ଏବେ ବି ରହିଛି ସାନ୍ତାଳ ଆଦିବାସୀଙ୍କ ହୁଲ୍ ବିଦ୍ରୋହର ପ୍ରାସଙ୍ଗକିତା!

ବ୍ରିଟଶ ଉପନିବେଶବାଦ ବିରୋଧି ଭାରତର ସ୍ୱାଧୀନତା ସଂଗ୍ରାମରେ ୩୦ ଜୁନ୍ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ଇତିହାସରେ ତାହା ‘ହୁଲ୍ ଦିବସ’ ବା ସାନ୍ତାଳ ଆଦିବାସୀମାନଙ୍କ ବିଦ୍ରୋହର ଦିବସ ରୂପେ ପରିଚିତ। ୧୮୫୫ ମସିହାର ଏହି ଦିନରେ ବଙ୍ଗଳା ଓ ଝାଡ଼ଖଣ୍ଡର ସୀମାରେ ଥିବା ସାନ୍ତାଳ ପ୍ରଗଣା ଅଞ୍ଚଳର ରାଜମହଲ ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ସାନ୍ତାଳ ଜନଜାତିର ଲୋକମାନଙ୍କ ଦ୍ୱାରା ଏହି ଐତିହାସିକ ବିଦ୍ରୋହର ଆରମ୍ଭ ହୋଇଥିଲା। ସ୍ଥାନୀୟ ଜମିଦାର, ସୁଧଖୋର ସାହୁକାର ବା ମହାଜନ ଓ ସେମାନଙ୍କ ସହଯୋଗୀ ଭାବେ ପରିଚିତ ବ୍ରିଟିଶ ଅଧିକାରୀମାନଙ୍କ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ଏହି ବିଦ୍ରୋହ ମୁଣ୍ଡ ଟେକିଥିଲା।

The Hul Rebellion

  • Published: Wednesday, 28 June 2023
  • , Updated: 28 June 2023, 05:28 PM IST

News highlights

  • ବ୍ରିଟିଶ ବିରୋଧରେ ସାନ୍ତାଳମାନେ କାହିଁକି କରିଥିଲେ ହୁଲ୍‌ ବିଦ୍ରୋହ?
  • କିପରି ଗୁରୁତ୍ୱପୂର୍ଣ୍ଣ ଥିଲା ହୁଲ୍‌ ବିଦ୍ରୋହ?
  • ଆଜି ବି ଏହି ବିଦ୍ରୋହ ପ୍ରାସଙ୍ଗିକ ବୋଧହୁଏ କି?

ବ୍ରିଟଶ ଉପନିବେଶବାଦ ବିରୋଧି ଭାରତର ସ୍ୱାଧୀନତା ସଂଗ୍ରାମରେ ୩୦ ଜୁନ୍ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ଇତିହାସରେ ତାହା ‘ହୁଲ୍ ଦିବସ’ ବା ସାନ୍ତାଳ ଆଦିବାସୀମାନଙ୍କ ବିଦ୍ରୋହର ଦିବସ ରୂପେ ପରିଚିତ। ୧୮୫୫ ମସିହାର ଏହି ଦିନରେ ବଙ୍ଗଳା ଓ ଝାଡ଼ଖଣ୍ଡର ସୀମାରେ ଥିବା ସାନ୍ତାଳ ପ୍ରଗଣା ଅଞ୍ଚଳର ରାଜମହଲ ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ସାନ୍ତାଳ ଜନଜାତିର ଲୋକମାନଙ୍କ ଦ୍ୱାରା ଏହି ଐତିହାସିକ ବିଦ୍ରୋହର ଆରମ୍ଭ ହୋଇଥିଲା। ସ୍ଥାନୀୟ ଜମିଦାର, ସୁଧଖୋର ସାହୁକାର ବା ମହାଜନ ଓ ସେମାନଙ୍କ ସହଯୋଗୀ ଭାବେ ପରିଚିତ ବ୍ରିଟିଶ ଅଧିକାରୀମାନଙ୍କ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ଏହି ବିଦ୍ରୋହ ମୁଣ୍ଡ ଟେକିଥିଲା। ସାନ୍ତାଳ ଜନଜାତି ସମେତ ଭାରତର ବିଭିନ୍ନ ରାଜ୍ୟର ଜନଜାତିର ଲୋକେ ପ୍ରତିବର୍ଷ ଏହି ଦିବସକୁ ନିଜର ଗର୍ବ ଓ ଗୌରବର ପ୍ରତୀକ ଭାବେ ‘ହୁଲ୍ ଦିବସ‘ ରୂପେ ପାଳନ କରିଥାନ୍ତି।

