ରବି ଦାସ
ଆମେରିକାର ବ୍ୟବସାୟୀ ଏଲନ ମସ୍କ ସାରା ବିଶ୍ୱକୁ ସାଟେଲାଇଟ୍ ଜରିଆରେ ସଂଯୋଗ କରି ଇଂଟରନେଟ୍ ସ୍ପିଡ୍ ବହୁ ଗୁଣ କରିବା ସହିତ ସବୁ ଅଂଚଳରେ ଏହି ସୁବିଧା ପ୍ରଦାନ ଉଦ୍ଦେଶ୍ୟରେ ବଡ଼ ଧରଣର ଲାଭକୁ ଦୃଷ୍ଟିରେ ରଖି ଷ୍ଟାର୍ଲିଙ୍କ ଆରମ୍ଭ କରିଛନ୍ତି। ବାସ୍ତବିକ ଏହି ଷ୍ଟାର୍ଲିଙ୍କ ଜରିଆରେ ସବୁ ପ୍ରାନ୍ତରେ ଓ ସବୁ ଅଂଚଳରେ ସାଟେଲାଇଟ୍ ଯୋଗେ ଇଂଟର୍ନେଟ୍ ସୁବିଧା ଉପଲବ୍ଧ ହେବ। ଷ୍ଟର୍ଲିଙ୍କର ମାଲିକ ଏଲନ୍ ମସ୍କ ବିଶ୍ୱରେ ସବୁଠାରୁ ଧନୀ ବ୍ୟକ୍ତି ଭାବରେ ପରିଚିତ। ସେ ଏବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କର ମୁଖ୍ୟ ପରାମର୍ଶଦାତା ଭାବରେ ଆବିର୍ଭାବ ହୋଇଛନ୍ତି।
ଭାରତର ଯେପରି ବଡ଼ କର୍ପୋରେଟ୍ ଭିତରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ବା ମୁକେଶ ଅମ୍ବାନୀଙ୍କୁ ଓ ଦ୍ୱିତୀୟ ଶକ୍ତିଶାଳୀ ଭାବେ ଗୌତମ ଆଦାନୀଙ୍କୁ ବିଚାର କରାଯାଏ, ଠିକ୍ ସେହିପରି ବିଶ୍ୱ ଅର୍ଥନୀତିରେ ବା ଆମେରିକାରେ ଏଲନ୍ ମସ୍କଙ୍କୁ ସେହିଭଳି ଭାବରେ ଦେଖାଯାଏ। ସୋସିଆଲ୍ ମିଡ଼ିଆ ପ୍ଲାଟ୍ଫର୍ମ ଟ୍ୱିଟର୍କୁ ଖରିଦ କରି ମସ୍କ ତାହାକୁ ଏକ୍ସ ନାମ ଦେଇଛନ୍ତି। ସାରା ବିଶ୍ୱରେ ଇଲେକ୍ଟ୍ରିକ୍ ମୋଟର ଯାନ ନିର୍ମାଣ ଓ ବିତରଣରେ ମସ୍କଙ୍କ ଟେସ୍ଲା ବେଶ୍ ଆଗରେ ରହିଛି।
ଭାରତରେ ଇଂଟରନେଟ୍ କ୍ଷେତ୍ରରେ ବା ଟେଲିଫୋନ୍ କ୍ଷେତ୍ରରେ ମୁକେଶ ଆମ୍ବାନୀଙ୍କ ଜିଓ ଏବେ ସବୁଠାରୁ ଆଗରେ ରହିଛି। ଏହାର ଗ୍ରାହକ ପରିଧି ଓ ଆୟ ବେଶ୍ ଆକର୍ଷଣୀୟ ହୋଇଥିବା ସମୟରେ ଭାରତରେ ଏହାର ଏକମାତ୍ର ପ୍ରତିଦ୍ୱନ୍ଦୀ ଭାବରେ ଏୟାର୍ଟେଲ ରହିଛି। ଜିଓ ସହିତ ମୁକାବିଲା କରିବାରେ ଏୟାରଟେଲ୍ ଅସୁବିଧାର ସମ୍ମୁଖୀନ ହେଉଥିବା ସମୟରେ ଏହା ହଠାତ୍ ଏଲନ୍ ମସ୍କଙ୍କ ଷ୍ଟାର୍ଲିଙ୍କ ସହିତ ବୁଝାମଣା କରି ମିଳିତ ଭାବରେ ଭାରତରେ ସାଟେଲାଇଟ୍ ଇଂଟର୍ନେଟ୍ ସେବା ଯୋଗାଇଦେବା ପାଇଁ ଏକ ରାଜିନାମା କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତ ସରକାରଙ୍କର ସବୁଠାରୁ ନିର୍ଭରଯୋଗ୍ୟ ଓ ବଡ଼ ଧରଣର ଟେଲିଫୋନ କମ୍ପାନୀ ଭାବରେ ବର୍ଷ ବର୍ଷ ଧରି ଦେଶକୁ ସେବା ଦେଇ ଆସିଥିବା ବିଏସ୍ଏନ୍ଏଲ୍ ସରକାରଙ୍କ ନୀତିଗତ ଓ ନିଷ୍ପତିଗତ ତ୍ରୁଟି ଯୋଗୁ ଭାରତୀୟ ଟେଲିଫୋନ୍ ମାର୍କେଟରେ ବହୁ ପରିମାଣରେ ସଂକୁଚିତ ହୋଇଯାଇଛି। ଅନ୍ୟ ଟେଲିଫୋନ୍ କମ୍ପାନୀମାନେ ୫-ଜି ଓ ୬-ଜି ପାଇଁ ଯିବା ସମୟରେ ବହୁ ବର୍ଷ ପରେ ଏବେ ବିଏସ୍ଏନ୍ଏଲ୍ ୪-ଜି ସେବାକୁ ଆସିପାରିଛି। ଇଂଟର୍ନେଟ୍ ସେବାରେ ଯେଉଁ ଗତି ଆବଶ୍ୟକ ସେଥିରେ ବିଏସ୍ଏନ୍ଏଲ୍ ପଛରେ ରହିଯାଇଛି। ବିଶେଷ ଭାବରେ ମୁକେଶ ଆମ୍ବାନୀଙ୍କର ଜିଓ ବଜାରକୁ ଆସିବା ପରେ ଏହା ଦୃତ ଗତିରେ ଦେଶରେ ଗତ ୭ ବର୍ଷ ଭିତରେ ଏପରି ସଂପ୍ରସାରିତ ହୋଇଛି ଯେ, ଭାରତର ଡିଜିଟାଲ୍ ସର୍ଭିସ୍ ପୂରାପୂରି ଭାବରେ ଅନେକ ପରିମାଣରେ ଏହାରି ଉପରେ ନିର୍ଭର କରି ଚାଲିଛି।
ଯେହେତୁ କେନ୍ଦ୍ର ସରକାର ଡିଜିଟାଲ୍ ସର୍ଭିସ୍ ଉପରେ ଶାସନ ବ୍ୟବସ୍ଥାକୁ ନିର୍ଭର କରି ଚାଲିଛନ୍ତି, ସେହିପରି ଭାବରେ ଡିଜିଟାଲ୍ ସେବା ସବୁ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ସବୁ ଗୁଡ଼ିକ ବ୍ୟାଙ୍କ ସେବା ଏବେ ସମ୍ପୂର୍ଣ୍ଣ ଭାବରେ ଇଂଟରନେଟ୍ ସେବା ଉପରେ ନିର୍ଭର କରୁଛି। ଏପରିକି ସେନା ବାହିନୀରେ ମଧ୍ୟ ଅଧିକାଂଶ କାର୍ଯ୍ୟ ଓ ନିର୍ଦ୍ଦେଶ ଏହି ଇଂଟରନେଟ୍ ମାଧ୍ୟମରେ ଚାଲୁଛି। ବାସ୍ତବିକ ଏବେ ବ୍ୟବସ୍ଥା ଏପରି ହୋଇଛି ଯେ, ପ୍ରତ୍ୟେକ ପରିବାର ବିନା ଅଟାରେ ହୁଏତ ଦିନଟିଏ ଚଳିଯାଇପାରେ, କିନ୍ତୁ ବିନା ଡାଟାରେ କୌଣସି ବ୍ୟକ୍ତି ଚଳିବା ଅସମ୍ଭବ। ଭାରତର ଅଧିକାଂଶ ଲୋକ ମୋବାଇଲ୍ ସ୍ମାର୍ଟଫୋନ୍ ମାଧ୍ୟମରେ ବହୁ ପ୍ରକାର କାରବାର କରୁଛନ୍ତି। ଏଣୁ ଅତି କ୍ଷୀପ୍ରତର ବା