ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଶିକ୍ଷକ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ଏକ ସ୍କୁଲର ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ପୋଲିସ୍‌ ଗିରଫ କରଛି। ଗିରଫ ଶିକ୍ଷକ ଜଣକ ହେଲେ ଡଙ୍କେଶ୍ୱର ବେହେରା। ସ୍କୁଲରେ ପାଠ ପଢ଼ାଉଥିବା ସମୟରେ ଡଙ୍କେଶ୍ୱର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଛାତ୍ରୀ ଜଣକ ଘରେ ଜଣାଇବା ପରେ ଗାଁରେ ଉତ୍ତେଜନା ଦେଖାଯାଇଥିଲା। ଗ୍ରାମବାସୀମାନେ ସ୍କୁଲକୁ ଆସି ସମ୍ପୃକ୍ତ ଶିକ୍ଷକଙ୍କୁ ଟଣାଓଟରା କରିବା ସହ ତାଙ୍କୁ ଏବଂ ପ୍ରଧାନଶିକ୍ଷକଙ୍କୁ ଦୀର୍ଘ ସମୟ ଧରି ଏକ କୋଠରୀରେ ତାଲା ପକାଇ ଅଟକ ରଖିଥିଲେ। ଖବର ପାଇ ବିଭାଗୀୟ ଅଧିକାରୀ ଏବଂ ଲରମ୍ଭା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଶିକ୍ଷକ।