ବନମାଳିପୁର ହତ୍ୟାଘଟଣାରେ ଅଭିଯୁକ୍ତ ଗିରଫ

ଯାଜପୁର (ଗୁଲାମ ଗସ ): ଯାଜପୁର ବାଲିଚନ୍ଦ୍ରପୁର ଥାନା ବନମାଳିପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଘଟିଥିବା ଯୁବକର ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ। ପାରିବାରିକ ବିବାଦ ଓ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଅଭିଯୁକ୍ତ ଜଣକ ମୃତକର ସମ୍ପର୍କୀୟ ବଡଭାଇ ପ୍ରଶାନ୍ତ ସେଠୀ ବୋଲି ଜଣାପଡିଛି।  ବୁଧବାର ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧିନ ବନମାଳିପୁର ଗାଁରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ। ମୃତ ଯୁବକ ହେଲେ ସେହି ଗାଁର ଉତ୍ସବ ସେଠୀ।

ବୁଧବାର ରାତିରେ ବାଇକ ଯୋଗେ ନଦୀ ବନ୍ଧ ରାସ୍ତାରେ ଯାଉଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା। ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାର ମୃତଦେହକୁ ଉଦ୍ଧାର କରିଥିଲା। ତଦନ୍ତ ପରେ ପୁଲିସ ଜାଣିବାକୁ ପାଇଥିଲା ହତ୍ୟାକାରୀ ହେଉଛି ତାର ସଂପର୍କୀୟ ବଡଭାଇ ପ୍ରଶାନ୍ତ ସେଠୀ। ପ୍ରଶାନ୍ତକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ହିଁ ଉତ୍ସବକୁ ଏକ କଟୁରୀ ସାହାଯ୍ୟରେ ହାଣି ମାରିଥିବା ପୁଲିସ ଆଗରେ ସ୍ୱୀକାର କରିଛି।

ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୁଲିସ ଜବତ କରିବା ସହ  ଆଜି ପ୍ରଶାନ୍ତକୁ  କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା ଓ ପାରିବାରିକ ବିବାଦ ଥିବା ପୁଲିସ ସୂଚନା ଦେଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଯାଜପୁରରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।