ବିକାଶ ଓ ବିପର୍ଯ୍ୟୟ- କେତେ ଦୂର, କେତେ ନିକଟ?

ପ୍ରକୃତି ଯେ ଦିନେ ଡାକି ଆଣିବ ବିପର୍ଯ୍ୟୟକୁ ଏ କଥା ବିଶ୍ଵାସ କରିହେଉନାହିଁ। ଯେଉଁ ପ୍ରକୃତି ଏତେ ସୁନ୍ଦର ନଦୀ, ଜଙ୍ଗଲ, ପାହାଡ଼ ଓ ବିଭିନ୍ନ ଜୀବଜନ୍ତୁ ସୃଷ୍ଟି କରିଛି ସେ ପୁଣି ସେସମସ୍ତଙ୍କ ଧ୍ଵଂସ ରଚୁଛି କେମିତି? ଏହା ହେଉନାହିଁ ତ ଯେ ଧ୍ଵଂସର କାରଣ ହେଉଛି ମଣିଷ, କିନ୍ତୁ ଏଥିଲାଗି ଦାୟୀ କରୁଛି ପ୍ରକୃତିକୁ, ଯେଉଁଥି ଲାଗି ପ୍ରକୃତି ଅଧିକ ପ୍ରତିକ୍ରିୟାଶୀଳ ହୋଇଯାଉଛି?

Gadaba Tribe Of Odisha

  • Published: Friday, 10 January 2025
  • , Updated: 10 January 2025, 02:40 PM IST

ଦେବ ରଞ୍ଜନ

ଶିଳ୍ପ ବିକାଶ ଓ ପ୍ରାକୃତିକ ବିପର୍ଯ୍ୟୟ ଆଜି ଏକାଠି ହୋଇଯାଇଛନ୍ତି। ଶିଳ୍ପ ବିକାଶ ମଣିଷ ସଭ୍ୟତାକୁ ଆଧୁନିକ ଯନ୍ତ୍ରପାତି, ରୋବୋଟ୍‌ ଇତ୍ୟାଦି ସହିତ ପରିଚୟ କରାଉଛି। ଅଧିକ ଆୟର ରାସ୍ତା ଦେଖାଉଛି। ଏହି ସଭ୍ୟତା ଆମୋଦ ପ୍ରମୋଦ ବା ଏଣ୍ଟରଟେନମେଣ୍ଟକୁ ଶିଳ୍ପ ସହିତ ଯୋଡ଼ି ଦେଇଛି ଓ କହୁଛି ଯେ ଯେତେ ଅଧିକ ବ୍ୟୟ କରିବାର ସାମର୍ଥ୍ୟ ରଖିବ ତାହାର ଜୀବନ ସେତେ ଆନନ୍ଦମୟ ହେବ। ମଣିଷ ତାହା ଚାରିପାଖରେ କଟି ଚାଲିଥିବା ଜଙ୍ଗଲ ଓ ବଢ଼ି ଚାଲିଥିବା ପ୍ରଦୂଷଣ ପ୍ରତି ଆଖି ଥାଇ ଅନ୍ଧ ପାଲଟିଯାଉଛି। ଏହି ବିକାଶ ଯେ ସୃଷ୍ଟି କରୁଛି ବିପର୍ଯ୍ୟୟ ତାହାକୁ ମଣିଷ ସ୍ଵୀକାର କରିବା ଲାଗି ଆଗ୍ରହୀ ନୁହେଁ।

ଅଦିନିଆ ବର୍ଷା, ଭୂସ୍ଖଳନ, ତାପମାନରେ ବୃଦ୍ଧି, ପାଣିପାଗରେ ଅଚାନକ ପରିବର୍ତ୍ତନ ସାଙ୍ଗକୁ ବାତ୍ୟାର ବାରମ୍ବାରତାର ସାମଗ୍ରିକ ନାମକରଣ କରାଯାଉଛି ପ୍ରାକୃତିକ ବିପର୍ଯ୍ୟୟ। ପ୍ରକୃତି ଯେ ଦିନେ ଡାକି ଆଣିବ ବିପର୍ଯ୍ୟୟକୁ ଏ କଥା ବିଶ୍ଵାସ କରିହେଉନାହିଁ। ଯେଉଁ ପ୍ରକୃତି ଏତେ ସୁନ୍ଦର ନଦୀ, ଜଙ୍ଗଲ, ପାହାଡ଼ ଓ ବିଭିନ୍ନ ଜୀବଜନ୍ତୁ ସୃଷ୍ଟି କରିଛି ସେ ପୁଣି ସେସମସ୍ତଙ୍କ ଧ୍ଵଂସ ରଚୁଛି କେମିତି? ଏହା ହେଉନାହିଁ ତ ଯେ ଧ୍ଵଂସର କାରଣ ହେଉଛି ମଣିଷ, କିନ୍ତୁ ଏଥିଲାଗି ଦାୟୀ କରୁଛି ପ୍ରକୃତିକୁ, ଯେଉଁଥି ଲାଗି ପ୍ରକୃତି ଅଧିକ ପ୍ରତିକ୍ରିୟାଶୀଳ ହୋଇଯାଉଛି?

