ଜଳବାୟୁର ସତର୍କ ପ୍ରହରୀ ଗ୍ରେଟା ଥୁନବର୍ଗ

ସରଳ କୁମାର ଦାସ “ଏ ସବୁ ଭୁଲ । ମୁଁ ଏଠି ଠିଆ ହେବା କଥା ନୁହେଁ। ଏଇ ମୁହୂର୍ତ୍ତରେ ମୁଁ ଦରିଆ ସେପାରି ମୋ ସ୍କୁଲରେ ଥିବା କଥା । ତଥାପି ତମେମାନେ ମୋ ପାଖକୁ ଆସିଛ ଆଶା ପାଇଁ ? ତମର ଏ ଦୁଃସାହସ ହେଲା କେମିତି ! ତମେ ତମ ଫମ୍ପା କଥାରେ ମୋ ସ୍ୱପ୍ନ, ମୋ ବାଲ୍ୟାବସ୍ଥାକୁ ହରଣ କରିଛ। ତଥାପି ମୁଁ ଅଳ୍ପ କିଛି ସୌଭାଗ୍ୟଶାଳୀଙ୍କ ଭିତରେ ଜଣେ। ଲୋକମାନେ […]

Greta

Subrat Kumar Nayak
  • Published: Friday, 24 April 2020
  • , Updated: 24 April 2020, 08:47 PM IST

ସରଳ କୁମାର ଦାସ

“ଏ ସବୁ ଭୁଲ । ମୁଁ ଏଠି ଠିଆ ହେବା କଥା ନୁହେଁ। ଏଇ ମୁହୂର୍ତ୍ତରେ ମୁଁ ଦରିଆ ସେପାରି ମୋ ସ୍କୁଲରେ ଥିବା କଥା । ତଥାପି ତମେମାନେ ମୋ ପାଖକୁ ଆସିଛ ଆଶା ପାଇଁ ? ତମର ଏ ଦୁଃସାହସ ହେଲା କେମିତି ! ତମେ ତମ ଫମ୍ପା କଥାରେ ମୋ ସ୍ୱପ୍ନ, ମୋ ବାଲ୍ୟାବସ୍ଥାକୁ ହରଣ କରିଛ। ତଥାପି ମୁଁ ଅଳ୍ପ କିଛି ସୌଭାଗ୍ୟଶାଳୀଙ୍କ ଭିତରେ ଜଣେ। ଲୋକମାନେ ଦୁଃଖକଷ୍ଟରେ ଅଛନ୍ତି। ଲୋକମାନେ ମରୁଛନ୍ତି। ସମଗ୍ର ଜୈବ ପରିବେଶ ଭୁଶୁଡ଼ି ପଡୁଛି। ଆମେ ଏବେ ଗଣ ନିଶ୍ଚିହ୍ନର ପାଦଦେଶରେ। ଆଉ ତମ ପାଖରେ ଟଙ୍କା ଓ ଅନନ୍ତ ସମୃଦ୍ଧିର ପରୀ କାହାଣୀ ଛଡା ଆଉ କଣ ବା କହିବାକୁ ଅଛି? ତମର ଏ ଦୁଃସାହସ ହେଲା କେମିତି! ... ତମେ ଆମକୁ ହତାଶ କରିଛ। କିନ୍ତୁ ଯୁବବର୍ଗ ତମର ଏଇ ପ୍ରତାରଣାକୁ ବୁଝିବା ଆରମ୍ଭ କରି ଦେଇଛି । ଭବିଷ୍ୟତ ବଂଶଧରଙ୍କ ନଜର ତମ ଉପରେ। ଆଉ ତମେ ଯଦି ଆମକୁ ହତାଶ କରିବାକୁ ଚେଷ୍ଟା କର, ତେବେ ମୁଁ କହୁଛି ଆମେ ତମକୁ କେବେହେଲେ କ୍ଷମା କରି ପାରିବୁନି।”

