ଇଚ୍ଛାମୃତ୍ୟୁ, ଆତ୍ମହତ୍ୟା ଓ ଦୟାମୃତ୍ୟୁ

ଇଚ୍ଛାମୃତ୍ୟୁ, ଆତ୍ମହତ୍ୟା ଓ ଦୟାମୃତ୍ୟୁ ପରସ୍ପରଠାରୁ ଅଲଗା। ଉଭୟ 'ଇଚ୍ଛାମୃତ୍ୟୁ' ଓ ‘ଦୟାମୃତ୍ୟୁ’ ଦ୍ୱୟ ଜଟିଳ ଏବଂ ବିବାଦୀୟ ବିଷୟ ଯାହାକୁ ନେଇ ବିଗତ ଅନେକ ଦଶନ୍ଧି ଧରି ବିତର୍କ ଚାଲି ଆସିଛି। ଜୀବନର ଶେଷ ସମୟରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କିମ୍ବା ଅପୂରଣୀୟ ଆଘାତ ଭୋଗ କରୁଥିବା ବ୍ୟକ୍ତିଙ୍କୁ ଶାରୀରିକ ଦୁଃଖରୁ ମୁକ୍ତି ଦେବା ଉଦ୍ଦେଶ୍ୟରେ ଦୟାମୃତ୍ୟୁ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ଜୀବନକୁ ସମାପ୍ତ କରାଯାଉଥିଲାବେଳେ ଇଚ୍ଛାମୃତ୍ୟୁ ଚାହୁଁଥିବା ବ୍ୟକ୍ତି ନିଜେ ନିଜର ଜୀବନକୁ ସମାପ୍ତ କରିବାକୁ ନିବେଦନ କରନ୍ତି।

Euthanasia

  • Published: Wednesday, 05 April 2023
  • , Updated: 05 April 2023, 10:39 AM IST

News highlights

  • ଆଇନ ସମ୍ମତ ହେବା ଉଚିତ କି ଇଚ୍ଛାମୃତ୍ୟୁ?
  • ଜୀବନର ଅଧିକାର ପରି ମୃତ୍ୟୁ ମଧ୍ୟ ଏକ ଅଧିକାର କି?
  • ଦୁରାରୋଗ୍ୟ ବ୍ୟାଧିରେ ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଇଁ ମୃତ୍ୟୁ ଅପରିହାର୍ଯ୍ୟ କି?

ଇଚ୍ଛାମୃତ୍ୟୁ, ଆତ୍ମହତ୍ୟା ଓ ଦୟାମୃତ୍ୟୁ ପରସ୍ପରଠାରୁ ଅଲଗା। ଉଭୟ 'ଇଚ୍ଛାମୃତ୍ୟୁ' ଓ ‘ଦୟାମୃତ୍ୟୁ’ ଦ୍ୱୟ ଜଟିଳ ଏବଂ ବିବାଦୀୟ ବିଷୟ ଯାହାକୁ ନେଇ ବିଗତ ଅନେକ ଦଶନ୍ଧି ଧରି ବିତର୍କ ଚାଲି ଆସିଛି। ଜୀବନର ଶେଷ ସମୟରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କିମ୍ବା ଅପୂରଣୀୟ ଆଘାତ ଭୋଗ କରୁଥିବା ବ୍ୟକ୍ତିଙ୍କୁ ଶାରୀରିକ ଦୁଃଖରୁ ମୁକ୍ତି ଦେବା ଉଦ୍ଦେଶ୍ୟରେ ଦୟାମୃତ୍ୟୁ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ଜୀବନକୁ ସମାପ୍ତ କରାଯାଉଥିଲାବେଳେ ଇଚ୍ଛାମୃତ୍ୟୁ ଚାହୁଁଥିବା ବ୍ୟକ୍ତି ନିଜେ ନିଜର ଜୀବନକୁ ସମାପ୍ତ କରିବାକୁ ନିବେଦନ କରନ୍ତି। ବେଲଜିୟମ, କାନାଡ଼ା, କଲମ୍ବିଆ, ଲକ୍ସମବର୍ଗ, ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ ଓ ସ୍ପେନ୍ ଭଳି କେତେକ ଦେଶରେ ଦୟାମୃତ୍ୟୁ ଆଇନଗତ ସ୍ଵୀକୃତି ଲାଭ କରିଥିବାବେଳେ ଏହା ସ୍ୱିଜରଲ୍ୟାଣ୍ଡ ପରି ଅନ୍ୟାନ୍ୟ ଦେଶରେ ବେଆଇନ। ନୈତିକତା ଓ ଧାର୍ମିକ ଆଧାରରେ ଦୟାମୃତ୍ୟୁକୁ ତଉଲାଯାଇ ଆଇନ ତିଆରି କରାଯାଇଛି ବିଭିନ୍ନ ଦେଶରେ। ଯେଉଁଠି ଆଇନ ପ୍ରଣୟନ କରାଯାଇନାହିଁ ସେସବୁ ଦେଶରେ ଆଜି ବି ବିତର୍କ ଚାଲିଛି - ନୀତି, ନୈତିକତା, ଧର୍ମ ଓ ବିବେକର ଡାକରା, ମାନବିକ ଅଧିକାର ସହ ମାନବିକତାକୁ ପାଥେୟ କରି!