ବେଗଶୀଳ ଇଂଟରନେଟ୍ ସୁବିଧା ପ୍ରତ୍ୟେକ ଲୋକ, ପ୍ରତ୍ୟେକ ବ୍ୟବସାୟ, ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟ ଅନୁଷ୍ଠାନ, ପ୍ରଶାସନ, ପୋଲିସ୍, ସେନାବାହିନୀ ସହିତ ସମୁଦାୟ ବ୍ୟାଙ୍କ ଓ ଆର୍ଥିକ ସେବା ଇଂଟରନେଟ୍ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭରଶୀଳ। ସେହି କାରଣରୁ ମୁକେଶ ଅମ୍ବାନୀ ଜିଓ ଆରମ୍ଭ କରିବା କ୍ଷଣି ମାତ୍ର ୭-୮ ବର୍ଷ ଭିତରେ ଭାରତରେ ସବୁଠୁ ବଡ଼ ଇଂଟରନେଟ୍ ଓ ଟେଲିଫୋନ୍ କମ୍ପାନୀ ହେବା ସହିତ ମୋଟ ଗ୍ରହକମାନଙ୍କର ଅର୍ଦ୍ଧାଧିକ ଭାଗ ତାଙ୍କ ସଂସ୍ଥା ନିୟନ୍ତ୍ରଣ କରୁଛି। ଏୟାରଟେଲ୍ ଏ କ୍ଷେତ୍ରରେ ପୁରୁଣା ସଂସ୍ଥା ହୋଇଥିଲେ ମଧ୍ୟ ଜିଓକୁ ମୁକାବିଲା କରିବାରେ କଷ୍ଟ ଅନୁଭବ କରୁଥିବାରୁ ଏହା ଏଲନ୍ ମସ୍କଙ୍କ ଷ୍ଟାର୍ଲିଙ୍କ ସହିତ ଜଡ଼ିତ ହୋଇ ଭାରତରେ ସବୁଠାରୁ କ୍ଷୀପ୍ରତର ଇଂଟରନେଟ୍ ସେବା ଦେଶର ଯେକୌଣସି ଅଂଚଳରେ ପହଂଚାଇଦେବା ପାଇଁ ବ୍ୟବସ୍ଥା କରୁଛି।
ଭାରତରେ ଏବେ ଯେଉଁସବୁ ବ୍ରଡ୍ବ୍ୟାଣ୍ଡ ଇଂଟରନେଟ୍ ସେବା ଉପଲବ୍ଧ ଅଛି ସେଗୁଡ଼ିକ ତାର ଉପରେ ନିର୍ଭର କରୁଛନ୍ତି। ଜିଓ ଦେଶବ୍ୟାପୀ ବହୁ ପରିମାଣରେ ପାଇପ୍ ଲାଇନ୍ ପୂର୍ବରୁ ଆରମ୍ଭ କରିଥିବାରୁ ଅନ୍ୟକୁ ପଛରେ ପକାଇ ଯିବା ସମ୍ଭବ ହୋଇଛି। କିନ୍ତୁ ଭାରତ ପରି ଏକ ବିଶାଳ ଦେଶରେ ତାର ଯୋଗେ ବ୍ରଡ୍ବ୍ୟାଣ୍ଡ ସୁବିଧା ଅନେକ ଅଂଚଳରେ ପହଂଚାଇବା ସମ୍ଭବ ହୋଇନାହିଁ। ତେଣୁ ସାଟେଲାଇଟ୍ ମାଧ୍ୟମରେ ଏହି ଇଂଟରନେଟ୍ ସୁବିଧା ଦେଶପାଇଁ ସୁବିଧାଜନକ ହେବ। ଏହି ଲକ୍ଷ୍ୟରେ ବିଏସ୍ଏନ୍ଏଲ୍ ପକ୍ଷରୁ ଏପରି ସେବା ପାଇଁ ଗତବର୍ଷ ଏକ ଘୋଷଣା କରାଯାଇଥିଲା। ଷ୍ଟାର୍ଲିଙ୍କ ପୂର୍ବରୁ ଭାରତରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଦେଶର ଟେଲିକମ୍ କମ୍ପାନୀମାନେ ଏହାକୁ ଅନୁମତି ନଦେବା ପାଇଁ ଦାବି