- ଭାଲଚନ୍ଦ୍ର ଷଡ଼ଙ୍ଗୀ
ନିକଟରେ ସୂର୍ଯ୍ୟ ପରାଗ ସମୟରେ ହେତୁବାଦୀମାନଙ୍କର ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ନେଇ ବିବାଦ ସୃଷ୍ଟି ହୋଇଛି। ପାକତ୍ୟାଗ ସମୟରେ ଖାଦ୍ୟଗ୍ରହଣ କରିବାକୁ ରହି ଆସିଥିବା କଟକଣାକୁ ଅନ୍ଧବିଶ୍ୱାସ ଉପରେ ଆଧାରିତ ବୋଲି କହି ସେମାନେ ତାକୁ ଭୁଲ ପ୍ରମାଣିତ କରିବା ପାଇଁ ସେହି ସମୟରେ ଖାଦ୍ୟଗ୍ରହଣ କରିଥିବା ଜଣାପଡ଼ିଛି। ସେମାନେ ନିଜର କାର୍ଯ୍ୟକ୍ରମ ଜରିଆରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣକୁ ନେଇ ବର୍ଷ ବର୍ଷ ଧରି ସମାଜରେ ରହିଥିବା ରାହୁକେତୁ ଗ୍ରାସର ଧାରଣା ଓ ତାରି ଆଧାରରେ ତିଆରି ପରମ୍ପରାକୁ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ପରମ୍ପରାବାଦୀମାନେ ଏସବୁ ପରମ୍ପରାକୁ ଯଥାର୍ଥ ବୋଲି କହିବା ସହିତ ତାକୁ ଅବ୍ୟାହତ ରଖିବା ସପକ୍ଷରେ ଦୃଢ଼ମତ ପୋଷଣ କରିଛନ୍ତି। ତେବେ ପରମ୍ପରାକୁ ନେଇ ହେତୁବାଦୀ ଓ ଅନ୍ୟମାନଙ୍କ ମଧ୍ୟରେ ବିତର୍କ ଚାଲିଥିବା ବେଳେ ସମାଜରେ ରହିଥିବା ପରମ୍ପରାଗୁଡ଼ିକ କିପରି ସମୟକ୍ରମେ ପରିବର୍ତ୍ତିତ ହୋଇ ଆସିଛି, ତା’ ଉପରେ ଆଲୋଚନା କରିବା ଉଚିତ ମନେକରୁଛି।
ଯେକୌଣସି ସମାଜ ନିଜକୁ ସୁହାଇଲା ଭଳି ଅନେକ ଗୁଡ଼ିଏ ପରମ୍ପରା ସୃଷ୍ଟି କରିଥାଏ। ତତ୍କାଳୀଳିନ ସମାଜର ଆବଶ୍ୟକତା ଅନୁରୂପ ତିଆରି ଏହି ପରମ୍ପରାଗୁଡ଼ିକୁ ଲୋକେ ସାଧାରଣତଃ ପାଳନ କରିଥାନ୍ତି। କିନ୍ତୁ ବିଶ୍ୱର ଇତିହାସକୁ ଦେଖିଲେ ସମାଜରେ ରହିଥିବା କୌଣସି ପରମ୍ପରା କେବେ ସ୍ଥିର ନୁହେଁ, ସେଗୁଡ଼ିକ ସର୍ବଦା ପରିବର୍ତ୍ତନଶୀଳ। ନୂତନ ତଥ୍ୟ, ସତ୍ୟ, ଜ୍ଞାନ ଓ ସାମାଜିକ-ଅର୍ଥନେତିକ ଆବଶ୍ୟକତାର ଆଧାରରେ ଗୋଟିଏ ଚଳନ୍ତି ପରମ୍ପରାର ପରିବର୍ତ୍ତନ ବା ସମାପ୍ତି ହୋଇଥାଏ ଅଥବା ତା’ ସ୍ଥାନରେ ଏକ ନୂତନ ପରମ୍ପରା ସୃଷ୍ଟି ହୋଇଥାଏ। ତେବେ ଯେଉଁ ପରମ୍ପରା ଜନବିରୋଧୀ, ବିଦ୍ୱେଷକାରୀ ଅଥବା ଅବୈଜ୍ଞାନିକ ତାହା ବେଶି ଦିନ ସମାଜରେ ତିଷ୍ଠି ପାରେନା। ତାକୁ ସମୟକ୍ରମେ ଲୋକେ ବାହାର କରି ଇତିହାସର ଅଳିଆଗଦାକୁ ଫୋପାଡ଼ି ଦେଇଥାନ୍ତି। ଅତୀତରେ ସତୀଦାହ ପ୍ରଥା, ନରବଳି, ଦେବଦାସୀ ପ୍ରଥା, ଗୋତିପ୍ରଥା, ନାରୀଙ୍କୁ ଶିକ୍ଷାରୁ ବଂଚିତ ରଖିବାର ପ୍ରଥା, ଦଳିତମାନେ ମୁଣ୍ଡରେ ମଳ ବୋହିବା ପରି ପ୍ରଥାକୁ ଆମେ ଆଇନ କରି ଉଚ୍ଛେଦ କରି ସାରିଛେ। ଆଜି ବି ସମାଜରେ ଜାତିପ୍ରଥା, ବାଲ୍ୟବିବାହ, ବିଧବା ପ୍ରଥା ପରି ଅନେକ ଭୂଲ ପ୍ରଥା ଓ ପରମ୍ପରା ସମାପ୍ତ ନହୋଇ ଅବ୍ୟାହତ ରହିଛି। ଏସବୁକୁ ଅମାନବୀୟ, ଭେଦଭାବପୂର୍ଣ୍ଣ ବୋଲି ବିଚାର କରି ସମାଜର ପ୍ରଗତିଶୀଳ ଶକ୍ତିମାନେ ତାରି ବିରୋଧରେ ସଂଗ୍ରାମ ଅବ୍ୟାହତ ରଖିଛନ୍ତି। ଆଉ ସମାଜର ପ୍ରତିକ୍ରିୟାଶୀଳ, ଅନ୍ଧବିଶ୍ୱାସୀ ଓ ରୁଢ଼ିବାଦୀ ଶକ୍ତିମାନେ ସେସବୁ ପରମ୍ପରାକୁ ଅବ୍ୟାହତ ରଖିବାକୁ ଯତପରୋନାସ୍ତି ଚେଷ୍ଟା କରି ଆସିଛନ୍ତି। ବିଜ୍ଞାନ ଓ ତଥ୍ୟର ଆଧାରରେ ପରମ୍ପରାକୁ ବଦଳାଇ ସମାଜରେ ସଂସ୍କାର ବା ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଥିବା ଏହି ଶକ୍ତିଙ୍କୁ ପ୍ରଚଳିତ ଧର୍ମ, ପରମ୍ପରାର ବିରୋଧୀ ବୋଲି କହି ସେମାନଙ୍କ ଉପରେ ଆକ୍ରମଣ କରିବାକୁ ମଧ୍ୟ ପଛେଇ ନଥାନ୍ତି। କିନ୍ତୁ ତାରି ସତ୍ତ୍ୱେ ସମାଜର ପରିବର୍ତ୍ତନ ସହିତ ପରମ୍ପରାରେ ବି ପରିବର୍ତ୍ତନ ଘଟିଥାଏ। ଲୋକେ ନୂତନ ବା ପରବର୍ତ୍ତୀ ପରମ୍ପରାକୁ ଧୀରେ ଧୀରେ ଗ୍ରହଣ କରିଥାନ୍ତି।