୧୮୫୫ ବେଳକୁ ସାନ୍ତାଳ ପ୍ରଗଣା ଅଞ୍ଚଳରେ ଜମିଦାରମାନେ ସ୍ଥାନୀୟ ଆଦିବାସୀମାନଙ୍କୁ ଗୋତି ଶ୍ରମିକ ଭାବେ ରଖି ସେମାନଙ୍କ ଶ୍ରମକୁ ଲୁଟୁଥିଲେ। ସୁଧଖୋର ମହାଜନମାନେ ସେମାନଙ୍କୁ ଋଣଗ୍ରସ୍ତ କରିବା ସହ ଚଢ଼ା ସୁଧ ଆଦାୟ କରି ଆଦିବାସୀଙ୍କ ଜମିକୁ ବିଭିନ୍ନ ଆଳରେ ବଳପୂର୍ବକ ଛଡ଼େଇ ନେଉଥିଲେ। ଏପରିକି ଆଦିବାସୀ ମହିଳାମାନେ ବି ସେମାନଙ୍କ ଖରାପ ନଜର ଓ ଶୋଷଣରୁ ବର୍ତ୍ତି ପାରୁ ନଥିଲେ। ଯଦି କେହି ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ, ତାହେଲେ ଜମିଦାରମାନେ ନିଜର ଗୁଣ୍ଡା ଏବଂ ବ୍ରିଟିଶ ପୋଲିସ ଲଗାଇ ସେମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଓ ଦମନ କରିବାକୁ ବି ପଛାଉ ନଥିଲେ। ଆଦିବାସୀଙ୍କ ଉପରେ ଏଭଳି ଶୋଷଣ ଓ ଦମନ ଚାଲିଥିବା ବେଳେ ସେହି ଅଞ୍ଚଳ ଦେଇ ବ୍ରିଟିଶମାନେ ପ୍ରଥମ ଥର ପାଇଁ ରେଳ ଲାଇନ୍ ବିଛାଇବା କାମ ଆରମ୍ଭ କରିଥିଲେ। ଏଥିରେ ଆଦିବାସୀମାନଙ୍କ ବହୁ ଉର୍ବର ଚାଷଜମି ସବୁ ଚାଲିଗଲା, ଯାହାକି ସେମାନଙ୍କ ଭିତରେ ଭୟଙ୍କର ଅସନ୍ତୋଷ ସୃଷ୍ଟିକଲା। ଏସବୁ ଘଟଣା ସେ ଅଞ୍ଚଳର ଭାଗନାଡ଼ିହି ଗ୍ରାମର ଆଦିବାସୀ ଚାଷୀ ନାରାୟଣ ମାଝୀଙ୍କ ଦୁଇ ପୁଅ ସିଧୁ ଓ କାନୁଙ୍କ ମନରେ ଭୟଙ୍କର ପ୍ରତିକ୍ରୀୟା ସୃଷ୍ଟି କରିଥିଲା। ସେମାନେ ନିଜର ଲୋକମାନଙ୍କ ଉପରେ ବଢ଼ି ଚାଲିଥିବା ଶୋଷଣ ଓ ଅତ୍ୟାଚାରର ସମାପ୍ତି ପାଇଁ ଆଗେଇ ଆସିଲେ। ଲୋକଙ୍କୁ ସଚେତନ କରିବା ସହ ଲଢ଼େଇ ପାଇଁ ଡାକରା ଦେଇଥିଲେ। ସାନ୍ତାଳ ପ୍ରଗଣା ଅଞ୍ଚଳରେ ବଡ଼ ବଡ଼ ସଭାର ଆୟୋଜନ କଲେ। ସେମାନଙ୍କ ଏହି ଅଭିଯାନରେ ଆଦିବାସୀଙ୍କ ସହ ସ୍ଥାନୀୟ ଅଣ ଆଦିବାସୀ ସମ୍ପ୍ରଦାୟର ଗରିବ ଲୋକମାନେ ବି ବହୁସଂଖ୍ୟାରେ ଯୋଗଦେଲେ। ସମସ୍ତେ ସର୍ବସମ୍ମତ ଭାବେ କାନୁଙ୍କୁ ହିଁ ନିଜର ନେତା ଓ ସାଧୁଙ୍କୁ ଉପନେତା ରୂପେ ବାଛିଲେ।

