Advertisment

କେଉଁଠି ବସ୍ ଚାପି ଦେଲା, କେଉଁଠି ଟ୍ରକ୍ ପିଟି ଦେଲା; ୬ ମୃତ, ୧୫ରୁ ଅଧିକ ଆହତ

କାର ପିଟି ଦେବାରୁ ଚାଲିଗଲା ଶାଶୁଙ୍କ ଜୀବନ। ଜ୍ୱାଇଁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି।

ଅଦ୍ୟତନ ହୋଇଛି
Accident

Accident

Advertisment

କେଉଁଠି ବସ୍‌ ଚାପି ଦେଲା ତ କେଉଁଠି ଟ୍ରକ୍ ପିଟି ଦେଲା। ପୁଣି କେଉଁଠି କାର ଓଲଟି ପଡ଼ିଲା ତ ଆଉ କେଉଁଠି ଗଛରେ ପିଟି ହେଲା କାର। ଏମିତି ଦୁର୍ଘଟଣା ଘଟି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି।

Advertisment

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ସାନଦେଉଳି ନିକଟରେ ଏକ ବୁଲେଟ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ବୁଲେଟ ଆରୋହୀ ଥିଲେ। ଆହତମାନେ ଅଟୋରେ ବସିଥିଲେ।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ହଡ଼ିକାପଲ୍ଲୀ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌କୁ ଟ୍ରକ୍‌ଟିଏ ପଛରୁ ପିଟି ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସମସ୍ତ ମୃତାହତ ବାଲୁଗାଁ ଅଞ୍ଚଳର। ସେମାନେ ଗୋଟିଏ ବାଇକରେ ଗଞ୍ଜାମରୁ ଫେରୁଥିଲେ।

Advertisment

ନୟାଗଡ଼ ଜିଲ୍ଲା ରଣପୁର ପାଖ ଲୋଧାଚୁଆ ଛକ ନିକଟରେ ବସ୍ ମାଡ଼ିଯିବାରୁ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୋଟିଏ ବାଇକ୍ ବସ୍‌କୁ ଓଭରଟେକ୍ କରୁଥିବା ବେଳେ ସାମ୍ନାରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହିତ ତା’ର ଧକ୍କା ହୋଇଥିଲା। ଉଭୟ ବାଇକ୍‌ରେ ସବାର ହୋଇଥିବା ବ୍ୟକ୍ତିମାନେ ତଳେ ପଡ଼ିଯାଇଥିବା ବେଳେ ବସ୍‌ଟି ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମହେଶ୍ୱରପୁର ଗ୍ରାମ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ କାର ଭାରସାମ୍ୟ ହରାଇ ରାସ୍ତାରୁ ଖସି ଗଛରେ ପିଟି ହେବାରୁ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ୪ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କେନ୍ଦୁଝର ଜିଲ୍ଲାର ମାଛଗୋଡ଼ ଗ୍ରାମ ନିକଟରେ ଆଜି ଅପରାହ୍ନ ପ୍ରାୟ ୫ଟା ବେଳେ ଏକ କାର ଓଲଟି ପଡ଼ିବାରୁ ରାଜନନ୍ଦିନୀ ଯାତ୍ରା ପାର୍ଟିର ୪ ଜଣ କଳାକାର ଗୁରୁତର ଆହତ ହୋଇଛନ୍ତି। ସେମାନେ ଗୋରାସ ଗ୍ରାମକୁ ଯାତ୍ରା ପରିବେଷଣ କରିବାକୁ ଯାଉଥିଲେ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ମେଡିକାଲ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ଏକ ବାଇକ୍‌କୁ କାରଟିଏ ଧକ୍କା ଦେବାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଜ୍ୱାଇଁ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳାଙ୍କ ନାଁ ରଞ୍ଜ ବିଶ୍ୱାଳ। ତାଙ୍କୁ ୫୭ ବର୍ଷ ହୋଇଥିଲା। ତାଙ୍କ ଘର କଙ୍କିଳି ଗାଁରେ।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe