ବିଶ୍ଵବନ୍ଦିତା ସ୍ୱାଇଁ
ହାତ ପାଆନ୍ତାରେ ଆକାଶ? ଗୋଟେ ଆକାଶ ଭୁପୃଷ୍ଟରୁ କାହିଁ କେତେ ଦୂରରେ ଥିବା ବେଳେ। ଆଉ ଗୋଟେ ଆକାଶ ଆଖପାଖରେ ଯେମିତି ବିଚରଣ କରିବାର ଅନୁଭବ ହେଉଛି। ଆକାଶ ପରି ତା'ପାଖରେ ବି ଅସୁମାରୀ ଆଶା, ଅସମ୍ଭାର ଶକ୍ତି, ଅବିରତ ଚେଷ୍ଟା, ସୀମାହୀନ ସମୟ ରହିଛି। ରାତି ଦିନ ସେ ବି କାହାକୁ ଘଣ୍ଟ ଘୋଡେଇ ରଖିବାର ପ୍ରତିଶ୍ରୁତି ଦେଇଛି।
ନୀଳ ଓ ଧଳା ରଙ୍ଗର ଆଫ୍ରନ୍ ପିନ୍ଧି ଚାଲିଯାଉଥିବା ଡାକ୍ତରଙ୍କୁ ଘଡ଼ିଏ ଚାହିଁଲେ ଠିକ ଏମିତି କିଛି ଅନୁଭବ ହୁଏ।
ଭୂମି ପରି ମାଟିଆ ରଙ୍ଗର ପୋଷାକ ପିନ୍ଧି, ଶତ୍ରୁର ଦମ୍ଭ ଭାଙ୍ଗୁଥିବା, ସଚେତନତାର ବୀଜ ବୁଣୁଥିବା, କର୍ତ୍ତବ୍ୟକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଉଥିବା ସେ ସମସ୍ତ ପୁଲିସ କର୍ମଚାରୀ। ଯିଏ ପରିବାରକୁ ପଛରେ ଛାଡି, ରାସ୍ତାକୁ ଘର କରିଦେଇଛନ୍ତି। ଯେ କେବଳ ମାଟିଆ ପୋଷାକ ପିନ୍ଧନ୍ତିନି ମାଟି ମା'ର ସୁଯୋଗ୍ୟ ସନ୍ତାନ ହୋଇ ଠିଆ ହୋଇଛନ୍ତି।
ଆଉ ଯେତେବେଳେ ଆକାଶ ଆଉ ପୃଥିବୀ ଏକାଠି କୌଣସି ବିପତ୍ତି ବରୋଧରେ ଲଢ଼େଇ ଆରମ୍ଭ କରନ୍ତି ସେତେବେଳେ ସଫଳତା ଅବଶ୍ୟାମ୍ଭାବି।
ବର୍ତ୍ତମାନର ସମୟରେ ଡାକ୍ତରୀ ଟିମ ଏବଂ ପୁଲିସର କାର୍ଯ୍ୟକଳାପ ଦେଖିଲେ ଠିକ ଏମିତି ଅନୁଭବ ହୁଏ । ନିଜ ସମୟକୁ ଏମାନେ ଆକାଶ ଆଉ ପୃଥିବୀ ପରି ପର୍ଯ୍ୟାପ୍ତ କରିଦେଇଛନ୍ତି। ଧର୍ଯ୍ୟର ଉଦାହରଣ ଦେଉଥିବା ଏହି ଦୁଇଟି ବର୍ଗର କର୍ମଚାରୀଙ୍କୁ ଦେଖିଲେ ସାହସ ଆପେ ଆପେ ବସା ବାନ୍ଧି ଯାଉନି?
ଗୋଟେ ପଟେ ମହାମାରୀ କରୋନା ଭୂତାଣୁ କବଳରୁ ରୋଗୀଙ୍କୁ ଭଲ କରିବା ପାଇଁ ଡାକ୍ତର ମନେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି। ସଂକ୍ରମିତ ରୋଗ କରୋନା ପାଇଁ ନା ତ ଏମାନେ ନିଜ ପରିବାର ସହ ସାକ୍ଷାତ କରିପାରୁଛନ୍ତି ନା ଏମାନେ ନିଜକୁ ବିଶ୍ରାମ ଦେଇପାରୁଛନ୍ତି। ଏମିତି ଆନେକ ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଠି ଦେଖିବାକୁ ମିଳୁଛି,
ରୋଗୀଙ୍କ ସେବା କରିବା ପାଇଁ କିଏ ନବଜାତ ଶିଶୁକୁ ଦେଖିବାକୁ ଘରକୁ ଯାଇପାରୁନି ତ କିଏ ଘରକୁ ଗଲେ ବି ଛୁଆକୁ ଛୁଇଁ ପାରୁନି। ରୋଗୀ ଡାକ ପାଇଁ କିଏ ବିବାହ ତାରିଖ ଘୁଞ୍ଚାଇଛି ତ କିଏ ଗର୍ଭାବସ୍ଥାରେ ବିଶ୍ରାମ ପରିବର୍ତ୍ତେ ରିସର୍ଚ୍ଚ କରି କରୋନା ଟେଷ୍ଟି କୀଟ ବାହାର କରିବାକୁ ଜରୁରୀ ଭାବିଛି। ଏମିତି ଅନେକ ଡାକ୍ତର ଅଛନ୍ତି ଯେଉଁମାନେ ଢେଲା ପଥରକୁ ସାମ୍ନା କରି ରୋଗୀଙ୍କ ସେବା କରିବାକୁ ଆଗଭରା ହୋଇଛନ୍ତି।