ଆନ୍ଦୋଳନକାରୀଙ୍କର ଏକ ଧାରଣା ଥିଲା ଯେ ଜମିଦାର ଓ ମହାଜନଙ୍କ ଶୋଷଣ ଏବଂ ଅତ୍ୟାଚାରକୁ ଉପର ପାହ୍ୟାରେ ଥିବା ବ୍ରିଟିଶ ଅଧିକାରୀ ନୁହଁନ୍ତି, କେବଳ ସ୍ଥାନୀୟ ଅଞ୍ଚଳରେ ଥିବା ତଳିଆ ବ୍ରିଟିଶ ଅଧିକାରୀମାନେ ହିଁ ସମର୍ଥନ କରୁଛନ୍ତି। ତେଣୁ କଲିକତାରେ ଥିବା ବ୍ରିଟିଶମାନଙ୍କ ବଡ଼ ଅଧିକାରୀ ବା ବଡ଼ଲାଟଙ୍କ ପାଖକୁ ଯାଇ ଗୁହାରୀ କଲେ, ହୁଏତ ସେମାନଙ୍କର ଦୁଃଖ ଦୂର ହୋଇଯିବ। ଏହି ଭ୍ରମ ନେଇ ହିଁ ସେମାନେ ବଡ଼ଲାଟଙ୍କୁ ଭେଟି ନିଜର ଦାବି ଜଣାଇବାକୁ କଲିକତାକୁ ପଦଯାତ୍ରାରେ ଯିବାକୁ ସ୍ଥିର କରିଥିଲେ।

