ଦେବ ରଞ୍ଜନ
ଭାରତୀୟ ଉପମହାଦେଶରେ ଅବସ୍ଥିତ ଦେଶ ଗୁଡ଼ିକ ହେଲା ପାକିସ୍ତାନ, ବଙ୍ଗଳାଦେଶ, ବର୍ମା, ଶ୍ରୀଲଙ୍କା, ଭୁଟାନ, ନେପାଳ ଓ ଆଫାଗାନିସ୍ତାନ। ଆଫଗାନିସ୍ତାନକୁ ଛାଡ଼ିଦେଲେ ଅନ୍ୟ ଦେଶମାନେ ୧୯୪୭ ମସିହା ପରେ ବ୍ରିଟିଶ ଉପନିବେଶ ଠାରୁ ସ୍ୱାଧୀନତା ପାଇଛନ୍ତି। କିନ୍ତୁ ଏହି ଭୂଖଣ୍ଡରେ ସ୍ଵାଧୀନ ଭାରତ ଏକ ମାତ୍ର ଦେଶ ଯେଉଁଠି ସ୍ଵାଧୀନତା ପରେ କେବେ ବି ମିଲିଟାରୀ କିମ୍ବା ରାଜା ଶାସନ ହୋଇନାହିଁ। ଅନ୍ୟ ଦେଶଗୁଡ଼ିକ ସ୍ଵାଧୀନତା ପରେ ବି ରାଜାଙ୍କ ଦ୍ଵାରା ଶାସିତ ହୋଇଛନ୍ତି ଯେମିତି ଭୁଟାନ ଓ ନେପାଳ। ସେମିତି ବ୍ରିଟିଶ ଉପନିବେଶ ପରେ ଦେଶର ମିଲିଟାରୀ ମୁଖ୍ୟ ମଧ୍ୟ ଦେଶର ଶାସନ କ୍ଷମତାକୁ ଅକ୍ତିଆର କରିଛନ୍ତି ଯାହା ପାକିସ୍ତାନ, ଆଜିର ବଙ୍ଗଳାଦେଶ ଓ ବର୍ମା ଇତ୍ୟାଦିରେ ହୋଇଛି।
ଭାରତର କ’ଣ ବିଶେଷତ୍ଵ ରହିଥିଲା ଯାହାହେତୁ ମିଲିଟାରୀ ଏତେ ଶକ୍ତିଶାଳୀ ହୋଇପାରିଲା ନାହିଁ? ଏହାର ତୁରନ୍ତ ଉତ୍ତର ହେଉଛି ଯେ ପଚାଶ ଦଶକର ଜମିଦାରୀ ପ୍ରଥାର ଉଚ୍ଛେଦ ଓ ଜମି ସିଲିଙ୍ଗ ବ୍ୟବସ୍ଥା ଲାଗୁ ହେବା। କାରଣ ପଡ଼ୋଶୀ ଦେଶମାନଙ୍କରେ ଏହାପରେ ଯେବେ ବି ଜମିଦାରୀ ପ୍ରଥାର ଉଚ୍ଛେଦର ପ୍ରସଙ୍ଗ ଆସିଛି ମିଲିଟାରୀ ଉଚ୍ଚ ଅଧିକାରୀମାନେ ଦେଶର ଆଇନ ଶୃଙ୍ଖଳା ସ୍ଥିତି ନାମରେ କ୍ଷମତା ଦଖଲ କରିନେଇଛନ୍ତି। ଏହାର ଗୁରୁତ୍ଵ ମୁଁ ଉପଲବ୍ଧି କରିଥିଲି ଯେତେବେଳେ ମୁଁ ସୋମନାଥ ପାତ୍ରଙ୍କୁ ଭେଟିଲି ଓ ପ୍ରଫେସର ଇସ୍ତିଆକ ଅହମ୍ମଦଙ୍କ ପୁସ୍ତକ ପଢ଼ିଲି।