ସୂଚନାଅନୁଯାୟୀ, ଭାରତରେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ଏପର୍ଯ୍ୟନ୍ତ 50ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଇଟାଲୀରେ ୩୬୫୪ ଜଣ ଡାକ୍ତର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ବେଳେ ୧୭ ଜଣ ଡାକ୍ତର ପ୍ରାଣହରାଇଛନ୍ତି। ସେହିପରି ଚୀନ, ଇରାନ, ପାକିସ୍ତାନରେ ମଧ୍ୟ କରୋନା ରୋଗୀଙ୍କୁ ଚିକିତ୍ସା କରିବା ସମୟରେ ଅନେକ ଡାକ୍ତର ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି।
ଏସବୁ ରିପୋର୍ଟ ଦେଖିଲେ ଏମିତି ଲାଗେ ଯେ କରୋନା ଅକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହନ୍ତି। ତଥାପି ସାରା ଦେଶ ଲକଡାଉନ ଥିବା ବେଳେ ନା ତ ଏମାନେ ତାଙ୍କ ସେବାକୁ ଲକ କରିଛନ୍ତି ନା ପ୍ରତିକୂଳ ପରିସ୍ଥିତି ସହ ଲଢ଼ିବା ପାଇଁ ସାହସ ହରାଇଛନ୍ତି।
ସେହିପରି ସାରା ଦେଶ ଲକଡାଉନ ଥିବାବେଳେ, ଆମେ ଘରେ ରହି ଆଜି କ'ଣ ଖାଇବା ସେ ବିଷୟରେ ଚିନ୍ତା କରୁଛୁ। କ'ଣ ସ୍ୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ ହେବ ତାର ତାଲିକା କରୁଛୁ। ଆମିଷ କି ନିରାମିଷ ? ପରିବା ଆଉ ମାଛ ମାର୍କେଟରର ଅସମ୍ଭାଳ ଗହଳି କରୁଛୁ। ବିଶ୍ରାମ କରିକରି ବିରକ୍ତ ଲାଗିଲାଣି। ଆଉ ଅନ୍ୟପଟେ ପୁଲିସ କର୍ମଚାରୀ, ଦିନ ରାତି ଏକ କରି ଲୋକଙ୍କୁ ଏକାଠି ହେବାକୁ ଅଟକାଉଛନ୍ତି। ଭୋକରେ ରହି କର୍ତ୍ତବ୍ୟ କରୁଛନ୍ତି। କେତେବେଳେ ଫୁଲ ଦେଇ ତ କେତେବେଳେ କରୋନା ଭୂତାଣୁ ହେଲମେଣ୍ଟ ପିନ୍ଧି ଲୋକଙ୍କୁ ଡ଼ରାଉଛନ୍ତି। ନିୟମ ଉଲଂଘନ ନକରିବାକୁ କେତେବେଳେ ହାତଯୋଡି ଅନୁରୋଧ କରୁଛନ୍ତି ତ କେତେବେଳେ ଅମାନିଆଙ୍କୁ ଶାସନ କରିବା ପାଇଁ ଲାଠି ଚଳାଉଛନ୍ତି।
କେବଳ ଏତିକି ନୁହେଁ, ରାସ୍ତାରେ କାମ କରୁଥିବା ବେଳେ ଏମାନଙ୍କ ନଜର ଆଇନ ଉଲଂଘନକାରୀଙ୍କ ସମେତ ଗରିବ, ମାନସିକ ବିକୃତ ଏବଂ ଜୀବଜନ୍ତୁଙ୍କ ଉପରେ ବି ରହୁଛି। ଏମିତି ଅନେକ ପୁଲିସ କର୍ମଚାରୀ ରାସ୍ତାରେ ବୁଲୁଥିବା ଗରିବ ଲୋକ ଏବଂ କୁକୁରକୁ ଖାଇବାକୁ ମଧ୍ୟ ଦେଉଛନ୍ତି।
ବେତନ ତ ଘରେ ରହି କାମ କରୁଥିବା କର୍ମଚାରୀଙ୍କ ବ୍ୟାଙ୍କ ଅକାଉଣ୍ଟକୁ ଆସିଯାଏ। କିନ୍ତୁ ଅନ୍ୟର ଜୀବନ ବଞ୍ଚାଇବାକୁ କିଏ ଅନରୋଧ କରୁଛି। ସେବାର ପ୍ରକୃତ ଅର୍ଥ ଏମିତି କେତେ ଜଣ ବୁଝନ୍ତି!
ଏବେ ଏ ଦୁଇଟି ଵର୍ଗର କର୍ମଚାରୀଙ୍କୁ ଦେଖିଲେ ଏମିତି ଲାଗୁନି ଯେମିତି ଏମାନେ ବି କୋଉ ପରିବାରଠୁ କମ ନୁହଁନ୍ତି!
ଯେମିତି ବାପା ସୁରକ୍ଷାର ଚାଦର ଢାଙ୍କି ଦିଏ ଆଉ ମା' ଯତ୍ନରେ କୋଳକୁ ଟେକିନିଏ। ଠିକ ସେମିତି, ପୁଲିସ ଘର ବାହାରେ ବାପା ରୂପୀ ସୁରକ୍ଷା ସାଜିଛି। ଆଉ ହସ୍ପିଟାଲରେ ଆମ ପାଇଁ ପରିଶ୍ରମ କରୁଥିବା ସେ ସମସ୍ତ ଡାକ୍ତରୀ ଟିମ ମା'ର ଭୂମିକା ଗ୍ରହଣ କରିଛି।
ସେଥିପାଇଁ ତ ଏଠି ମା ଆକାଶ, ଆଉ ବାପା ମାଟି।