ନିଜ ସ୍ୱାର୍ଥ ପାଇଁ ମଣିଷ ସବୁଥିରେ ହିସାବ କରେ। ଅନ୍ୟ ଜିନିଷର ମୂଲ୍ୟ ଜାଣିବାକୁ ଚେଷ୍ଟା କରେ। ଏପରିକି ମଣିଷ ସମ୍ପର୍କରେ ମଧ୍ୟ ସୌଦା କରେ। ହେଲେ କେବେ ନିଜ ଜୀବନର ମୂଲ୍ୟ ଉପରେ ବିଚାର କରେ ନାହିଁ। ସେ ଜାଣିବାକୁ ଚେଷ୍ଟା କରେନି ତା’ଜୀବନର ଦାମ କେତେ। ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା ମଣିଷ ଜୀବନର ମୂଲ୍ୟ କେତେ।
ଏକଦା ଗୁରୁକୂଳରେ ଗୁରୁ ଜୀବନ ଉପରେ ଶିକ୍ଷା ଦେଉଥିଲେ। ସେହିସମୟରେ ଜଣେ ଶିଷ୍ୟ ଜୀବନର ମୂଲ୍ୟ ବିଷୟରେ ପଚାରିଲେ। ଏହାର ମୂଲ୍ୟାଙ୍କନ କିପରି କରିହେବ ତାହା ପ୍ରଶ୍ନ କଲେ। ଏହା ଶୁଣି ଗୁରୁ ଶିଷ୍ୟଙ୍କୁ ଏକ ଚକ୍ଚକ୍ କରୁଥିବା ପଥରଟି ଦେଲେ।
ଏହି ପଥରଟିକୁ ଦେଇ ଏହାର ମୂଲ୍ୟ ଖୋଜିବାକୁ କହିଲେ। ଏଥିସହ ଯେପରି ପଥରଟି କାହାକୁ ବିକ୍ରି କରିବ ନାହିଁ ବୋଲି କହିଲେ।
ଶିଷ୍ୟଟି ପଥରକୁ ନେଇ ପ୍ରଥମେ ବଜାରକୁ ଗଲା। ଏକ ଫଳ ବେପାରୀକୁ ଭେଟି ପଥରର ମୂଲ୍ୟ ବିଷୟରେ ପଚାରିଲା। ଫଳ ବେପାରୀଟି ପଥର ଦେଖି ଉତ୍ତରରେ ଦୁଇ କିଲୋ ଫଳ ନେଇ ପଥରଟି ଦେଇଦେବାକୁ କହିଲା।
ଶିଷ୍ୟଟି ଆଗକୁ ଯାଇ ଜଣେ ପରିବା ବିକାଳିଙ୍କୁ ପଥରଟି ଦେଖାଇଲା ଏବଂ ଏହାର ମୂଲ୍ୟ ସଂପର୍କରେ ପଚାରିଲା। ପରିବା ବିକାଳିଟି ପଥର ବଦଳରେ ଏକ ବସ୍ତା ପରିବା ନେଇଯିବାକୁ ପ୍ରସ୍ତାବ ଦେଲା।
ଆଗକୁ ଯାଇ ଶିଷ୍ୟଟି ସୁନା ବଣିଆ ପାଖକୁ ଯାଇ ପହଞ୍ଚିଲା। ବଣିଆଟି ପଥର ଦେଖି ୫୦ ଲକ୍ଷରେ ମୋତେ ବିକିଦିଅ ବୋଲି କହିଲେ। ଶିଷ୍ୟ ଏହା ଶୁଣି ମନା କରିଦେଲା । ଏହାପରେ ବଣିଆଟି ୧ କୋଟି ଦେବା ସହ ଅନ୍ୟ ଯାହା ବି ଦରକାର ତାହା ଦେବାକୁ ବି ପ୍ରସ୍ତୁତ ହୋଇଗଲା। ଏହି ଶୁଣି ଶିଷ୍ୟ କ୍ଷମା ପ୍ରାର୍ଥନା କଲେଏବଂ ମୋ ଗୁରୁ ଏହାକୁ ବିକ୍ରିକରିବାକୁ ମନାକରିଛନ୍ତି ବୋଲି କହିଥିଲେ।
ଆଗକୁ ଶିଷ୍ୟଟି ବଡ ହୀରା ଅଳଙ୍କାର ବେପାରୀ ପାଖକୁ ଯାଇ ଚକମକ କରୁଥିବା ପଥରକୁ ଦେଖାଇଲା। ହୀରା ବେପାରୀଟି ପଥରକୁ ଦେଖି ସଙ୍ଗେ ସଙ୍ଗେ ଜାଣିଦେଲା ଏହା ବହୁ ମୂଲ୍ୟବାନ ରୁବି। ହୀରା ବେପାରି ଜଣକ ଏହି ମୂଲ୍ୟବାନ ରୁବିକୁ ଜାଣିପାରି ଏହା ଖୁବ୍ ମୂଲ୍ୟବାନ ଏହା ଆଗରେ କୋଟି ଟଙ୍କା ମଧ୍ୟ କମ୍। ଏହାକୁ କେଉଁଠି ପାଇଲୁ ବୋଲି ପ୍ରଶ୍ନ କରିଥିଲେ।
ଶିଷ୍ୟଟି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ ସିଧା ଗୁରୁଙ୍କ ପାଖକୁ ଯାଇ ସବୁ କଥା କହିଲେ। ଆଉ ଜୀବନର ମୂଲ୍ୟ କ’ଣ ଏହା ସଂପର୍କରେ କହିବାକୁ କହିଲା।
ଗୁରୁ ଉତ୍ତରରେ କହିଥିଲେ ଫଳ ବେପାରୀଟି ପଥରଟିର ମୂଲ୍ୟ ୨ କିଲୋ ଫଳ କହିଥିବା ବେଳେ ପରିବା ବିକାଳୀଟି ଏହାର ମୂଲ୍ୟ ଏକ ବସ୍ତା ପରିବା କହିଥିଲା। ସେହିପରି ସୁନା ବଣିଆଟି ପଥରର ମୂଲ୍ୟ ଏକ କୋଟି କହିବା ବେଳେ ହୀରା ବିକାଳୀଟି ଏହାର ମୂଲ୍ୟ ଅଧିକ ବୋଲି କହିଥିଲେ।। ମାନବ ଜୀବନର ମୂଲ୍ୟ ଠିକ୍ ସେହିଭଳି ବୋଲି ଗୁରୁ କହିଥିଲେ।
ତୁମେ ହୀରା ସମାନର ହୋଇଥିଲେ ମଧ୍ୟ ତୁମ ସମ୍ମୁଖରେ ଥିବା ବ୍ୟକ୍ତି ତୁମର ମୂଲ୍ୟକୁ ନିଜ କ୍ଷମତା, ନିଜ ବୁଦ୍ଧି ଅନୁସାରେ ହିସାବ ଲଗାଇବେ ବୋଲି ଗୁରୁ ଉତ୍ତର ଦେଇଥିଲେ।