ମୁଁ ସୋମନାଥ ପାତ୍ରଙ୍କୁ ପ୍ରଥମେ ଭେଟିବା ସମୟରେ ତାଙ୍କର ବୟସ ହୋଇଥିବ ବୟାନବେ କି ତେୟାନବେ ବର୍ଷ। ଏବେ ବି ସେ ଦୃଢ଼ ଅଛନ୍ତି। ତାଙ୍କୁ କେହି କେହି କାକଟପୁରର ଗାନ୍ଧୀ ମଧ୍ୟ କହିଥାନ୍ତି। ଭୁବନେଶ୍ୱର ଠାରୁ କାକଟପୁର ବସଷ୍ଟାଣ୍ଡ। ସେଠାରୁ ମନ୍ଦିର ସାମ୍ନାରେ ଏକ ରାସ୍ତା ଯାଇଛି କୋଣାର୍କ ଆଡ଼କୁ। ସେହି ରାସ୍ତାରେ ପ୍ରାୟ ତିନି କିଲୋମିଟର ଗଲେ ଆସିବ ବାଜପୁର ଗ୍ରାମ। ବହୁତ ସୁନ୍ଦର ଗାଁ। ଦୁଇ ପାଖରେ ଘର। ଓସାରିଆ ରାସ୍ତା। ଗାଁରେ ପଶିଗଲେ ୧୦ କି ୧୫ ଘର ପରେ ଆସିବ ବାମ ପଟେ ସୋମନାଥ ପାତ୍ରଙ୍କ ଘର। ଘରେ ସେ ସେତେବେଳେ ଏକୁଟିଆ ରହୁଥିଲେ। କେବଳ ଅସୁସ୍ଥ ହେଲେ ଆସନ୍ତି ଭୁବନେଶ୍ୱର, ପୁଅଙ୍କ ପାଖକୁ। ନହେଲେ ସେହି ଗାଁରେ ହିଁ ସେ ରହିବା ଲାଗି ପସନ୍ଦ କରନ୍ତି। ଗ୍ରାମବାସୀ ତାଙ୍କର କଥା ବୁଝିଥାନ୍ତି।
ଏହି ମହାନ ମଣିଷଟି ମୋ ଲାଗି ଥିଲେ ଖାସ ଆକର୍ଷଣ। ଏହିମାନଙ୍କ ହେତୁ ତ ମିଲିଟାରୀ ଶାସନରୁ ଆମେ ବଞ୍ଚିଯାଇଛେ! ପଚାଶ ଦଶକର ଜମିଦାର ବିରୋଧୀ ଆନ୍ଦୋଳନକୁ ବୁଝିବା ଲାଗି ମୁଁ ପହଞ୍ଚିଥିଲି ତାଙ୍କର ଘରେ। ତାଙ୍କର କହିବା ଅନୁସାରେ, ‘ସର୍ବ ଭାରତୀୟ କୃଷକ ସଭାର ନେତୃତ୍ଵରେ କ୍ଷୁଦ୍ର ଚାଷୀଙ୍କ ଦ୍ଵାରା ଚାଳିଶି ଦଶକରେ ତେଲେଙ୍ଗାନା ଆନ୍ଦୋଳନ (ଚାଷ ଜମି ଉପରେ ଚାଷୀର ଅଧିକାର ଲାଗି ଲଢ଼େଇ) ଓ ପରେ ପରେ ପଶ୍ଚିମ ବଙ୍ଗର ତେଭାଗା ଆନ୍ଦୋଳନ (ଚାଷ ଉତ୍ପାଦନର ତିନି ଭାଗରୁ ଦୁଇ ଭାଗ ଲାଗି ଲଢ଼େଇ) ମୁଣ୍ଡ ଟେକିଥିଲା। ଏହି ଆନ୍ଦୋଳନର ପ୍ରଭାବ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ପଡ଼ିଥିଲା। ତକରଡ଼ା ଠାରେ ଜମିଦାର ବିରୁଦ୍ଧରେ ଲଢ଼େଇ କରି ୪ ଜଣ ମହିଳା ଓ ୨ ଜଣ ପୁରୁଷ ସ୍ଵାଧୀନ ଦେଶରେ ବି ପୁଲିସ ଗୁଳିରେ (୨୪ ମଇ ୧୯୪୮) ନିହତ ହୋଇଥିଲେ। ପୁଲିସର ଗୁଳିଚାଳନାକୁ ବିରୋଧ କରି ପୁରୀ ଜିଲ୍ଲା ଅସ୍ତରଙ୍ଗର ନୂଆଗଡ଼ ଅଞ୍ଚଳରୁ ପ୍ରଥମେ ଆମ ଲଢ଼େଇ ଆରମ୍ଭ ହୋଇଥିଲା।’