ଓଡ଼ିଶାର କଥାକୁ ନେଲେ ଗଲା କୋଡ଼ିଏ ବର୍ଷ ମଧ୍ୟରେ ସାତ ଥର ବଡ଼ ଧରଣର ବାତ୍ୟା ଓ ଉପକୂଳରେ ଦଶ ଥର ବନ୍ୟା ହୋଇସାରିଲାଣି। ଗ୍ରୀଷ୍ମ ଦିନରେ ଅନେକ ଅଞ୍ଚଳରେ ଚାଳିଶ ଡିଗ୍ରୀ ତାପମାତ୍ରା ସାଧାରଣ ହୋଇଗଲାଣି। ଶୀତ କମ ଦିନ ଅନୁଭୂତ ହେଉଛି ଓ ଖରା ଅଧିକ ଦିନ। ବର୍ଷା ଆସିବାରେ ବିଳମ୍ବ ହେଉଛି ଓ କମ ଦିନ ମଧ୍ୟରେ ବ୍ୟାପକ ବର୍ଷା ହୋଇ ବନ୍ୟାର ବିପଦ ସୃଷ୍ଟି କରୁଛି।

ଏହା ଓଡ଼ିଶା କେବଳ ନୁହେଁ, ଦେଶର ଅନେକ ଭାଗରେ ଏହା ଘଟୁଛି। କେରଳର ୱାୟନାଡ ଜିଲ୍ଲାର ଭୂସ୍ଖଳନ ଓ ତାହା ପୂର୍ବରୁ ଉତ୍ତରାଖଣ୍ଡରେ ଭୁସ୍ଖଳନ, ତାମିଲନାଡୁ ଓ ଗୁଜୁରାଟରେ ବନ୍ୟା, ଅନେକ ବିପର୍ଯ୍ୟୟ ସୃଷ୍ଟି କଲା। ଏହା ଗଲା କିଛି ମାସ ତଳର କଥା। ମଣିଷର ସଭ୍ୟତା ଯେତେ ବିକଶିତ ହେବାର ଦାବି କରୁଛି ସେତେ ଅଧିକ ମାତ୍ରାରେ ପ୍ରକୃତିରେ ବିଭିନ୍ନ ପ୍ରକାରର ବିପର୍ଯ୍ୟୟ ଘଟୁଛି। ଏହା ଦେଶର ଅନେକ ଭାଗରେ ହେଉଛି।

ଶିଳ୍ପ ବିକାଶ ଦ୍ଵାରା ବେକାରୀ ଓ ଦାରିଦ୍ର୍ୟ ଦୂରୀଭୂତ ହେବ ବୋଲି କୁହାଗଲା। ବର୍ତ୍ତମାନର ବିକାଶ ରାସ୍ତାରେ ଏହା ସମ୍ଭବ କି? ଗଲା କିଛି ଦଶନ୍ଧି ଧରି ଚାଲିଆସିଥିବା ଶିଳ୍ପ ଆଜିର ଦାରିଦ୍ର୍ୟ ଓ ବେକାରୀ ଲାଗି ଦାୟୀ ନୁହେଁ ତ?

