ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ମଶୁରିପଦର ଛକ ନଟରାଜ ପେଟ୍ରଲ ପମ୍ପ ନିକଟରେ ଗତକାଲି ବିଳମ୍ବିତ ରାତିରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ୟାଙ୍କରକୁ ବାଇକଟିଏ ପଛରୁ ଧକ୍କା ଦେବା ଫଳରେ ୩ ଜଣଙ୍କର ମୃତ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି।ମୃତକମାନେ ହେଉଛନ୍ତି ଟିକିରି ଥାନା ଅନ୍ତର୍ଗତ ମହତପୁଟ ଖୁରିଗାଁର ନରେନ୍ଦ୍ର ଝଡ଼ିଆ (୨୫), ଉମାକାନ୍ତ ଝଡ଼ିଆ (୧୪) ଟୁନୁ ଝଡ଼ିଆ (୨୩)।
ଏହି ତିନି ଜଣ କୌଣସି କାମରେ ଗୋଟିଏ ବାଇକ୍ରେ ଟିକିରି ପଟୁ ଗୋରଖପୁର ଆଡ଼କୁ ଯାଉଥିବା ବେଳେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ୟାଙ୍କରକୁ ଧକ୍କା ଦେଇଥିଲେ। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଟିକିରି ପୁଲିସ ଉଦ୍ଧାର କରି ଆମ୍ବୁଲାନ୍ସରେ ଉଷାପଡ଼ା ସ୍ଥିତ ଉତ୍କଳ ହସ୍ପିଟାଲକୁ ପଠାଇଥିଲା। ସେଠାରେ ନରେନ୍ଦ୍ର ଝଡ଼ିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ରାୟଗଡ଼ା ଯିବା ବାଟରେ ଟୁନୁ ଝଡ଼ିଆଙ୍କର ମୃତ୍ୟୁ ଘଟିଥିଲା। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଉମାକାନ୍ତଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ ଦାବିରେ ଲୋକେ ରାସ୍ତା ରୋକ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା।
ଅନ୍ୟପକ୍ଷରେ ଆଜି ଝାରସୁଗୁଡ଼ା ଓ କେନ୍ଦୁଝରରେ ଦୁଇଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି ଓ ୬ ଜଣ ଆହତ ହୋଇଛନ୍ତି। ଝାରସୁଗୁଡା ସଦର ବ୍ଲକର ଚନ୍ଦନୀମାଲ ପଞ୍ଚାୟତର ଘୁଷୁରାମୁଣ୍ଡା ଗାଁରେ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯିବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଯୁବତୀଙ୍କର ବାହାଘର ଠିକ୍ ହୋଇଥିଲା। ଆସନ୍ତା ମାର୍ଚ୍ଚ ୧ ତାରିଖରେ ବାହାଘର ହୋଇଥା’ନ୍ତା। ସେଥିପାଇଁ ସେ ତାଙ୍କ ଭାଇ ସହିତ ନିମନ୍ତ୍ରଣ କାର୍ଡ ଦେବାକୁ ସଂପର୍କୀୟଙ୍କ ଘରକୁ ଯାଉଥିଲେ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ସିଜୁକଳା ନିକଟରେ ୫୨୦ ନମ୍ବର ଜାତୀୟ ରାଜପଥରେ ଏକ କାର ଉପରେ ଏକ ଟ୍ରକ୍ର ଡାଲା ଓଲଟି ପଡ଼ିବାରୁ କାରରେ ଥିବା ୩ ଜଣ ଆହତ ହୋଇଛନ୍ତି। କାରରେ ଥିବା ୩ ଜଣଙ୍କ ମଧ୍ୟରୁ ଦୁଇ ଜଣ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଥିଲେ। ସେମାନେ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍ର ଡାଲା କାର ଉପରେ ଓଲଟି ପଡ଼ିବା ପରେ ପରେ ପଛରୁ ଆସୁଥିବା ଏକ ବାଇକ୍ କାରରେ ପିଟି ହୋଇଯାଇଥିଲା। ଫଳରେ ବାଇକ୍ରେ ବସିଥିବା ଦୁଇ ବ୍ୟକ୍ତି ଆହତ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/17/bike-accident-2026-02-17-12-36-57.jpg)