ଅନୁଭବ ଓ ବର୍ଷାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲେ ସବ୍ୟସାଚୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଏକ ଖରାପ ସମୟ ଦେଇ ଗତି କରୁଛନ୍ତି। ସେମାନଙ୍କ ମାମଲା କୋର୍ଟରେ ବିଚାରାଧୀନ ରହିଛି। ତେବେ ୟା ମଧ୍ୟରେ ଅନୁଭବ ମହାନ୍ତି ସୋଶାଲ୍ ମିଡିଆରେ ଦୁଇଟି ଭିଡିଓ ପୋଷ୍ଟ କରିଛନ୍ତି। ଗୋଟିଏ ଅଧାଘଣ୍ଟାରୁ ଅଧିକ ହୋଇଥିବା ବେଳେ ଅନ୍ୟଟି ଏକ ଘଣ୍ଟାରୁ ଅଧିକ ଅବଧିର। ଏହି ଦୁଇଟି ଭିଡିଓରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି। ବିଶେଷ କରି ସେ ତାଙ୍କର ବିଫଳ ବୈବାହିକ ଜୀବନ ବିଷୟରେ ନିଜ ପକ୍ଷ ରଖିଛନ୍ତି। ତାଙ୍କ ଜୀବନରେ ଆସିଥିବା ଏହି ଝଡ଼ ପାଇଁ ସେ ସଂପୂର୍ଣ୍ଣ ଭାବେ ପତ୍ନୀ ବର୍ଷାଙ୍କୁ ଦାୟୀ କରିଛନ୍ତି।

ପ୍ରଥମ ଭିଡିଓରେ ଅନୁଭବ କହିଥିଲେ ଯେ ସେ ଭଲ ପାଇ ଭୁଲ୍ କରିଥିଲେ। ଭଲ ପାଇଥିଲେ ବୋଲି ଏବେ କୋର୍ଟ ଓ ଥାନାକୁ ଦୌଡ଼ୁଛନ୍ତି। ଦ୍ୱିତୀୟ ଭିଡିଓରେ ସେ ଅଧିକ ଭାବପ୍ରବଣ ହେବା ସହ ବର୍ଷା ତାଙ୍କୁ କେବେ ବି ସ୍ୱାମୀର ମାନ୍ୟତା ଦେଇ ନାହାନ୍ତି ବୋଲି କହିଛନ୍ତି। ବର୍ଷା ତାଙ୍କୁ କେବେ ବି ଶାରୀରିକ ସଂପର୍କ ରଖିବାକୁ ଅନୁମତି ଦେଇ ନଥିଲେ ବୋଲି ବି ସେ କହିଛନ୍ତି। ଏହା ସହିତ ଏହି ଭିଡିଓରେ ସେ ହାତଯୋଡ଼ି ତାଙ୍କ ଜୀବନରୁ ଦୂରେଇ ଯିବାକୁ ବର୍ଷାଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ଏସବୁ ନେଇ ବର୍ଷାଙ୍କ ପ୍ରତିକ୍ରିୟା ମିଳିପାରିନି। ଯଦିଓ ପ୍ରଥମ ଭିଡିଓ ପରେ ବର୍ଷା ପ୍ରିୟଦର୍ଶିନୀ ଫ୍ୟାନ୍ ଲଭ୍ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଅନୁଭବଙ୍କୁ ଜୋରଦାର କାଉଣ୍ଟର କରାଯାଇଥିଲା।

ଏସବୁ ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଉଭୟ ଅନୁଭବ ଓ ବର୍ଷାଙ୍କ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର।

ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଗଣମାଧ୍ୟମକୁ କହିଛନ୍ତି, ଉଭୟ ଅନୁଭବ ଓ ବର୍ଷା ମୋର ଖୁବ୍ ଭଲ ବନ୍ଧୁ। ସେମାନଙ୍କ ସହିତ ମୋର ପର୍ସନାଲ୍ ଓ ପ୍ରଫେସନାଲ ସଂପର୍କ ବହୁତ ଭଲ। ଉଭୟେ ସେମାନଙ୍କ ଜୀବନରେ ବହୁ ଝଡ଼ ଦେଖି ସାରିଲେଣି। ଜଣେ ବନ୍ଧୁ ହିସାବରେ ଏସବୁ ଦେଖି ମୋତେ ବହୁ କଷ୍ଟ ହେଉଛି। ଭଗବାନଙ୍କୁ ପ୍ରାର୍ଥନା କରିବି ଯେ ସେମାନେ ଏହି ସମସ୍ୟାରୁ ବାହାରି ଯାଆନ୍ତୁ।

ସେ ଆହୁରି କହିଛନ୍ତି, ଉଭୟ ଅନୁଭବ ଓ ବର୍ଷା ସେମାନଙ୍କ କ୍ୟାରିୟରେ ବେଶ୍ ସଫଳତା ପାଇଛନ୍ତି।  ସେମାନଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ସେମାନଙ୍କ ଅବସ୍ଥା ଦେଖି ଯେମିତି ମୋତେ କଷ୍ଟ ହେଉଛି, ସେମିତି ସେମାନଙ୍କ ଫ୍ୟାନ୍‌ଙ୍କୁ ବି କଷ୍ଟ ହେଉଥିବ। ତେଣୁ ଭଗବାନଙ୍କୁ ପ୍ରାର୍ଥନା କରିବା ଯେ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଯେଉଁ ସଫଳତା ମିଳିଛି, ସେହି ସଫଳତା ମିଳୁ ଏବଂ ସେମାନେ ଶାନ୍ତିରେ ରୁହନ୍ତୁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।