ଜାନକୀଶ ବଡପଣ୍ଡା
ଚଳିତ ବର୍ଷ ଏପ୍ରିଲ ପାଞ୍ଚ ତାରିଖରେ ପ୍ରଥମ ଥର ପାଇଁ ହଂକଂର ଖାଦ୍ୟ ସୁରକ୍ଷା ବିଭାଗ ଚାରିଟି ଭାରତୀୟ ମସଲାର ବିକ୍ରି ସ୍ଥଗିତ କରିଦେଲେ। ବକ୍ତବ୍ୟ ଆସିଲା ଯେ, ସେଥିରେ ମସଲା ଉପାଦାନଗୁଡିକର ଗୁଣ ସ୍ଥିର ରଖିବା ପାଇଁ ଓ କୀଟନାଶକ ଭାବେ ବ୍ୟବହାର କରାଯାଇଛି ଇଥିଲିନ୍ ଅକ୍ସାଇଡ୍ (ଇଟିଓ), ଯାହା ଏକ ବିଷାକ୍ତ ରାସାୟନିକ ପଦାର୍ଥ। ହଂକଂ ପଛେ ପଛେ ସମାନ ଅଭିଯୋଗ ଆସିଲା ସିଙ୍ଗାପୁରରୁ ଏବଂ ଏଭରେଷ୍ଟ ମସଲାକୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ମିଳିଲା। ଇଟିଓ ମାନବ ବ୍ୟବହାର ପାଇଁ ଅନୁପଯୁକ୍ତ ଏବଂ ଦୀର୍ଘ ସମୟ ଧରି ବ୍ୟବହାର କଲେ କର୍କଟ ରୋଗ ହେବାର ଆଶଙ୍କା ରହିଥିବାରୁ ସିଙ୍ଗାପୁର ଏଭଳି ନିର୍ଦ୍ଦେଶ ଦେଇଥିଲା। ତାହା ପୂର୍ବରୁ ଭାରତୀୟ ମସଲା ନିର୍ମାତା ‘ଏମଡିଏଚ୍’ର ପ୍ରାୟ ୩୧ ପ୍ରତିଶତ ଉତ୍ପାଦଗୁଡିକୁ ଗତବର୍ଷ ଆମେରିକାର କଷ୍ଟମ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ଫେରାଇ ଦିଆ ଯାଇଥିଲା। ସେଥିପାଇଁ ଗତ ବର୍ଷ ଅକ୍ଟୋବର ମାସଠାରୁ ମସଲାର ଫେରସ୍ତ ହାର ୧୫ରୁ ବଢ଼ି ୩୧ ପ୍ରତିଶତରେ ପହଞ୍ଚି ଯାଇଛି। ଅକ୍ଟୋବର ୨୦୨୩ଠାରୁ ଏହି କମ୍ପାନି ଭାରତରୁ ଆମଦାନୀ କରିଥିବା ପ୍ରାୟ ଏକ-ତୃତୀୟାଂଶ ମସଲାକୁ ‘ଆମେରିକୀୟ ଫେଡେରାଲ୍’ ଫେରସ୍ତ କରିଦେଇଛି।
ବ୍ରିଟେନର ଖାଦ୍ୟ ନିରୀକ୍ଷଣ ସଂସ୍ଥା ଘୋଷଣା କରିଥିଲା ଯେ ଭାରତରୁ ସମସ୍ତ ଆମଦାନୀ ମସଲା ଉପରେ ଅତିରିକ୍ତ ନିୟନ୍ତ୍ରଣ କାର୍ଯ୍ୟକାରୀ କରାଯାଉଛି। ଏହି ଦୁଇ ଭାରତୀୟ ମସଲା ବ୍ରାଣ୍ଡ ବିରୁଦ୍ଧରେ ଅଭିଯୋଗ ଉଠିବା ପରେ ସମସ୍ତ ଭାରତୀୟ ମସଲା ଉପରେ ଯାଞ୍ଚ ବୃଦ୍ଧି କରିବାରେ ବ୍ରିଟେନ ହେଉଛି ପ୍ରଥମ ଦେଶ। ବ୍ରିଟେନର ଖାଦ୍ୟମାନ ଯାଞ୍ଚ ସଂସ୍ଥା ଭାରତରୁ ଆସୁଥିବା ମସଲାରେ ଥିବା ଅବଶିଷ୍ଟ କୀଟନାଶକ ଏବଂ ଇଟିଓ ଯାଞ୍ଚ ପାଇଁ ଅତିରିକ୍ତ ଦୃଷ୍ଟି ଦେଉଛି। ସେଠାରେ ଇଥିଲିନ ଅକ୍ସାଇଡର ବ୍ୟବହାର ଅନୁମୋଦିତ ନୁହେଁ ଏବଂ ହଳଦୀ ଏବଂ ମସଲା ଇତ୍ୟାଦିରେ ସର୍ବାଧିକ କେତେ ପରିମାଣର ଇଟିଓ ରହିପାରିବ ତାହା ସ୍ଥିର କରାଯାଇଛି। ନ୍ୟୁଜିଲ୍ୟାଣ୍ଡର ଖାଦ୍ୟ ନିରାପତ୍ତା ନିୟନ୍ତ୍ରକ ଘୋଷଣା କରିଛନ୍ତି ଯେ ସେମାନେ ମଧ୍ୟ ‘ଏମଡିଏଚ୍’ ଏବଂ ଏଭରେଷ୍ଟ ମସଲା ଯାଞ୍ଚ କରୁଛନ୍ତି। ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) କହିଛି ଯେ ଏହା ଆମଦାନୀ ହେଉଥିବା ଭାରତୀୟ ମସଲାରେ ଥିବା ବିଷାକ୍ତ ରସାୟନ ବିଷୟରେ ଅବଗତ ରହିଛି ଏବଂ ଅଧିକ ସୂଚନା ସଂଗ୍ରହ କରୁଛି। ବାଂଲାଦେଶ, ଅଷ୍ଟ୍ରେଲିଆ ଏବଂ ମାଳଦ୍ୱୀପ ସରକାରଙ୍କ ଖାଦ୍ୟ ନିୟାମକ ସଂସ୍ଥା ମଧ୍ୟ ସମାନ କଥା କହିଛନ୍ତି। କାନାଡ଼ାର ଖାଦ୍ୟ ଯାଞ୍ଚ ଏଜେନ୍ସି ମଧ୍ୟ କହିଛି ଯେ ଏହା ‘ଏମଡିଏଚ୍’ଏବଂ ଏଭରେଷ୍ଟର ଉତ୍ପାଦଗୁଡ଼ିକ ବିଷୟରେ ଗଭୀର ଭାବେ ଚିନ୍ତା କରୁଛି। ଆଗାମୀ ଦିନମାନଙ୍କରେ ଏହି ସମସ୍ତ ଦେଶ ହୁଏତ ଭାରତୀୟ ମସଲା ଆମଦାନୀ ବର୍ଜନ କରିବା ଅସମ୍ଭବ ନୁହେଁ।
ଭାରତ ବିଶ୍ୱର ପ୍ରାୟ ୧୮୦ଟି ଦେଶକୁ ୨୦୦ରୁ ଅଧିକ ପ୍ରକାରର ଗୋଟା ଓ ଗୁଣ୍ଡ ମସଲା ତଥା ମୂଲ୍ୟଯୁକ୍ତ ଉତ୍ପାଦ ରପ୍ତାନି କରି ବର୍ଷକୁ ୪୦୦ କୋଟି ମାର୍କିନ ଡଲାର ଆୟ କରିଥାଏ ବୋଲି ସ୍ପାଇସ୍ ବୋର୍ଡ ଅଫ୍ ଇଣ୍ଡିଆ ସୂତ୍ରରୁ ଜଣାଯାଏ। ଏମିତି ଦେଖିବାକୁ ଗଲେ ବିଶ୍ୱ ମସଲା ବଜାରରେ ୧,୦୦୦ କୋଟି ଡଲାର ମୂଲ୍ୟର ଭାରତୀୟ ମସଲା ବିକ୍ରିବଟା ହୁଏ। ସେଥିପାଇଁ ଭାରତ ବିଶ୍ୱ ମସଲା ବଜାରର ସର୍ବମାନ୍ୟ ଖେଳାଳି ଭାବେ ମାନ୍ୟତା ପାଏ। କେବଳ ‘ଏମଡିଏଚ୍’ ଏବଂ ଏଭରେଷ୍ଟ ମସଲା କମ୍ପାନି ସେମାନଙ୍କ ଉତ୍ପାଦକୁ ଆମେରିକା, ୟୁରୋପ, ଦକ୍ଷିଣ ପୂର୍ବ ଏସିଆ, ମଧ୍ୟ ପୂର୍ବ ଏବଂ ଅଷ୍ଟ୍ରେଲିଆ ସମେତ ଅଧିକାଂଶ ଦେଶକୁ ରପ୍ତାନି କରିଥାଆନ୍ତି।
ରପ୍ତାନୀଯୋଗ୍ୟ ଭାରତୀୟ ମସଲା ବିଶ୍ୱସ୍ତରୀୟ ଯାଞ୍ଚର ସମ୍ମୁଖୀନ ହେଉଥିବାରୁ ଭାରତୀୟ ମସଲା ବୋର୍ଡ ରପ୍ତାନି ପାଇଁ ଉତ୍ପାଦଗୁଡ଼ିକର ନମୁନା କଡ଼ାକଡ଼ି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି। କାହିଁକି ଓ କିପରି ମସଲାରେ ଇଟିଓ ସମେତ କୀଟନାଶକ ରସାୟନ ଗୁଡ଼ିକ ରହିଯାଉଛି ତାହା ଉପରେ ଅନୁସନ୍ଧାନ କରିବାକୁ ରପ୍ତାନିକାରୀଙ୍କ ସହ ବିଚାର କରୁଥିବା ଜଣାଯାଇଛି। ଅନ୍ତର୍ଜାତୀୟ ବଜାରରେ ବିକ୍ରି ହେଉଥିବା ମସଲା ଏବଂ ତରକାରୀ ପାଉଡର ଉପରେ କଡ଼ା ଗୁଣାତ୍ମକ ଯାଞ୍ଚ କରିବାକୁ ଭାରତର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI)କୁ ନିର୍ଦ୍ଦେଶ ଦିଆଯାଇଛି।
୧୯୧୯ ମସିହାରେ ଅବିଭକ୍ତ ଭାରତର ପଶ୍ଚିମ-ପଞ୍ଜାବରେ ପ୍ରତିଷ୍ଠିତ ‘ଏମଡିଏଚ୍’ ବା ‘ମହାଶିଆନ୍ ଡି ହାଟ୍ଟୀ’ ହେଉଛି ଏକ ମସଲା ବ୍ୟବସାୟ କରୁଥିବା କମ୍ପାନି। ଦେଶ ବିଭାଜନ ପରେ ଏହାର ପ୍ରତିଷ୍ଠାତା ମହାଶୟ ଚୁନ୍ନିଲାଲ ଗୁଲାଟିଙ୍କ ସୁପୁତ୍ର 'ମହାଶୟ ଧରମପାଲ ଗୁଲାଟି' ଦିଲ୍ଲୀରେ ବ୍ୟବସାୟ ଆରମ୍ଭ କରିଥିଲେ; ଯାହା ଏମଡିଏଚ ନାମରେ ପରିଚିତି ହାସଲ କରିଛି। ଏହି କମ୍ପାନି ପ୍ରସ୍ତୁତ ୬୫ରୁ ଅଧିକ ଉତ୍ପାଦ ସମଗ୍ର ବିଶ୍ୱରେ ବିକ୍ରି ହୁଏ। ବିଶ୍ୱରେ ଏହାର ଚାରିଲକ୍ଷରୁ ଅଧିକ ଖୁଚୁରା ବିତରଣକାରୀ ଅଛନ୍ତି। ଏହି କମ୍ପାନୀ ୨୦୨୨-୨୩ ଆର୍ଥିକ ବର୍ଷରେ ୨୬ କୋଟି ଡଲାର ମୂଲ୍ୟର ମସଲା ବିକ୍ରି କରିଥିଲା।
ଏଭରେଷ୍ଟ ଫୁଡ୍ ପ୍ରଡକ୍ଟ ୧୯୬୭ରେ ମାତ୍ର ତିନି ପ୍ରକାର ମସଲା ବିକ୍ରି କରୁଥିବା ଏକ ଛୋଟ ମସଲା ଦୋକାନରୁ ଆରମ୍ଭ ହୋଇଥିଲା। ଆଜି ଏହା ୫୨ ପ୍ରକାର ମସଲା ଉତ୍ପାଦ ପ୍ରସ୍ତୁତ କରୁଛି ଏବଂ ବିଶ୍ୱର ପ୍ରାୟ ୮୦ଟି ଦେଶକୁ ଏସବୁ ରପ୍ତାନୀ କରୁଛି। ଦୈନିକ ପ୍ରାୟ ୨୦ ନିୟୁତ ପରିବାର ଏହାର ଉତ୍ପାଦ ବ୍ୟବହାର କରୁଛନ୍ତି ଏବଂ ବାର୍ଷିକ ୩,୭୦୦ ପ୍ରକାର ଛୋଟ ବଡ଼ ପ୍ୟାକେଟ ମସଲା ବିକ୍ରି କରୁଥିବା ଏଭରେଷ୍ଟ ମସଲା ଭାରତର ଘରେ ଘରେ ପରିଚିତି ପାଇଛି। ଏହି କମ୍ପାନୀ ୨୦୨୨-୨୩ ଆର୍ଥିକ ବର୍ଷରେ ୩୬.୫ କୋଟି ଡଲାର ମୂଲ୍ୟର ମସଲା ବିକ୍ରି କରିଥିବାର ଜଣାଯାଇଛି।