ଅତୀତରେ ପୁରୀ ଜଗନ୍ନାଥ ମନ୍ଦିରରେ ଦଳିତ ବା ଅସ୍ପୃଶ୍ୟମାନଙ୍କ ପ୍ରବେଶ କରିବାର ଅଧିକାର ନଥିଲା। ସେଠାକାର ପୂଜକ ଗୋଷ୍ଠୀ ଏହାକୁ ପରମ୍ପରା ବୋଲି କହି ଦଳିତମାନଙ୍କୁ ପଶିବାକୁ ଦେଉନଥିଲେ। ଆଜି ବି ଆମ ରାଜ୍ୟର ଗ୍ରାମାଞ୍ଚଳରେ ରହିଥିବା ଅଧିକାଂଶ ମନ୍ଦିରରେ ଦଳିତ ଓ ଆଦିବାସୀ ସମ୍ପ୍ରଦାୟର ଲୋକେ ଅନ୍ୟ ସବର୍ଣ୍ଣ ଲୋକଙ୍କ ପରି ପ୍ରବେଶ କରିବା ସମ୍ଭବ ହୋଇନଥାଏ। ତେବେ ୧୯୪୮ ମସିହାରେ ବ୍ରହ୍ମପୁରର ପୂର୍ବତନ ସାଂସଦ, ସ୍ୱାଧୀନତା ସଂଗ୍ରାମୀ ତଥା ଦଳିତ ନେତା ପଦ୍ମଶ୍ରୀ ମୋହନ ନାୟକଙ୍କ ନେତୃତ୍ୱରେ ଦଳିତମାନେ ସାମୂହିକ ଭାବେ ମନ୍ଦିର ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ସେତେବେଳେ ପରମ୍ପରାର ସମର୍ଥକ ରୂପେ ପରିଚିତ ଉପରୋକ୍ତ ପୂଜକ ଓ ସେମାନଙ୍କ ସମର୍ଥକ ଗୋଷ୍ଠୀ ପରମ୍ପରା ରକ୍ଷା କରିବା ନାଁରେ ସେମାନଙ୍କ ଉପରେ ଶାରୀରିକ ଆକ୍ରମଣ କରି ଲହୁଲୁହାଣ କରିବାକୁ ମଧ୍ୟ ପଛେଇ ନଥିଲେ। କିନ୍ତୁ ଦଳିତମାନଙ୍କ ଲଢ଼େଇ ଫଳରେ ରାଜ୍ୟ ସରକାର ସେତେବେଳେ ଓଡ଼ିଶା ମନ୍ଦିର ପ୍ରବେଶ ଅଧିକାର ଆଇନ ପ୍ରଣୟନ କରିଥିଲେ। ପ୍ରଥମ ଥର ପାଇଁ ଜଗନ୍ନାଥ ମନ୍ଦିରରେ ଆନୁଷ୍ଠାନିକ ଭାବେ ଦଳିତମାନଙ୍କୁ ମନ୍ଦିର ପ୍ରବେଶର ଅଧିକାର ମିଳିଥିଲା। ଏହା ଫଳରେ ଶ୍ରୀମନ୍ଦିରରେ ବର୍ଷ ବର୍ଷ ଧରି ରହିଥିବା ପୁରାତନ ପରମ୍ପରା ଭାଙ୍ଗି ଏକ ନୂତନ ପରମ୍ପରା ସୃଷ୍ଟି ହେଲା, ଯାହାକି ଆଜି ବି ଅବ୍ୟାହତ ରହିଛି। ଯେଉଁମାନେ ସେତେବେଳେ ‘ପରମ୍ପରା’, ‘ପରମ୍ପରା' ବୋଲି ଏହି ପରିବର୍ତ୍ତନକୁ ରୋକିବାକୁ ଚେଷ୍ଟା କରୁଥିଲେ, ସେମାନେ ଶେଷରେ ବାଧ୍ୟ ହୋଇ ତାକୁ ଗ୍ରହଣ କରିଥିଲେ।
ଗୋଟିଏ ସମୟରେ ଆମ ରାଜ୍ୟର କନ୍ଧମାଳ ଜିଲ୍ଲାରେ ବସବାସ କରୁଥିବା ସଂଖ୍ୟାଗରିଷ୍ଠ କନ୍ଧ ଆଦିବାସୀଙ୍କ ମଧ୍ୟରେ ମେରିଆ ପୂଜା ନାଁରେ କନ୍ୟା ଶିଶୁବଳିର ପରମ୍ପରା ରହିଥିଲା। ଶିକ୍ଷା ଓ ବୈଜ୍ଞାନିକ ସଚେତନତା ଅଭାବରୁ ଆଦିବାସୀମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜର କନ୍ୟା ଶିଶୁକୁ ହଳଦୀ କିଆରୀରେ ବଳି ଦେଉଥିଲେ। ସେପରି କନ୍ୟାବଳି ଦେଲେ ଧରଣୀ ପେନୁ (ଦେବତା) ଶିଶୁ ରକ୍ତ ଖାଇ ସନ୍ତୁଷ୍ଟ ହେବ ଏବଂ ଜମିରେ ଭଲ ହଳଦୀ ଫସଲ ଦେବ ବୋଲି ସେମାନଙ୍କ ଧାରଣା ଥିଲା। ଅବୈଜ୍ଞାନିକ ଚିନ୍ତା ଉପରେ ଆଧାରିତ ଏହି ପରମ୍ପରା ଫଳରେ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ କନ୍ୟାଶିଶୁ ଅକାଳରେ ପ୍ରାଣ ହରାଉଥିଲେ। ସେତେବେଳେ ଏଭଳି ଏକ ଅମାନୁଷିକ ପରମ୍ପରାକୁ ଆଦିବାସୀ ସମାଜ ସ୍ୱାଭାବିକ ବୋଲି ଭାବିବା ସହ ଏହାକୁ ବିରୋଧ କରୁଥିବା ଲୋକଙ୍କୁ ସେମାନଙ୍କ ପରମ୍ପରା ଓ ସଂସ୍କୃତିର ବିରୋଧୀ ବୋଲି ଭାବୁଥିଲେ। ସେତେବେଳେ ଶାସନ କରୁଥିବା ବ୍ରିଟିଶ ସରକାର ଓ କନ୍ୟାବଳି ପରମ୍ପରାକୁ ଉଚ୍ଛେଦ କରିବାକୁ ଚେଷ୍ଟା କରୁଥିବା ସମାଜ ସଂସ୍କାରକମାନଙ୍କୁ ଏହି ପରମ୍ପରାର ସପକ୍ଷବାଦୀ ରୂପେ ପରିଚିତ ଆଦିବାସୀମାନଙ୍କ ଅନେକ ଆକ୍ରମଣର ଶିକାର ହେବାକୁ ପଡ଼ିଥିଲା। କିନ୍ତୁ ଏହି ଅମାନୁଷିକ ପ୍ରଥା ବିରୁଦ୍ଧରେ ଲଗାତାର ଉଦ୍ୟମ ଓ ଏ ସମ୍ପର୍କରେ ଆଇନର ପ୍ରଣୟନ ଫଳରେ ଧୀରେ ଧୀରେ ସେହି ପ୍ରଥା ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ ହୋଇଥିଲା। ତେବେ କେବଳ କନ୍ଧ ଆଦିବାସୀ ହିଁ ନୁହଁନ୍ତି, ଆମ ସମାଜରେ ନରବଳି ପ୍ରଥା ବହୁ ଆଗରୁ ରହି ଆସିଛି। କଡ଼ା ଆଇନର ବ୍ୟବସ୍ଥା ସତ୍ତ୍ୱେ ବେଳେ ନରବଳିର ଘଟଣା ଦେଖିବାକୁ ମିଳୁଛି। ନିକଟରେ ଏକ ଶିକ୍ଷିତ ରାଜ୍ୟ ରୂପେ ପରିଚିତ କେରଳର ଏକ ଉଚ୍ଚ ଶିକ୍ଷିତ ଡାକ୍ତର ଦମ୍ପତ୍ତି ବି ନରବଳି ଦେବାର ଘଟଣା ସାମନାକୁ ଆସିଛି। ଗୁପ୍ତଧନ ପାଇବା ଲୋଭରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ ନିଜର ପୁଅ ଝିଅକୁ ବି ବଳିଦେବାର ଦେଖିବାକୁ ମିଳୁଛି।