ସେପ୍ଟେମ୍ବର ୨୩, ୨୦୧୯ରେ ଜାତିସଂଘର ଜଳବାୟୁ ଶୀର୍ଷ ସମ୍ମିଳନୀରେ ଇଏ ଥିଲା ଷୋହଳ ବର୍ଷୀୟା ଝିଅ ତଥା ଜଳବାୟୁ ଆନ୍ଦୋଳନର ପ୍ରତୀକ ଗ୍ରେଟା ଥୁନବର୍ଗର ବିଶ୍ୱ ନେତାଙ୍କ ଉଦ୍ଦେଶ୍ୟରେ ଓଜସ୍ୱିନୀ ଭାଷଣ ମାଧ୍ୟମରେ ଚେତାବନୀ । ତାର ଏହି ଭାଷଣରେ ସମଗ୍ର ବିଶ୍ୱର ନେତାମାନେ ସ୍ତବ୍ଧ ହୋଇ ଯାଇଥିଲେ।

ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ୨୦୦୩ ମସିହାରେ ଜନ୍ମିତ ଗ୍ରେଟା ଥୁନବର୍ଗର ବାପା ଜଣେ ଅଭିନେତା ଓ ମାଆ ଜଣେ ଗାୟିକା। ତାକୁ ଯେତେବେଳେ ଆଠ ବର୍ଷ ସେତେବେଳେ ପ୍ରଥମ କରି ସେ ଜଳବାୟୁ ପରିବର୍ତ୍ତନର କୁପରିଣାମ ସମ୍ପର୍କରେ ଶୁଣିଥିଲା । ହେଲେ ଏତେ ବଡ଼ ସମସ୍ୟାଟିର ସମାଧାନ କରିବା ପାଇଁ କାହିଁକି ଯେ ବିଶେଷ କିଛି କରାଯାଉନାହିଁ, ତାହା ସେ ବୁଝି ପାରୁ ନଥିଲା । ତିନି ବର୍ଷ ପରେ ତାଠାରେ ‘ଆସପରଜର ଲକ୍ଷଣ’ ନାମକ ଏକ ରୋଗ ଦେଖା ଦେଲା। ଫଳରେ ସେ ଅବସାଦଗ୍ରସ୍ତ, ଅଳସୁଆ ହେବା ସହ କାହା ସହିତ କଥା ହେଲା ନାହିଁ କି ତାର ଖାଇବା ପିଇବାରେ ଠିକ ଠିକଣା ରହିଲା ନାହିଁ । କୌଣସି ବିଷୟକୁ ନେଇ ଅତ୍ୟଧିକ ଗମ୍ଭୀରତାର ସହ ଭାବି ହେଲେ କେହି କେହି ଏହି ଧରଣର ରୋଗର ଶିକାର ହୋଇଥାନ୍ତି ବୋଲି କୁହାଯାଏ । କିନ୍ତୁ ଏହି ରୋଗକୁ ଗ୍ରେଟା ନିଜର ଦୁର୍ବଳତା ବୋଲି ନ ମଣି ‘ସୁପର ପାଓାର’ ବୋଲି ଧରିନେଲା।

