ଓଡ଼ିଶାର ଗ୍ରାମାଞ୍ଚଳରେ ଆଜି ବି ଡାକୁଆଙ୍କ ଦ୍ୱାରା ଚିଟାଉ ପଠାଯିବାର ସାମାଜିକ ପରମ୍ପରା ରହିଛି। ପୂର୍ବକାଳେ ଗମନାଗମନର ସୁବିଧା ନଥିବାରୁ ଲୋକମାନେ ଆଖପାଖ ଅଞ୍ଚଳରେ ବନ୍ଧୁ ବାନ୍ଧୁଥିଲେ ଓ କାମ କାର୍ଯ୍ୟରେ ଯୋଗଦେବାକୁ ବନ୍ଧୁମାନଙ୍କୁ ଗୁଆ ନିମନ୍ତ୍ରଣ ପଠାଉଥିଲେ। ବର୍ତ୍ତନିଆ ବାରିକମାନେ ଲଗାତାର କିଛି ଦିନ ଯାଏଁ ବୁଲି ବୁଲି ନିମନ୍ତ୍ରଣ ଓ ଚିଟାଉ ଦେଉଥିଲେ। ଏହି ଡାକୁଆମାନଙ୍କୁ ନିମନ୍ତ୍ରଣକାରୀ ଯିବା ଆସିବା, ରହିବା ଓ ଖାଇବା ଖର୍ଚ୍ଚ ସହିତ କିଛି ହାତଖର୍ଚ୍ଚ ଦେଉଥିଲେ ଏବଂ ସେମାନଙ୍କୁ ନିମନ୍ତ୍ରିତ ବନ୍ଧୁଘର ପକ୍ଷରୁ କିଛି ବିଦାକି ଖର୍ଚ୍ଚ ମଧ୍ୟ ମିଳିଯାଉଥିଲା। ଆମର ଚଳଣୀରେ ନିମନ୍ତ୍ରିତ ବନ୍ଧୁଘର ଡାକୁଆ ଆଣିଥିବା ନିମନ୍ତ୍ରଣ ଗ୍ରହଣ କଲାବେଳେ ନିମନ୍ତ୍ରଣକାରୀଙ୍କ ବିଷୟରେ ଖବର ନେଉଥିଲେ, ଡାକୁଆକୁ ଏମିତି ସମ୍ଭ୍ରାନ୍ତପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରୁଥିଲେ ଯେ, ଗାଁକୁ ଫେରିଲା ପରେ କିଛିଦିନ ଯାଏଁ ଡାକୁଆ ତାଙ୍କର ଗୁଣଗାନ କରିଚାଲୁଥିଲେ। ଏଥିରେ ଉଭୟ ନିମନ୍ତ୍ରଣକାରୀ ଓ ନିମନ୍ତ୍ରିତ ବନ୍ଧୁବାନ୍ଧବମାନଙ୍କର ସମ୍ମାନ ବଢ଼ୁଥିଲା। ଯଦି ଡକୁଆଙ୍କୁ ହତାଦର କରାଯାଉ ଥିଲା ସେ ପରୋକ୍ଷରେ ଉଭୟଙ୍କର କିମ୍ବା ବନ୍ଧୁଘରର ଗୋହି ଖୋଳୁଥିଲେ। ବାସ୍ତବରେ ଡାକୁଆଙ୍କୁ ନିମନ୍ତ୍ରଣକାରୀଙ୍କ ପ୍ରତିନିଧି ରୂପେ ଗ୍ରହଣ କରାଯାଉଥିଲା ଓ ଜଣେ ସେବକଙ୍କୁ ଯେପରି ବ୍ୟବହାର କରାଯାଏ, ସେପରି କରାଯିବା ସହିତ ଅତିଥି ମନେ କରାଯାଇ ମର୍ଯ୍ୟାଦା ପ୍ରଦାନ କରାଯାଉଥିଲା।
ଆମର ଅନେକ ଧାର୍ମିକ ପରମ୍ପରା ମଧ୍ୟରୁ ଗୋଟିଏ ପରମ୍ପରା କଥା ଏଠାରେ ଉଲ୍ଲେଖ କରିବା ଆବଶ୍ୟକ। ଆମର ମନ୍ଦିରମାନଙ୍କରେ ପୂଜିତ ଦିଅଁମାନଙ୍କର ଚଳନ୍ତି ବିଗ୍ରହ ଅଛନ୍ତି। ପ୍ରଭୁ ଜଗନ୍ନାଥ, ସୁଦର୍ଶନ, ବଡ଼ଭାଇ ଓ ଭଉଣୀଙ୍କୁ ସାଥିରେ ଧରି ମୂଳ ବିଗ୍ରହମାନେ ଘୋଷଯାତ୍ରା କରୁଥିଲେ ବି ତାଙ୍କର ଚଳନ୍ତି ବିଗ୍ରହଙ୍କୁ ମଧ୍ୟ ପାଖେ ପାଖେ ରଖିଥାଆନ୍ତି। ସେ ରଥଯାତ୍ରା ବେଳେ ଓ ରତ୍ନ ସିଂହାସନ ତଥା ଜନ୍ମବେଦୀ ଉପରେ ଜଗନ୍ନାଥଙ୍କ ପାଖେ ପାଖେ ରହି ପୂଜା ଓ ଭୋଗ ପାଆନ୍ତି। ଜଗନ୍ନାଥଙ୍କର ଚଳନ୍ତି ବିଗ୍ରହ ହେଲେ ମଦନମୋହନ। ଚନ୍ଦନ ଯାତ୍ରା ଭଳି ଅନେକ ମହୋତ୍ସବ ବେଳେ ମଦନମୋହନ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧିତ୍ୱ କରିଥାଆନ୍ତି। ପରମ୍ପରାକୁ ସମ୍ମାନ ଦେଇ ଜଗନ୍ନାଥଙ୍କ ବଦଳରେ ତାଙ୍କର ପ୍ରତିନିଧି ମଦନମୋହନଙ୍କୁ ଭକ୍ତଗଣ ମହା ଆନନ୍ଦରେ ଗ୍ରହଣ କରିନିଅନ୍ତି। ଏମିତିକି ଜଗନ୍ନାଥ ଅସୁସ୍ଥ ହୋଇ ଅଣସର ଘରେ ରହିଲେ ଭକ୍ତଗଣ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରି ଜଗନ୍ନାଥଙ୍କୁ ଦର୍ଶନ କରିଥିବାର ଅନୁଭବ କରନ୍ତି। ଶ୍ରୀମନ୍ଦିରରେ ପଟିଦିଅଁ ପୂଜା ପାଇବା ମଧ୍ୟ ଏକ ପରମ୍ପରା।
ଉପରୋକ୍ତ ଦୁଇ ପରମ୍ପରା - ସାମାଜିକ ଓ ଆଧ୍ୟାତ୍ମିକ - କଥା କହିଲା ବେଳେ ଆମେ ଭୁଲିଯିବା ଅନୁଚିତ ହେବ ଯେ ଆମର ମଧ୍ୟ ଏକ ଶାସନତାନ୍ତ୍ରିକ ପରମ୍ପରା ଆଜି ବି ଉଜ୍ଜୀବିତ ରହିଛି। ଆମେ ପୂର୍ବେ ରାଜତନ୍ତ୍ର ବିଷୟରେ ଶୁଣିଛେ। ରାଜତନ୍ତ୍ର ଭିତରେ କିଛି ଶାସକଙ୍କ ବିକାଶ ଓ ଲୋକାଭିମୁଖୀ ଶାସନ ବ୍ୟବସ୍ଥା ଥିବା ଓ ଆଉ କିଛିଙ୍କ ଅନ୍ଧାରୀ ରାଜତନ୍ତ୍ରର ଅତ୍ୟାଚାର ବିଷୟରେ ପଢ଼ିଛେ ଓ ଶୁଣିଛେ। ସ୍ୱାଧୀନତା ପ୍ରାପ୍ତି ପରେ ଆମେ ନିଜର ସମ୍ବିଧାନ ତିଆରି କରିଛେ ଓ ଗIଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଭିତରେ ରାଷ୍ଟ୍ରପତିଙ୍କୁ ମଧ୍ୟ ନିର୍ବାଚିତ କରୁଛେ। ଏକଥା ଲେଖିଲା ବେଳେ ଆମର ପୁରୀ ଗଜପତିଙ୍କୁ ଆମେ ଜଗନ୍ନାଥଙ୍କ ପ୍ରଥମ ସେବକ ଠାକୁର ରାଜା ଭାବେ ସମ୍ମାନ ଦେବାକୁ ଆମ ପରମ୍ପରାର ଅଂଶ ଭାବେ ଗ୍ରହଣ କରି ନେଇଛେ। ଆଜି ବି ରାଜବଂଶଜମାନେ ନିର୍ବାଚନରେ ଭାଗନେଲେ ସେମାନଙ୍କ ପ୍ରତି ଆମେ ଦୁର୍ବଳ ହୋଇ ଯାଉଛୁ। ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସଂସଦ ଓ ବିଧାୟକମାନଙ୍କ ଦାୟାଦମାନଙ୍କୁ ଅଧିକ ଭୋଟ ମିଳୁଛି; ଖାସ ସେମାନଙ୍କ ବଂଶ ଇତିହାସ ଦୟାରୁ। ଆମର ଅସ୍ଥି ମଜ୍ଜାରେ ଏପରି ଯେଉଁ ଦୁର୍ବଳତା ଭରିହୋଇ ରହି ଆସିଛି ତାହାକୁ ଆମେ କ'ଣ କହିବା? କେଉଁ ନାମରେ ବର୍ଣ୍ଣନା କରିବା? ଆନୁଗତ୍ୟ, ପରମ୍ପରା ପ୍ରତି ସମ୍ମାନ, ଧନୀକଙ୍କ ପ୍ରତି ଭୟ ନା ସତ୍ୟ ସ୍ୱୀକାର କରିବାରେ ଅସାମର୍ଥ୍ୟ ନା ରାଜନୈତିକ ଅସଚେତନତା?