କୋରାପୁଟ- ଏକ ଉଦାହରଣ

କିଛି ସପ୍ତାହ ତଳର କଥା। ମୁଁ କେରଳର ଥ୍ରୀଶୁର ରେଳ ଷ୍ଟେସନରେ ମୋର ଜଣେ ବନ୍ଧୁଙ୍କୁ ଅପେକ୍ଷା କରି ଠିଆ ହୋଇଥାଏ। ମୋର ବୃତ୍ତଚିତ୍ର କାମରେ ମୁଁ କେରଳ ଯାଇଥାଏ। ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ଯୁବକ ସେ ଦିନ ଥ୍ରୀସୁର ଷ୍ଟେସନରେ ଏର୍ନାକୁଲମରୁ ଟାଟାନଗର ଟ୍ରେନକୁ ଅପେକ୍ଷା କରି ଠିଆ ହୋଇଥିଲେ। ସେମାନେ ସମସ୍ତେ ଟ୍ରେନରେ ବିଜୟନଗରମ ଓ ରାୟଗଡ଼ା ପର୍ଯ୍ୟନ୍ତ ଯିବେ। ସେଠାରୁ ପୁଣି ନିଜ ଗାଁ ଲାଗି ବସ ଧରିବେ। କୋରାପୁଟ ଜିଲ୍ଲାର ସେହି ଯୁବକମାନଙ୍କ ସଂଖ୍ୟା ସେହି ଗୋଟିଏ ଦିନରେ ଅନ୍ୟୁନ୍ୟ ୫୦ ହେବ। ଅଧିକାଂଶଙ୍କ ବୟସ ୧୫ରୁ ୨୫ ବର୍ଷ ହେବ। ସେମାନଙ୍କଠାରୁ ଜାଣିଲି ଯେ ସହରରେ ହୋଟେଲ, ଫାର୍ମ ହାଉସ, ନିର୍ମାଣ, ସିକ୍ୟୁରିଟି ଓ ବିଭିନ୍ନ କାର୍ଗୋ ଡିପୋରେ ଓଡ଼ିଆ ପିଲାମାନେ ଶହ ଶହ ସଂଖ୍ୟାରେ କାମ କରୁଛନ୍ତି। ଦକ୍ଷିଣ ଓଡ଼ିଶାର ଦାରିଦ୍ର୍ୟ ଏହି ଜିଲ୍ଲାର ଯୁବକମାନଙ୍କୁ ଆଜି ଅନ୍ୟ ରାଜ୍ୟକୁ ଆସିବା ଲାଗି ବାଧ୍ୟ କରୁଛି। ଅଥଚ ବିକାଶ ନାମରେ ଦକ୍ଷିଣ ଓଡ଼ିଶାରେ କ’ଣ ବା ନହୋଇଛି?

ପଚାଶ ଦଶକରେ ପ୍ରଥମେ ବାଲିମେଳା ଡ୍ୟାମ ଓ ପାୱାର ପ୍ରୋଜେକ୍ଟ ଆରମ୍ଭ ହୋଇଥିଲା ମାଲକାନଗିରି ଜିଲ୍ଲାରେ। ଏହା ପରେ ପରେ କାଲିମେଳା, ମାଛକୁଣ୍ଡ ଡ୍ୟାମ, କୋଲାବ ଡ୍ୟାମ, ଦାମନଯୋଡ଼ିରେ ନାଲକୋ ଆଲୁମିନା ପ୍ଳାଣ୍ଟ, ସୁନାବେଡ଼ାରେ ଏଚଏଏଲ ମିଗ ବିମାନ କାରଖାନା, ଲାଞ୍ଜିଗଡ଼ରେ ଉତ୍କଳ ଆଲୁମିନା ପ୍ଳାଣ୍ଟ ଓ ବଫଲିମାଳି ବକ୍ସାଇଟ ଖଣି, ଜେକେ ପେପର ମିଲ, ଜୟପୁର ଚିନି ପ୍ଳାଣ୍ଟ, କୋଡିଙ୍ଗା ବକ୍ସାଇଟ ଖଣି ଇତ୍ୟାଦି ଅନେକ ହୋଇଛି। ଏହି ସମସ୍ତ ପ୍ରକଳ୍ପ ମାଲକାନଗିରି, ରାୟଗଡା ଓ କୋରାପୁଟ ଜିଲ୍ଲାରେ ଅବସ୍ଥିତ।

ବିକାଶ ନାମରେ ଏତେ ସବୁ ପ୍ରକଳ୍ପ ହେବା ସତ୍ତ୍ୱେ ୨୦୧୧ ମସିହାର ଜନଗଣନା ଅନୁସାରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୮୩ ପ୍ରତିଶତ ଲୋକ ବିପିଏଲ ତାଲିକାଭୁକ୍ତ ଥିଲେ। ଏବେ ସରକାର ଆଉ ଜନଗଣନା କରୁନାହାନ୍ତି କି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସୂଚୀ ତିଆରି କରୁନାହାନ୍ତି। ଯଦି ଶିଳ୍ପ ବିକାଶ ଦାରିଦ୍ର୍ୟ ଦୂର କରିପାରୁଥାନ୍ତା ତେବେ ହୁଏତ କେରଳରେ ଦକ୍ଷିଣ ଓଡ଼ିଶାର ଯୁବକଙ୍କ ଗହଳି ଲାଗିନଥାନ୍ତା। ନୁହେଁ କି?

