ନାବାଳିକା ବିବାହ ଓ ଓଟିଭି ପ୍ରତିନିଧିଙ୍କୁ ମାଡ଼ ଘଟଣା:ବର ପିତା ସହ ୯ ଗିରଫ

କଟକ: କଟକ ଜିଲ୍ଲା ଖଲର୍ଦ୍ଦା ଗାଁରେ ନାବାଳିକା ବିବାହ ଓ ଓଟିଭି ପ୍ରତିନିଧି ପ୍ରଭାତ ବିଶୋଇ ଏବଂ କ୍ୟାମେରାମ୍ୟାନ୍ ସ୍ମୃତିରଞ୍ଜନ ସାମନ୍ତଙ୍କୁ ଆକ୍ରମଣ ଘଟଣାରେ ଆଜି କଟକ ସଦର ଥାନା ପୋଲିସ୍ ୯ ଜଣଙ୍କୁ  ଗିରଫ କରିଛି। ୭ଟି ଗାଡ଼ି ମଧ୍ୟ ଜବତ  କରିଛି । ଗିରଫଙ୍କ ମଧ୍ୟରେ ଉଭୟ ବର ଓ କନ୍ୟା ପକ୍ଷ ଲୋକ ଅଛନ୍ତି। କଟକ ସିଟି ହସପିଟାଲରେ ଡାକ୍ତରୀ ପରୀକ୍ଷା କରାଯିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି […]

cuttack-giraf

Rakesh Mallick
  • Published: Monday, 16 May 2016
  • , Updated: 16 May 2016, 10:29 AM IST

କଟକ: କଟକ ଜିଲ୍ଲା ଖଲର୍ଦ୍ଦା ଗାଁରେ ନାବାଳିକା ବିବାହ ଓ ଓଟିଭି ପ୍ରତିନିଧି ପ୍ରଭାତ ବିଶୋଇ ଏବଂ କ୍ୟାମେରାମ୍ୟାନ୍ ସ୍ମୃତିରଞ୍ଜନ ସାମନ୍ତଙ୍କୁ ଆକ୍ରମଣ ଘଟଣାରେ ଆଜି କଟକ ସଦର ଥାନା ପୋଲିସ୍ ୯ ଜଣଙ୍କୁ  ଗିରଫ କରିଛି। ୭ଟି ଗାଡ଼ି ମଧ୍ୟ ଜବତ  କରିଛି । ଗିରଫଙ୍କ ମଧ୍ୟରେ ଉଭୟ ବର ଓ କନ୍ୟା ପକ୍ଷ ଲୋକ ଅଛନ୍ତି। କଟକ ସିଟି ହସପିଟାଲରେ ଡାକ୍ତରୀ ପରୀକ୍ଷା କରାଯିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୧୪୭,୧୪୮,୩୦୭,୩୨୩,୨୯୪, ୩୭୯,୧୪୯ ଓ ୩୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ୧୧ ବାଲ୍ୟ ବିବାହ ନିରୋଧ ଆଇନ ମଧ୍ୟ ଲାଗୁ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କଟକ ଡିସିପି ସଞ୍ଜୀବ ଅରୋରା କହିଛନ୍ତି।

ଅନ୍ୟପକ୍ଷରେ ପ୍ରଭାତ ବିପଦମୁକ୍ତ ଥିଲେ ମଧ୍ୟ ତାଙ୍କୁ ୭୨ଘଣ୍ଟିଆ  ଅବଜର୍ଭେସନ୍‌ରେ  ରଖାଯାଇଥିବା  କଟକ ବଡ଼ ମେଡିକାଲ ପକ୍ଷରୁ କୁହାଯାଇଛି।ପ୍ରଭାତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଆଜି କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର, କଂଗ୍ରେସ ନେତା ସୁରେଶ ମହାପାତ୍ର, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ ଓ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ ମେଡିକାଲ୍‌ ଯାଇଥିଲେ।

ଓଟିଭି ପ୍ରତିନିଧି ପ୍ରଭାତ ବିଶୋଇ ଓ କ୍ୟାମେରାମ୍ୟାନ୍ ସ୍ମୃତି ସାମନ୍ତଙ୍କୁ ଆକ୍ରମଣ ଘଟଣାର ନିନ୍ଦା କରିଛନ୍ତି ବିଭିନ୍ନ ସାମ୍ୱାଦିକ ତଥା ସାମାଜିକ ସଂଗଠନ। ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆଜି ଓଡିଶା କର୍ମଜୀବୀ ସାମ୍ୱାଦିକ ସଂଘ, ଯୁବ ସାମ୍ୱାଦିକ ସଂଗଠନ, କଟକ ଜିଲ୍ଲା ଏସ୍‌ୟୁସିଆଇ ଓ କଟକ ପ୍ରେସ୍ କ୍ଲବ୍ ପକ୍ଷରୁ କଟକ ଡିସିପିଙ୍କୁ ଦାବିପତ୍ର ଦିଆଯାଇଛି। କର୍ତ୍ତବ୍ୟରତ ସାମ୍ୱାଦିକମାନଙ୍କୁ କର୍ମକ୍ଷେତ୍ରରେ ସୁରକ୍ଷା ଯୋଗାଇ ଦିଆଯିବା ସହିତ ପୋଲିସ୍ ଏହି ଭଳି ସମ୍ୱେଦନଶୀଳ ସ୍ଥାନରେ ଅଧିକ ସଚେତନ ହୋଇ କାର୍ଯ୍ୟକରିବାର ଆବଶ୍ୟକତା ରହିଛି ବୋଲି ସଂଗଠନର ସଦସ୍ୟମାନେ ମତ ଦେଇଛନ୍ତି।

ଗତକାଲି କଟକ ଜିଲ୍ଲା ଖଲର୍ଦ୍ଦା ଗାଁରେ ଚାଲିଥିବା ନାବାଳିକା ବିବାହକୁ ଅଟକାଇବାକୁ ଯାଇଥିବାବେଳେ ଶିଶୁ ମଙ୍ଗଳ କମିଟି ସଦସ୍ୟଙ୍କ ସହ ଖବରପ୍ରସାରଣ ପାଇଁ ଯାଇଥିବା ଓଟିଭି ପ୍ରତିନିଧି ଓ କ୍ୟାମେରାମ୍ୟାନ ଆକ୍ରମଣର ଶିକାର ହୋଇଥିଲେ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଥିଲା। ଏହି ଘଟଣାରେ ଓଟିଭି ପ୍ରତିନିଧି ପ୍ରଭାତ ଓ କ୍ୟାମେରାମ୍ୟାନ୍ ସ୍ମୃତିଙ୍କ ପକ୍ଷରୁ  ସଦର ଥାନାରେ  ଏକ ଏତଲା ଦିଆଯାଇଥିଲା ବେଳେ ଲିଗାଲ୍‌ ଏଡ୍‌ ପକ୍ଷରୁ ମଧ୍ୟ  ଅନୁରୂପ ଭାବେ ଏତଲା ଦିଆଯାଇଛି। ଏହି ଘଟଣା ପରେ  କଟକ ଡିସିପି  ବଡ ମେଡିକାଲ୍‌ ଯାଇ ଆହତ ପ୍ରଭାତଙ୍କୁ ଭେଟିବା ସହ ଘଟଣା ସଂପର୍କରେ ପଚାରି ବୁଝିଥିଲେ। ଏହାସହ ଚୌଦ୍ୱାରା- କଟକ ବିଧାୟକ ପ୍ରଭାତ ବିଶ୍ୱାଳ ଓ କଂଗ୍ରେସ ନେତା ମହମ୍ମଦ ମୋକିମ୍ ମଧ୍ୟ ମେଡିକାଲ ଯାଇ ଆହତ ପ୍ରଭାତଙ୍କୁ ଭେଟିଥିଲେ ଓ ଏଭଳି ଘଟଣାକୁ ନିନ୍ଦା କରିଥିଲେ।

Related story