ଆମେ, ଦେଶର ବିଭିନ୍ନ ସ୍ଥାନରେ, ବିଶେଷକରି ଓଡ଼ିଶାରେ ଏବେ ଯେଉଁ ନୂତନ ଗାଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଦେଖୁଛେ, ତାହା ଯେ ବିବର୍ତ୍ତନବାଦ ମଧ୍ୟରେ ଗତିଶୀଳ ଗଣତନ୍ତ୍ରର ଏକ ବିବର୍ତ୍ତିତ ବୀଭତ୍ସ ରୂପ, ଏହା ସ୍ଵୀକାର କରିବାରେ ଦ୍ୱିଧା ନାହିଁ। ଏହି ବ୍ୟବସ୍ଥାର ଏକ ବିକଳ ରୂପ କ୍ରମଶଃ ଆମର ଦୃଷ୍ଟିଗୋଚର ହେଉଛି; ଯାହା ଗତ କିଛି ବର୍ଷଧରି ବିବର୍ତ୍ତିତ ହୋଇଆସୁଛି। ଏହି ବ୍ୟବସ୍ଥାରେ ଶୀର୍ଷତମ ନେତୃତ୍ୱ ଏକାଧିପତି। ତାଙ୍କର ଏକାଧିପତିତ୍ୱ ଆଗରେ ଦଳୀୟ ଆଭ୍ୟନ୍ତରୀଣ ଗଣତନ୍ତ୍ର, ବହୁ ମତ ଓ ଦଳର ଅନ୍ୟାନ୍ୟ ନେତାମାନଙ୍କ ଉପସ୍ଥିତି ଦୟନୀୟଭାବେ ନିଷ୍ପ୍ରଭ। ସତେ ଯେମିତି ଏମାନେ କେବଳ ମାତ୍ର ଆଳଙ୍କାରିକ, ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ହାତୀର ଦୃଶ୍ୟମାନ ଦାନ୍ତ! ରାଜନୈତିକ ସହଯୋଗୀମାନଙ୍କଠାରୁ ଶୀର୍ଷ ନେତୃତ୍ୱ ବା କ୍ଷମତା କେନ୍ଦ୍ର ପ୍ରତି ବିପଦ ବା ଆହ୍ୱାନ ସୃଷ୍ଟିର ଆଶଙ୍କାକୁ ମୂଳରୁ ସୃଷ୍ଟି ହେବାକୁ ନଦେବାର ଅଲିଖିତ ନିର୍ଦ୍ଦେଶନାମା ଏହି ବିବର୍ତ୍ତିତ ବ୍ୟବସ୍ଥାର ଅଂଶ ବିଶେଷ। ଫଳତଃ, ଶୀର୍ଷତମ ନେତୃତ୍ୱ ନିଜର ଏକ ପରାମର୍ଶଦାତା ମଣ୍ଡଳୀ ସୃଷ୍ଟି କରନ୍ତି, ଯାହା ରାଜତନ୍ତ୍ରରେ ଥିବା ମହାମନ୍ତ୍ରୀ, ସେନାପତି, କଟୁଆଳ ଓ କିଛି ବଛା ବଛା ପାରିଷଦଙ୍କ ଦ୍ୱାରା ସମୃଦ୍ଧ।
ଏହି ବିବର୍ତ୍ତିତ ରୂପ ମଧ୍ୟରେ ଦେଖାଯାଏ ଯେ ବିଧାନପାଳିକାର ନିର୍ବାଚିତ ସହଯୋଗୀଙ୍କ ଅପେକ୍ଷା କାର୍ଯ୍ୟପାଳିକାର ଅଧସ୍ତନ ଅଧିକାରୀଙ୍କ ଉପରେ ଅଧିକ ନିର୍ଭର କରିବାକୁ ଶୀର୍ଷ ନେତୃତ୍ୱ ବସ୍ତୁତଃ ବାଧ୍ୟ। ନିଜ ଦଳର ଯୋଗ୍ୟ ରାଜନୈତିକ ସହଯୋଗୀମାନଙ୍କୁ ନିଷ୍କାସନ ନକଲେ କିମ୍ବା ସେମାନଙ୍କୁ ନିଷ୍ପ୍ରଭ କରା ନଗଲେ ଶୀର୍ଷ ନେତୃତ୍ୱଙ୍କ ହାତରୁ କ୍ଷମତା ଛଡ଼େଇ ନେବାର ଆଶଙ୍କା ବିବ୍ରତ କରେ ପରାମର୍ଶଦାତା ମଣ୍ଡଳୀଙ୍କୁ। ଏକ ଶୂନ୍ୟସ୍ଥାନ ସୃଷ୍ଟି ହୁଏ। ଏହି ଶୂନ୍ୟସ୍ଥାନ ଅଧିକାର କରି ନିଅନ୍ତି ନିଜକୁ ନିଉଛୁଣା ଚାକର ବୋଲାଉଥିବା ଦଳେ ବୋଲକରା ଦଳୀୟ ଅଯୋଗ୍ୟ ସହଯୋଗୀ। ସେମାନେ ଗୋଟିଏ କ୍ଷୁଦ୍ର ଗୋଷ୍ଠୀ ଗଠନ କରି ସମଗୋତ୍ରୀୟଙ୍କୁ ବିଧାନପାଳିକାକୁ ନିର୍ବାଚିତ କରି ମନ୍ତ୍ରୀପଦ ସମେତ ଉଚ୍ଚ ପଦ ପଦବୀରେ ଥାଇଥାନ କରିନିଅନ୍ତି। ଶୀର୍ଷ ନେତୃତ୍ୱ ନିଶ୍ଚିତ ହୁଅନ୍ତି ଯେ ତାଙ୍କ ପ୍ରତି ରାଜନୈତିକ ଆହ୍ୱାନ ନାହିଁ, କିମ୍ବା ନିକଟ ଭବିଷ୍ୟତରେ ବି ହେବା ଅସମ୍ଭବ। ସେ ପରାମର୍ଶଦାତା ମଣ୍ଡଳୀଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟପାଳିକାକୁ ବ୍ୟବହାର କରି ଏକଛତ୍ରବାଦୀ ଶାସନ ବ୍ୟବସ୍ଥା ପ୍ରଚଳନ କରନ୍ତି।
ଏହା ଗାଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ଲୋକାଭିମୁଖୀ ରାଜତନ୍ତ୍ର! ଏହାର ଉଦାହରଣ ଖୋଜିବା ପାଇଁ, ବେଶୀଦୂର ଯିବା ଅନାବଶ୍ୟକ। ଫାଇଭ-ଟି ଭଳି ଏକ ମନ୍ତ୍ରୀବିହୀନ କିମ୍ବୁତକିମାକାର ବିଭାଗ ରାତାରାତି ସୃଷ୍ଟି ହୁଏ, ଜଣେ କରିତକର୍ମା କାର୍ଯ୍ୟପାଳିକାର ନିମ୍ନ ପଦସ୍ଥ ସଚିବ ସ୍ତରୀୟ ଅଧିକାରୀଙ୍କ ହାତରେ ଶାସନର ଡୋରି ଧରେଇ ଦିଆଯାଏ। ସେ ଶୀର୍ଷ ନେତୃତ୍ୱଙ୍କ ଆଦେଶ ଅନୁସାରେ କାମ କରୁଥିବାର ପ୍ରହେଳିକା ସୃଷ୍ଟି କରାଯାଏ। ପ୍ରଶାସନିକ ଅଧିକାରୀମାନଙ୍କୁ ମନ୍ତ୍ରୀଙ୍କ ଅପେକ୍ଷା ଅଧିକ କ୍ଷମତାଶାଳୀ କରିଦିଆଯାଏ, ଅଥଚ ସେମାନେ ଉତ୍ତରଦାୟିତ୍ୱ ନିଅନ୍ତିନାହିଁ। ପକ୍ଷାନ୍ତରେ ଅଯୋଗ୍ୟ ମନ୍ତ୍ରୀସଭାର ସଦସ୍ୟଗଣ ଉତ୍ତରଦାୟିତ୍ୱ ନେବାପାଇଁ ସୁଯୋଗକୁ ଅପେକ୍ଷାକରି ରହିଥାଆନ୍ତି। ଯେଉଁ ମନ୍ତ୍ରୀଙ୍କ ବିରୁଦ୍ଧରେ ଜନ ଅସନ୍ତୋଷ ସୃଷ୍ଟିହୁଏ, ସେମାନେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଉତ୍ତରଦାୟିତ୍ୱ ନେଇ ମନ୍ତ୍ରୀପଦ ତ୍ୟାଗ କରନ୍ତି। ସେମାନଙ୍କୁ ସଂଗଠନ ସମ୍ଭାଳିବାକୁ ସ୍ଥାନାନ୍ତର କରିଦିଆଯାଏ।