ଦୟାମୃତ୍ୟୁର ଅନେକ ରୂପ। ନିଷ୍କ୍ରିୟ ବା ପରୋକ୍ଷ, ସକ୍ରିୟ ବା ପ୍ରତ୍ୟକ୍ଷ, ସ୍ୱେଚ୍ଛାକୃତ ଏବଂ ଅନିଚ୍ଛାକୃତ ଭାବେ ଦୟାମୃତ୍ୟୁ ପ୍ରଦାନ କରାଯାଇପାରେ। ନିଷ୍କ୍ରିୟ ବା ପରୋକ୍ଷ ଦୟାମୃତ୍ୟୁରେ ଜୀବନ ରକ୍ଷାକାରୀ ଡାକ୍ତରୀ ଚିକିତ୍ସା - ଯଥା କୃତ୍ରିମ ନିଃଶ୍ୱାସ ପ୍ରଶ୍ଵାସ ଯନ୍ତ୍ରକୁ ପ୍ରତ୍ୟାହାର କରିବା ଭଳି ପଦକ୍ଷେପ ନିଆଯାଉଥିବାବେଳେ ସକ୍ରିୟ ବା ପ୍ରତ୍ୟକ୍ଷ ଦୟାହତ୍ୟାରେ ରୋଗୀର ଜୀବନ ଶେଷ କରିବା ପାଇଁ ମାରାତ୍ମକ ଔଷଧ କିମ୍ବା ବିଷ ଇଞ୍ଜେକ୍ସନ ପ୍ରୟୋଗ କରାଯାଇପାରେ। କିନ୍ତୁ ଯେତେବେଳେ ଜଣେ ଦୁରାରୋଗ୍ୟ ରୋଗୀ ମୃତ୍ୟୁଲାଭ କରି ଦୁଃସହ ଯନ୍ତ୍ରଣାରୁ ମୁକ୍ତିପାଇଁ ଅନୁରୋଧ କରନ୍ତି କିମ୍ବା ସହମତି ପ୍ରକାଶ କରନ୍ତି ତାହାକୁ ସ୍ୱେଚ୍ଛାକୃତ ବା ଇଚ୍ଛାକୃତ ଦୟାମୃତ୍ୟୁ କୁହାଯାଏ। ଯେତେବେଳେ ରୋଗୀର ବିନା ଅନୁମତିରେ ଡାକ୍ତର କିମ୍ବା ପରିବାର ସଦସ୍ୟମାନେ ଏଭଳି ଚରମ ନିଷ୍ପତ୍ତି ନିଅନ୍ତି ତାହାକୁ ଅନିଚ୍ଛାକୃତ ଦୟାମୃତ୍ୟୁ କୁହାଯାଏ। ନିକଟରେ ଭୁବନେଶ୍ୱରର ୬୮ ବର୍ଷ ବୟସ୍କ ଭାସ୍କର ବାରିକ ଆର୍ଥ୍ରାଇଟିସ୍, ମଧୁମେହ, ପାଟି ଏବଂ ମଳଦ୍ୱାର ଅଲସର ରୋଗରେ ଅସହ୍ୟ ଯନ୍ତ୍ରଣା ଭୋଗୁଥିବାରୁ ଏବଂ ଡାକ୍ତରମାନେ ସମସ୍ତ ଆଶା ହରାଇଥିବାରୁ ତାଙ୍କୁ ଇଚ୍ଛାକୃତ ଦୟାମୃତ୍ୟୁ ପ୍ରଦାନ କରାଯିବାକୁ ବିକଳ ଅନୁରୋଧ କରିଥିଲେ। ତାଙ୍କର ପ୍ରଶ୍ନ, "ଆମ ଆଇନ ଜଣେ ଅପରାଧୀକୁ ମୃତ୍ୟୁଦଣ୍ଡ ଦେବାକୁ ବାଧ୍ୟ କରିଥାଏ, ଯଦିଓ ସେ ବଞ୍ଚିବାକୁ ଚାହେଁ। କିନ୍ତୁ ତୀବ୍ର ଯନ୍ତ୍ରଣା ଭୋଗୁଥିବା ରୋଗୀ ଶାନ୍ତିପୂର୍ଣ୍ଣ ତଥା ସମ୍ମାନଜନକ ମୃତ୍ୟୁ ପାଇଁ ଇଚ୍ଛାମୃତ୍ୟୁ ଚାହିଁଲେ ଆମଦେଶର ଆଇନ ନୀରବ କାହିଁକି?