ପୃଥିବୀରେ ଶକ୍ତିର ଆବଶ୍ୟକତାକୁ ପୂରଣ କରିବା ପାଇଁ କାଠ, କୋଇଲା, ପେଟ୍ରୋଲ, ଡିଜେଲ ଭଳି ଜୀବାଶ୍ମ ଜାଳେଣିର ଯେତେ ଅଧିକ ବ୍ୟବହାର ହୋଇଥାଏ, ବାୟୁମଣ୍ଡଳ ସେତେ ବେଶି ଉତ୍ତପ୍ତ ହୋଇଥାଏ । କାରଣ ଏହି ଜାଳେଣିରୁ ନିର୍ଗତ ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ କ୍ରମଶଃ ଏକ ବହଳ ଆସ୍ତରଣ ସୃଷ୍ଟି କରି ଚାଲିଥାଏ ଯାହାକୁ ଭେଦି ପୃଥିବୀରୁ ବିକୀରଣ ହେଉଥିବା ଉତ୍ତାପ ବାହାରି ଯାଇ ନ ପାରି ପୃଥିବୀ ସଂଲଗ୍ନ ବାୟୁମଣ୍ଡଳରେ ଆବଦ୍ଧ ହୋଇଯାଏ । ଫଳରେ ଉତ୍ତାପ ବୃଦ୍ଧି ପାଇଥାଏ। ଏହା ହିଁ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ। ଏହି ଜଳବାୟୁ ପରିବର୍ତ୍ତନ ଯୋଗୁ ଆଣ୍ଟାର୍କଟିକା, ଆର୍କଟିକ, ହିମାଳୟ ଆଦି ସ୍ଥାନରେ ଥିବା ହିମପ୍ରବାହଗୁଡିକ ତରଳି ସମୁଦ୍ରର ଜଳସ୍ତର ବଢୁଛି । ଫଳରେ ଅଚିରେ ଅନେକ ଗାଁ ଗଣ୍ଡା, ସହର, ନଗର, ଦ୍ୱୀପ ସମୁଦ୍ର ଗର୍ଭରେ ବିଲୀନ ହେବାର ଆଶଙ୍କା ଦେଖା ଦେଇଛି । ସେହିପରି କେଉଁଠି ମରୁଡ଼ି ହେଉଛି ତ କେଉଁଠି ଅଦିନରେ ବର୍ଷା ହୋଇ ବନ୍ୟା ହେଉଛି । କେଉଁଠି ପୁଣି ‘ଫଣି’ ଭଳି ବାତ୍ୟା ହୋଇ ଅନେକ କ୍ଷତି ଘଟାଉଛି । ଜଳବାୟୁ ପରିବର୍ତ୍ତନର ଚାଷ ଉପରେ ମଧ୍ୟ ଅନେକ ଖରାପ ପ୍ରଭାବ ପଡିଥାଏ । ଜୀବାଶ୍ମ ଜାଳେଣିର ବ୍ୟବହାର ଅଧିକ ହେଲେ ଅଙ୍ଗାରକାମ୍ଳ ପଦଚିହ୍ନ ଅଧିକ ହୋଇ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି ପାଇଥାଏ । ଏ କଥାକୁ ବୁଝିଲା ପରେ ଗ୍ରେଟା ପ୍ରଥମେ ନିଜ ପରିବାର ସ୍ତରରେ କିପରି ଜୀବାଶ୍ମ ଜାଳେଣିର ବ୍ୟବହାରକୁ କମ କରି ହେବ ସେଥିପାଇଁ ଦୁଇ ବର୍ଷ ଧରି ନିଜ ବାପାମାଆଙ୍କୁ ବୁଝାଇବାକୁ ଚେଷ୍ଟା କରି ଶେଷରେ ସଫଳ ହେଲା। ତାଙ୍କ ପରିବାରର ସମସ୍ତେ ଆମିଷ ଖାଦ୍ୟ ପରିତ୍ୟାଗ କରି ସମ୍ପୂର୍ଣ୍ଣ ନିରାମିଷାସୀ ହୋଇଗଲେ । ବିମାନରେ ଯାତ୍ରା କରିବା ମଧ୍ୟ ଛାଡ଼ି ଦେଲେ। ଏଥିରେ ଗାୟିକା ଭାବେ ଗ୍ରେଟାର ମାଆଙ୍କ ଅନ୍ତର୍ଜାତିକ ପେଷା ବାଧାପ୍ରାପ୍ତ ହେଲେ ମଧ୍ୟ ସେ ତାଙ୍କ ଝିଅର କଥାକୁ ମାନିନେଲେ। ନିଜ ପିତାମାତାଙ୍କର ଜୀବନଶୈଳୀରେ ପରିବର୍ତନ ଆଣି ପାରିଥିବାରୁ ସେ ଉତ୍ସାହିତ ହେଲା ଓ ଜଳବାୟୁ ପରିବର୍ତ୍ତନକୁ ନେଇ ଅଧିକ କିଛି କରି ହେବ ବୋଲି ତାଠାରେ ଆଶା ଓ ବିଶ୍ୱାସ ଜନ୍ମିଲା।

ଏତିକି ବେଳେ ୨୦୧୮ ମସିହା ମେ ମାସରେ ସ୍ୱିଡେନର ଏକ ସମ୍ବାଦପତ୍ର ତରଫରୁ ଜଳବାୟୁ ପରିବର୍ତନ ବିଷୟ ଉପରେ ସ୍କୁଲ ପିଲାଙ୍କୁ ନେଇ ଏକ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଗ୍ରେଟା ଲେଖିଥିବା ପ୍ରବନ୍ଧଟି କେବଳ ଯେ ପ୍ରଥମ ସ୍ଥାନ ଅଧିକାର କରିଥିଲା ତାହା ନୁହେଁ, ଏହା ଏତେ ଉଚ୍ଚକୋଟିର ହୋଇଥିଲା ଯେ ସେଇଟି ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା। ପ୍ରବନ୍ଧଟି ସ୍ୱିଡେନରେ ଜଳବାୟୁ ପରିବର୍ତନ କ୍ଷେତ୍ରରେ କାମ କରୁଥିବା ‘ବୋ ଥରେନ’ ନାମକ ଏକ ଗୋଷ୍ଠୀର ଦୃଷ୍ଟି ଆକର୍ଷଣ କଲା ଓ ସେମାନେ ଗ୍ରେଟା ସହ ଯୋଗାଯୋଗ କଲେ। ସେ ମଧ୍ୟ କିଛି ବୈଠକରେ ଯୋଗ ଦେଲା। ସେଠାରେ ସ୍କୁଲ ପିଲାମାନେ ବି ଜଳବାୟୁ ସୁରକ୍ଷା ପାଇଁ ଧାରଣା ପ୍ରଦର୍ଶନ କରି ପାରିବେ ବୋଲି ମତ ପ୍ରକାଶ ପାଇବା ପରେ ଗ୍ରେଟା ଏ ସଂକ୍ରାନ୍ତରେ ତାଙ୍କ ସାଙ୍ଗମାନଙ୍କୁ କହିଲା। ହେଲେ ଧାରଣାରେ ଯୋଗ ଦେବା ତ ଦୂରର କଥା ଏଥି ପ୍ରତି ତାର କୌଣସି ସାଙ୍ଗ ଆଗ୍ରହ ବି ଦେଖାଇଲେ ନାହିଁ। ଏଥିରେ ବିଚଳିତ ନ ହୋଇ ସେ ଏକୁଟିଆ ଧାରଣା ପ୍ରଦର୍ଶନ କରିବା ପାଇଁ ସ୍ଥିର କଲା। ଏଥି ପୂର୍ବରୁ ଆମେରିକାର ଫ୍ଲୋରିଡାସ୍ଥିତ ଏକ ସ୍କୁଲରେ ଫେବୃଆରୀ ୨୦୧୮ରେ ହୋଇଥିବା ଗଣହତ୍ୟା ଓ ବନ୍ଧୁକ ହିଂସା ପ୍ରତିବାଦରେ ସ୍କୁଲ ପିଲାମାନେ ଧାରଣା ପ୍ରଦର୍ଶନ କରିଥିଲେ। ଏହି ଘଟଣାର ଗ୍ରେଟା ଉପରେ ଯଥେଷ୍ଟ ପ୍ରଭାବ ପଡ଼ିଥିଲା। ବିଶେଷ ପରିସ୍ଥିତିରେ ସମାଜର ଉପକାରରେ ଆସିଲା ଭଳି କୌଣସି କାମ ଲାଗି ସ୍କୁଲ ପିଲାମାନେ ମଧ୍ୟ ଧାରଣା ପ୍ରଦର୍ଶନ କରିବାରେ କିଛି କ୍ଷତି ନାହିଁ ବୋଲି ତାର ବିଶ୍ୱାସ ଦୃଢ ହେଲା ।

