ସୁନ୍ଦରୀ ହେବାରୁ ଅଭିନେତ୍ରୀଙ୍କ ହାତରୁ ଖସିଗଲା ଫିଲ୍ମ

ମୁମ୍ବାଇ: ଅନେକ ଥର ଦେଖିବାକୁ ମିଳିଛି ଯେ ଅଭିନେତ୍ରୀଙ୍କ ହାତରୁ ବହୁତ ବଡ଼ ବଡ଼ ଫିଲ୍ମ ଖସି ଯାଇଥାଏ। ଏହା ପଛର କାରଣ ବି ଭିନ୍ନ ଭିନ୍ନ ରହିଥାଏ। କେତେବେଳେ ଉଚ୍ଚତାକୁ ନେଇ ତ କେତେବେଳେ ତ୍ୱଚାର ରଙ୍ଗକୁ ନେଇ କିମ୍ବା ଫିଗର ପାଇଁ ଅଭିନେତ୍ରୀଙ୍କ ହାତରୁ ଫିଲ୍ମ ଖସି ଯାଇଥାଏ। ହେଲେ ଆପଣ କେବେ ଶୁଣିଛନ୍ତି କି କୌଣସି ଅଭିନେତ୍ରୀଙ୍କୁ ନିଜ ସୌନ୍ଦର୍ଯ୍ୟ ପାଇଁ ଫିଲ୍ମ ହରାଇବାକୁ ପଡ଼ିଥାଏ । ଏଭଳି ଏକ ଘଟଣା ବଲିଉଡର ଜଣେ ଅଭିନେତ୍ରୀଙ୍କ ସହ ଘଟିଛି। ଫିଲ୍ମ ‘ପ୍ୟାର କା ପଞ୍ଚନାମା’, ‘ସୋନୁ କି ଟିଟୁ କି ସ୍ୱିଟି’ପରି ହିଟ୍‌ ଫିଲ୍ମରୁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ନୁସରତ୍ ଭରୁଚାଙ୍କ ସହ।

ନୁସରତଙ୍କୁ ଓସ୍କାର ବିଜେତା ହଲିଉଡ ଫିଲ୍ମ ‘ସ୍ଲମଡଗ ମିଲିଓନେୟାର’ ପାଇଁ ସର୍ଟ ଲିଷ୍ଟ କରାଯାଇଥିଲା। ଫିଲ୍ମର ନିର୍ଦ୍ଦେଶକ ଡ୍ୟାନି ବୟେଲ୍ ନୁସରତଙ୍କୁ ଲତିକା ଭୂମିକା ପାଇଁ ବାଛିଥିଲେ ସେ ଏଥିପାଇଁ ଅଡିଶନ ମଧ୍ୟ ଦେଇଥିଲେ। ହେଲେ ପରେ ଏହି ରୋଲ୍‌ ଫ୍ରିଡା ପିଣ୍ଟୋଙ୍କୁ ଦିଆଗଲା। ଏହା ପଛର କାରଣ କ’ଣ ନିର୍ଦ୍ଦେଶକ କାହାକୁ କିଛି କହି ନଥିଲେ। ହେଲେ ଗଣମାଧ୍ୟମକୁ ସାକ୍ଷତକାର ଦେଇ ନୁସରତ୍‌ ନିଜେ କହିଥିଲେ ଯେ ନିଜ ସୌନ୍ଦର୍ଯ୍ୟ ପାଇଁ ତାଙ୍କୁ ଏହି ଫିଲ୍ମ ମିଳି ନଥିଲା।

“ମୋ ଗୁଡ୍‌ଲୁକ୍‌ ଓ ସୌନ୍ଦର୍ଯ୍ୟ ଜଣେ ବସ୍ତିର ଝିଅ ପରି ନୁହେଁ।ମୋର ଆକର୍ଷଣୀୟ ଚେହେରା ବସ୍ତିର ଝିଅ ପାଇଁ ଫିଟ୍‌ ନୁହେଁ”। ନିର୍ମାତା ଓ ପୂରା ଟିମ୍‌  ତାଙ୍କୁ ଏପରି ଭାବେ ବୁଝାଇଥିବା କହିଲେ ନୁସରତ୍।  ସେଥିପାଇଁ ଏହି ରୋଲ୍‌ ନୁସରତ୍‌ଙ୍କ ପରିବର୍ତ୍ତେ ଫ୍ରିଡା ପିଣ୍ଟୋଙ୍କୁ ମିଳିଥିଲା। ସ୍ଲମ୍‌ଡଗ୍‌ ମିଲିଓନେୟାରରେ ମୁଖ୍ୟ ଭୂମିକାରେ ଅନୀଲ କପୁର ଅଭିନୟ କରିଥିଲେ। ଏହି ଫିଲ୍ମକୁ ୮ଟି କାଟାଗୋରିରେ ଓସ୍କାର ଆୱାର୍ଡ ମିଳିଥିଲା।

ନୁସରତ୍ ଏବେ ନିଜ ଅପକମିଂ ଫିଲ୍ମ ‘ଡ୍ରିମ୍‌ ଗର୍ଲ’ର ପ୍ରମୋଶନ୍‌ରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ଜାତୀୟ ପୁରସ୍କାର ବିଜେତା ଅଭିନେତା ଆୟୁଷ୍ମାନ ଖୁରାନା ଅଭିନୟ କରିଛନ୍ତି। ଏହାବ୍ୟତୀତ ନୁସରତ୍‌ ଆଗକୁ ହଂସଲ ମେହେଟ୍ଟାଙ୍କ ଫିଲ୍ମ ‘ତୁରମ୍ ଖାନ୍’ରେ ଅଭିନୟ କରିବେ। ଫିଲ୍ମରେ ତାଙ୍କ ସହ ରାଜ କୁମାର ରାଓ ନଜର ଆସିବେ। ଏହାର ପ୍ରଯୋଜନା କରିବେ ଅଜୟ ଦେବଗନ୍। ଫିଲ୍ମଟି ଆସନ୍ତା ବର୍ଷ ପରଦାକୁ ଆସିବ।