କରିଥିଲେ। କାରଣ ଭାରତର ଟେଲିକମ୍ କମ୍ପାନୀମାନେ ସ୍ପେକ୍ଟ୍ରମ୍ ଏବଂ ଦେଶବ୍ୟାପୀ ଭିତ୍ତିଭୂମି ପ୍ରସ୍ତୁତିରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଷ୍ଟାର୍ଲିଙ୍କ ଏଥରକ ସିଧା ଭାରତବର୍ଷରେ ପ୍ରବେଶ ନକରି ଏୟାର୍ଟେଲ୍ କମ୍ପାନୀ ଜରିଆରେ ପ୍ରବେଶ କରୁଥିବାରୁ ସେମାନେ ବର୍ତ୍ତମାନର ବ୍ୟବସ୍ଥାକୁ ଭାଙ୍ଗି ଦେଉଛନ୍ତି ବୋଲି ଯୁକ୍ତି କରିବା ସହଜ ହେବନାହିଁ।
ଏବେ ଷ୍ଟାର୍ଲିଙ୍କ ଏୟାର୍ଟେଲ୍ ଜରିଆରେ ପ୍ରବେଶ କରିବା ନିଶ୍ଚିତ ହୋଇଯାଇଥିବାରୁ କେଉଁ ସଂସ୍ଥା କେଉଁ ମୂଲ୍ୟରେ ଏହି ଇଂଟରନେଟ୍ ସୁବିଧା ଯୋଗାଇଦେବେ ସେଥିପାଇଁ ଏକ ଦର ଯୁଦ୍ଧ ହେବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି। କିନ୍ତୁ ଏହି ପ୍ରତିଯୋଗିତାରେ ଗ୍ରାହକମାନଙ୍କର ଲାଭ ହେବ। ସେମାନଙ୍କ ଉପରେ ଆଉ ଇଂଟରନେଟ୍ ଦରବୃଦ୍ଧି ହେବନାହିଁ ବରଂ ଅନେକ କ୍ଷେତ୍ରରେ ବିଲ୍ କମିବ। ତେବେ ସବୁଠୁ ବଡ଼ କଥା ହେଉଛି ଦେଶର ଯେଉଁ ପ୍ରାନ୍ତରେ ଏବେ ବ୍ରଡ୍ବ୍ୟାଣ୍ଡ ସୁବିଧା ନାହିଁ ସେଠାରେ ଅର୍ଥାତ୍ ଅପହଂଚ ଏରିଆରେ ଇଂଟରନେଟ୍ ସୁବିଧା ମିଳିପାରିବ। କିନ୍ତୁ ଏହାର ମୂଲ୍ୟ ସେହିସବୁ ଅଂଚଳରେ ଯେତିକି ବୃଦ୍ଧି ପାଇବ ତାହା ଗରିବ ଲୋକମାନେ ପ୍ରଦାନ କରିବା କଷ୍ଟକର ହେବ। ଏହି କ୍ଷେତ୍ରରେ ସରକାର ସବ୍ସିଡ଼ି ପ୍ରଦାନ କରିବେ କିମ୍ବା ପ୍ରତି ଗାଁରେ ଏକାଧିକ ଇଂଟରନେଟ୍ ସର୍ଭିସ୍ ସେଂଟର ପ୍ରତିଷ୍ଠା କରି ଲୋକମାନଙ୍କୁ ଶସ୍ତାରେ ଇଂଟରନେଟ୍ ସୁବିଧା ପ୍ରଦାନ କରିବେ। ଭାରତର ବିଏସ୍ଏନ୍ଏଲ୍ ସମେତ ଅନ୍ୟ ଟେଲିକମ୍ କମ୍ପାନୀମାନଙ୍କୁ ନିଜସ୍ୱ ସାଟେଲାଇଟ୍ ଇଂଟରନେଟ୍ ସର୍ଭିସ୍ କରିବାକୁ କହିବ। ଏହି କାରବାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ବା ମୁକେଶ୍ ଅମ୍ବାନୀ ଏବେ କ୍ଷତିଗ୍ରସ୍ତ ହେବେ। ଷ୍ଟାର୍ଲିଙ୍କର ସୁବିଧା ହେଉଛି