ଦୟାମୃତ୍ୟୁର ଗୋଟିଏ ବହୁଚର୍ଚ୍ଚିତ ଉଦାହରଣ ହେଉଛନ୍ତି ସୁଶ୍ରୀ ଅରୁଣା ଶାନବାଗ। ସେ ମୁମ୍ବାଇର ପାରେଲ କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲରେ ଜଣେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ୧୯୭୩ ମସିହା, ନଭେମ୍ବର ୨୭ ତାରିଖରେ ସୋହନଲାଲ ବାଲ୍ମିକୀ ନାମକ ଜଣେ ବ୍ୟକ୍ତି ତାଙ୍କୁ ଗଳା କାଟି ହତ୍ୟା ଉଦ୍ୟମ କରିଥିଲେ। ସେ ଅମ୍ଳଜାନ ନପାଇ ମୁମୂର୍ଷୁ ଅବସ୍ଥାରେ ମୃତପ୍ରାୟ ଡାକ୍ତରଖାନାର ଖଟିଆରେ ଶୋଇ ରହିଥିଲେ। ଅରୁଣାଙ୍କ ତରଫରୁ ତାଙ୍କର ବାନ୍ଧବୀ ପିଙ୍କି ବିରାନୀ ନାମକ ଜଣେ ସମାଜସେବୀ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଯାଚିକା ଦାଖଲ କରି ଯୁକ୍ତି ବାଢ଼ିଥିଲେ ଯେ ଅରୁଣାଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାରକୁ ଏହା ଉଲ୍ଲଂଘନ କରୁଛି। ଅଥଚ, ଯାଚିକାଟିକୁ ସର୍ବୋଚ୍ଚ ନ୍ୟାୟାଳୟ ୭ ମାର୍ଚ୍ଚ ୨୦୧୧ରେ ଖାରଜ କରିଦେଲେ। ଅରୁଣା ଯେଉଁ ଡାକ୍ତରଖାନାରେ କାମ କରୁଥିଲେ ସେଠାକାର ସହକର୍ମୀମାନେ ତାଙ୍କର ଚିକିତ୍ସା ଏବଂ ଯତ୍ନ ନେଉଥିବାରୁ ଅରୁଣାଙ୍କ ଜୀବନରକ୍ଷାକାରୀ ସହାୟତା ବନ୍ଦ ନକରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ଶୁଣାଇଥିଲେ। ପରେ ଅରୁଣା ସେହିଭଳି ରୋଗ ଶଯ୍ୟାରେ ପଡ଼ି ପଡ଼ି ୧୮ ମଇ ୨୦୧୫ରେ ନିମୋନିଆରେ ମୃତ୍ୟୁବରଣ କରିଥିଲେ।