କୋରାପୁଟର ସ୍ଥିତି ପୂର୍ବରେ ଏପରି ନଥିଲା। ଏହି ଆଦିବାସୀ ବହୁଳ ଜିଲ୍ଲା ସମଗ୍ର ଦୁନିଆକୁ ଚାଉଳ ଖାଇବା ଶିଖାଇଛି। ବିଭିନ୍ନ କାର୍ବୋନ ଡେଟିଙ୍ଗ (C14 ) ରିପୋର୍ଟ କୁହେ ଯେ ଗଦବା ଓ ସଉରା ଆଦିବାସୀମାନେ ପ୍ରଥମେ ଧାନ ଚାଷ କରିଥିଲେ। ଜିଲ୍ଲାରେ ଗୋଟିଏ ସମୟରେ (୧୯୫୫ରୁ ୧୯୫୯ ସର୍ଭେ ଅନୁସାରେ) ୧୭୫୦ ପ୍ରକାରର ଚାଷ ଧାନ ଓ ୧୫୦ ପ୍ରକାରର ଜଙ୍ଗଲି ଧାନ ମିଳୁଥିଲା।

କୃଷି ଯଦି ଲାଭପ୍ରଦ ହେଉନଥାନ୍ତା ତେବେ କୋରାପୁଟର ମଣିଷମାନେ ଏତେ ସଂଖ୍ୟାରେ ବିହନ ପ୍ରତିବର୍ଷ ସଂରକ୍ଷଣ କରି ରଖୁନଥାନ୍ତେ। କାରଣ ବିହନ ଗୋଟିଏ ବର୍ଷ ଚାଷ ନହେଲେ ପରବର୍ଷକୁ ସେହି ବିହନ ଉତ୍ପାଦନକ୍ଷମ ହେବ ନାହିଁ। ଅଥଚ ଆଜି ମାତ୍ର ୧୦୦ରୁ କମ ପ୍ରକାରର ଧାନ ଏଠାରେ ଉପଲବ୍ଧ ହେଉଛି ଓ ଏହାର ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ କମିବାରେ ଲାଗିଛି। ଶିଳ୍ପ ବିକାଶର ପ୍ରଭାବରେ କୃଷି ଉପରେ ନିର୍ଭରଶୀଳ ଚାଷୀ ଘରର ପିଲାମାନେ ଆଜି ଠିକା ଓ ପ୍ରବାସୀ ଶ୍ରମିକ ଭାବରେ ବାହାର ରାଜ୍ୟକୁ ଯାଉଛନ୍ତି।

୧୯୮୯ର ଜଙ୍ଗଲ ବିଭାଗ ରିପୋର୍ଟ ଅନୁସାରେ କୋରାପୁଟ ଜିଲ୍ଲାରେ ଏକଦା ରୟାଲ ବେଙ୍ଗଲ ଟାଇଗର, ଚିତାବାଘ, ଗୟଳ, ସମ୍ବର, ନୀଳଗିରି, ବାରହା, ଜଙ୍ଗଲୀ ମଇଁଷି, ହରିଣ ଇତ୍ୟାଦି ଥିଲେ। ଚିତାବାଘ ଅଧିକ ସଂଖ୍ୟାରେ ଏହି ଜିଲ୍ଲାରେ ପୂର୍ବରୁ ରହିଥିଲେ। ବାଘ ବାଲିମେଲା ଅଞ୍ଚଳରେ ଥିବା ଲୋକେ କୁହନ୍ତି। କିନ୍ତୁ ୨୦୧୧ ମସିହାର ରିପୋର୍ଟ ଅନୁସାରେ ଏଥିରୁ ଅନେକ ଜୀବଜନ୍ତୁ ପ୍ରାୟ ଲୋପ ପାଇସାରିଲେଣି।