ଏହି ତେଲମରା ଅଯୋଗ୍ୟ ଗୋଷ୍ଠୀର ଲକ୍ଷ୍ୟ ରହେ, ଯେପରି ଶୀର୍ଷନେତୃତ୍ୱଙ୍କ ଗାଦି ସୁରକ୍ଷିତ ରହିବ। ତାହା ସହିତ ‘ଶୀର୍ଷ ନେତୃତ୍ୱଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ଆସିଛି’ ଉଦଘୋଷଣା କରୁଥିବା ସଚିବ ଜଣକ ଯେଭଳି ବଧାହୀନ ଭାବେ କାର୍ଯ୍ୟ ସମ୍ପାଦନ କରି ପାରିବେ, ତାହାର ବ୍ୟବସ୍ଥା କରିବାI ସେମାନେ ଜାଣନ୍ତି, ଶୀର୍ଷ ନେତୃତ୍ୱଙ୍କୁ ଖୁସି କରିବାକୁ ହେଲେ ତାଙ୍କର ନୀଳନୟନ ଅମଲାଙ୍କୁ ଅବାଧ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଛାଡ଼ିଦେବାକୁ ହେବ। ତେଣିକି, ଗଣତନ୍ତ୍ର ଓ ଲୋକଙ୍କ ପାଇଁ ଶାସନ ନର୍କକୁ ଗଲେ ବି ଏହି ତେଲମରା ଅଯୋଗ୍ୟ ଗୋଷ୍ଠୀର ସଦସ୍ୟଙ୍କର କିଛି ବି ଯାଏ ଆସେ ନାହିଁ।
ଏହି ସୂତ୍ର ଆଧାରରେ ବିଗତ ୧୦-୧୫ ବର୍ଷ ଧରି ଶାସନ ବ୍ୟବସ୍ଥାର ରୂପାନ୍ତରୀକରଣ ଚାଲି ଆସୁଛି ଓ ପରିଣାମ ଆମ ସାମନାରେ। ଏବେ, ରାଜ୍ୟବାସୀ, ବିଶେଷ ଭାବେ ସରକାରୀ ଦଳର ନେତା ଓ କର୍ମୀ ଜାଣି ସାରିଲେଣି ଯେ, ଦଳ ବାରମ୍ବାର କ୍ଷମତା ଦାଖଲ କରୁଥିବାର ଅସଲ ଚାବିକାଠି ରହିଛି ଏହି ବିଶ୍ୱସ୍ତ କାର୍ଯ୍ୟପାଳକଙ୍କ ହାତରେ। ପରାମର୍ଶଦାତା ମଣ୍ଡଳୀଙ୍କ ପରାମର୍ଶ ଅନୁସାରେ ତାଙ୍କର ରାଜନୈତିକ ଅନ୍ଧାରୀବିଜେ ତଥା ପ୍ରଶାସନିକ ଗୋଟି ଚାଳନା କାରଣରୁ ଦଳ ବିଜୟ ଲାଭ କରୁଛି। ସେ ଯାହାକୁ ଚାହିଁବେ ସେ ଦଳୀୟ ଟିକେଟ ପାଇବେ। ଏଣୁ ସମସ୍ତେ ତାଙ୍କୁ ପ୍ରତ୍ୟକ୍ଷ ଭାବେ ଖୁସି କରି ଶୀର୍ଷ ନେତୃତ୍ୱଙ୍କୁ ପରୋକ୍ଷରେ ଖୁସି କରିବାରେ ଲାଗିପଡିଛନ୍ତି। ତେଣୁ, ଆଶ୍ଚର୍ଯ୍ୟଜନକ ଭାବେ ନୀରବତା ଆପଣେଇଥିବା ସରକାରୀ ଦଳର ବୋଲକରା ନେତାଏ ଏହି କାର୍ଯ୍ୟପାଳକଙ୍କ ସୀମାତିରିକ୍ତ ରାଜନୈତିକ ଅନୁପ୍ରବେଶକୁ ସମାଲୋଚନା କରୁଥିବା ବିରୋଧୀଙ୍କ ସମାଲୋଚନକୁ ବରଦାସ୍ତ କରୁନାହାନ୍ତି। ଏହା ଏବେ ବିବର୍ତ୍ତିତ ଗଣତନ୍ତ୍ରର ଅନ୍ୟ ଏକ କ୍ଷୁଦ୍ର ବିକଳ ଚିତ୍ର।
ଅନ୍ଧାରକୁ ଦୂର କରିବାକୁ ଆଲୋକ ଆବଶ୍ୟକ ହୁଏ। ଆଲୋକ ନଥିଲେ ଅନ୍ଧକାର ହିଁ ରାଜ କରୁଥାଆନ୍ତା। ସେହିଭଳି ରାଜତନ୍ତ୍ର! ସବୁବେଳେ ରାଜା ହେବାର ଏକ ସୁପ୍ତ ଇଚ୍ଛାଟିଏ ବଳଶାଳୀ, ବୁଦ୍ଧିମାନ ଓ ଧନଶାଳୀଙ୍କ ଭିତରେ ଶୋଇରହିଥାଏ। ଗଣତନ୍ତ୍ରର ଆଲୋକରେ ଶାସନ ବ୍ୟବସ୍ଥା ଆଲୋକିତ ହେଉ ନଥିଲେ ଆଜି ବି ରାଜତାନ୍ତ୍ରିକ ଶାସନ ଭିତରେ ଆମେ ଶାସିତ ହେଉଥାନ୍ତେ। ଏଥିପାଇଁ ସବୁବେଳେ, ଗାଣତାନ୍ତ୍ରିକ ବିଧିବିଧାନକୁ ପାଳନ-ଅଭ୍ୟାସ ଓ ସାଧନା କରିବାକୁ ପଡ଼େ। ଭିନ୍ନମତକୁ ସମ୍ମାନ ଦେବାକୁ ପଡ଼େ, ସହନଶୀଳ ହେବାକୁ ପଡ଼େ। ଏଥିରେ ଟିକିଏ ଓଲମ ବିଲମ୍ ହେଲେ ପ୍ରଥମେ ଗଣତନ୍ତ୍ର ବ୍ୟବସ୍ଥା ଭିତରକୁ ରାଜତନ୍ତ୍ରର ଭୂତାଣୁ ସଂକ୍ରମଣ କରି ବ୍ୟବସ୍ଥାକୁ ନିୟନ୍ତ୍ରଣକୁ ନେଇଯାଏ। ବାହାରକୁ ଗଣତନ୍ତ୍ର ଭଳି ଦିଶୁଥିବା ଶାସନ ବ୍ୟବସ୍ଥା ଯେ ରାଜତନ୍ତ୍ର ପାଖରେ ବନ୍ଧା ପଡ଼ି ଯାଇଛି, ତାହା ଜାଣିଲା ବେଳକୁ ହୁଏତ ସେନାପତି ରାଜ ସିଂହାସନକୁ କବଜା କରି ନେଇଥିବା ଅସମ୍ଭବ ନୁହେଁ।
ଏବେ କେତେକ ପ୍ରଶ୍ନ ମନକୁ ଆସୁଛି। ଆମର ଭାରତୀୟ ଗଣତନ୍ତ୍ରରେ ଜଣେ ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ସମ୍ପର୍କ କଣ? ଉଭୟଙ୍କ ମଧ୍ୟରେ ବଡ଼ କିଏ? ଦ୍ଵିତୀୟ ପ୍ରଶ୍ନଟି ହେଲା ଯେ, ସଚିବମାନେ ଯେଉଁସବୁ ନିଷ୍ପତ୍ତି ନେଉଛନ୍ତି ଓ କ୍ଷମତା ଉପଭୋଗ କରୁଛନ୍ତି, ତାହା ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ ଓ ଅନୁମୋଦନରେ କରୁଛନ୍ତି ତ? ତୃତୀୟ ପ୍ରଶ୍ନଟି ହୋଇପାରେ ଯେ, ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଦାୟୀ କରି ବିରୋଧ କରାଯିବ ନା ଆଦେଶ ପାଳନ କରୁଥିବା କାର୍ଯ୍ୟପାଳିକା ଅନ୍ତର୍ଗତ ସେହି କରିତକର୍ମା ସଚିବଙ୍କୁ?