ପୂର୍ବେ ଉପକୂଳ ଅଞ୍ଚଳରେ ଜମିଦାର କହିଲେ ଥିଲେ, ପୁରୀର ଏମାର ମଠ, ଦକ୍ଷିଣପାର୍ଶ୍ଵ ମଠ, ମହିପ୍ରକାଶ ମଠ, ପୁରୀର ମିଶ୍ର ପରିବାର ଓ କଟକର ଜଣେ ମୁସଲିମ ସର୍ଦ୍ଦାର। ସୋମନାଥ ବାବୁ କୁହନ୍ତି, ‘ଆମେ ସେ ସମୟରେ ଏମାର ମଠ ବିରୁଦ୍ଧରେ ଲଢ଼ିଲା ବେଳେ ସ୍ଲୋଗାନ ଦେଉ, ମଠ ଜମି କୋଠ ହେଉ/ ଦାଖଲ, ଖାରଜ, ରସମ ଉଠିଯାଉ/ ଗଛ, ମାଛରେ ପ୍ରଜାର ଅଧିକାର ସାବ୍ୟସ୍ତ ହେଉ।’ ଆମେ ପୁଣି ଗାଉଥିଲୁ, ସେ ଖାଇବେ କ୍ଷୀରୀ, ପୁରୀ, ପୁଆ / ଖୁଦ, କୁଣ୍ଡା, ଜାଉ ତୋ ଲାଗି ଥୁଆ।’
ପୁରୀର ଜଣେ ବ୍ରାହ୍ମଣ ଜମିଦାର ଓ କଟକର ଜଣେ ମୁସଲମାନ ଜମିଦାର ବିରୁଦ୍ଧରେ ଆମେ (ସୋମନାଥ ପାତ୍ର) କହୁଥିଲୁ, ‘ଲଙ୍ଗଳ ଯାହାର ଜମି ତାହାର/ ବେଠି, ଭେଟି, ପେଟି ଜବରଦସ୍ତି ବନ୍ଦ ହେଉ।‘ ଏହି ଆନ୍ଦୋଳନକୁ ସକାରାତ୍ମକ ଢଙ୍ଗରେ ନେଇ ସମାଧାନର ରାସ୍ତା ବାହାର କରିବା ବଦଳରେ (ସ୍ଵାଧୀନତା ପରେ) ଆମ ଉପରେ ପୁଲିସର ଦମନ ଚାଲିଥିଲା।
ସୋମନାଥ ବାବୁ ଥିଲେ ‘ଓଡ଼ିଶା କୃଷକ ସଭା’ର ସଦସ୍ୟ। ୧୯୪୩ ମସିହାରେ ଏଥିରେ ଯୋଗ ଦେଇଥିଲେ। କୃଷକ ସଭା ସେ ସମୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜନ ସଂଗଠନ ଥିଲା। ସେ ସମୟର ଇଂରେଜମାନେ ଟିକସ ଆଦାୟ ଓ ସାଧାରଣ ପ୍ରଶାସନ ଲାଗି ସମଗ୍ର ଭୂଖଣ୍ଡକୁ ଦୁଇ ଭାଗରେ ବିଭକ୍ତ କରିଥିଲେ : ବ୍ରିଟିଶ ଭାରତ ଓ ରାଜା ଶାସନ। ଲୋକେ କେଉଁଠି ବ୍ରିଟିଶଙ୍କୁ ଟିକସ ଦେଉଥିଲେ ତ କେଉଁଠି ରାଜାଙ୍କୁ ଦେଉଥିଲେ, ଯାହାର ବଡ଼ ଅଂଶ ପୁଣି ବ୍ରିଟିଶ ପାଖରେ ପହଞ୍ଚୁଥିଲା। ଜମି ଉପରେ କିନ୍ତୁ ସମଗ୍ର ମାଲିକାନା ଜମିଦାର ଓ ରାଜାଙ୍କ ହାତରେ ରହିଥିଲା। ଲୋକଙ୍କ ହାତକୁ ଜମି ଆସିବା ଲାଗି କୃଷକ ଆନ୍ଦୋଳନ କମ୍ୟୁନିଷ୍ଟ ବିଚାରର କର୍ମୀଙ୍କ ଦ୍ଵାରା ଆରମ୍ଭ ହୋଇଥିଲା।