ଯଦି ଆମେ ସମୁଦାୟ ଜଙ୍ଗଲର ହିସାବ ନେବା ତେବେ ୧୯୭୫ରୁ ୨୦୧୦ ମଧ୍ୟରେ କୋରାପୁଟରେ ୩୪.୭ ପ୍ରତିଶତ, ନବରଙ୍ଗପୁରରେ ୫୪.୭ ପ୍ରତିଶତ, ମାଲକାନଗିରିରେ ୩୨.୬ ପ୍ରତିଶତ ଓ ରାୟଗଡ଼ା ଜିଲ୍ଲାର ୧୮ ପ୍ରତିଶତ ଜଙ୍ଗଲ ଧ୍ଵଂସ ହୋଇସାରିଛି। ଏହି କାରଣରୁ ବାର୍ଷିକ ହାରାହାରୀ ବର୍ଷାର ଅନୁପାତ ଯେଉଁଠି ୧୫୦୦ ମିଲିମିଟର ଥିଲା ତାହା କେଉଁ କେଉଁ ବର୍ଷ ୧୩୦୦ ମିଲିମିଟରକୁ ଖସିଆସୁଛି।

କୋରାପୁଟ ଜିଲ୍ଲାରେ ଦିନେ ବର୍ଷା ପ୍ରାୟ ବର୍ଷକର ଅଧା ସମୟ ହେଉଥିଲା। ଏବେ ସେହି ଜିଲ୍ଲାରେ ସ୍ଥାନେ ସ୍ଥାନେ ମରୁଡ଼ି ପଡ଼ିବା କାରଣରୁ ଆଦିବାସୀମାନେ କାମ ଖୋଜିବାକୁ ବାହାର ଜିଲ୍ଲା ଓ ରାଜ୍ୟକୁ ଯିବାରେ ଲାଗିଛନ୍ତି। କେବଳ ଯେ ଜିଲ୍ଲାର ବିକାଶ ପ୍ରକଳ୍ପ ହେତୁ ପାଣିପାଗରେ ପରିବର୍ତ୍ତନ ଘଟୁଛି ତାହା ନୁହେଁ, ଏଥିଲାଗି ସମଗ୍ର ଦେଶ ଓ ବିଶ୍ଵର ପାଣିପାଗ ପରିବର୍ତ୍ତନ ମଧ୍ୟ ଦାୟୀ। ପରିବେଶ ଅନୁକୂଳ ନହେବା କାରଣରୁ ଲୋକେ ପାରମ୍ପାରିକ ବିହନ ବୁଣିବା ବନ୍ଦ କରିଦେଲେଣି।

ସମଗ୍ର ରାଜ୍ୟ ଓ ଦେଶର ସ୍ଥିତି

ଓଡ଼ିଶା ଖଣି ଅର୍ଥନୀତି ଉପରେ ନିର୍ଭରଶୀଳ ବୋଲି ସରକାରୀ ହିସାବ ଦିଆଯାଉଛି। ଖଣି ହେଉଛି ପ୍ରକୃତିଦତ୍ତ ଉପହାର। ଯଦି ନିର୍ବାଚିତ ସରକାର ସେହି ଖଣି ଉପରେ ନିର୍ଭରଶୀଳ, ତେବେ ଗଲା ସତୁରୀ ବର୍ଷ ମଧ୍ୟରେ ନିଜର ଉଦ୍ୟମରେ ସେମାନେ କ’ଣ କରିଛନ୍ତି? ହଁ, ଏହା କରିଛନ୍ତି ଯେ ଖଣି ଖୋଳା ଯାଉଥିବା ପାହାଡ଼ ଗୁଡ଼ିକ ଭୂମି ଉପରେ ଏପରି ଠିଆ ହୋଇଛନ୍ତି ଠିକ ଯେମିତି ଏକ ବିରାଟ ଜୀବର ମସ୍ତିଷ୍କକୁ କାଟି ଦିଆଯାଇଛି ଓ ଶାଗୁଣା ବିଲୁଆ ତାହାର ସମଗ୍ର ଶରୀରକୁ ଝୁଣି ଖାଇ ଚାଲିଛନ୍ତି।

କେବେ ହୁଏତ ଓଡ଼ିଆ କବି ନଦୀର ସୁନ୍ଦରତାକୁ ନେଇ କବିତା ଲେଖୁଥିଲେ। ଏବେ କିନ୍ତୁ ନଦୀ କେବଳ କାରଖାନା, ପ୍ଳାଣ୍ଟ ଓ ସହରର ଆବର୍ଜନା ବୋହିବାର ନଳା ପାଲଟି ଯାଇଛନ୍ତି। ନଦୀରେ ମୃତ ମାଛ ଭାସୁଛନ୍ତି। ନଦୀକୂଳ ଲୋକେ ନଦୀରେ ଗାଧୋଇବାକୁ ଡରୁଛନ୍ତି। ଜଙ୍ଗଲର ଭୂମି ଉପରେ ଗଣ୍ଡିରୁ କାଟି ଦିଆଯାଇଥିବା ଗଛ ଅଣ୍ଟା ଉପରୁ କଟିଯାଇଥିବା ମଣିଷର ଶରୀର ଭଳି ନିଶ୍ଚଳ ହୋଇ ଯେମିତି ପଡିରହିଛି।