କିଛି ବର୍ଷ ତଳେ ଜଣେ ମନ୍ତ୍ରୀ ଏକ ବ୍ୟକ୍ତିଗତ ଆଲୋଚନାରେ ଏଭଳି ଏକ ପ୍ରସଙ୍ଗରେ କହିଦେଲେ ଯେ, ତାଙ୍କର ବିଭାଗୀୟ ଅସନ୍ତୁଷ୍ଟ ସଚିବ ଗୋଟିଏ ବଦଳି ଫାଇଲ ମନ୍ତ୍ରୀଙ୍କ ଟେବୁଲ ଉପରେ କଚିଦେଇ ତମତମ ହୋଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିବାକୁ ବାହାରିଗଲେ। ଅଭିଜ୍ଞ ରାଜନେତା ଅନୁମାନ କରିନେଲେ ଯେ, ତାଙ୍କର ମନ୍ତ୍ରୀପଦ ଗଲା! ସେ ସଚିବଙ୍କୁ କୌଣସିମତେ ବୁଝେଇ, ମନେଇଲେ ଓ ଭବିଷ୍ୟତରେ ସଚିବଙ୍କ ନିଷ୍ପତ୍ତିକୁ ମାନିନେବେ ବୋଲି ପ୍ରତିଶୃତି ଦେଇ ତାଙ୍କୁ ଶାନ୍ତ କଲେ। ଅବଶ୍ୟ ପରେ ସେହି ରାଜନେତାଙ୍କ ମନ୍ତ୍ରୀତ୍ୱ ଚାଲିଯାଇଥିଲେ ବି ସେ ସାଙ୍ଗଠନିକ କାମରେ ଅତ୍ୟନ୍ତ ତତ୍ପର ଓ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ଜିଣିଥିବା ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଆଉ ଜଣେ ମନ୍ତ୍ରୀ ଉଦାହରଣ ପ୍ରସଙ୍ଗରେ କହିଲେ ଯେ ମୁଖ୍ୟମନ୍ତ୍ରୀ ବଡ଼ ଖିଆଲୀ ଓ କଳ୍ପନାବିଳାସୀ। ଆପଣଙ୍କୁ ଡକାଇ ଚା ପିଆଇବେ ଓ ନିଜର ଖୁସି ପ୍ରକାଶ କରିଥିବେ। ଆପଣ ଭାବିବେ ଯେ, ଆପଣଙ୍କ ଟିକେଟ ଥୁଆ! କିନ୍ତୁ, ଗୋଟିଏ ଦିନପରେ ହୁଏତ ଆପଣଙ୍କୁ ମନ୍ତ୍ରୀପଦରୁ ନିଷ୍କାସିତ ହେବାକୁ ପଡ଼ିପାରେ! ଅତୀତରେ ଦଳର କିଛି ବଡ଼ ବଡ଼ ନେତାଙ୍କୁ ଯେଭଳି ନିର୍ଦୟ ଭାବେ ଦଳରୁ ନିଲମ୍ବିତ କରାଯାଇଥିଲା, ମଧ୍ୟରାତ୍ରୀ ବିଦ୍ରୋହର ସନ୍ଦିଗ୍ଧମାନଙ୍କୁ ଦଣ୍ଡିତ କରାଗଲା, ପୋଲିସର ଫାଇଲ ଭିତରେ ଅପରାଧିକ ଇତିହାସ ବିବରଣୀ ଥିବା ନେତାଙ୍କୁ ମନ୍ତ୍ରୀପଦ ଦିଆଯାଇ, ଯୋଗ୍ୟ ନେତାଙ୍କୁ ଟିକେଟ ନଦେଇ ସେମାନଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧକାର ଗର୍ଭକୁ ଠେଲିଦେବାକୁ ଅନେକେ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ଓ ଅଭିଜ୍ଞ ରାଜନୈତିକ ଗୋଟିଚାଳନା ଶ୍ରେୟ ଦିଅନ୍ତି। କିନ୍ତୁ ଏହା ଯେ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଗଠିତ ପରାମର୍ଶଦାତା ଗୋଷ୍ଠୀର