ଭାରତରେ ପ୍ରସ୍ତୁତ ମସଲାରେ ‘ଇଟିଓ’ କାହିଁକି ରହୁଛି? ସତରେ କ’ଣ ସ୍ୱାସ୍ଥ୍ୟ ପାଇଁ ଏହା ବିପଜ୍ଜନକ? ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରିବା ସ୍ୱାଭାବିକ। ଆମେରିକା ସରକାରଙ୍କ ଜାତୀୟ କର୍କଟ ପ୍ରତିଷ୍ଠାନ ଅନୁଯାୟୀ ‘ଇଟିଓ’ ଏକ ରଙ୍ଗହୀନ ମଧୁର ସୁଗନ୍ଧିତ ବାଷ୍ପ (ଗ୍ୟାସ୍)। ଏହାକୁ ବ୍ୟବହାର କରାଗଲେ ଜୀବାଣୁଙ୍କ ଗୁଣସୂତ୍ର (ଡିଏନଏ)କୁ କ୍ଷତି ପହଞ୍ଚୁ ଥିବାରୁ ଅଳ୍ପ ପରିମାଣର ଇଟିଓ ବ୍ୟବହାର କରାଗଲେ ବହୁଦିନ ଯାଏଁ ମସଲା ପୋକ ଏବଂ ଜୀବାଣୁମୁକ୍ତ ରହେ। ଏହା ଏକ ପ୍ରଭାବଶାଳୀ ଜୀବାଣୁମୁକ୍ତ କାରକ (ଷ୍ଟେରିଲାଇଜିଂ ଏଜେଣ୍ଟ)। ବହୁଦିନ ଧରି ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଶରୀରରେ କର୍କଟ ରୋଗ ସୃଷ୍ଟି କରେ ବୋଲି 'ଇଟିଓ' ବାଷ୍ପର କୁଖ୍ୟାତି ରହିଛି।
ଅନେକ ଶତାବ୍ଦୀ ଧରି ଭାରତ ମସଲା ରପ୍ତାନିକାରୀ ଭାବେ ପ୍ରତିଷ୍ଠା ପାଇ ଆସିଛି। କିନ୍ତୁ ଭାରତ ସରକାର ଗୁଣବତ୍ତା ରକ୍ଷା ଉପରେ ପର୍ଯ୍ୟାପ୍ତ ଧ୍ୟାନ ନ ଦେବାରୁ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ମସଲାର ବିଶ୍ୱାସନୀୟତା ହ୍ରାସ ପାଇଛି। ଯେହେତୁ କୃଷକମାନେ ଇଟିଓ ବ୍ୟବହାର କରନ୍ତି ନାହିଁ, ଫସଲ ଅମଳ ପରେ ଖାଦ୍ୟ ପ୍ରକ୍ରିୟାକରଣ ଠାରୁ ବଜାର ପ୍ରବେଶ ମଧ୍ୟବର୍ତ୍ତୀ ଯେକୌଣସି ସମୟରେ ଇଟିଓ ବ୍ୟବହାର ହେଉଛି; ଯାହାର ଅବଶେଷ ମସଲା ନମୁନାରୁ ମିଳିଛି। ରପ୍ତାନି କରାଯାଉଥିବା ଭାରତୀୟ ଖାଦ୍ୟଦ୍ରବ୍ୟର ଗୁଣାତ୍ମକ ମାନ, ରାସାୟନିକ ଅବଶେଷ ମିଳିବା ଉପରେ ବାରମ୍ବାର ଅଭିଯୋଗ ଆସିଲେ, ତାହାର ଦୀର୍ଘକାଳୀନ ପ୍ରଭାବ ପଡ଼େ। ଅତୀତରେ କୀଟନାଶକ ଅବଶେଷ ଥିବା କାରଣରୁ ଆମେରିକାକୁ ଭାରତୀୟ ଆମ୍ବ ରପ୍ତାନି ବର୍ଷ ବର୍ଷ ଧରି କ୍ଷତିଗ୍ରସ୍ତ ହୋଇଥିଲା।