୨୦୧୮ ମସିହା ଅଗଷ୍ଟ ମାସ ୨୦ ତାରିଖ ଦିନ ନବମ ଶ୍ରେଣୀରେ ପଢୁଥିବା ଗ୍ରେଟା ସ୍କୁଲକୁ ନ ଯାଇ ସ୍ୱିଡେନର ସଂସଦ ‘ରିକସଡାଗ’ ଆଗରେ ହାତରେ ‘ଜଳବାୟୁ ପାଇଁ ସ୍କୁଲ ଧାରଣା’ ନାମକ ଏକ ପ୍ରାଚୀରପତ୍ର ଧରି ଏକୁଟିଆ ବସି ରହିଲା । ସେପ୍ଟେମ୍ବର ୯ ତାରିଖରେ ସ୍ୱିଡେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ଯାଏଁ ସେ ପ୍ରତିଦିନ ସେମିତି କରି ଚାଲିଲା । ଉଦ୍ଦେଶ୍ୟ ଥିଲା, ଦେଶରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳକୁ କମ କରିବା ପାଇଁ କଡା ପଦକ୍ଷେପ ଗ୍ରହଣ କରିବା ଲାଗି ସ୍ୱିଡେନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା । ସେହି ବାଟ ଦେଇ ଯାଉଥିବା ଲୋକମାନଙ୍କୁ ଖଣ୍ଡେ ଖଣ୍ଡେ କାଗଜ ବଢାଇ ଦେଉଥିଲା ଯେଉଁଥିରେ ଲେଖା ଥିଲା, ‘ମୋତେ ଏହା କରିବାକୁ ହେଉଛି କାରଣ ଆପଣ ବଡମାନେ ଆମର ଭବିଷ୍ୟତକୁ ନଷ୍ଟ କରି ଦେଇଛନ୍ତି ।’ ତାକୁ ଯେତେବେଳେ ପଚରା ଯାଉଥିଲା ସେ ସ୍କୁଲକୁ ନ ଯାଇ ସଂସଦ ଆଗରେ କାହିଁକି ବସି ରହୁଛି ବୋଲି, ତାର ଉତ୍ତ ଥିଲା, ‘ଜଳବାୟୁ ପରିବର୍ତନର ବିଭୀଷିକାରେ ଯଦି ସାରା ବିଶ୍ୱ ଧ୍ୱଂସ ପାଇଯିବ ତାହାହେଲେ ମୋର ପାଠ ପଢି ଲାଭ କଣ । ବରଂ ଆମକୁ ପ୍ରଥମେ ଆମ ପୃଥିବୀକୁ ରକ୍ଷା କରିବାକୁ ହେବ ।’ ପ୍ରଥମେ ପ୍ରଥମେ ଗ୍ରେଟାର ବାପା ଓ କିଛି ଶିକ୍ଷକ ସ୍କୁଲକୁ ନ ଯାଇ ତାର ଧାରଣାରେ ବସି ରହିବାକୁ ଗ୍ରହଣ କରି ପାରୁ ନଥିଲେ ବି ପରେ ସେମାନଙ୍କ ମତ ପରିବର୍ତ୍ତନ ହୋଇଥିଲା । ସ୍ୱିଡେନରେ ନିର୍ବାଚନ ସରିବା ପରେ ସେ କେବଳ ପ୍ରତି ଶୁକ୍ରବାର ଦିନ ଏହି ଧାରଣାରେ ବସିଲା । ଚାହୁଁ ଚାହୁଁ ସାମାଜିକ ଗଣମାଧ୍ୟମ ଜରିଆରେ ଗ୍ରେଟାର ଆନ୍ଦୋଳନ ଲକ୍ଷ ଲକ୍ଷ ଲୋକଙ୍କ ଧ୍ୟାନ ଆକର୍ଷଣ କଲା । ବିଶ୍ୱର ବିଭିନ୍ନ ସ୍ଥାନରେ ସ୍କୁଲ ପିଲାମାନେ ଓ ଲୋକେ ଗ୍ରେଟାର ଏହି ଉଦ୍ୟମରେ ଅନୁପ୍ରାଣିତ ହୋଇ ପ୍ରତି ଶୁକ୍ରବାର ଦିନ ଜଳବାୟୁ ଧର୍ମଘଟମାନ କରିବାକୁ ଲାଗିଲେ, ଯାହା ପରବର୍ତ୍ତୀ ସମୟରେ ‘ଫ୍ରାଇଡେଜ୍‌ ଫର ଫ୍ୟୁଚର’ ବା ‘ଭବିଷ୍ୟତ ପାଇଁ ଶୁକ୍ରବାର’ ଆନ୍ଦୋଳନ ଭାବେ ଖ୍ୟାତ ହେଲା ।