ଏହି କ୍ରମରେ ୩୦ ଜୁନ୍ ୧୮୫୫ ଦିନ ଭାଗନାଡ଼ିହିଠାରେ ଆଦିବାସୀମାନଙ୍କର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇ ପଦଯାତ୍ରା ଅରମ୍ଭ ହୋଇଥିଲା। କିନ୍ତୁ ସେମାନଙ୍କର ଏହି ଭ୍ରମ ବେଶି ସମୟ ରହିଲା ନାହିଁ। ବ୍ରିଟିଶ ଅଧିକାରୀମାନେ ସିଧୁ-କାନୁଙ୍କ ନେତୃତ୍ୱରେ ଆଦିବାସୀଙ୍କ ଏହି ପଦଯାତ୍ରାକୁ ଅଟକାଇବାକୁ ଅଧିକ ପୋଲିସ ଆଣି ମୁତୟନ କରିବା ସହ ଆନ୍ଦୋଳନର ମୁଖ୍ୟ ନେତାମାନଙ୍କୁ ଗିରଫ କରିବା ଆରମ୍ଭ କରିଥିଲେ। ଏଥର ସିଧୁ-କାନୁଙ୍କ ସମେତ ଆନ୍ଦୋଳନକାରୀମାନେ ସ୍ପଷ୍ଟ ରୂପେ ବୁଝିଗଲେ ଯେ ସେମାନେ ଶାନ୍ତିପୂର୍ଣ୍ଣ ଭାବେ ପଦଯାତ୍ରାରେ କଲିକତା ଯାଇ ନିଜର ଦାବୀ ଜଣାଇବାକୁ ବ୍ରିଟିଶ ବଡ଼ଲାଟ୍ ବୋଧହୁଏ ଚାହୁଁନାହାନ୍ତି। ଅତଏବ ଆଉ ହାରି ଗୁହାରୀ ଜରିଆରେ ନୁହେଁ, ବରଂ ବିଦ୍ରୋହ ହିଁ ଏକମାତ୍ର ରାସ୍ତା ବୋଲି ସେମାନେ ବୁଝିଯିବା ସହ ବ୍ରିଟିଶମାନଙ୍କ ଆକ୍ରମଣକୁ ମୁଣ୍ଡପାତି ନସହି ସଶସ୍ତ୍ର ପ୍ରତିରୋଧ କରିବାକୁ ସ୍ଥିର କଲେ। ୩୦ ଜୁନ୍ ଦିନ ଆରମ୍ଭ ହୋଇଥିବା ଆଦିବାସୀଙ୍କ ଏହି ଆନ୍ଦୋଳନ ଶେଷରେ ସଶସ୍ତ୍ର ବିଦ୍ରୋହ ବା ହୁଲରେ ପରିଣତ ହୋଇଥିଲା। ବ୍ରିଟିଶ ବିରୋଧରେ ଦୀର୍ଘ ଆଠ ମାସ ଧରି ଚାଲିଥିବା ଏହି ହୁଲରେ ଉଭୟ ପଟରୁ ଶହ ଶହ ଲୋକ ପ୍ରାଣ ହରାଇଥିଲେ। କିନ୍ତୁ ଶେଷରେ ବ୍ରିଟିଶମାନେ ଏହି ବିଦ୍ରୋହକୁ ଦମନ କରିବାରେ ସଫଳ ହୋଇଗଲେ। ସେମାନେ ବିଦ୍ରୋହର ମହିଳା ନେତ୍ରୀ ତଥା ସିଧୁ-କାନୁଙ୍କ ଭଉଣୀ ଫୁଲ ମୁର୍ମୁଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ବଳତ୍କାର ଓ ହତ୍ୟା କରି ତାଙ୍କ କ୍ଷତାକ୍ତ ମର ଶରୀରକୁ ରେଳ ଲାଇନ୍ କଡ଼ରେ ଫିଙ୍ଗି ଦେଇଥିଲେ। ୧୮୫୬ ଫେବୃଆରୀ ପ୍ରଥମ ସପ୍ତାହରେ ଆନ୍ଦୋଳନର ପ୍ରମୁଖ ନେତା ସିଧୁ ବ୍ରିଟିଶମାନଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ଏହାର ପ୍ରାୟ ସପ୍ତାହକ ପରେ ସେମାନେ ଅନ୍ୟତମ ନେତା କାନୁଙ୍କୁ ଜୀବନ୍ତ ଧରି ଗିରଫ କରିବା ସହ ଶେଷରେ ଫାଶୀ ଦେଇଥିଲେ।