ଭାରତୀୟ ମସଲା ବ୍ରାଣ୍ଡର ଅନ୍ତର୍ଜାତୀୟ ଯାଞ୍ଚ ପରେ ଉଠିଥିବା ଅଭିଯୋଗ ଆଧାରରେ କେବଳ ରପ୍ତାନିଯୋଗ୍ୟ ମସଲା ନୁହେଁ, ବରଂ ଆମଦେଶରେ ପ୍ରସ୍ତୁତ ଏବଂ ଘରୋଇ ବଜାରରେ ବିକ୍ରି ହେଉଥିବା ମସଲାଗୁଡ଼ିକର କଡ଼ା ଗୁଣାତ୍ମକ ଯାଞ୍ଚ କରିବାକୁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ କର୍ତ୍ତୃପକ୍ଷ (FSSAI) ଅଧିକ ତତ୍ପର ହେବା ଆବଶ୍ୟକ। କେବଳ ମସଲା ନୁହେଁ, ବିଭିନ୍ନ ପ୍ରକାର ପୁଷ୍ଟି-ପାନୀୟ, ଫଳରସ, ସ୍ବାସ୍ଥ୍ୟ ବର୍ଦ୍ଧକ ପାନୀୟ, ବହୁରାଷ୍ଟ୍ରୀୟ ଓ ଦେଶୀ କମ୍ପାନି ଦ୍ୱାରା ପ୍ରସ୍ତୁତ ଶିଶୁଖାଦ୍ୟ ଇତ୍ୟାଦିର ଗୁଣବତ୍ତା ତଥା ଖାଦ୍ୟ ସମ୍ପର୍କିତ ନିୟମ ଉଲ୍ଲଙ୍ଘନ ହେଉଥିବା ଜାଣି ନିୟାମକ ସଂସ୍ଥା ଅଜଣା ରହୁଥିବାର ଦେଖାଯାଉଛି। ଏଣୁ, କର୍ତ୍ତୃପକ୍ଷ ଯେ, ନିୟମିତ ଭାବେ ନମୁନା ପରୀକ୍ଷଣ କରି ଖାଦ୍ୟ ଗୁଣବତ୍ତା ପ୍ରତି ଆବଶ୍ୟକୀୟ ଦୃଷ୍ଟି ଦେଉନାହାନ୍ତି, ତାହା ସ୍ପଷ୍ଟ।
ବିଦେଶରୁ ଅଭିଯୋଗ ମିଳିଲା ପରେ ଭାରତ ସରକାର ଏଭରେଷ୍ଟ ଏବଂ ‘ଏମଡିଏଚ୍’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି, ନମୁନା ଯାଞ୍ଚ କରାଯାଇଛି ଏବଂ ସଂଶୋଧନମୂଳକ ପଦକ୍ଷେପ ନିଆଯାଉଥିବାର କୁହା ଯାଉଛି। ଖାଦ୍ୟ ସଂରକ୍ଷଣ ପାଇଁ ବ୍ୟବହୃତ ରାସାୟନିକ ଦ୍ରବ୍ୟ ଗୁଡ଼ିକର ଯେପରି ସର୍ବାଧିକ ଅନୁମତିପ୍ରାପ୍ତ ସୀମା ମଧ୍ୟରେ ରହିବ, ମସଲା ସମେତ ସମସ୍ତ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସଂସ୍ଥା ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ଅନୁମୋଦିତ ମାନକ ସହିତ ସମାନ କରି ଉତ୍ପାଦନ କରାଯାଇ ପାରିବ, ସେଥିପାଇଁ ପରାମର୍ଶ ଦିଆଯାଉଛି। ଗୁଣାତ୍ମକ ଦୃଷ୍ଟିରୁ ନିକୃଷ୍ଟ ସାବ୍ୟସ୍ତ ହେଉଥିବା କାରଣରୁ ଭାରତୀୟ ମସଲା ରପ୍ତାନି ପାଇଁ ଏକ ବଡ଼ ବିପଦ ସୃଷ୍ଟି ହୋଇଛି। ଆମଦାନୀକାରୀ ଦେଶମାନଙ୍କର ନିଜସ୍ୱ ନିୟାମକ ସଂସ୍ଥା ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି ହେଉଥିବାରୁ ଭାରତର ମସଲା ରପ୍ତାନୀ ପରିମାଣ ୫୦ ପ୍ରତିଶତ ଯାଏଁ କମିଯାଇ ପାରେ।
