‘ଜିରୋ କାଜୁଆଲିଟି’ ଉପରେ ଗୁରୁତ୍ୱ, ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାତ୍ୟାର ମୁକାବିଲା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ବାତ୍ୟା ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ

  • Published: Monday, 21 October 2024
  • , Updated: 21 October 2024, 08:00 PM IST

ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ । ବାତ୍ୟାର ମୁକାବିଲା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିବା ସହ ‘ଜିରୋ କାଜୁଆଲିଟି’ଉପରେ ଗୁରୁତ୍ୱ ଦେଇଛନ୍ତି । ସମ୍ଭାବ୍ୟ ପ୍ରଭାବିତ ଅଂଚଳକୁ ଚିହ୍ନଟ କରି ସେଠାରେ ଥିବା ଶତପ୍ରତିଶତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର,କଟକ ଓ ବ୍ରହ୍ମପୁର ସହରରୁ ସବୁ ଦୁର୍ବଳ ସାଇନବୋର୍ଡ ଓ ହୋର୍ଡିଂକୁ ଚିହ୍ନଟ କରି ହଟାଇବାକୁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଛନ୍ତି ।

ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବାତ୍ୟାର ମୁକାବିଲା ପାଇଁ ସରକାରଙ୍କ ବିଭିନ୍ନ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ଓ ଏନଡିଆରଏଫ ଟିମ୍ ପ୍ରସ୍ତୁତ ରହିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଆବଶ୍ୟକ ପରିମାଣର ଖାଦ୍ୟପଦାର୍ଥ, ପିଇବା ପାଣି, ଅତ୍ୟାବଶ୍ୟକ ଔଷଧ, ଶିଶୁଖାଦ୍ୟ ତୁରନ୍ତ ମହଜୁଦ୍ କରି ଣଖିବା ସହ ପରିମଳ ବ୍ୟବସ୍ଥା ସୁଦୃଢ଼ ପାଇଁ କୁହାଯାଇଛି । ବାତ୍ୟାର ତୁରନ୍ତ ପରେ ବିଭିନ୍ନ ରାସ୍ତାଘାଟ ଉପରେ ଅବରୋଧ ଦୂର କରି ବିଦ୍ୟୁତ, ପାଣି ଓ ଟେଲି ଯୋଗାଯୋଗ ପରି ମୌଳିକ ସେବାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଛନ୍ତି ।

ଡାକ୍ତରଖାନା ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ସମୟରେ ଓ ପରେ ଅତ୍ୟାବଶ୍ୟକ ସାମଗ୍ରୀର ଯେପରି ଅହେତୁକ ଦରବୃଦ୍ଧି ନହେବ ସେଥିପାଇଁ କଳାବଜାରୀ ଉପରେ ନଜର ରଖିବାକୁ ତାଗିଦ୍ କରିଛନ୍ତି । ବିଭିନ୍ନ ଜିଳ୍ଲା ମଧ୍ୟରେ ସମନ୍ୱୟ ରଖି ପ୍ରଭାବିତ ହୋଇନଥିବା ଅଂଚଳରୁ ଯେପରି ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଆସିପାରିବ ସେଥିପ୍ରତି ଧ୍ୟାନଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ବାତ୍ୟା ପରେ କ୍ଷୟକ୍ଷତିର ଆଗୁଆ ଆକଳନ କରି ‘କଣ୍ଟିଜେନ୍ସି ପ୍ଲାନ’କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସେ କୃଷି ବିଭାଗକୁ ପରାମର୍ଶ ଦେଇଛନ୍ତି । ଆଗୁଆ ରବି ଚାଷ ପାଇଁ ସମସ୍ତ ପ୍ରକାରର ଇନପୁଟ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଚାଷୀଙ୍କୁ ପ୍ରଦାନ କରାଯିବା ଉଚିତ୍ ବୋଲି କହିଛନ୍ତି । ଏହାସହିତ ପ୍ରଭାବିତ ସ୍ଥାନକୁ ଚିହ୍ନଟ କରି ଗୋଖାଦ୍ୟ ଓ କୁକୁଡ଼ା ଖାଦ୍ୟ ମହଜୁଦ୍ କରି ରଖିବାକୁ ସେ କହିଥିଲେ ।

ବାତ୍ୟା ସମୟରେ କୌଣସି ପ୍ରକାରର ଗୁଜବ ଓ ମିଥ୍ୟା ସୂଚନାକୁ ରୋକିବା ପାଇଁ ଏସଆରସିଙ୍କ ପକ୍ଷରୁ ନିୟମିତ ଭାବେ ଗଣମାଧ୍ୟମରେ ସୂଚନା ଦେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏସଆରସି, ଓସଡମା, ସୂଚନା ଓ ଲୋକସମ୍ପର୍କ ବିଭାଗ, କୃଷି ବିଭାଗ, ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ, ଗୃହ ବିଭାଗର ସୋସିଆଲ ମିଡିଆ ଆକାଉଣ୍ଟରେ ନିୟମିତ ଭାବେ ଅଧିକୃତ ସୂଚନା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ଆଜିର ଏହି ସମୀକ୍ଷା ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଏସଆରସି, ଅଗ୍ନିଶମ ଡିଜିଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ ।

Related story