ଦୟାମୃତ୍ୟୁ ସମର୍ଥକମାନେ ଯୁକ୍ତି କରନ୍ତି ଯେ ବିଳମ୍ବିତ ତଥା ଯନ୍ତ୍ରଣାଦାୟକ ମୃତ୍ୟୁର ସମ୍ମୁଖୀନ ହେଉଥିବା ଅସୁସ୍ଥ ବୟସ୍କ ବ୍ୟକ୍ତି କିମ୍ବା ଦୁରାରୋଗ୍ୟ ରୋଗୀଙ୍କ ଦୁଃଖଯନ୍ତ୍ରଣା ଦୂର କରିବା ପାଇଁ ଦୟାମୃତ୍ୟୁ ଏକ ମାନବୀୟ କର୍ତ୍ତବ୍ୟ। ସେମାନେ ଯୁକ୍ତି କରନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ଶରୀର ଏବଂ ଜୀବନ ବିଷୟରେ ନିଜସ୍ୱ ନିଷ୍ପତ୍ତି ନେବାର ଅଧିକାର ରହିବା ଉଚିତ ଏବଂ ସେମାନଙ୍କୁ ଅନାବଶ୍ୟକ ଯନ୍ତ୍ରଣା ସହିବାକୁ ବାଧ୍ୟ କରିବା ନିଷ୍ଠୁରତା ଏବଂ ଅନ୍ୟାୟ। ଦୟାମୃତ୍ୟୁକୁ ନିୟନ୍ତ୍ରିତ ଏବଂ ତଦାରଖ କରାଯାଇପାରିବ। ଏହା କେବଳ ରୋଗୀର ସମ୍ମତି ନିଆଯାଇ ସବୁ ପ୍ରକାର ଚିକିତ୍ସା ବ୍ୟବସ୍ଥା ନିଆଗଲା ପରେ ଆଇନଗତ ଭାବେ କରାଯିବା ଉଚିତ ବୋଲି ସମର୍ଥକମାନେ ମତ ପ୍ରକାଶ କରନ୍ତି। କିନ୍ତୁ ବିରୋଧୀମାନଙ୍କ ଯୁକ୍ତି ଯେ ଏହା ଜୀବନର ପବିତ୍ରତା ଏବଂ ଶପଥର ଉଲ୍ଲଂଘନ। ଦୟାମୃତ୍ୟୁକୁ ଆଇନଗତ ସ୍ୱୀକୃତି ମିଳିଗଲେ ମାନବ ଜୀବନର ଅବନତି ଏବଂ ଡାକ୍ତରମାନଙ୍କ ନୈତିକତା ଅବକ୍ଷୟ, ଦୁର୍ବଳ ବ୍ୟକ୍ତିଙ୍କ ଉପରେ ସବଳଙ୍କ ଅତ୍ୟାଚାର ବୃଦ୍ଧି ସମ୍ଭାବନା ସୃଷ୍ଟି ହେବ।