ଖବର ଅନୁସାରେ, ଭାରତୀୟ ମସଲା ବୋର୍ଡ ପକ୍ଷରୁ ଅନ୍ତର୍ଜାତୀୟ ଖାଦ୍ୟମାନକ ସଂସ୍ଥା ‘କୋଡେକ୍ସ’ ସହଯୋଗରେ ମସଲାରେ କେତେ ମାତ୍ରରେ ଇଟିଓ ରହିପାରିବ ତାହାର ସୀମା ନିର୍ଧାରଣ କରାଯାଇଛି। ତେବେ ଏଥିପାଇଁ ଆମ ଦେଶର ମଣ୍ଡିମାନଙ୍କରେ ଅତ୍ୟାଧୁନିକ ପରୀକ୍ଷଣ ସୁବିଧା, ପରୀକ୍ଷାଗାର ଇତ୍ୟାଦି ପର୍ଯ୍ୟାପ୍ତ ସଂଖ୍ୟକ ନାହିଁ। ସେଥିପାଇଁ ଇଟିଓ ବ୍ୟବହାର ନକରି ବିକଳ୍ପ ଭାବେ ମସଲାକୁ ବାମ୍ଫ ଏବଂ ରଂଜନରଶ୍ମି ପ୍ରୟୋଗ ମାଧ୍ୟମରେ ଜୀବାଣୁମୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି ମସଲା ବୋର୍ଡ୍।
କରି ପାଉଡର, ସାମ୍ବର ପାଉଡର ତଥା ଆହୁରି ଅନେକ ପ୍ରକାର ସୁବାସିତ, ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବିଭିନ୍ନ ଗୋଟା ମସଲା ଆବଶ୍ୟକ ହୁଏ। ଦେଶର ବିଭିନ୍ନ ସ୍ଥାନରୁ ତାହା ସଂଗ୍ରହ କରି ସାଇତି ରଖିବା ପାଇଁ ଇଟିଓ ସମେତ ଅନେକ ପ୍ରକାର କୀଟ ଓ ରୋଗନାଶକ ରାସାୟନିକ ଔଷଧ ବ୍ୟବହାର କରାଯାଏ। ସେଗୁଡ଼ିକରେ ରାସାୟନିକ ପଦାର୍ଥର ଅବଶେଷ ରହିଯାଉଥିବା ଅସମ୍ଭବ ନୁହେଁ। ବାସ୍ତବରେ, ଯେପର୍ଯ୍ୟନ୍ତ ଭାରତରେ ଜୈବ କୃଷି ଏବଂ ପ୍ରାକୃତିକ କୀଟ ଓ ରୋଗନାଶକ ବ୍ୟବସ୍ଥା ଦୃଢ଼ୀଭୂତ ନହୋଇଛି ସେ ପର୍ଯ୍ୟନ୍ତ ଆମର ଖାଦ୍ୟରେ କିଛି ନା କିଛି ବିଷାକ୍ତ ପଦାର୍ଥ ରହିବ ହିଁ ରହିବ। ତେବେ, ଲଙ୍କା ଗୁଣ୍ଡକୁ ଅଧିକ ଲାଲ ଦେଖାଇବା ପାଇଁ ନକଲି ରଙ୍ଗ ବ୍ୟବହାର କରାଯିବା ଏକ ଅପରାଧ।
ମସଲାରେ ଇଟିଓ ରହୁଥିବାର ଅଭିଯୋଗ ହେବା ପରେ ଓଡ଼ିଶା ବଜାରରେ ବିକ୍ରି ହେଉଥିବା ମସଲାର ନମୁନା ସଂଗ୍ରହ କରା ଯାଇଥିଲା। ଯଦିଓ ଏଥିରୁ ଇଟିଓ ମିଳିନାହିଁ, ମାତ୍ର ଏସବୁ ନମୁନାରୁ ଧାର୍ଯ୍ୟ ସର୍ବାଧିକ ମାନଦଣ୍ଡଠାରୁ ଅଧିକ ପରିମାଣର ରଙ୍ଗ ଓ ପାଉଁଶ (ଆସ୍)ର ଉପସ୍ଥିତି ଥିବାର