ବରୁଣ-ସାରାଙ୍କ ସୁଟିଂ ସେଟ୍‌ରେ ଲାଗିଲା ନିଆଁ

ମୁମ୍ୱାଇ: ମୁମ୍ୱାଇର ଫ୍ଲିଲ୍ମିସ୍ତାନ ଷ୍ଟୁଡିଓରେ ନିଆଁ ଲାଗିବା ଯୋଗୁ ସୁଟିଂ ସେଟ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିପାଇଁ ବରୁଣ ଧୱନ୍‌ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘କୁଲି ନମ୍ୱର ୧’ର ସୁଟିଂକୁ କିଛି ଦିନ ପାଇଁ ବନ୍ଦ କରାଯାଇଛି।

ଡେକାନ୍‌ କୋରନିକଲ୍‌ର ରିପୋର୍ଟ ଅନୁସାରେ, ସେଟ୍‌କୁ ପୁଣି ଥରେ ତିଆରି କରିବା ପାଇଁ ପାଖାପାଖି ଦୁଇ ସପ୍ତାହ ସମୟ ଲାଗିବ। ସେଟ୍‌ରେ ନିଆଁ ଲାଗିବା ଯୋଗୁ ବରୁଣ ଓ ସାରାଙ୍କର ସମୟ ମଧ୍ୟ ନଷ୍ଟ ହୋଇଛି। ଏହି ସମୟରେ ସେମାନେ ଅନ୍ୟ କୌଣସି ଛୁଟି ଯୋଜନା ମଧ୍ୟ କରିପାରିବେ ନାହିଁ।

ଏହାକୁ ନେଇ ବରୁଣଙ୍କ ପିତା ଡେଭିଡ୍‌ ଧୱନ୍‌ କହିଛନ୍ତି, ‘ଜୀବନରେ ଏପରି ଦୁର୍ଘଟଣା ହୋଇଥାଏ। ଆଗକୁ କ’ଣ ହେବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ତେଣୁ ଏହାକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଏହି ଫାଙ୍କା ସମୟକୁ ନଷ୍ଟ ନ କରି କିଛି ଭଲ କରିବା ପାଇଁ ଯୋଜନା କରିବୁ’

‘କୁଲି ନମ୍ୱର ୧’ ଫିଲ୍ମ ୧୯୯୫ରେ ଗୋବିନ୍ଦା ଓ କରିସ୍ମା କପୁରଙ୍କୁ ନେଇ ହୋଇଥିବା ଫିଲ୍ମର ରିମେକ୍। ଏହି ଫିଲ୍ମରେ ବରୁଣଙ୍କ ପିତା ଡେଭିଡ୍‌ ଧୱନ୍‌ ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମର ୟୁନିଟ୍‌ ଗତମାସରେ ବ୍ୟାଙ୍କକ୍‌ରେ ପ୍ରଥମ ସୁଟ୍‌ କରିଥିଲେ ଏବଂ ଏହା ପରର ସୁଟିଂ ମୁମ୍ୱାଇରେ କରାଯାଉଛି। ଫିଲ୍ମଟି ୨୦୨୦ ମେ’ ୧ରେ ରିଲିଜ୍‌ ହେବ ବୋଲି ଶୁଣିବାକୁ ମିଳିଛି।