ସାମନ୍ତବାଦୀ ଜମିଦାର-ମହାଜନ ଓ ଔପନିବେଶବାଦୀ ବ୍ରିଟିଶ ଶାସକମାନଙ୍କ ବିରୁଦ୍ଧରେ ସାନ୍ତାଳ ଆଦିବାସୀଙ୍କ ଏହି ଐତିହାସିକ ବିଦ୍ରୋହ ବା ହୁଲ୍ ଯଦିଓ ଶେଷରେ ପରାଜିତ ହୋଇଥିଲା, କିନ୍ତୁ ତା’ର ପ୍ରାସଙ୍ଗିକତା ଆଜି ବି ରହିଛି। ଦେଶର ସ୍ୱାଧୀନତା ଆନ୍ଦୋଳନରେ ଏବଂ ପରବର୍ତ୍ତି ସମୟରେ ଐତିହାସିକ ତେଭାଗା ଆନ୍ଦୋଳନରେ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। 'ସାନ୍ତାଳ ହୁଲ'ର ୧୬୬ ବର୍ଷ ଏବଂ ଦେଶରୁ ବ୍ରିଟିଶ ଯିବାର ୭୫ ବର୍ଷ ପରେ ମଧ୍ୟ ଆଜି ବି ଦେଶର ଜନସଂଖ୍ୟାର ୯% ବୁଝାଉଥିବା ଆଦିବାସୀମାନଙ୍କ ସାମାଜିକ, ଅର୍ଥନୈତିକ ସ୍ଥିତିରେ ବିଶେଷ କରି ପରିବର୍ତ୍ତନ ହୋଇପାରିନି। ୧୯୪୭ ପରଠାରୁ କ୍ଷମତାରେ ରହି ଆସିଥିବା ଭାରତର ଶାସକ ଶ୍ରେଣୀ ଆଦିବାସୀମାନଙ୍କୁ ଜଙ୍ଗଲ ଜମି ଉପରେ ସେମାନଙ୍କ ନ୍ୟାଯ୍ୟ ଅଧିକାର ଦେବା ପରିବର୍ତ୍ତେ କେବଳ ପ୍ରତାରଣା କରି ଆସିଛନ୍ତି। ବରଂ ବିକାଶ ନାଁରେ ଗତ ୭୫ ବର୍ଷରେ ସେମାନଙ୍କର ଲକ୍ଷ ଲକ୍ଷ ଏକର ଜମି ବଳପୂର୍ବକ ଛଡ଼େଇ ନେବା ବେଳେ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଭିଟାମାଟିରୁ ବିତାଡ଼ିତ କରାଯଇଛି। ବିଶେଷ କରି ଆଦିବାସୀଙ୍କ ଅଧିକାର ଉପରେ କର୍ପୋରେଟମାନଙ୍କ ଆକ୍ରମଣ ବଢ଼ିଛି। ଦେଶର ଆଦିବାସୀ ଓ ପାରମ୍ପରିକ ବନଜୀବୀଙ୍କ ଲଢ଼େଇ ଫଳରେ ମିଳିଥିବା ଜଙ୍ଗଲ ଅଧିକାର ଆଇନ - ୨୦୦୬କୁ ଦୁର୍ବଳ ଓ ଶକ୍ତିହୀନ କରିବାକୁ ଷଡ଼ଯନ୍ତ୍ର ଚାଲିଛି। ଏହିକ୍ରମରେ ସରକାର ଦେଶର ଜଙ୍ଗଲ ସମ୍ପଦକୁ ଦେଶୀ ବିଦେଶୀ କର୍ପୋରେଟଙ୍କ ହାତରେ ଟେକିଦେବାକୁ ଗତବର୍ଷ ଜଙ୍ଗଲ ସଂରକ୍ଷଣ ନିୟମାବଳି -୨୦୨୨ ଆଣିଥିବା ବେଳେ ବର୍ତ୍ତମାନ କର୍ପୋରେଟ କମ୍ପାନୀଙ୍କ ସୁବିଧା ପାଇଁ ଜଙ୍ଗଲ ସଂରକ୍ଷଣ ଆଇନ - ୧୯୮୪ରେ ସଂଶୋଧନ କରି ଜଙ୍ଗଲ ସଂରକ୍ଷଣ ଆଇନ - ୨୦୨୩ ଆଣିଛନ୍ତି। ଏହି ବିଲ୍ କାର୍ଯ୍ୟକାରୀ ହେଲେ ଦେଶର ଜଙ୍ଗଲ ଅଞ୍ଚଳରେ ବଡ଼ କମ୍ପାନୀଙ୍କ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରିବା ପୂର୍ବରୁ ଆଉ ଜଙ୍ଗଲ ଅନୁମତି ଦରକାର ପଡ଼ିବନି। ଏହା ସହିତ ନୂଆ ଆଇନରେ ଦେଶର ବଡ଼ ବଡ଼ ଘରୋଇ ମାଲିକଙ୍କୁ ଅଭୟାରଣ୍ୟ, ଚିଡ଼ିଆଖାନା ଓ ବଣ୍ୟପ୍ରାଣୀ ସଫାରି କରିବାକୁ ଅନୁମତି ମିଳିପାରିବ। ଏହାଦ୍ୱାରା ଦେଶର ହଜାର ହଜାର ଏକର ମୂଲ୍ୟବାନ ଜଙ୍ଗଲ ଘରୋଇ କମ୍ପାନୀଙ୍କ ମାଲିକାନାକୁ ଚାଲିଯିବା ସହିତ ସେଥିରେ ବସବାସ କରୁଥିବା ଆଦିବାସୀ ଓ ବନଜୀବୀ ଲୋକ ନିଜର ଭିଟାମାଟି ହରାଇବେ।