ଦୀର୍ଘ ଚାରିବର୍ଷ କାଳ ବଞ୍ଚିବା ପାଇଁ ଲଢ଼େଇକରି ଗତ ବର୍ଷ ଡିସେମ୍ବର ମାସରେ ଇଚ୍ଛାମୃତ୍ୟୁ ଲୋଡ଼ିଥିଲେ କନ୍ଧମାଳ ଜିଲ୍ଲା ଚକାପାଦର ଉପାୟହୀନ ଭିନ୍ନକ୍ଷମ ଦୀପକ କୁମାର ହଂସ ଓ ତାଙ୍କର ପତ୍ନୀ। ଯାଜପୁର ଜିଲ୍ଲା, ଧନେଶ୍ୱର ପଞ୍ଚାୟତ ଆଲିଆ ଗ୍ରାମର ଅର୍ଜୁନ ବେହେରାଙ୍କ ଝିଅ ସାରଥୀ ବେହେରା ରୋଗ ଭଲ ନହେବାରୁ ଯନ୍ତ୍ରଣାରେ ଛଟପଟ ହୋଇ ଇଚ୍ଛାମୃତ୍ୟୁ ମାଗିଲେ। ସରକାରଙ୍କୁ ଲେଖିଥିବା ଆବେଦନ ପାତ୍ରରେ ସେ ଲେଖିଥିଲେ, "ଜୀବନଠାରୁ ମୃତ୍ୟୁ ମୋ ପାଇଁ ଅଧିକ ଶାନ୍ତିଦାୟକ।" ସେହିପରି, ଜଣେ ରିକ୍ସା ଚାଳକ ୮ ମାସ ଧରି ମସ୍ତିଷ୍କ କର୍କଟରୋଗରେ ପୀଡ଼ିତ ଥିବା ଓ ୪ ପ୍ରାଣୀ କୁଟୁମ୍ବ ଚଳାଇବାକୁ ଅସାମର୍ଥ୍ୟ କାରଣରୁ ତାଙ୍କ ପତ୍ନୀଙ୍କ ହାତରେ ଇଚ୍ଛାମୃତ୍ୟୁ ଦରଖାସ୍ତ ଜିଲାପାଳଙ୍କୁ ପଠାଇଲେ। କଣ୍ଟାବାଞ୍ଜିର ଜଣେ ଉଚ୍ଚ ଶିକ୍ଷିତ ଯୁବକ ଅମିତ ଜୈନ। ଶାରୀରିକ କଷ୍ଟ ସହ ଘୋର ଆର୍ଥିକ ଅନଟନରେ ଘାଣ୍ଟି ହେଉଥିବାରୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଛନ୍ତି ଇଚ୍ଛାମୃତ୍ୟୁ ଆବେଦନ।