ଜମିର ସମବଣ୍ଟନ, କୃଷି ଶ୍ରମିକର ମଜୁରୀ ବୃଦ୍ଧି, ଜମିରେ ସିଲିଂ ବ୍ୟବସ୍ଥା ଲାଗୁକରିବା, ଜମିଦାରୀ ପ୍ରଥା ଉଚ୍ଛେଦ, ଯିଏ ଚାଷ କରୁଛି ତାହାକୁ ଜମିର ଅଧିକାର ସତ୍ଵ ପ୍ରଦାନ, ଅମଳ ହୋଇଥିବା ଫସଲ ଉପରେ ଚାଷୀର ଅଧିକାର, ଧନୀ ବ୍ୟକ୍ତିଙ୍କ ସମଗ୍ର ଆୟରେ ମଧ୍ୟ ସିଲିଂ ବ୍ୟବସ୍ଥା ଲାଗୁ ହେବା ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ନେଇ କୃଷକମାନଙ୍କ ସଂଗ୍ରାମ ଚାଳିଶ ଦଶକରୁ ଆରମ୍ଭ ହୋଇଥିଲା। ଏହାକୁ ଦମନ କରିବାକୁ ଯାଇ ବ୍ରିଟିଶ ସରକାର ଡିଫେନ୍ସ ଅଫ ଇଣ୍ଡିଆ ଆକ୍ଟ, ୧୯୩୫ ବଳରେ ହଜାର ହଜାର କୃଷକ ଓ କମ୍ୟୁନିଷ୍ଟ କର୍ମୀଙ୍କୁ ଅଟକ ରଖିଥିଲେ।
ଦେଶ ସ୍ଵାଧୀନ ହେବା ପରେ ଜବାହାରଲାଲ ନେହେରୁଙ୍କ ନେତୃତ୍ଵାଧୀନ କଂଗ୍ରେସ ସରକାର ଦମନ ଆରମ୍ଭ କରିଥିଲେ। ୧୯୪୭ ମସିହାରୁ ୧୯୪୯ ମସିହା ମାତ୍ର ଦୁଇ ବର୍ଷ ମଧ୍ୟରେ କଂଗ୍ରେସ ସରକାରଙ୍କ ଦ୍ଵାରା ୫୦,୦୦୦ ଲୋକଙ୍କୁ ଗିରଫ ଓ ୨୫,୦୦୦ ଲୋକଙ୍କୁ ସେହି ପୁରୁଣା ବ୍ରିଟିଶ ସମୟର ଡିଫେନ୍ସ ଅଫ ଇଣ୍ଡିଆ ଆକ୍ଟ ବଳରେ ଅଟକ ବନ୍ଦୀ କରାଯାଇଥିଲା।
ସେତେବେଳେ ପ୍ରଖ୍ୟାତ ସାହିତ୍ୟିକ ଓ କମ୍ୟୁନିଷ୍ଟ କର୍ମୀ ଭଗବତୀ ପାଣିଗ୍ରାହୀ, ପ୍ରାଣନାଥ ପଟ୍ଟନାୟକ, ଅନନ୍ତ ପଟ୍ଟନାୟକ, ସଚ୍ଚି ରାଉତରାୟଙ୍କ ପ୍ରଭାବ ରହିଥାଏ। କର୍ମୀମାନେ ସବୁ ଗାଁ ଗଣ୍ଡା ବୁଲି ଚାଷୀଙ୍କୁ ଗୀତ ଓ ଅଭିନୟ ଦ୍ଵାରା ଏକାଠି କରୁଥିଲେ। ଗିନି, ଝାଞ୍ଜ ଓ ମୃଦଙ୍ଗ ଧରି ଗୀତ ଗାଉଥିଲେ, ‘କାଦୁଅ ପାଣିରେ ଘାଣ୍ଟି ହୋଇ ସଦା ଅରଜିବୁ ଯେତେ ଧନ/ ଆରେ ରଜା ଜମିଦାର ଅଧେ ଭାଗ ନେଲେ ଶେଷେ ହେଲୁ ହୀନିମାନ। କୃଷକ ସଭାର ଜୟ ହେଉ। ଜମିଦାର ପ୍ରଥା ଧ୍ଵଂସ ହେଉ।’
ଦେଶ ସ୍ଵାଧୀନ ହେବା ପରେ ବି କୃଷକ ଆନ୍ଦୋଳନ ଜାରି ରହିବା କାରଣରୁ ୧୯୫୦ ମସିହାରେ କଂଗ୍ରେସ ସରକାରଙ୍କ ଦ୍ଵାରା ଦେଶର ପ୍ରଥମ ପ୍ରତିଷେଧମୂଳକ ଅଟକ ଆଇନ ବା ପି.ଡି. ଆକ୍ଟ ସଂସଦରେ ପାସ ହୋଇଥିଲା। ‘ସାମାଜିକ ଶୃଙ୍ଖଳା’ ନାମରେ ସରକାର କାହାରିକୁ ବି ଅଟକ ରଖିବାର ଅଧିକାର ଉକ୍ତ ଆଇନ ବଳରେ ପାଇଥିଲେ। କେବଳ ୧୯୫୦ ମସିହାରେ ୧୦,୯୬୨ ଜଣ, ୧୯୫୧ ମସିହାରେ ୨୩୧୬ ଜଣ ଓ ୧୯୫୨ ମସିହାରେ ୧୧୧୬ ଜଣ ଏଥିରେ ଅଟକ ରହିଥିଲେ। ଜିଲ୍ଲା ପ୍ରଶାସନର ଆକ୍ରୋଶମୂଳକ ପଦକ୍ଷେପ ହେତୁ କମ୍ୟୁନିଷ୍ଟ ପାର୍ଟିର ଅନେକ କର୍ମୀ ଗିରଫ ହେବାରେ ଲାଗିଥିଲେ। ଏହି ଭିତରେ ସୋମନାଥ ପାତ୍ର ସର୍ବମୋଟ ଚାରି ବର୍ଷ ଜେଲରେ ରହିଥିଲେ। ସେ ସମ୍ଭବତଃ ଉଭୟ ବ୍ରିଟିଶ ସମୟର ଡିଫେନ୍ସ ଅଫ ଇଣ୍ଡିଆ ଆକ୍ଟ ଓ ପରେ ପରେ କଂଗ୍ରେସ ଦ୍ଵାରା ପାସ ହୋଇଥିବା ପି.ଡି. ଆକ୍ଟ ଦ୍ଵାରା ଅଟକ ରହିଥିଲେ। ଅବଶ୍ୟ ସୋମନାଥ ବାବୁ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ କିଛି କହିପାରିନଥିଲେ। ଅନେକ ଦିନର ଘଟଣା ହେତୁ ତାଙ୍କର ମନେ ନଥିଲା। ସେ କିନ୍ତୁ ପୁରୀ, କଟକ, ବ୍ରହ୍ମପୁର ଜେଲରେ ରହିଥିଲେ।
ଦେଶର ବିଭିନ୍ନ ପ୍ରାନ୍ତରେ ଏହି ଭଳି ଲଢ଼େଇ ହେତୁ ଜମିଦାରୀ ପ୍ରଥା ଉଚ୍ଛେଦ ହୋଇଥିଲା। ଓଡ଼ିଶାରେ ମଧ୍ୟ ପଚାଶ ଦଶକରେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ଵ ସମୟରେ ଜମିଦାର ପ୍ରଥା ଉଠିଗଲା। ଚାଷୀ ନିଜେ ଚାଷ କରୁଥିବା ଜମି ଉପରେ ନିଜର ଅଧିକାର ପାଇଲେ। କିନ୍ତୁ ଭାଗଚାଷୀଙ୍କୁ ଜମି ଅଧିକାର ଆଜି ବି ମିଳିପାରିଲା ନାହିଁ।
