ଭୁବନେଶ୍ୱର(ଓଡ଼ିଶା ରିପାର୍ଟର) କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ । ହସ୍ପିଟାଲ୍ ଅପେକ୍ଷା ଘରେ ସଂଗରୋଧରେ ରହି ମହାମାରୀ ସହ ଯୁଝୁଛନ୍ତି ବହୁ ସଂକ୍ରମିତ । ହେଲେ ସଂଗରୋଧରେ ଥିବାରୁ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ି, ଅନେକଙ୍କ ପାଇଁ ରୋଗର ପୀଡ଼ାଠୁ ବଳି ଯାଉଛି ପେଟର ଭୋକ। ବହୁ ପରିବାରର ସମସ୍ତ ସଦସ୍ୟ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି ।
ଏଭଳି ସ୍ଥିତିରେ, ଓଟିଭି ପକ୍ଷରୁ ଟୁଇନ୍ ସିଟିରେ ପ୍ରଥମେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବାକୁ ସ୍ୱତନ୍ତ୍ର ଅଭିଯାନ, ‘ଓଟିଭି କେୟାର୍ସ-ଆପଣ ଏକା ନୁହଁନ୍ତି’ ଚାଲିଥିଲା। ଏହି ଅଭିଯାନରେ ଏବେ ବାଲେଶ୍ୱର, ପୁରୀ, ବ୍ରହ୍ମପୁର ଓ ରାଉରକେଲା ମଧ୍ୟ ଯୋଡ଼ି ହୋଇଛି । ଆଜି ବାଲେଶ୍ୱର ଜିଲ୍ଲାରେ ‘ଓଟିଭି ଆପଣ ଏକା ନୁହଁନ୍ତି’ ଟିମ୍ ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନ ସହ ମିଶି ଘରେ ହୋମ ଆସୋଲେସନରେ ଥିବା କରୋନା ସଂକ୍ରମିତଙ୍କ ପାଖରେ ରନ୍ଧା ଖାଦ୍ୟ ପହଁଚାଇଛି ।
ବାଲେଶ୍ୱରରେ ଆଶ୍ରମ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତମାନଙ୍କ ସହ ମିଶି ଓଟିଭି ଟିମ୍ ଖାଦ୍ୟ ରୋଷେଇ କରିଥିଲା। ପରେ ବାଲେଶ୍ୱରର ଚର୍ଚ୍ଚ ଲାଇନ ଲେନରେ ସଂଗରୋଧରେ ଥିବା ଲୋକଙ୍କ ଠାରୁ ଫୋନ କଲ୍ ପାଇ ରନ୍ଧା ଖାଦ୍ୟ ପହଁଚାଇ ଦେଇଥିଲା। ସେହିପରି, ପୁରୀରେ ହୋମ୍ ଆଇସୋଲେସନରେ ରହୁଥିବା କରୋନା ସଂକ୍ରମିତଙ୍କ ପାଖକୁ ରନ୍ଧା ଖାଦ୍ୟ ପହଞ୍ଚାଇଛି ଟିମ୍ । ପୁରୀରେ ସମର୍ପଣ ଅନୁଷ୍ଠାନର ସହଯୋଗରେ କୋଭିଡ ଆକ୍ରାନ୍ତଙ୍କୁ ଖାଇବା ଯୋଗାଉଛି ଓଟିଭି କେୟାର୍-ଆପଣ ଏକା ନୁହନ୍ତି ଟିମ୍ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।