ଭୁବନେଶ୍ୱର: କଟକ ରାସନ କାର୍ଡ ଘୋଟାଲା ଘଟଣାରେ ତତ୍କାଳୀନ ଅତିରିକ୍ତ କମିଶନର ବିଶ୍ୱନାଥ ସାହୁଙ୍କୁ ନିଲମ୍ବନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଲମ୍ୱନ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱନାଥଙ୍କ ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏବେ ସେ ସୋନପୁର ଡିଆରଡିଏ ପିଡି ଦାୟିତ୍ୱରେ ଥିଲେ।
କଟକ ଜିଲ୍ଲାପାଳଙ୍କୁ ସିଏମସି କମିଶନର ଚିଠି ଲେଖି ୭ଜଣ କର୍ପୋରେଟର ଓ ଆଉ ୨ଜଣ ପୂର୍ବତନ କର୍ପୋରେଟରଙ୍କ ରାସନକାର୍ଡ ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
କଟକ ପୌରାଧ୍ୟକ୍ଷାଙ୍କ ନାଁରେ ରାସନ କାର୍ଡ ଥିବା ଜଣାପଡିବାର ଦିନଟିଏ ପରେ ଏବେ ସମାନ ଅଭିଯୋଗ ଆସିଛି କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରୁ। କେନ୍ଦ୍ରାପଡା ପୌର ଉପାଧ୍ୟକ୍ଷା ଏବଂ ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ନାମରେ ଆସିଛି ଏହି ଅଭିଯୋଗ।
ଏ ନେଇ ଉଭୟ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଖାଦ୍ୟ ସୁରକ୍ଷା ଆଇନରେ ରାସନ କାର୍ଡ ବଣ୍ଟନ ଦାୟିତ୍ୱ ରାଜ୍ୟ ସରକାର ଓ ଯୋଗାଣ ବିଭାଗର। ସେମାନେ ନିଜ ଦାୟିତ୍ୱରୁ ଖସିଯାଇ ପାରିବେ ନାହିଁ। ତାଲିକାରୁ ବହୁ ଗରିବ ବଞ୍ଚିତ ହୋଇଛନ୍ତି। ଶାସକ ଦଳ ନିଜ ସମର୍ଥକଙ୍କୁ ଏଥିରେ ସାମିଲ କରିଛନ୍ତି। ଏହାର ତଦନ୍ତ କରାଯିବା ଉଚିତ।
ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ତାଲିକାରେ ସ୍ୱଚ୍ଛତା ନ ଥିବା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ଯେଉଁଠି ଆଇନର ଉଲ୍ଲଂଘନ କରାଯାଇଛି ତାହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି, କିଏ କ’ଣ ଅଭିଯୋଗ କରୁଛନ୍ତି କିଛି ଯାଏ ଆସେ ନାହିଁ। ତାଲିକା ପ୍ରସ୍ତୁତରେ ଯଥା ସମ୍ଭବ ସ୍ୱଚ୍ଛାତା ଅବଲମ୍ବନ କରାଯାଇଛି। ଯେମିତି ଜଣେ ବି ଗରିବ ହିତାଧିକାରୀ ଏଥିରୁ ବଞ୍ଚିତ ନ ହେବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ତଦନ୍ତ ରିପୋର୍ଟରୁ ବିଶ୍ୱନାଥ ତାଙ୍କ କାର୍ଯ୍ୟ ଠିକରେ ତୁଲାଇ ନ ଥିବା ଜଣାପଡିଛି। ତେଣୁ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ରାସନ କାର୍ଡ ପ୍ରସ୍ତୁତିରେ ସାମିଲ ସମସ୍ତ ଅଧିକାରୀ ଏଥିରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି।