ନିକଟରେ କେନ୍ଦ୍ର ସରକାର ୨୦୨୩-୨୪ର ଖରିଫ୍ ଋତୁ ପାଇଁ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ଦର (ଏମ୍ଏସ୍ପି) ଘୋଷଣା କରିଛନ୍ତି। ଦେଶର କୃଷକମାନଙ୍କୁ ସେମାନଙ୍କ ଉତ୍ପାଦନର ଲାଭଜନକ ଦର ଦିଆଯିବା ସହ ଫସଲର ବିବିଧକରଣ ପାଇଁ ସରକାର ଏହି ଘୋଣୋ କରିଛନ୍ତି ବୋଲି କୁହାଯାଇଛି। ତେବେ ସରକାରଙ୍କ ଘୋଷଣାଟି ନା କୃଷକ ପାଇଁ ଲାଭଜନକ ହୋଇଛି ନା ଫସଲର ବିବିଧକରଣ ପାଇଁ କୃଷକଙ୍କୁ ଉତ୍ସାହିତ କରୁଛି, ତାହା ଏକ ପ୍ରଶ୍ନ। ବରଂ ଏମ୍ଏସ୍ପିର ଏହି ସଦ୍ୟତମ ଘୋଷଣାଟି ଦେଶର କୋଟି କୋଟି କୃଷକଙ୍କୁ ନିରାଶ କରିଥିବା ବେଳେ ସରକାରଙ୍କ କୃଷକ ବିରୋଧି ଆଭିମୁଖ୍ୟକୁ ପୁଣି ଥରେ ଉଜାଗର କରିଛି। ବିଶେଷ କରି ଦେଶରେ କୃଷି ପାଇଁ ଆବଶ୍ୟକ ବିହନ, ସାର, କୀଟନାଶକ, ଜଳସେଚନ, ଡିଜେଲ, ବିଦ୍ୟୁତ୍ ଆଦି ଲାଗୁତିର ଦର ଗତ କିଛି ବର୍ଷ ଧରି ଲଗାତାର ଭାବେ ବଢ଼ି ଚାଲିଥିବା ବେଳେ ସରକାର ଫସଲର ସର୍ବନିମ୍ନ ମୂଲ୍ୟ ଘୋଷଣା କରିବା ବେଳେ ତାର ପ୍ରତିଫଳନ ଦେଖିବାକୁ ମିଳିନାହିଁ। ଏମ୍ଏସ୍ପିରେ ଏହି ସାମାନ୍ୟତମ ବୃଦ୍ଧି ବଜାରରେ ମୃଲ୍ୟବୃଦ୍ଧିର ହାରଠାରୁ ବି କମ୍ ଅଛି। ଗତ ନଅ ବର୍ଷ ମଧ୍ୟରେ କୃଷିରେ ଉତ୍ପାଦନ ଖର୍ଚ୍ଚ ୧୦୦%ରୁ ଅଧିକ ବଢ଼ିଥିବା ବେଳେ ସରକାରଙ୍କ ଘୋଷିତ ଏମ୍ଏସ୍ପିରେ କେବଳ ୬୦% ହିଁ ବୃଦ୍ଧି ଘଟିଛି।
୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ଶାସକ ଦଳ ପକ୍ଷରୁ ଦେଶର କୃଷକମାନଙ୍କୁ ଅନେକ ଲୋଭାଣିଆ ପ୍ରତିଶୃତି ଦିଆଯାଇଥିଲା। କ୍ଷମତାକୁ ଆସିଲେ ପାଞ୍ଚ ବର୍ଷ ମଧ୍ୟରେ କୃଷକଙ୍କ ଆୟକୁ ଦୁଇଗୁଣା କରିବାକୁ କୁହାଯାଇଥିଲା। ପରେ ଏହି ସମୟସୀମାକୁ ବୃଦ୍ଧି କରି ୨୦୨୨ ସୁଦ୍ଧା ଆୟକୁ ଦୁଇଗୁଣା କରିବାକୁ ଘୋଷଣା କରାଗଲା। ୨୦୧୫ଠାରୁ ୨୦୨୦ ପର୍ଯ୍ୟନ୍ତ ପ୍ରତିବର୍ଷ କମ୍ ସେ କମ୍ ବଜେଟ୍ ଉପସ୍ଥାପନ ସମୟରେ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଏହି ଦୁଇଗୁଣ କରିବାର ପ୍ରତିଶୃତିକୁ ଦୃଢ଼ କଣ୍ଠରେ ଘୋଷଣା କରୁଥିଲେ। ଏହା ସହିତ କ୍ଷମତାକୁ ଆସିଲେ ବୈଜ୍ଞାନିକ ଏମ୍ ଏସ୍ ସ୍ୱାମୀନାଥନଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନର ସୁପାରିଶ ଅନୁଯାୟୀ ସି-୨ + ୫୦% ନିୟମରେ ଅର୍ଥାତ୍ ମୋଟ ଉତ୍ପାଦନ ଖର୍ଚ୍ଚ ସହିତ ତା’ର ୫୦%କୁ ଯୋଡ଼ି ସର୍ବନିମ୍ନ ସହାୟକ ଦର (ଏମ୍ଏସ୍ପି) ଧାର୍ଯ୍ୟ କରିବାକୁ ଘୋଷଣା କରାଯାଇଥିଲା। କିନ୍ତୁ ଗତ ନଅ ବର୍ଷର ଶାସନ କାଳରେ ଏହି ଘୋଷଣା ଆଉ ଏକ ଜୁମଲାରେ ପରିଣତ ହୋଇଯାଇଛି। ସରକାର କୌଣସି ଗୋଟିଏ ବି ଫସଲର ଏମ୍ଏସ୍ପିକୁ ସ୍ୱାମୀନାଥନ୍ କମିଶନର ସୁପାରିଶ ପ୍ରକାରେ ସ୍ଥିର କରିନାହାନ୍ତି।
ଧାନର ଏମ୍ଏସ୍ପି ଗତ ବର୍ଷ କ୍ୱିଣ୍ଟାଲ ପିଛା ୨୦୪୦ ଟଙ୍କା ଥିବା ବେଳେ ଚଳିତ ବର୍ଷ ସରକାର ସେଥିରେ ମାତ୍ର ୭% ବୃଦ୍ଧି କରି ୨୧୮୩ ଟଙ୍କା କରିଛନ୍ତି। ସେହିପରି ଗତବର୍ଷ ତୁଳନାରେ ମକା ଫସଲରେ ମାତ୍ର ୬.୫%, ହରଡ଼ ଡ଼ାଲିରେ ୬%, ବିରିରେ ୫.୩%, କପାରେ ମାତ୍ର ୮.୯% ସୂର୍ଯ୍ୟମୁଖୀରେ ୫.୬%, ଚିନାବାଦାମରେ ୯% ଏବଂ ମୁଗ ଡାଲିରେ ୧୦.୪% ବୃଦ୍ଧି କରିଛନ୍ତି। ଦେଶରେ ଉପରୋକ୍ତ ସମସ୍ତ ଫସଲର ଉତ୍ପାଦନ ଖର୍ଚ୍ଚରେ ଗତ ଏକ ବର୍ଷ ମଧ୍ୟରେ ହୋଇଥିବା ବୃଦ୍ଧି ତୁଳନାରେ ସେସବୁର ଏମ୍ଏସପିରେ ବୃଦ୍ଧିର ହାର ବହୁତ କମ୍ ରହିଛି। ଏପରିକି ସରକାରଙ୍କ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଖର୍ଚ୍ଚ ଓ ମୂଲ୍ୟ ନିର୍ଦ୍ଧାରଣ ପାଇଁ ରହିଥିବା କମିଶନର ହିସାବ ଅନୁଯାୟୀ ଫସଲର ଉତ୍ପାଦନ ଖର୍ଚ୍ଚ ଏବଂ ରାଜ୍ୟ ସରକାରମାନଙ୍କ କୃଷି ବିଭାଗ ଦ୍ୱାରା କରାଯାଉଥିବା ଫସଲର ଉତ୍ପାଦନ ଖର୍ଚ୍ଚରେ ମଧ୍ୟ ଏକ ବଡ଼ ଫରକ ଦେଖିବାକୁ ମିଳୁଛି। ଉଭୟଙ୍କ ଦ୍ୱାରା ନିର୍ଦ୍ଧାରିତ ଉତ୍ପାଦନ ଖର୍ଚ୍ଚ କୃଷକଙ୍କ ପ୍ରକୃତ ଉତ୍ପାଦନ ଖର୍ଚ୍ଚ ତୁଳନାରେ ବି କମ୍ ରହିଥିବା ଦେଖାଯାଇଛି।
ସରକାର ବାଜରାର ଉତ୍ପାଦନ ଖର୍ଚ୍ଚ ତୁଳନାରେ ତା’ର ସର୍ବନିମ୍ନ ସହାୟକ ଦର ୮୨% ଏବଂ ଅନ୍ୟ ସବୁ ଫସଲରେ ୫୦% ବା ଅଧିକ ଦେଉଛନ୍ତି ବୋଲି ଦାବି କରିଛନ୍ତି। ସ୍ୱାମୀନାଥନ୍ କମିଶନଙ୍କ ସୁପାରିଶ ପ୍ରକାରେ ସି-୨ + ୫୦% ଆଧାରରେ ଏହି ଏମ୍ଏସପି ଧାର୍ଯ୍ୟ କରାଯାଇଛି ବୋଲି କୁହାଯାଇଛି। କିନ୍ତୁ ବାସ୍ତବତା ହେଲା, ଫସଲର ଉତ୍ପାଦନ ଖର୍ଚ୍ଚ ନିର୍ଦ୍ଧାରଣ କରିବାରେ କୌଣସି ପ୍ରକାର ପାରଦର୍ଶିତା ଅବଲମ୍ବନ କରିବା ଦେଖାଯାଇନି। ସରକାରଙ୍କ କୃଷିଜାତ ଦ୍ରବ୍ୟ ମୂଲ୍ୟ ନିର୍ଦ୍ଧାରଣ କମିଶନ ଧାନର କ୍ୱିଣ୍ଟାଲ ପିଛା ଉତ୍ପାଦନ ଖର୍ଚ୍ଚ ୧୮୫୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ବିଭିନ୍ନ ଅଧ୍ୟୟନରୁ ତାହା ୨୬୦୦ ଟଙ୍କାରେ ପହଂଚିଥିବା ଜଣାପଡ଼ିଛି। ସ୍ୱାମୀନାଥନ୍ କମିଶନର ସୁପାରିଶ ପ୍ରକାରେ ଧାନର କ୍ୱିଂଟାଲ ପିଛା ସର୍ବନିମ୍ନ ମୂଲ୍ୟ ଟ.୨୮୬୬.୫୦ ହେଉଥିବା ବେଳେ ସରକାରଙ୍କ ସଦ୍ୟତମ ଘୋଷଣାରେ ଧାନର ଏମ୍ଏସପି ୨୧୮୩ ଟଙ୍କା ଧାର୍ଯ୍ୟ କରାଯାଇଛି। ଅର୍ଥାତ୍ ଧାନ ଫସଲରେ କୃଷକକୁ କ୍ୱିଂଟାଲ ପିଛା ଟ.୬୪୩.୫ କ୍ଷତି ସହିବାକୁ ପଡ଼ୁଛି ଯାହାକି ତା’ର ପ୍ରାପ୍ୟ ତୁଳନାରେ ୨୨% କମ୍ ଅଟେ। ସେହିପରି ଗହମର କ୍ୱିଣ୍ଟାଲ ପିଛା ଉତ୍ପାଦନ ଖର୍ଚ୍ଚ ୧୬୦୦ ଟଙ୍କା ରହିଥିବା ବେଳେ ସ୍ୱାମୀନାଥନ୍ କମିଶନଙ୍କ ସୂତ୍ର ପ୍ରକାରେ ତା’ର ଏମ୍ଏସପି ୨୪୦୦ ହେବା କଥା। କିନ୍ତୁ ସରକାର ତା’ର ଏମ୍ଏସପି ୨୦୨୫ ଟଙ୍କା ଘୋଷଣା କରିଛନ୍ତି ଯାହାକି ୧୬% କମ୍ ରହିଛି। କେବଳ ଧାନ, ଗହମ ହିଁ ନୁହେଁ ହରଡ଼ ଡାଲି, ମୁଗ ଡାଲି, ବିରି, ରାଶି, କପା ଆଦି ଫସଲରେ ଏହି କ୍ଷତିର ପରିମାଣ କ୍ୱିଂଟାଲ ପିଛା ୨ରୁ ୩ ହଜାର ଟଙ୍କା ରହିଥିବା ଦେଖିବାକୁ ମିଳିଛି।
ବର୍ତ୍ତମାନ ଖରିଫ୍ ଋତୁ ପାଇଁ ଧାନଚାଷର ସମୟ ଆସୁଥିବା ବେଳେ ୟୁରିଆ ସାରର କଳାବଜାରୀ ନେଇ କୃଷକ ଚିନ୍ତାରେ ରହିଛନ୍ତି। ୪୫ କିଲୋ ବିଶିଷ୍ଟ ୟୁରିଆ ବସ୍ତାର ମୂଲ୍ୟ ୨୭୦ ଟଙ୍କା ଥିବା ବେଳେ କୃଷକମାନେ ୩୫୦ ଟଙ୍କାରୁ କମରେ କିଣିବା ଦେଖାଯାଉନି। ଅନ୍ୟ ପକ୍ଷରେ କିଛି ରାଜ୍ୟରେ ୟୁରିଆ ସହିତ ସେହି ସମାନ ପରିମାଣର ନାନୋ ୟୁରିଆ ମଧ୍ୟ କିଣିବାକୁ କୃଷକଙ୍କୁ ବାଧ୍ୟ କରାଯାଉଛି ଯାହାର କୌଣସି ପ୍ରାମାଣିତ ଉତ୍ପାଦକ ମୂଲ୍ୟ ଜଣାପଡ଼ିନି। ଏପରିକି ଦୋକାନୀମାନେ ୟୁରିଆ ବସ୍ତା ସହିତ ଏକ କିଲୋ ଜିଙ୍କ୍ ଏବଂ ସଲଫର୍ ମଧ୍ୟ କିଣିବାକୁ ବାଧ୍ୟ କରୁଛନ୍ତି। ୨୦୨୨ ପରଠାରୁ ଧାନର ବିହନ କିଲୋ ପିଛା ୬୫ ଟଙ୍କାରୁ ୧୦୦ ଟଙ୍କାକୁ ବୃଦ୍ଧି ପାଇଛି। ଡିଏପି ସାରର ବସ୍ତା ପିଛା ମୂଲ୍ୟ ବି ୧୨୦୦ ଟଙ୍କାରୁ ୧୪୦୦ ଟଙ୍କାକୁ ବୃଦ୍ଧି ପାଇଛି।
କେବଳ ବିହନ, ସାର ଓ କୀଟନାଶକ ନୁହେଁ, ଗତ ୯ ବର୍ଷ ମଧ୍ୟରେ ପେଟ୍ରୋଲ, ଡିଜେଲର ଦରବୃଦ୍ଧିର ଭାର ବି କୃଷକର ଉତ୍ପାଦନ ଖର୍ଚ୍ଚକୁ ପ୍ରଭାବିତ କରିଛି। ପେଟ୍ରୋଲର ଲିଟର ପିଛା ଦର ୬୬ ଟଙ୍କାରେ ୪୬% ବୃଦ୍ଧି ଘଟି ୯୬ ଟଙ୍କାରେ ପହଂଚିଥିବା ବେଳେ ଡିଜେଲର ଦର ୫୦ ଟଙ୍କାରେ ୮୦% ବୃଦ୍ଧି ଘଟି ୯୦ ଟଙ୍କାରେ ଯାଇ ପହଂଚିଛି। ଅନ୍ୟପଟେ ଧାନ ସମେତ ବିଭିନ୍ନ କୃଷିଜାତ ଦ୍ରବ୍ୟର ଏମ୍ଏସପିରେ ଏହି ଅବଧିରେ ଉତ୍ପାଦନ ଖର୍ଚ୍ଚର ବୃଦ୍ଧି ଦରଠାରୁ ବହୁତ କମ୍ ବୃଦ୍ଧି ଘଟିଛି। ଗତ ନଅ ବର୍ଷ ମଧ୍ୟରେ ଧାନର ଏମ୍ଏସପି ୧୩୬୦ ଟଙ୍କାରୁ ୨୧୮୩ ଟଙ୍କାକୁ ଅର୍ଥାତ୍ ପ୍ରାୟ ୬୦% ବୃଦ୍ଧି ଘଟିଥିବା ବେଳେ ଗହମର ଏମ୍ଏସପି ୧୪୦୦ ଟଙ୍କାରୁ ୩୭.