତିକ୍ତତା ନ ଥିଲା। ମୁଁ ତାଙ୍କ ସମର୍ଥନରେ ବି ଗୁଡାଏ କଥା କହିଥିଲି। ତେବେ ଏ ଘଟଣାଟି ହଠାତ୍ ଘଟିଗଲା। କଥାଟି ଭାରି ଛୋଟ। କିନ୍ତୁ କମ୍ୟୁନିକେସନର ଅଭାବ ଯୋଗୁ ଏଭଳି ଏକ ଘଟଣା ଘଟି ଗଲା। ମୁଁ ମୋ ଆଡୁ ତାଙ୍କ ସହିତ ଯୋଗାଯୋଗ କରିଥିଲେ ହୋଇଥାଆନ୍ତା। ଆଉ କାହାକୁ ଦୋଷ ଦେବା ଆଗରୁ ମୁଁ ମୋ ତରଫରୁ ବି ଯୋଗାଯୋଗ କରି ନ ଥିଲି ବୋଲି ମାନିବାକୁ ହେବ।‘

ଭକ୍ତ କହିଥିଲେ, ‘ଏ ପ୍ରସଙ୍ଗକୁ ନେଇ ଗତ କିଛି ଦିନ ଧରି ଯେଉଁ ସବୁ ଆଲୋଚନା ହେଲା ସେଥିରେ ଦଳର କ୍ଷତି ହୋଇଛି ବୋଲି ମୁଁ ଅନୁଭବ କଲି।  ସେଥିପାଇଁ ମୁଁ ଦୁଃଖିତ। ମୁଁ କେବେବି ଚାହିଁବିନି ଯେ ମୋ ପାଇଁ ଦଳର କ୍ଷତି ହେଉ। କଳାହାଣ୍ଡି ସଂଗଠନ ସଂପର୍କରେ କ’ଣ ହେବ, ସେ ନେଇ ପରେ ଆଲୋଚନା କରାଯିବ। ଏହା ଦଳ ଭିତରର କଥା।’

ପିସିସି ସଭାପତି ଭାବେ ପ୍ରସାଦ ହରିଚନ୍ଦନଙ୍କ ଦକ୍ଷତା ସଂପର୍କରେ ପଚରା ଯିବାରେ ଭକ୍ତ ଦାସ କହିଥିଲେ, ‘ତାଙ୍କର (ପ୍ରସାଦ) ପାରଦର୍ଶିତା ନ ଥିଲେ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ପିସିସି ସଭାପତି କରି ଥାଆନ୍ତେ କି? ଯେତେ ଦିନ ପର୍ଯ୍ୟନ୍ତ କଂଗ୍ରେସ ହାଇକମାଣ୍ଡଙ୍କ ଆର୍ଶୀବାଦ ତାଙ୍କ ଉପରେ ରହିଥିବ ସେ ପିସିସି ସଭାପତି ଭାବେ କାର୍ଯ୍ୟ କରି ଚାଲିବେ। ଆମେ ତାଙ୍କୁ ସହଯୋଗ କରିବା କଥା। କିନ୍ତୁ ମତଭେଦ ଆସିଲେ ତର୍କ ଓ ଆଲୋଚନା ମାଧ୍ୟମରେ ତା’ର ସମାଧାନ କରିବା ଉଚିତ୍।’

ପ୍ରସାଦ ପ୍ରସଙ୍ଗରେ ଦଳୀୟ ହାଇକମାଣ୍ଡ୍ ଅବା କୌଣସି କେନ୍ଦ୍ରୀୟ ନେତା ତାଙ୍କୁ କିଛି କହିଛନ୍ତି କି ବୋଲି ପଚରା ଯିବାରେ ଭକ୍ତ କହିଥିଲେ ଯେ ଏନେଇ ଦଳର କୌଣସି କେନ୍ଦ୍ରୀୟ ନେତା ତାଙ୍କୁ ଫୋନ୍ କରି ନାହାନ୍ତି। ଦଳର ହାଇକମାଣ୍ଡ ବି ଏ ନେଇ ତାଙ୍କୁ କିଛି ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ତାଙ୍କ କର୍ତ୍ତବ୍ୟ ବେଶ ଭଲ ଭାବେ ଜଣା। ସେ କାହା ଦ୍ୱାରା ପ୍ରଭାବିତ ହୋଇ କାମ କରନ୍ତି ନାହିଁ।

ସେହିଭଳି ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର ମନ୍ତ୍ରୀମାନଙ୍କୁ ଅଣ୍ଡା ମାଡ଼ କରିବାକୁ ପ୍ରୋତ୍ସାହିତ କରୁଥିବା କଥାକୁ ଖଣ୍ଡନ କରିଛନ୍ତି ଭକ୍ତ। ସେ କହିଛନ୍ତି, ଅଣ୍ଡା ମାଡ଼କୁ ଆମେ ସମର୍ଥନ କରୁଛୁ ବୋଲି ଲୁଲୁ ମହାପାତ୍ର କେବେ ବି କହି ନାହାନ୍ତି।  କଂଗ୍ରେସ କେବେ ବି ଅଣ୍ଡା ମାଡ଼କୁ ସମର୍ଥନ କରେ ନାହିଁ। ତେବେ ବିରୋଧ ପ୍ରଦର୍ଶନ କରିବାକୁ କୁହାଯାଏ। ଅତିବେଶୀରେ କଳାପତାକା ପ୍ରଦର୍ଶନ କରିବାକୁ କୁହାଯାଏ, ତାହା ପୁଣି ଶାନ୍ତିପୂର୍ଣ୍ଣ ଭାବେ।

ଭକ୍ତ ସ୍ପଷ୍ଟ କରିଥିଲେ ଯେ ସେ କଳାହାଣ୍ଡି ଭିଲ୍ଲା ସଭାପତିଙ୍କ ସଂପର୍କରେ ସେ ଆଲୋଚନା କରିବାକୁ ପିସିସି ସଭାପତିଙ୍କ ନିକଟକୁ ଆସିଥିଲେ। ସେ ରାଜ୍ୟରେ ଦଳର ସ୍ଥିତିକୁ ଆହୁରି ମଜଭୁତ କରିବା ନେଇ ପିସିସି ସଭାପତିଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ସଭାପତି ହୋଇଥିବା ଗୋବର୍ଦ୍ଧନ ଦାସ ବି ତାଙ୍କ ପିଲା। ତେଣୁ ଏ ସଂପର୍କରେ ପରେ ଆଲୋଚନା ହେବ। ସେ ଯେତେବେଳ ଚାହିଁବେ ଏନେଇ ସମସ୍ତଙ୍କୁ ଡକାଇ ଆଲୋଚନା କରାଯିବ।

ଅନ୍ୟପକ୍ଷରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏନେଇ କିଛି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ନିଯୁକ୍ତି ନେଇ ରାଜ୍ୟ ନେତୃତ୍ୱ ଉପରେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ଗତ ଡିସେମ୍ବର ମାସରେ ଅସନ୍ତୋଷ ପ୍ରକାଶ କରିଥିଲେ।  ତାଙ୍କ ସହ ଆଲୋଚନା କରା ନ ଯାଇ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏହା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କରାଯାଇଥିବା ସେ ଅଭିଯୋଗ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, କଳାହାଣ୍ଡିରେ ସଂଗଠନକୁ ଦୁର୍ବଳ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦେବା ନେଇ ସେ ଏଭଳି କହିଥିଲେ।

Related story