ପଦକ୍ଷେପ, ତାହା ଦଳର କର୍ମୀମାନେ ବୁଝି ସାରିଛନ୍ତି। ମୁଖ୍ୟମନ୍ତ୍ରୀ ବିଭିନ୍ନ ଉପନିର୍ବାଚନରେ ଦଳର ଚମତ୍କାର ବିଜୟ କାରଣରୁ ଉଲ୍ଲସିତ, କେନ୍ଦ୍ର ସରକାରଙ୍କ ପାଖରୁ ପ୍ରଶଂସାପତ୍ର ପାଇବା ପରେ ପରାମର୍ଶଦାତା ମଣ୍ଡଳୀଙ୍କ ହାତକୁ ରାଜ୍ୟ ଶାସନ ଭାର ଟେକିଦେଇ ନିଜର ବ୍ୟକ୍ତିଗତ ସଚିବଙ୍କ ମାଧ୍ୟମରେ ରାଜ୍ୟର ଟିକିନିଖି ଖବର ରଖି ବିକାଶର ପର୍ବ ଚଳାଇ ରଖିଥିବାର ମାୟାଜାଲ ସୃଷ୍ଟିକରି ଚାଲିଛନ୍ତି। ସବୁକଥାରେ ବିଶ୍ୱସ୍ତରୀୟ କହି, ଗୋଲାପୀ ଚିତ୍ର ଆଙ୍କୁଥିବା ସରକାରଙ୍କୁ କେହି ପଚାରୁ ନାହାନ୍ତି ଯେ ୨୩ ବର୍ଷ ଧରି ଶାସନ ଗାଦିରେ ବସିଥିଲେ ବି ବିକାଶ କାହିଁକି କରୁ ନଥିଲେ? କାହିଁକି ରାଉରକେଲା ହକି ଷ୍ଟାଡିୟମ ପ୍ରତିମୂର୍ତ୍ତୀ ଗଳି ପଡ଼ିଲା? ଏମିତି କଣ ହୋଇଗଲା ଯେ ଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ମଦନମୋହନ ଗୁଣ୍ଡିଚା ମଣ୍ଡପ ବିଜେ କରିବେ, ଚତୁର୍ଦ୍ଧାମୂର୍ତ୍ତୀ ବସି ରହିବେ ରତ୍ନ ସିଂହାସନରେ?
ତିନୋଟି ଯାକ ପ୍ରଶ୍ନର ଉତ୍ତର ରଖିବାକୁ ପଡ଼ିବ ସ୍ୱୟଂ ମୁଖ୍ୟମନ୍ତ୍ରୀଙ୍କୁ। ସେ ରାଜ୍ୟବାସୀଙ୍କ ଦ୍ୱାରା ନିର୍ବାଚିତ ଶାସନମୁଖ୍ୟ, ଉତ୍ତରାଧିକାର ସୂତ୍ରରେ ନୁହେଁ। ତାଙ୍କୁ ମନ୍ତ୍ରୀ ପରିଷଦର ପରାମର୍ଶ ଗ୍ରହଣ କରି ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ପଡ଼ିବ। ଅସୁସ୍ଥ ମନେ କରୁଥିଲେ ସରକାରୀ ବିଧାୟକ ଦଳର ଅନ୍ୟ କାହାକୁ ନୂତନ ନେତା ଭାବେ ଦାୟିତ୍ୱ ହସ୍ତାନ୍ତର କରିବାକୁ ପଡ଼ିବ। କାର୍ଯ୍ୟପାଳିକାର ଉଚ୍ଚ ପଦାଧିକାରୀମାନେ ଶିକ୍ଷିତ ଓ ବୁଦ୍ଧିମାନ। ନିଜ ପାଇଁ ନିଜେ ଲକ୍ଷ୍ମଣ ରେଖା ନଟାଣି ରାଜନୈତିକ ମହତ୍ୱାକାଂକ୍ଷା କିମ୍ବା ଅର୍ଥ ଓ କ୍ଷମତାର ସାଗରରେ ସ୍ନାନ କରିବା ନିଶ୍ଚୟ ସେମାନଙ୍କ ପାଇଁ ଘାତକ ହେବ। ଯଥେଷ୍ଟ ହୋଇଗଲା, ଏବେ ମଦନମୋହନଙ୍କୁ ଶ୍ରୀମନ୍ଦିର ସ୍ୱତ୍ୱଲିପି ପଢ଼ିବାକୁ ଓ ମନ୍ତ୍ରୀମାନଙ୍କୁ ପଢ଼ାଇବାକୁ ପଡ଼ିବ। ନହେଲେ, ନ୍ୟାୟପାଳିକାର ଛାଟ ବାଜିବା ସୁନିଶ୍ଚିତ।
ଜାନକୀଶ ବଡ଼ପଣ୍ଡା
ଫୋ- ୯୪୩୮୨୯୯୦୩୭