୫% ବୃଦ୍ଧି ପାଇ ଏବେ ୨୦୨୫ ଟଙ୍କାରେ ପହଂଚିଛି। ସେହିପରି ହରଡ଼ ଡାଲିର ଏମ୍ଏସପି କ୍ୱିଣ୍ଟାଲ ପିଛା ୪୩୫୦ ଟଙ୍କାରୁ ୬୦.୯% ବୃଦ୍ଧି ପାଇ ୭୦୦୦ ଟଙ୍କାରେ ପହଂଚିଛି। ବିରିର ଏମ୍ଏସପି ୪୩୫୦ ଟଙ୍କାରୁ ୫୯.୮% ବୃଦ୍ଧି ପାଇ ୬୯୫୦ ଟଙ୍କାରେ ଯାଇ ପହଂଚିଛି। ଚିନାବାଦାମର ଏମ୍ଏସପି ୪୦୦୦ ଟଙ୍କାରୁ ୫୯.୪% ବୃଦ୍ଧି ପାଇ ୬୩୭୭ ଟଙ୍କାରେ ପହଂଚିଛି। ମୁଗର ଏମ୍ଏସପି ୪୬୦୦ରୁ ୮୬% ବୃଦ୍ଧି ପାଇ ୮୫୫୮ ଟଙ୍କାରେ ପହଂଚିଛି। କେବଳ ବାଜରାର ଏମ୍ଏସପିରେ ୧୦୦% ବୃଦ୍ଧି ପାଇ ୧୨୫୦ ଟଙ୍କାରୁ ୨୫୦୦ ଟଙ୍କାରେ ପହଂଚିଛି।
ଦେଶରେ ସରକାରଙ୍କ ଦ୍ୱାରା କୃଷିଜାତ ଦ୍ରବ୍ୟର ଉତ୍ପାଦନ ଖର୍ଚ୍ଚ ନିର୍ଦ୍ଧାରଣରେ କୃଷକମାନେ ସର୍ବ ପ୍ରଥମରେ ଠକାମୀର ଶିକାର ହୋଇଥାନ୍ତି। ସରକାରଙ୍କ ସିଏସିପିର ଉତ୍ପାଦନ ଖର୍ଚ୍ଚର ହିସାବ ସମ୍ପୃକ୍ତ ଫସଲର ପ୍ରକୃତ ଉତ୍ପାଦନ ଖର୍ଚ୍ଚଠାରୁ ଅନେକ କମ୍ ରହିଆସିଛି। ଦ୍ୱିତୀୟତଃ ସରକାର ଦେଶର ସବୁ ରାଜ୍ୟରେ ସବୁ କୃଷକଙ୍କଠାରୁ ଏମ୍ଏସପିରେ ଫସଲ କିଣାଯିବାର କୌଣସି ବ୍ୟବସ୍ଥା କରି ନଥିବାରୁ ଏମ୍ଏସପିର ଲାଭ ବି ସବୁ କୃଷକ ପାଇବାକୁ ସକ୍ଷମ ହୋଇପାରୁ ନାହାନ୍ତି। ନିକଟରେ ସୂର୍ଯ୍ୟମୁଖୀ ଫସଲକୁ ଏମ୍ଏସପିରେ କିଣିବାରେ ସରକାର ବିଫଳ ହେବାରୁ ହରିଆନାରେ ଏକ ବଡ଼ ଧରଣର କୃଷକ ଆନ୍ଦୋଳନ ମୁଣ୍ଡ ଟେକିଥିଲା। କୃଷକମାନେ ପ୍ରତିବାଦରେ ଦିଲ୍ଲୀ -ଅମୃତସର ଜାତୀୟ ରାଜପଥକୁ ଅବରୋଧ କରିଥିବା ବେଳେ ସରକାର ସେମାନଙ୍କ ଉପରେ ଭୟଙ୍କର ଲାଠିଚାଳନା ଓ ଗିରଫଦାରୀ କରିବା ଦେଖାଯାଇଥିଲା। ଅତଏବ ଏମ୍ଏସପି ନେଇ ସରକାରଙ୍କ ବଡ଼ ବଡ଼ ଦାବି ସତ୍ତ୍ୱେ ଦେଶର ସିଂହଭାଗ କୃଷକ ତା’ର ସୁଫଳ ନପାଇବା ସରକାରଙ୍କ ବିଫଳତାକୁ ଦର୍ଶାଉଛି। ୨୦୨୧-୨୨ର ତଥ୍ୟ ଅନୁଯାୟୀ ଦେଶର ମାତ୍ର ୧୧%ରୁ ଅଧିକ କୃଷକ ହିଁ ନିଜର ଧାନକୁ ଏମ୍ଏସପିରେ ବିକ୍ରି କରିବାକୁ ସକ୍ଷମ ହେଉଥିବା ବେଳେ ୧.