ମୁଁ ସୋମନାଥ ବାବୁଙ୍କୁ ଆପଣ କମ୍ୟୁନିଷ୍ଟ ବିଚାର ପ୍ରତି କେମିତି ଆକର୍ଷିତ ହେଲେ ପଚାରିବାରୁ ସେ କହିଲେ, ‘ଭାରତୀୟ ଦର୍ଶନକୁ ଦେଖି ମୁଁ କମ୍ୟୁନିଷ୍ଟ ହୋଇଛି। ସର୍ବେ ଭବନ୍ତୁ ସୁଖିନଃ – କେହି କାହାର ଦୁଃଖର କାରଣ ହେବେ ନାହିଁ, ବସୁଧୈବ କୁଟୁମ୍ବକମ – ସମସ୍ତ ପୃଥିବୀ ଗୋଟେ କୁଟୁମ୍ବ, ଏହି ସବୁ କଥା ମୋତେ କମ୍ୟୁନିଷ୍ଟ କରିଦେଲା। ଭାରତୀୟ ଦର୍ଶନରେ ସମାଜବାଦ ରହିଥିବା କଥା ମୋତେ ମନେହୁଏ।’
ଯେଉଁଠି କମ୍ୟୁନିଷ୍ଟମାନେ ଛାଡ଼ିଦେଲେ ତାହାକୁ ଆଗକୁ ନେବାର ଆବଶ୍ୟକତା ମାନବିକ ଅଧିକାର ଆନ୍ଦୋଳନ ସହିତ ସମ୍ପୃକ୍ତ ଗୋଷ୍ଠୀର ରହିଥିଲା। ନବେ ଦଶକର ଆର୍ଥିକ ସଂସ୍କାର ପରେ ଦେଶର ଶିଳ୍ପପତିଙ୍କ କର୍ପୋରେଟ ଆୟ ଉପରେ ଯଦି ସେହିଭଳି ଆର୍ଥିକ ସିଲିଙ୍ଗ ଲାଗୁ ହୋଇଥାନ୍ତା ତେବେ ଭାରତୀୟ ଗଣତନ୍ତ୍ରର ଆଜି ଏ ଦୁର୍ଦ୍ଦଶା ହୋଇନଥାନ୍ତା। ଦେଶରେ ବେକାରୀ, ଦାରିଦ୍ର୍ୟ, ବିସ୍ଥାପନ, ପ୍ରବାସୀ, ଦାଦନ, ଆତ୍ମହତ୍ୟା, ପ୍ରକୃତିକ ଦୁର୍ବିପାକ ଓ କ୍ୟାନସର ଭଳି ସାଂଘାତିକ ବେମାରୀ ବଢୁଥିବା ସତ୍ତ୍ୱେ ଜଣେ ଜଣେ କର୍ପୋରେଟ ମାଲିକ ଯେଉଁଭଳି ବିଲିୟୋନାୟାର ହେଉଛନ୍ତି ଓ ଦେଶର ନୀତିକୁ ନିଜ ଆଡ଼କୁ ମୋଡ଼ି ନେଉଛନ୍ତି ତାହା ହେଉନଥାନ୍ତା।
ଦୀର୍ଘ ବର୍ଷ ସୋମନାଥ ପାତ୍ର ପୁସ୍ତକ ଲେଖିବାରେ ମନୋନିବେଶ କରିଥିଲେ। ପ୍ରମୁଖ ପୁସ୍ତକ ହେଲା, ‘ସରଳ ମାର୍କ୍ସବାଦ’, ‘ଓଡ଼ିଶାର କୃଷକ ଆନ୍ଦୋଳନ’, ‘ଭାରତର ସ୍ଵାଧୀନତା ଆନ୍ଦୋଳନରେ କାକଟପୁରର ଭୂମିକା’, ‘ଲିଭିଲା ଦୀପର ଅଲିଭା ଶିଖା’, ‘ସଂକ୍ଷେପରେ ଶ୍ରୀମଦ ଭଗବତ ଗୀତା’, ‘ଦର୍ଶନ ଓ ବିଜ୍ଞାନ’, ‘ଗୀତା ବିଚାର’ ଓ ‘ପଥର କହେ କଥା’ {କବିତା} ଇତ୍ୟାଦି। କିନ୍ତୁ ସେଥିରୁ ସେ ଅବସର ନେଇସାରିଲେଣି।
ସୋମନାଥ ପାତ୍ରଙ୍କୁ ଏବେ ଶହେ ବର୍ଷ ହୋଇଗଲାଣି। ଦେହ ଅସୁସ୍ଥ କାରଣରୁ ନିଜ ପୁଅଙ୍କ ପାଖରେ ଭୁବନେଶ୍ୱରରେ ରହୁଥିବା ତାଙ୍କ ସାନ ପୁଅଙ୍କ ଠାରୁ ଜାଣିଲି।
ମୋବାଇଲ- ୯୪୩୭୭୬୨୨୭୨