ନିଜକୁ ବିଜ୍ଞାନୀ ବିଚାର କରୁଥିବା ଅଜ୍ଞାନୀମାନେ ମୃତ୍ୟୁକୁ ଭୟ କରିଥାନ୍ତି। ଆଜିକାଲି ତ ସୁଖଦ ଜୀବନର ଜୟ ଜୟକାର ପାଇଁ ଲୋକମାନେ 'ଆର୍ଟ ଅଫ୍‌ ଲିଭିଙ୍ଗ୍‌’ ତାଲିମ ନେଉଥିବାର ଦେଖିବାକୁ ମିଳୁଛି। ଏହା ସହ 'ଆର୍ଟ ଅଫ୍‌ ଡାଇଙ୍ଗ୍‌' ଯୋଡ଼ା ହୋଇଗଲେ ସାଧାରଣ ଲୋକଙ୍କ ମନରୁ ମୃତ୍ୟୁ ଭୟ ଚାଲି ଯାଆନ୍ତା। ଶ୍ରୀମଦ ଭଗବତ୍‌ ଗୀତାରେ କିଭଳି ଓ କେଉଁ ସମୟରେ ମଣିଷ ନିଜର ଶରୀର ତ୍ୟାଗ କରିବ ସେ ସଂପର୍କରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇ କହିଛନ୍ତି, "ହେ ସଖା! ବର୍ତ୍ତମାନ ମୁଁ ତୁମକୁ ପୃଥିବୀ ପୃଷ୍ଠରୁ ପ୍ରତ୍ୟାବର୍ତ୍ତନର କଳା, କାଳ ଓ ସମୟ କଥା କହିବି, ଯେଉଁ ସମୟରେ ପୃଥିବୀରୁ ବିଦାୟ ନେଲେ ବ୍ୟକ୍ତି ମୋକ୍ଷ ପ୍ରାପ୍ତି ହୋଇ ଆଉ ମର୍ତ୍ତ୍ୟକୁ ପ୍ରତ୍ୟାବର୍ତ୍ତନ କରେ ନାହିଁ।" ଯେଉଁ ବ୍ୟକ୍ତି ପରଂବ୍ରହ୍ମଙ୍କୁ ଅନୁଭବ କରିଛନ୍ତି, ସେମାନେ ଶୁକ୍ଳପକ୍ଷରେ, ଅଗ୍ନି ଦେବତାଙ୍କ ପ୍ରଭାବ କାଳରେ, ଶୁଭ ମୁହୂର୍ତ୍ତରେ, ଦିବାଲୋକରେ ଏବ˚ ସୂର୍ଯ୍ୟଙ୍କର ଉତ୍ତରାୟଣ କାଳରେ ଇହ ଜଗତ୍‌ରୁ ବିଦାୟ ନିଅନ୍ତି ଓ ନୂତନ ଜୀବନ ପଥରେ ଯାତ୍ରା ଆରମ୍ଭ କରନ୍ତି। ସେହିପରି କୃଷ୍ଣପକ୍ଷ, ରାତ୍ରି ଓ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି କାଳରେ ଇହଲୋକ ତ୍ୟାଗ କଲେ ବ୍ୟକ୍ତି ପୁନର୍ଜନ୍ମ ନିଅନ୍ତି ବୋଲି ବିଶ୍ୱାସ କରାଯାଏ। ପିତାମହ ଭୀଷ୍ମଙ୍କୁ ବରଦାନ ମିଳିଥିଲା – ଇଚ୍ଛାମୃତ୍ୟୁ। ସେଥିପାଇଁ ସେ ଇହଧାମ ତ୍ୟାଗ କରିବାର ତିଥି ଓ ସମୟ ନିଜେ ସ୍ଥିର କରିଥିଲେ। ମହାଭାରତର ଭୀଷ୍ମଙ୍କ ପରେ ଆଉ ଜଣେ ଭୀଷ୍ମ ଏହି ଭାରତରେ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ସନ୍ଥ ବିନୋବା ଭାବେ। ଭୀଷ୍ମଙ୍କ ଭଳି ସାରା ଜୀବନ ବ୍ରହ୍ମଚାରୀ ରହି ୧୯୮୨ ନଭେମ୍ବର ୧୫ ତାରିଖ ପ୍ରତ୍ୟୁଷରେ ସେ ସ୍ୱଇଚ୍ଛାରେ ଶରୀର ତ୍ୟାଗ କରିଥିଲେ। ସେଦିନ ଥିଲା ଜୈନଧର୍ମ ପ୍ରତିଷ୍ଠାତା ମହାବୀରଙ୍କର ମହାପ୍ରୟାଣ ଦିବସ ଓ ପବିତ୍ର ଦୀପାବଳି। ସେ ଏକ ରୋଗୀ ଭାବରେ ବିଛଣାରେ ପଡ଼ି ପଡ଼ି ତାଙ୍କର ଦୁର୍ବଳ ଶରୀର ଛାଡ଼ି ଯିବାକୁ ଚାହୁଁନଥିଲେ। ତେଣୁ ଚିକିତ୍ସିତ ହେବାକୁ ମନା କରି ଦେଇଥିଲେ। ସେ ଖାଦ୍ୟ ଓ ଜଳ ଗ୍ରହଣ କରିବା ବନ୍ଦ କରିଦେଲେ ଏବଂ ସଂପୂର୍ଣ୍ଣ ଉପବାସରେ ରହି ଦେହ ତ୍ୟାଗ କରିବା ପାଇଁ ନିଷ୍ପତ୍ତି ନେଲେ। ଆଶ୍ଚର୍ଯ୍ୟଜନକ ଭାବେ ନିରୋଗ ଅବସ୍ଥାରେ ନଭେମ୍ବର ୧୪ ତାରିଖ ଦିନ ସେ ନିଜ ଇଚ୍ଛାରେ ଓ ସଂପୂର୍ଣ୍ଣ ସଚେତନ ଅବସ୍ଥାରେ ଦେହ ତ୍ୟାଗ କଲେ। ଏହାକୁ କ'ଣ ଇଚ୍ଛାମୃତ୍ୟୁ ନା ଆତ୍ମହତ୍ୟା କହିବା?