ସ୍ୱିଡେନ୍‌ରେ ୧୬ ବର୍ଷ ଯାଏଁ ସ୍କୁଲରେ ପାଠପଢା ବାଧ୍ୟତାମୂଳକ ହୋଇଥିବାରୁ ଗ୍ରେଟା ବର୍ଷେ ଛୁଟି ନେଇ ବିଶ୍ୱ ବ୍ୟାପି ଅନୁଷ୍ଠିତ ହେଉଥିବା ଜଳବାୟୁ ସଂକ୍ରାନ୍ତୀୟ ସମ୍ମିଳନୀଗୁଡିକରେ ଯୋଗ ଦେବାକୁ ଘୋଷଣା କଲା । ସେହି କ୍ରମରେ ଆମେରିକାର ନିଉୟର୍କ ଓ ଚିଲିର ରାଜଧାନୀ ସାଂଟିଆଗୋଠାରେ ସେପ୍ଟେମ୍ବର ୨୦୧୯ରେ ଅନୁଷ୍ଠିତ ହେଉଥିବା ଜଳବାୟୁ ସମ୍ମିଳନୀଗୁଡିକରେ ଯୋଗ ଦେବା ପାଇଁ ଗ୍ରେଟା ବିମାନର ବ୍ୟବହାର ନ କରି ସୌର ଚାଳିତ ନୌକା ଯୋଗେ ଯାଇଥିଲା । ଇଂଲଣ୍ଡର ପ୍ଲାଏମାଉଥରୁ ବାହାରି ସମୁଦ୍ର ପଥରେ ପ୍ରାୟ ୩୫୦୦ ନଟିକାଲ ମାଇଲ ଅତିକ୍ରମ କରି ନିଉୟର୍କରେ ପହଂଚିବା ପାଇଁ ତାକୁ ପନ୍ଦର ଦିନ ଲାଗିଗଲା । କେବଳ କଥାରେ ନୁହେଁ କାମରେ କରି ଦେଖାଇଥିବାରୁ ତାର ସାହସ ସହିତ ଜଳବାୟୁ ସଂରକ୍ଷଣ ପ୍ରତି ଥିବା ନିଷ୍ଠା ଉଚ୍ଚ ପ୍ରଶଂସିତ ହୋଇଥିଲା ।