୧୪% କାନ୍ଦୁଲ ଡାଲି, ୫.୦୭% ମୁଗ ଡାଲି, ୦.୨୧% ବିରି, ୨.୦୫% ଚିନାବାଦାମ୍ ଏବଂ ୦% ସୋୟାବିନ୍ ସରକାରଙ୍କୁ ନିର୍ଦ୍ଧାରିତ ଏମ୍ଏସପିରେ ବିକ୍ରି କରିବା ଜଣାପଡ଼ିଛି। ସେହିପରି ୨୦୨୨-୨୩ର ତଥ୍ୟ ଅନୁଯାୟୀ କାନ୍ଦୁଲ ଡାଲି, ବିରି ଓ ସୋୟାବିନର ଏମ୍ଏସପିରେ ସରକାରୀ ସଂଗ୍ରହ ୦% ହୋଇଥିବା ବେଳେ ମୁଗ କ୍ଷେତ୍ରରେ ତାହା ମାତ୍ର ୬.୩୯% ରହିଥିଲା। ଅର୍ଥାତ୍ ଏମ୍ଏସପି ନେଇ ସରକାରୀ ଘୋଷଣାର ଲାଭ ସବୁ କୃଷକଙ୍କ ପାଖରେ ପହଂଚିବା ପରିବର୍ତ୍ତେ ମାତ୍ର କିଛି ପ୍ରତିଶତ କୃଷକଙ୍କ ପାଖରେ ହିଁ ପହଂଚି ପାରୁଛି।
ଦେଶରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଖର୍ଚ୍ଚ ଆକାଶଛୁଆଁ ହୋଇ ଚାଲିଥିବା ବେଳେ ସରକାର ତାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଏପରିକି ତାରି ଅନୁପାତରେ ଫସଲର ଏମ୍ଏସପି ଦେବାରେ ବି ସରକାର ଏକଦମ୍ ବିଫଳ ହୋଇଛନ୍ତି। ଏଭଳି ପରିସ୍ଥିତି ଦେଶର ଅନ୍ନଦାତା କୁହାଯାଉଥିବା କୋଟି କୋଟି କୃଷକଙ୍କ ସମସ୍ୟାକୁ ସମାଧାନ କରିବାରେ ପୁଣିଥରେ ବିଫଳ ହେବାକୁ ଯାଉଛି। ବିଶେଷ କରି କ୍ଷୁଦ୍ର କୃଷକ, ନାମକୁ ମାତ୍ର କୃଷକ, ଭାଗଚାଷି ଓ ମଧ୍ୟମ କୃଷକ ଯେଉଁମାନେ କି ଦେଶର ସମୁଦାୟ କୃଷକ ଶ୍ରେଣୀର ଏକ ବଡ଼ ଭାଗ ସେମାନଙ୍କୁ ପୁଣିଥରେ କ୍ଷତିଗ୍ରସ୍ତ କରିବା ସହିତ ସେମାନଙ୍କୁ ଋଣର ଯନ୍ତା ଭିତରକୁ ଠେଲିବାକୁ ଯାଉଛି। ଅତଏବ ସରକାର ସବୁ କୃଷକଙ୍କ ସମସ୍ତ ଉତ୍ପାଦିତ କୃଷିଜାତ ଦ୍ରବ୍ୟର ସଂଗ୍ରହ ଏମ୍ଏସପି ଜରିଆରେ ନିଶ୍ଚିତ କରିବାକୁ ଏକ ଆଇନ ପ୍ରଣୟନ କରିବା ଜରୁରୀ ହୋଇପଡ଼ିଛି।
ଭାଲଚନ୍ଦ୍ର ଷଡ଼ଙ୍ଗୀ
ଫୋନ ନଂ - ୯୪୩୭୧୬୬୩୯୧