ଦୟାମୃତ୍ୟୁକୁ ଭାରତରେ କଡ଼ା କଟକଣା ଭିତରେ ୨୦୧୮ ମସିହାଠାରୁ ଆଇନସିଦ୍ଧ କରାଯାଇ ସାରିଛି। ରୋଗୀଙ୍କ ପିତାମାତା, ପତି/ପତ୍ନୀ, ନିକଟ ସମ୍ପର୍କୀୟ, ନିକଟତମ ବନ୍ଧୁ, ଚିକିତ୍ସା କରୁଥିବା ଡାକ୍ତରମାନେ ରୋଗୀଙ୍କ ଜୀବନ ରକ୍ଷାକାରୀ ଯନ୍ତ୍ରପାତିଗୁଡ଼ିକୁ କାଢ଼ିନେଇ ଦୟାମୃତ୍ୟୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇ ପାରିବେ ବୋଲି ଆଇନରେ ପ୍ରାବଧାନ କରାଯାଇଛି। କିନ୍ତୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଦୁଇଜଣ ସାକ୍ଷୀ ଓ ଜଣେ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅନୁମତି ପତ୍ର ଏବଂ ସେହି ଡାକ୍ତରଖାନାର ଡାକ୍ତରୀ ବୋର୍ଡଙ୍କ ସହମତି ଆବଶ୍ୟକ। ତେବେ, ଆମଦେଶରେ ଆତ୍ମହତ୍ୟା ଏକ ମହାପାପ। ଇଚ୍ଛାମୃତ୍ୟୁ ଚାହୁଁଥିବା ବ୍ୟକ୍ତି ଆତ୍ମହତ୍ୟା କରିବା ଭଳି କଥା ବୋଲି ବିଚାର କରାଯାଏ। ପ୍ରେମ ଓ ବେକାରୀ ଜର୍ଜରିତ ଯୁବକ ଯୁବତୀ, ପରୀକ୍ଷାରେ ଅକୃତକାର୍ଯ୍ୟ ଛାତ୍ରଛାତ୍ରୀ, ଋଣଗ୍ରସ୍ତ ଚାଷୀ, ନ୍ୟାୟିକ, ଆର୍ଥିକ ଓ ସାମାଜିକ ଚାପଗ୍ରସ୍ତ ଅସହାୟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢ଼ୁଥିବାର ଦେଖା ଯାଉଛି, ଯାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ। କିନ୍ତୁ ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ଏଭଳି ଦୁର୍ଘଟଣାଗୁଡ଼ିକର ସଂଖ୍ୟା ଜନସଂଖ୍ୟା ତୁଳନାରେ ବହୁତ କମ। ଆଧୁନିକ ଚିକିତ୍ସା ବିଜ୍ଞାନର ଚମତ୍କାରିତା କାରଣରୁ, ଆମର ହାରାହାରି ଆୟୁଷ ବଢ଼ିବା ସହିତ ବାର୍ଦ୍ଧକ୍ୟକାଳୀନ ରୋଗର ଶିକାର ହେଉଛନ୍ତି ବୟସ୍କ ନାଗରିକ। ସେମାନଙ୍କ ସେବା କରିବାକୁ ଦ୍ଵିତୀୟ ପିଢ଼ିର ପ୍ରୌଢ଼ ସନ୍ତାନସନ୍ତତି ବୟସାଧିକ୍ୟ ଓ ଶାରୀରିକ ବଳ କମିଯାଉଥିବା କାରଣରୁ ଅକ୍ଷମ। ପରିବାର ସଂଜ୍ଞା ବଦଳି ଚାଲିଛି। ଏଣୁ, ଯୁବକ ଅବସ୍ଥାରେ ଥିବା ତୃତୀୟ ପିଢ଼ି କର୍ମକ୍ଷେତ୍ରରେ ରହୁଥିବା କାରଣରୁ ପ୍ରଥମ ପିଢ଼ି ଜେଜେ ବାପା ଜେଜୀମାଙ୍କ ସେବା କରିବା ସମ୍ଭବ ହେଉନି। ଫଳ ସ୍ୱରୂପ, ବୁଢ଼ାବୁଢ଼ୀମାନେ ଡାକ୍ତରଖାନାରେ ରୋଗଶଯ୍ୟାରେ କିମ୍ବା ବୃଦ୍ଧାଶ୍ରମରେ ରହୁଛନ୍ତି। ଏହି ସାମାଜିକ ପରିବର୍ତ୍ତନକୁ ଲକ୍ଷ୍ୟ ରଖି ଆମକୁ ଆଇନ ବଦଳାଇବାକୁ ପଡ଼ିବ।