ଯେ, ଏହାର ଏବେ ପ୍ରାୟ ୭,୦୦୦ କାର୍ଯ୍ୟକାରୀ ସାଟେଲାଇଟ୍ ଅଛି। ଏହାକୁ ବଢ଼ାଇ ୪୨,୦୦୦ ସାଟେଲାଇଟ୍ କରିବାର ଲକ୍ଷ୍ୟ ଏଲନ୍ ମସ୍କଙ୍କର ରହିଛି। ବିଶ୍ୱର କୌଣସି କମ୍ପାନୀ ଏତେ ପରିମାଣର ସାଟେଲାଇଟ୍ ଚଳାଇବା ସମ୍ଭବ ନୁହେଁ। ଏଲନ୍ ମସ୍କଙ୍କର ସାଟେଲାଇଟ୍ ଲଂଚ କରିବା ପାଇଁ ନିଜସ୍ୱ ବ୍ୟବସ୍ଥା ରହିଛି। ଯେଉଁଠାରୁ ସେ ଅତିକମ୍ ମୂଲ୍ୟରେ ସାଟେଲାଇଟ୍ ପଠାଇପାରିବେ।
ଭାରତୀୟ କର୍ପୋରେଟ୍ ଯୁଦ୍ଧରେ ବିଶ୍ୱର ଜଣେ ବଡ଼ ପୁଞ୍ଜିପତି ଏଲନ୍ ମସ୍କ ପରୋକ୍ଷରେ ପ୍ରବେଶ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଆମ୍ବାନୀଙ୍କ ପ୍ରତି ସମସ୍ତ ସମର୍ଥନ ସତ୍ତ୍ୱେ ଜିଓ ଏବେ ଯେଉଁ ପରିମାଣରେ କ୍ଷତି ସହିବ ତାହାକୁ ସେ ରୋକିପାରିବେ ନାହିଁ। ମସ୍କଙ୍କ ସହିତ ସମ୍ପର୍କ ସ୍ଥାପନ ଦ୍ୱାରା ଆମେରିକା ସରକାରଙ୍କ ସହିତ ଭାରତର କାରବାରରେ କେତେକ ସୁବିଧା ହେବ ବୋଲି ଚିନ୍ତା କରାଯାଉଛି। କାରଣ ଟ୍ରମ୍ପ ଯେପରି ଭାବରେ ଟାରିଫ୍ ଯୁଦ୍ଧ ଆରମ୍ଭ କରିଛନ୍ତି ସେଥିରେ ଆମେରିକା ସହିତ ବାଣିଜ୍ୟ ଓ ଦେଶ ଭିତର କମ୍ପାନୀଗୁଡ଼ିକ ପ୍ରଭାବିତ ହେବା ନିଶ୍ଚିତ। ଏଲନ୍ ମସ୍କ ହୁଏତ ମୋଦୀଙ୍କୁ ଏଥିରେ କିଛି ସହାୟକ ହେବେ ବୋଲି ଚିନ୍ତା କରାଯାଉଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତରେ ପ୍ରାୟ ୯୦ କୋଟିରୁ ଅଧିକ ଲୋକ ଇଂଟରନେଟ୍ରେ ସପୃକ୍ତ ଅଛନ୍ତି। ଭାରତ ପରି ବିଶାଳ ଦେଶରେ ସବୁ ଲୋକଙ୍କ ପାଖରେ ଇଂଟରନେଟ୍ ପହଂଚିବା ସହିତ ଡିଜିଟାଲ୍ ଇଣ୍ଡିଆ ପାଇଁ ସରକାର ଚଳାଇଥିବା କାର୍ଯ୍ୟକ୍ରମ ଯୋଗୁ ଦେଶର ସମସ୍ତ ପ୍ରକାର ଆର୍ଥିକ ଓ ପ୍ରଶାସନିକ ବ୍ୟବସ୍ଥାରେ ଇଂଟରନେଟ୍ର ଚାହିଦା ଦୃଷ୍ଟିରୁ ଏହା ଏକ ଖୁବ୍ ବଡ଼ ବଜାର। ମସ୍କ ଏହି ବଜାରରୁ କେତେ ହାତକୁ ନେବେ ତାହା ଅଳ୍ପ କେତେମାସ ଭିତରେ ଧୀରେ ଧୀରେ ସ୍ପଷ୍ଟ ହୋଇଯିବ।
ମୋ - ୮୦୧୮୦୯୪୪୫୫