ଜଳବାୟୁକୁ ପ୍ରସଙ୍ଗ କରି ଗ୍ରେଟା ଧାରଣାରେ ବସିବା ପରଠାରୁ ପୃଥିବୀର ବିଭିନ୍ନ ଦେଶରେ ଅନେକ ସମବୟସୀ ସ୍କୁଲ ପିଲାମାନେ ପ୍ରେରଣା ପାଇଛନ୍ତି । ତାର ‘ଜଳବାୟୁ ପାଇଁ ସ୍କୁଲ ଧର୍ମଘଟ’ ଆନ୍ଦୋଳନରେ ଅନୁପ୍ରାଣିତ ହୋଇ ବିଶ୍ୱର ପ୍ରାୟ ୧୨୫ଟି ଦେଶର ୬୦ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସ୍ଥାନରେ ଜଳବାୟୁ ସୁରକ୍ଷା ପାଇଁ ପ୍ରଦର୍ଶନ କରି ସାରିଲେଣି, ଯେଉଁଥିରେ ହଜାର ହଜାର ସଂଖ୍ୟାରେ ସ୍କୁଲ ପିଲାମାନେ ଅଂଶ ଗ୍ରହଣ କରିଛନ୍ତି । ଦିଲ୍ଲୀରେ ପ୍ରାୟ ଦୁଇ ହଜାର ଛାତ୍ରଛାତ୍ରୀ ଦେଶରେ ତୁରନ୍ତ ଏକ ଜଳବାୟୁ ସଂକ୍ରାନ୍ତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଦାବି ଜଣାଇ ସାରିଲେଣି । ସାରା ବିଶ୍ୱରେ ଜଳବାୟୁ ସଙ୍କଟ ଉପରେ ଶିଶୁସାହିତ୍ୟର ପ୍ରକାଶନ ଦୁଇ ଗୁଣ ହୋଇଯାଇଛି । ଏକ ସର୍ଭେ ଅନୁଯାୟୀ ବ୍ରିଟେନରେ ସାଧାରଣ ଲୋକଙ୍କ ମଧ୍ୟରେ ପରିବେଶକୁ ନେଇ ଚିନ୍ତା ଆଶାତୀତ ଭାବେ ବୃଦ୍ଧି ପାଇଛି । ସ୍ୱିଡେନରେ ବିମାନଯାତ୍ରା କମ ହୋଇ ରେଳଗାଡିରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ଆଠ ପ୍ରତିଶତ ବଢିଯାଇଛି । ଏହି ଆନ୍ଦୋଳନକୁ ଆହୁରି ଆଗକୁ ନେବା ପାଇଁ ଅନେକ ବଦାନ୍ୟ ବ୍ୟକ୍ତି ମଧ୍ୟ ଆଗ୍ରହ ପ୍ରକାଶ କରି ଲକ୍ଷ ଲକ୍ଷ ଡଲାର ଆର୍ଥିକ ସହାୟତା ପ୍ରଦାନ କରି ସାରିଲେଣି । ବିଭିନ୍ନ ଦେଶର ରାଜନେତାଙ୍କଠାରେ ଜଳବାୟୁ ପରିବର୍ତନକୁ ନେଇ ଅଧିକ ସମ୍ବେଦନଶୀଳତା ପରିଲକ୍ଷିତ ହେଉଛି । ଉପରୋକ୍ତ ସବୁ କିଛି ଘଟଣା ‘ଗ୍ରେଟା ପ୍ରଭାବ’ ଯୋଗୁ ହୋଇଛି ବୋଲି କୁହାଯାଉଛି ।

ଗ୍ରେଟା ମାତ୍ର ଗୋଟିଏ ବର୍ଷ ମଧ୍ୟରେ ବିଶ୍ୱବିଖ୍ୟାତ ହୋଇଗଲା । ୨୦୧୯ ମସିହା ମେ ମାସରେ ପ୍ରସିଦ୍ଧ ‘ଟାଇମ’ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ଗ୍ରେଟାର ଫଟୋ ପ୍ରକାଶ ପାଇବା ସହ ତାକୁୁ ବିଶ୍ୱର ପର ପିଢିର ନେତା ଭାବେ ଚିତ୍ରଣ କରାଯାଇଥିଲା । ଏହା ପରେ ସେ ସମସ୍ତଙ୍କ ଦୃଷ୍ଟି ଅଧିକ ଆକର୍ଷଣ କରିଥିଲା । ‘ଟାଇମ’ ପତ୍ରିକା ପ୍ରସ୍ତୁତ କରିଥିବା ବିଶ୍ୱର ଏକ ଶହ ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସେ ସ୍ଥାନ ପାଇଛି । ତା ଉପରେ ‘ମେକ ଦି ଓାର୍ଲ୍ଡ ଗ୍ରେଟା ଏଗେନ’ ନାମକ ଏକ ତିରିଶ ମିନିଟର ସିନେମା ତିଆରି ହୋଇଛି । ସେ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇ ସାରିଲାଣି । ୨୦୧୯ରେ ତାକୁୁ ‘ରାଇଟ ଲାଇଭଲିହୁଡ୍‌ ପୁରସ୍କାର’, ଯାହାକୁ ‘ବିକଳ୍ପ ନୋବେଲ ପୁରସ୍କାର’ ବୋଲି କୁହାଯାଇଥାଏ, ପ୍ରଦାନ କରାଯାଇଛି । ଏପରିକି ୨୦୧୯ ବର୍ଷ ପାଇଁ ତା ନାମ ଶାନ୍ତିରେ ନୋବେଲ ପୁରସ୍କାର ଲାଗି ମନୋନୀତ ହୋଇଥିଲା ।