ଜଣାଯାଇଛି। ସଂଗୃହୀତ ୧୯୮ ନମୁନରୁ ୧୮୬ଟିର ପରୀକ୍ଷା ଫଳ ଆସିଛି। ୫ଟି ଲଙ୍କା ମରିଚ ଗୁଣ୍ଡ ନମୁନାରୁ ଲାଲ ରଙ୍ଗ ମିଶାଯାଇ ଥିବା ଓ ରଙ୍ଗର ମାତ୍ରା ଅଧିକ ଥିବାର ଜଣା ଯାଇଛି। ଏଫ୍ଏସଏସ -୨୦୦୬ ଆଇନ (ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଆକ୍ଟ) ଅନୁଯାୟୀ ସମ୍ପୃକ୍ତ କମ୍ପାନିମାନଙ୍କ ବିରୋଧରେ ମାମଲା ଦାୟର ହୋଇଛି। ରାଜ୍ୟ ଖାଦ୍ୟ ପରୀକ୍ଷାଗାର ବା ଷ୍ଟେଟ ଫୁଡ ଟେଷ୍ଟିଙ୍ଗ ଲାବୋରେଟରୀରେ ୨୦୨୩-୨୪ ବର୍ଷରେ ୧୨୨ଟି ମସଲା ନମୁନା ପରୀକ୍ଷା ପାଇଁ ସଂଗ୍ରହ ହୋଇଥିଲା। ସେଥିରୁ ୭ଟି ନମୁନା ଅସୁରକ୍ଷିତ ଓ ୧୭ଟି ନମୁନା ନିମ୍ନ ମାନର ଥିବା ସ୍ପଷ୍ଟ ହୋଇଥିଲାବେଳେ ୨୪ଟି ନମୁନା ଖାଦ୍ୟ ଅନୁପଯୋଗୀ ଥିଲା। ଏଥିରେ ଥିଲା କିଛି ଗରମ ମସଲା ଗୁଣ୍ଡ!
ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଆମ ଦେଶରେ ବିକ୍ରି ହେଉଥିବା ମସଲାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଖାଦ୍ୟର ମାନ ପରୀକ୍ଷା କରାଗଲା ପରେ ବଜାରରେ ବିକ୍ରି ହେବନାହିଁ କାହିଁକି? ଅନୁମୋଦିତ ମାନ ଉଲଂଘନକାରୀ ତଥା ନିମ୍ନମାନର ଉତ୍ପାଦ ପ୍ରସ୍ତୁତକାରୀଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି ଓ କେଉଁ କମ୍ପାନି ଉଲଂଘନ କରିଛନ୍ତି, ତାହାର ତଥ୍ୟ ନିୟମିତ ବ୍ୟବଧାନରେ ଖାଉଟୀମାନଙ୍କୁ ଜଣାଇ ଦିଆଯାଉଥିଲେ ବ୍ୟବସାୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବା ଭୟରେ କମ୍ପାନିମାନେ କ୍ଷତିକାରକ ରସାୟନ ବ୍ୟବହାର କରନ୍ତେ ନାହିଁ। କେବଳ ରପ୍ତାନୀ ହେଉଥିବା ଖାଦ୍ୟ ସାମଗ୍ରୀ ଗୁଡ଼ିକ ପରୀକ୍ଷଣ ହେବ ନା ଆମର ହାଟବଜାର ମାନଙ୍କରେ ବନ୍ଦ ଡବାରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ପରୀକ୍ଷଣ ପରେ ଆମକୁ କିଣିବାକୁ ମିଳିବ, ତାହା ଆମ ସରକାର ନିଶ୍ଚିତ କରିବା ଉଚିତ ନୁହେଁ କି?
ଫୋ- ୯୪୩୮୨୯୯୦୩୭