ବିବାହ ନକରି ମଧ୍ୟ ଲିଭ-ଇନ-ରିଲେସନ, ସମଲିଙ୍ଗୀ ବିବାହ, ଜାତି-ଧର୍ମ ନିର୍ବିଶେଷରେ ବିବାହ ଇତ୍ୟାଦି ଏବେ ଆଇନ ଅନୁମୋଦିତ ହୋଇଥିଲେ ବି ଆଜି ପାରମ୍ପରିକ ବିବାହ ଅଧିକାଂଶଙ୍କର ପ୍ରିୟ। ଖୁବ କମ କ୍ଷେତ୍ରରେ ଅଣପାରମ୍ପରିକ ବିବାହ ଦେଖିବାକୁ ମିଳୁଛି। ଏବେ ଇଚ୍ଛାମୃତ୍ୟୁ, ଆତ୍ମହତ୍ୟା ଓ ଦୟାହତ୍ୟାକୁ ଆମର ଆଇନ ଅନୁମୋଦନ ଦେବାର ଆବଶ୍ୟକତା ରହିଛି। ଆଜିକାଲି ଯେପରି ଆତ୍ମହତ୍ୟା ହାର ବଢୁଛି, ତାହାକୁ ଆଉ ଅଧିକ ବଢ଼ିବାକୁ ନଦେବା ପାଇଁ ଏଭଳି ଆଇନ ପ୍ରଣୟନକୁ ବିରୋଧ ନକରି ସମସ୍ୟାର ମୂଳକୁ ଯିବାର ସମୟ ଉପନୀତ ହୋଇଛି। ଆମ ଦେଶରେ ପ୍ରଚଳିତ ଆଇନରେ ଏଭଳି ମୃତ୍ୟୁକୁ ଆଇନସିଦ୍ଧ କରାଯାଇ ନଥିବାରୁ ଅନେକ ରୋଗୀ ଆତ୍ମହତ୍ୟା କରୁଛନ୍ତି। ଡାକ୍ତରମାନଙ୍କ ମତ ଯେ ଶାନ୍ତିପୂର୍ଣ୍ଣ ତଥା ସମ୍ମାନଜନକ ମୃତ୍ୟୁ ପାଇଁ ରୋଗୀଙ୍କୁ ଦୟାମୃତ୍ୟୁ ସୁଯୋଗ ଦିଆଯିବା ଉଚିତ; ଯାହା ଦ୍ୱାରା ରୋଗୀ ଏବଂ ସେମାନଙ୍କ ପରିବାର ପ୍ରଚଣ୍ଡ ମାନସିକ, ସାମାଜିକ ଓ ଆର୍ଥିକ ଚାପରୁ ମୁକ୍ତି ପାଇପାରିବେ। ଯଦି ଯନ୍ତ୍ରଣା ଭୋଗିଲା ପରେ ଜଣେ ରୋଗୀଙ୍କର ପ୍ରାକୃତିକ ମୃତ୍ୟୁ ନହୁଏ ତେବେ ସେ କେତେ ଦିନ ଯନ୍ତ୍ରଣା ଭୋଗି ଚାଲିଥିବେ?

ଜାନକୀଶ ବଡ଼ପଣ୍ଡା

ଫୋ- ୯୪୩୮୨୯୯୦୩୭

Related story