ଗ୍ରେଟା ଏତେ କମ ବୟସରେ ଏତେ ବଡ କଥା ଚିନ୍ତା କରି ପାରିବା ଏବଂ ସେଥିପାଇଁ ନିରନ୍ତର କାମ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବା, ବାସ୍ତବିକ ଏକ ବିରଳ ଉପଲବ୍ଧି । ତେବେ ସେ ପ୍ରମାଣ କରି ସାରିଛି ଯେ ସାନ ପିଲାମାନେ ଚାହିଁଲେ ସେମାନେ ବି ଜଳବାୟୁ ପରିବର୍ତନ ସମସ୍ୟାକୁ କମ କରିବା ଦିଗରେ ଗୁଣ୍ଡୁଚି ମୂଷା ଭଳି ଯୋଗଦାନ ଦେଇପାରିବେ । ତମେମାନେ ବି ଏଥିପାଇଁ ଛୋଟ ଛୋଟ ଉଦ୍ୟମ କରିପାରିବ, ଯେମିତି କେହି ନଥିବା ସମୟରେ ଜଳୁଥିବା ଆଲୁଅ ଓ ଘୂରୁଥିବା ପଙ୍ଖାର ସୁଇଚକୁ ବନ୍ଦ କରିବା, କେହି ଟିଭି ଦେଖୁ ନଥିଲେ ବା କମ୍ପ୍ୟୁଟରରେ କାମ କରୁ ନଥିଲେ ସେଗୁଡିକୁ ବନ୍ଦ କରି ବିଦ୍ୟୁତ ଶକ୍ତି ସଞ୍ଚୟ କରିବା ଇତ୍ୟାଦି । ଯେଉଁ ଜାଗାଗୁଡ଼ିକୁ ଚାଲି କରି ବା ସାଇକେଲରେ ଯାଇ ହେବ, ସେଥିପାଇଁ ଗାଡ଼ିର ବ୍ୟବହାର ନ କଲେ ଭଲ । ସେହିପରି ଆମିଷ ଖାଦ୍ୟ ଛାଡି ନିରାମିଷାସୀ ହୋଇ ପାରିଲେ ସବୁଠାରୁ ଭଲ, କାରଣ ଆମିଷ ଖାଦ୍ୟ ଉତ୍ପାଦନରେ ଅଧିକ ଶକ୍ତିର ଆବଶ୍ୟକତା ହୋଇଥାଏ । ଯଦି ଆମିଷ ଖାଦ୍ୟ ଛାଡିବା ପୂରା ସମ୍ଭବ ହେଉନାହିଁ, ତେବେ ସପ୍ତାହରେ ଅନ୍ତତଃ ପକ୍ଷେ ଗୋଟିଏ ଦିନ ଛାଡି ପାରିଲେ ଭଲ । ଖାଦ୍ୟକୁ ଆଦୌ ନଷ୍ଟ ହେବାକୁ ଦେବ ନାହିଁ ଓ ଯଥାସମ୍ଭବ ପ୍ୟାକେଟ ଖାଦ୍ୟ ଗ୍ରହଣ ନ କଲେ ଭଲ, କାରଣ ଏହାଦ୍ୱାରା ଅନେକ ଶକ୍ତି ସଞ୍ଚୟ କରାଯାଇପାରିବ । ଜଳବାୟୁ ପରିବର୍ତ୍ତନ ତାର ଅଧିକ ଭୟଙ୍କର ରୂପ ଦେଖାଇବା ପୂର୍ବରୁ ତାକୁ ହରାଇବାକୁ ହେଲେ, ପିଲାମାନେ ତମମାନଙ୍କୁ ସେ ନେଇ ସଚେତନ ହୋଇ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ହେବ ଓ ଗ୍ରେଟା ଥୁନବର୍ଗ ପରି ଜଳବାୟୁର ଜଣେ ଜଣେ ସତର୍କ ପ୍ରହରୀ ସାଜିବାକୁ ହେବ । କାରଣ ପରିବର୍ତ୍ତନ ଆଣିବା ପାଇଁ କେହି ବି ଏତେ ଛୋଟ ନୁହେଁ ।

ମୋ-୯୪୩୭୦୩୮୦୧୫

Related story