ଲୋକଙ୍କୁ ଭାଗ ଭାଗ କରିବାକୁ ଅତୀତରେ ରାଜ୍ୟମାନଙ୍କର ସୀମା ନିର୍ଦ୍ଧାରଣ ବେଳେ ଅତ୍ୟନ୍ତ ସୁନିୟୋଜିତ ଭାବେ ଆଦିବାସୀମାନଙ୍କୁ ବିଭିନ୍ନ ରାଜ୍ୟରେ ଭାଗ ଭାଗ କରି ରଖାଯିବା ସହ ଓଡ଼ିଆ, ତେଲେଗୁ, ହିନ୍ଦୀ, ମରାଠୀ ପରି ବଡ଼ ବଡ ଭାଷାଗୋଷ୍ଠୀଙ୍କ ମଧ୍ୟରେ ମିଶାଇ ଦେବାକୁ ଚେଷ୍ଟା କରାଯାଇଛି। ସେମାନଙ୍କର ଭାଷା, ଲିପି ଓ ସଂସ୍କୃତି ପ୍ରତି ଲଗାତାର ସରକାରୀ ଅବହେଳା କାରଣରୁ ଆଜି ଅଧିକାଂଶ ଆଦିବାସୀ ଭାଷାର ଲିପି ବିକାଶ ଲାଭ କରିପାରିନି। ଅନେକ ଆଦିବାସୀ ଭାଷା ଲୋପ ପାଇବାକୁ ବସିଥିବା ବେଳେ ଅନେକ ଲୋପ ପାଇସାରିଛି। ଆଦିବାସୀମାନେ ପୂର୍ବରୁ କୌଣସି ବଡ଼ ସଙ୍ଗଠିତ ଧର୍ମର ଅନୁଗାମୀ ନଥିଲେ। ସେମାନଙ୍କ ଧର୍ମ ବିଶ୍ଵାସ ମୂଳତଃ ପ୍ରକୃତି ଉପରେ ଆଧାରିତ। ସେମାନଙ୍କ ପ୍ରକୃତି ଆଧାରିତ ଧର୍ମର ଦୁର୍ବଳ ସ୍ଥିତିର ସୁଯୋଗ ନେଇ ଅତୀତରେ ଖ୍ରୀଷ୍ଟିୟାନ୍ ମିସନାରୀମାନେ ସେମାନଙ୍କ ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିବା ବେଳେ ବର୍ତ୍ତମାନ କେତେକ ସଂଗଠନ ପକ୍ଷରୁ ସେମାନଙ୍କର ହିନ୍ଦୁତ୍ୱକରଣ ଅଭିଯାନ ଜୋରଦାର ଚାଲିଛି। ଆଦିବାସୀଙ୍କୁ ହିନ୍ଦୁ-ଖ୍ରୀଷ୍ଟିୟାନ ନାଁରେ ଭାଗ ଭାଗ କରିବାର ଫଳସ୍ଵରୂପ ସାମ୍ପ୍ରଦାୟିକ ବିଦ୍ଵେଷ ବଢ଼ିବାରେ ଲାଗିଛି। ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ଆଦିବାସୀମାନଙ୍କ ସଂରକ୍ଷଣ ସୁବିଧା ଛଡେଇ ନେବାକୁ ଅଭିଯାନ ଚାଲିଛି। ସେମାନଙ୍କର ଆଦିବାସୀ ବିରୋଧି ରାଜନୀତିର ଜ୍ୱଳନ୍ତ ନମୂନା ଏବେ ମଣିପୁରରେ ଦେଖିବାକୁ ମିଳୁଛି।

ଏହି ପରିପ୍ରେକ୍ଷୀରେ ଐତିହାସିକ ହୁଲ୍ ଦିବସର ୧୬୭ତମ ବାର୍ଷିକୀ ଅବସରରେ ଆଦିବାସୀମାନେ ସିଧୁ-କାନୁଙ୍କ ବଳିଦାନକୁ ମନେ ପକାଇବା ସହ ସେମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିଜର ଜମି, ଜଙ୍ଗଲ, ଭିଟାମାଟି ତଥା ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ଆଗେଇ ଆସିବା ଜରୁରୀ ବୋଧ ହେଉଛି।

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଫୋନ୍- ୯୪୩୭୧୬୬୩୯୧

Related story