ଆମେ ଏଭଳି ଏକ ସମୟରେ ବାସ କରୁଛେ ଯେଉଁଠି ପାହାଡ଼, ନଦୀ, ଜଙ୍ଗଲ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ହରାଇ ସାରିଛନ୍ତି। ସମୁଦ୍ର ପଟରୁ ଆସୁଥିବା ବାତ୍ୟା ଆମକୁ ପ୍ରତି ବର୍ଷ ଭୟଭୀତ ଓ କ୍ଷତିଗ୍ରସ୍ତ କରୁଛି। ହଠାତ ନଦୀ ଫୁଲି ବନ୍ୟା ହେଲେ ସମଗ୍ର ଅଞ୍ଚଳ ଜଳମୟ ହୋଇଯାଉଛି। ପାଣି ଶୀଘ୍ର ସମୁଦ୍ରକୁ ଯାଉନାହିଁ। ମଣିଷର ଶିକାରରୁ ସତରେ ଏ ପୃଥିବୀ ବଞ୍ଚିବ ତ?

ବିକାଶ ପଦ୍ଧତିରେ ଉତ୍ପାଦନ ବା ପ୍ରଡକ୍ସନକୁ ସଂପୂର୍ଣ୍ଣ ଗୁରୁତ୍ଵ ଦିଆଯାଇଛି। ଉତ୍ପାଦନ କେତେ ପରିମାଣରେ ହେବ, କିଏ କରିବ, ପ୍ରାକୃତିକ ସମ୍ପଦର ବ୍ୟବହାର କେତେ ହେବ ଓ କେତେ ଆଗାମୀ ପିଢ଼ି ଲାଗି ସୁରକ୍ଷିତ ରହିବ, ଏପରିକି ଆୟର ସମବଣ୍ଟନ କେଉଁଭଳି ହେବ ସେ ଦିଗରେ କୌଣସି ଅନୁଧ୍ୟାନ କରାଗଲା ନାହିଁ। ଏପରିକି ମଣିଷ ସମାଜର ସୁଖ, ଶାନ୍ତି ଓ ସ୍ଵାଧୀନ ଜୀବନ ଯାପନକୁ ଗୁରୁତ୍ଵ ଦେଇ ଯେ କେଉଁଭଳି ବିକାଶ ପଦ୍ଧତି ହେବ ସେ ଦିଗରେ କୌଣସି ଗୁରୁତ୍ଵ ଦିଆଗଲାନାହିଁ। ଦେଶର ବିଭିନ୍ନ ଭାଗରେ ବିସ୍ଥାପନ ବିରୋଧୀ ଆନ୍ଦୋଳନ ମାଧ୍ୟମରେ ଆଦିବାସୀ ଓ ଚାଷୀ ସମୁଦାୟ ସରକାରଙ୍କୁ ବିକାଶର ରାସ୍ତା ବଦଳାଇବା ଲାଗି ଦାବି କରୁଛନ୍ତି। ତାହାକୁ ମଧ୍ୟ ସରକାର ଦମନର କୌଶଳ ପ୍ରୟୋଗ କରି ଚାପି ଦେଉଛନ୍ତି।

ସ୍ଵାଧୀନ ଓ ଆତ୍ମନିର୍ଭରଶୀଳ ବିକାଶ ପଦ୍ଧତିର ଆବଶ୍ୟକତା ରହିଛି। ଏ ଦିଗରେ ଅଧିକ ବିତର୍କ, ଆଲୋଚନା ଆବଶ୍ୟକ। କିନ୍ତୁ ଏହା ସତ ଯେ ପୁଞ୍ଜିର ବିକାଶ ଲାଗି ଆଜି ଯେଉଁ ଗତିରେ ଖଣି ଖାଦାନ ଓ ପ୍ଳାଣ୍ଟ ପ୍ରତିଷ୍ଠା ହେଉଛି ସେହି ଗତିରେ ବିରାମ ଆସିବା ଆବଶ୍ୟକ।

ମୋବାଇଲ- ୯୪୩୭୭୬୨୨୭୨

Related story