ଯଦିଓ ସମାଜରେ ନରବଳିର ପ୍ରଥା ପ୍ରାୟତଃ ସମାପ୍ତ ହୋଇଛି ତେବେ ପଶୁବଳି ଅବ୍ୟାହତ ରହିଛି। ଦଶହରା ଓ ଚୈତ୍ର ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ହଜାର ହଜାର ପଶୁପକ୍ଷୀଙ୍କୁ ବଳି ଦିଆଯିବା ଏକ ସାଧାରଣ କଥା ହୋଇ ଆସିଛି। ଏନେଇ ସରକାରଙ୍କ କଟକଣା ଓ ଆଇନଗତ ବ୍ୟବସ୍ଥା ସତ୍ତ୍ୱେ ଲୋକେ କିଛି ପାଇବା ଆଶାରେ ଅଥବା ନିଜର ମନୋସ୍କାମନା ପୂରଣ ଖୁସିରେ ପଶୁର ରକ୍ତ ଦେଇ ଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ଏପରି କରିଥାନ୍ତି। କେବଳ ସାଧାରଣ ଜନତା ନୁହଁନ୍ତି, ସମାଜରେ ଆଇନକୁ ରକ୍ଷା କରିବା ଦାୟିତ୍ୱରେ ରହିଥିବା ଖୋଦ୍ ପୋଲିସ ବି ଏଭଳି ଅନ୍ଧବିଶ୍ୱାସରୁ ମୁକ୍ତ ନୁହଁନ୍ତି। ପ୍ରତିବର୍ଷ ଦଶହରା ସମୟରେ ଅଧିକାଂଶ ଥାନାରେ ପଶୁବଳି ଦେବାର ଦେଖିବାକୁ ମିଳିଥାଏ। ତେବେ ସମାଜରେ ସଚେତନତାରେ ବୃଦ୍ଧି ଓ ଆଇନଗତ ପଦକ୍ଷେପ ଫଳରେ ଏଭଳି ପଶୁବଳିର ପରମ୍ପରା ଅନେକ ପରିମାଣରେ ଭାଙ୍ଗିବା ଦେଖିବାକୁ ମିଳିଛି। ପୂର୍ବରୁ ଅନେକ ପରିବାରରେ ଦଶହରା ସମୟରେ ପଶୁବଳି ଦିଆଯାଉଥିବା ବେଳେ ଆଜିକାଲି ପ୍ରତୀକାତ୍ମକ ଭାବେ ସେ ଜାଗାରେ କାକୁଡ଼ିକୁ ରଖି ବଳିଦେବାର ପରମ୍ପରା ଚାଲିଛି। ଧୀରେ ଧୀରେ ଆମ ସମାଜରୁ ବଳିର ପରମ୍ପରା ସମାପ୍ତ ହେବାକୁ ଯାଉଛି।
କନ୍ଧମାଳର ଆଦିବାସୀଙ୍କ ମଧ୍ୟରେ ଅତୀତରେ ଆଉ ଏକ ପରମ୍ପରା ସୃଷ୍ଟି ଚାଲିଥିଲା ଯାହାକି ଆଜି ପ୍ରାୟତଃ ସମାପ୍ତ ହୋଇ ଯାଇଛି ବୋଲି କୁହାଯାଇପାରେ। ସେତେବେଳେ ସେଠାକାର ଶାସକ ରୂପେ ପରିଚିତ ଭଞ୍ଜ ବଂଶର ରାଜା ଓ ସେମାନଙ୍କ ଲୋକେ ଆଦିବାସୀ ଲୋକ ବିଶେଷ କରି ସେମାନଙ୍କ ସମ୍ପ୍ରଦାୟର ମହିଳାଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ। ଗାଁ ଗାଁରେ ପଶି ଆଦିବାସୀ ସମ୍ପ୍ରଦାୟର ସୁନ୍ଦରୀ ଯୁବତୀମାନଙ୍କୁ ଘରୁ ଉଠେଇ ନେଇ ରାଜା ଓ ତାଙ୍କ ପାଖ ଲୋକଙ୍କ ଉପଭୋଗ ପାଇଁ ଛାଡ଼ି ଆସୁଥିଲେ। ଏସବୁ ଅତ୍ୟାଚାରରେ ଅତିଷ୍ଠ ହୋଇ ଆଦିବାସୀ ଲୋକେ ନିଜ ପରିବାରର ଯୁବତୀ ଝିଅ ଓ ବୋହୁମାନଙ୍କ ମୁହଁ ଓ ଦେହରେ ଚିତା କୁଟାଇ ସେମାନଙ୍କୁ ବିକୃତ କରିଦେଉଥିଲେ। ସେମାନଙ୍କ ଧାରଣା ଥିଲା, ଏପରି ବିକୃତ ଅବସ୍ଥାରେ ଦେଖିଲେ ରାଜାର ଲୋକେ ସେମାନଙ୍କ ଝିଅବୋହୂଙ୍କୁ ନେବାକୁ ଆଗ୍ରହୀ ହେବେନି ଏବଂ ସେମାନେ ସେମାନଙ୍କ ଶିକାର ହେବାରୁ ବଂଚିଯିବେ। ଏହି ପ୍ରକ୍ରୀୟାରେ ସେଠାରେ ମହିଳାମାନେ ଚିତା କୁଟାଇ ନିଜର ରୂପକୁ ବିକୃତ କରିବାର ଏକ ନୂଆ ପରମ୍ପରା ଆରମ୍ଭ ହୋଇଥିଲା। ଲୋକେ ପରିସ୍ଥିତିରେ ପଡ଼ି ନିଜର ସୁରକ୍ଷା ପାଇଁ ଏଭଳି ଏକ ପରମ୍ପରାକୁ ସୃଷ୍ଟି କରିଥିଲେ ଯାହାକି ରାଜାଙ୍କ ଶାସନ ଓ ଅତ୍ୟାଚାରର ସମାପ୍ତି ପରେ ବି ଅବ୍ୟାହତ ରହିଥିଲା। ସେତେବେଳର ଆବଶ୍ୟକତାକୁ ନେଇ ସୃଷ୍ଟି ହୋଇଥିବା ସେଦିନର ପରମ୍ପରାଟି ଆଜି ଆଦିବାସୀଙ୍କ ମଧ୍ୟରେ ଶିକ୍ଷା ଓ ସଚେତନତା ଫଳରେ ଧୀରେ ଧୀରେ ସମାପ୍ତ ହୋଇ ଯାଇଛି କହିଲେ ଠିକ ହେବ। ଯଦିଓ ଆଜି ବି କନ୍ଧମାଳରେ ସେଭଳି ମୁହଁରେ ଚିତା କୁଟାଇଥିବା ମହିଳାଙ୍କୁ କାଁ ଭାଁ ଦେଖିବାକୁ ମିଳୁଛି, କିନ୍ତୁ ଆଜିର ପିଢ଼ି ସେଭଳି ଏକ ଅନାବଶ୍ୟକ ପରମ୍ପରାକୁ ଆଉ ଅବ୍ୟାହତ ରଖିବାକୁ ଚାହୁଁ ନାହାଁନ୍ତି।
ଅତୀତରେ ଆମ ଓଡ଼ିଶା ସମେତ ଦେଶରେ ସତୀଦାହ ପରି ଏକ ଅମାନୁଷିକ ପ୍ରଥା ରହିଥିଲା। ପ୍ରାୟତଃ ବ୍ରାହ୍ମଣ ଓ କ୍ଷତ୍ରୀୟମାନଙ୍କ ମଧ୍ୟରେ ରହିଥିବା ଏହି ପରମ୍ପରାରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଲେ ତା’ର ପତ୍ନୀଙ୍କୁ ବଳପୂର୍ବକ ପତିର ଜଳନ୍ତା ଚିତାରେ ପକାଇ ଅତ୍ୟନ୍ତ ଅମାନୁଷିକ ଭାବେ ପୋଡ଼ି ହତ୍ୟା କରାଯାଉଥିଲା। ଅନେକ ସମୟରେ ସମ୍ପୃକ୍ତା ମହିଳାକୁ ବଳପୂର୍ବକ ନିଶା ପିଆଇ ଅଥବା ଭୟଙ୍କର ମାଡ଼ ମାରି ଅଚେତ କରିବା ସହିତ ତାକୁ ପତିର ନିଆଁରେ ଜୀଅନ୍ତା ପୋଡ଼ି ଦିଆଯାଉଥିଲା। ସେପରି କଲେ ସମ୍ପୃକ୍ତ ପତ୍ନୀ ନିଜର ପତିର ଅନୁରକ୍ତା ଭାବେ ମୃତ୍ୟୁ ପରେ ବି ତାର ସାଙ୍ଗରେ ସ୍ୱର୍ଗକୁ ଯାଇ ସେଠାରେ ସ୍ୱାମୀ ସ୍ତ୍ରୀ ଭାବେ ରହିବେ ବୋଲି ଏକ ଭ୍ରାନ୍ତ ଧାରଣା ରହିଥିଲା। ଏଭଳି ଏକ ବୀଭତ୍ସ ପରମ୍ପରା ପ୍ରତି ତତ୍କାଳୀନ ସମାଜର ଧାର୍ମିକ ଗୋଷ୍ଠୀର ସମର୍ଥନ ଓ ସ୍ୱୀକୃତି ରହିଥିଲା। ସେମାନେ ଏହି ପ୍ରଥାକୁ ଶାସ୍ତ୍ରସମ୍ମତ ବୋଲି ଦାବି କରିବା ସହିତ ସ୍ୱାମୀର ଚିତାରେ ଜିଅନ୍ତା ପୋଡ଼ି ମରୁଥିବା ମହିଳାଙ୍କୁ ସତୀ ବୋଲି କହି ତାଙ୍କୁ ଗୌରବାନ୍ୱିତ କରାଯାଉଥିଲା। ଉନ୍ନବିଂଶ ଶତାବ୍ଦୀରେ ବଙ୍ଗଳାରେ ଏହା ବିରୋଧରେ ରାଜା ରାମମୋହନ ରାୟଙ୍କ ନେତୃତ୍ୱରେ ସମାଜର ଶିକ୍ଷିତ ଗୋଷ୍ଠୀ ଏକ ଅଭିଯାନ ଆରମ୍ଭ କରିବା ସହିତ ତା’ର ସମାପ୍ତି ପାଇଁ ଆଇନ କରିବାକୁ ତତ୍କାଳୀନ ବ୍ରିଟିଶ ସରକାରଙ୍କ ପାଖରେ ଦାବି କରିଥିଲେ। କିନ୍ତୁ ତତ୍କାଳୀନ ସମାଜର ଧାର୍ମିକ ନେତୃତ୍ୱ ଓ ପୁରୋହିତ ଗୋଷ୍ଠୀ ଏହାକୁ ନିଜର ଧର୍ମ ଓ ପରମ୍ପରା ଉପରେ ଆକ୍ରମଣ ବୋଲି ପ୍ରଚାର କଲେ। ସେମାନେ ପରମ୍ପରାର ଦ୍ୱାହି ଦେଇ ରାଜା ରାମମୋହନ ରାୟ ଓ ତାଙ୍କ ସହଯୋଗୀଙ୍କ ଉପରୋକ୍ତ ସଂସ୍କାର ଅଭିଯାନର ବିରୋଧ କରିଥିଲେ। ତେବେ ଶେଷରେ ବ୍ରିଟିଶ ସରକାର ଏହି ପ୍ରଥାକୁ ନିଷିଦ୍ଧ କରି ଆଇନ ପ୍ରଣୟନ କରିବା ପରେ ତାହା ଧୀରେ ଧୀରେ ସମାପ୍ତ ହୋଇଥିଲା।
ଆମ ଦେଶରେ ଗୋଟିଏ ସମୟରେ ବାଲ୍ୟ ବିବାହ ପ୍ରଥାର ପ୍ରଚଳନ ଥିଲା। ଦଶ ବର୍ଷ ଭିତରେ କନ୍ୟାଦାନ କଲେ କନ୍ୟାଦାନର ଫଳ ମିଳେ ବୋଲି ଶାସ୍ତ୍ରାନୁମୋଦିତ ଥିଲା। ‘ଅଷ୍ଟବର୍ଷା ଭବେତ ଗୌରୀ, ନବବର୍ଷା ତୁ ରୋହିନୀ, ଦଶମେ କନ୍ୟକା ପ୍ରୋକ୍ତା........’ ବୋଲି କୁହାଯାଉଥିଲା। ସେତେବେଳେ ସମାଜରେ ଶିଶୁ ମୃତ୍ୟୁହାର ଅତ୍ୟଧିକ ଥିବାରୁ ନିଜ ଅଜାଣତରେ ବିବାହ କରିଥିବା ବାଳକଟିର କୌଣସି କାରଣରୁ ମୃତ୍ୟୁ ହୋଇଗଲେ ସମ୍ପୃକ୍ତା ଶିଶୁ କନ୍ୟାଟିକୁ ସାରା ଜୀବନ ଅବିବାହିତ ରହି ବିଧବା ଜୀବନ ଜିଇଁବାକୁ ପଡ଼ୁଥିଲା। ଏଭଳି ଏକ ଘୃଣ୍ୟ ଓ ଅବୈଜ୍ଞାନିକ ପ୍ରଥା ବିରୁଦ୍ଧରେ ତଥା ବିଧବାମାନଙ୍କ ବିବାହର ଅଧିକାର ପାଇଁ ସର୍ବପ୍ରଥମେ ମହାନ୍ ସମାଜ ସଂସ୍କାରକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ସ୍ୱର ଉତ୍ତୋଳନ କରିଥିଲେ। ତତ୍କାଳୀନ ସମାଜର ରୁଢ଼ିବାଦୀ ଗୋଷ୍ଠୀ ଓ ଧର୍ମର ବଡ଼ପଣ୍ଡାମାନେ ବିଦ୍ୟାସାଗରଙ୍କୁ ପରମ୍ପରାର ବିରୋଧୀ ଓ ବିଧର୍ମୀ ବୋଲି କହି ପ୍ରଚାର କରିଥିଲେ। କିନ୍ତୁ ସେସବୁ ପ୍ରଚାରକୁ ଭୃକ୍ଷେପ ନକରି ସେ ନିଜର ଲଢ଼େଇ ଅବ୍ୟାହତ ରଖିଥିଲେ। ସରକାର ବାଧ୍ୟ ହୋଇ ଆଇନ ଜରିଆରେ ବିବାହର ସର୍ବନିମ୍ନ ବୟସ ସ୍ଥିର କରିବା ସହ ବିଧବା ବିବାହକୁ ମାନ୍ୟତା ପ୍ରଦାନ କରିଥିଲେ। ଫଳରେ ସମାଜରେ ଏକ ନୂଆଁ ପରମ୍ପରା ସୃଷ୍ଟି ହୋଇଥିଲା।
ମହାରାଷ୍ଟ୍ରର ମହାତ୍ମା ଜ୍ୟୋତିବା ଫୁଲେ ଓ ତାଙ୍କ ଜୀବନସାଥୀ ସାବିତ୍ରୀ ବାଇ ଫୁଲେଙ୍କ ନାରୀ ଓ ଦଳିତ ପିଲାଙ୍କ ଶିକ୍ଷା ପାଇଁ ସଂଗ୍ରାମକୁ ମଧ୍ୟ ତତ୍କାଳୀନ ସମାଜର ରକ୍ଷଣଶୀଳ ଗୋଷ୍ଠୀ ସମର୍ଥନ କରି ନଥିଲେ। ସାବିତ୍ରୀ ବାଇ ଭାରତର ପ୍ରଥମ ବାଳିକା ବିଦ୍ୟାଳୟ ସ୍ଥାପନ କରିବା ସହ ପ୍ରଥମ ମହିଳା ଶିକ୍ଷକ ବି ଥିଲେ। ସେତେବେଳେ ଝିଅମାନେ ପାଠ ପଢ଼ିବା ସମାଜରେ ଶାସ୍ତ୍ରାନୁମୋଦିତ ନଥିଲା। ଶୁଦ୍ର ଓ ଦଳିତଙ୍କ ପରି ମହିଳାମାନେ ବି ଶିକ୍ଷାଲାଭରୁ ବଂଚିତ ରହୁଥିଲେ। ତେଣୁ ଝିଅମାନଙ୍କୁ ଶିକ୍ଷାଦାନ କରିବାକୁ ସାବିତ୍ରୀବାଇଙ୍କ ଉଦ୍ୟମ ପାଇଁ ତାଙ୍କୁ ସମାଜର ରୁଢ଼ିବାଦୀମାନଙ୍କ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେମାନେ ଏହାକୁ ସମାଜର ପ୍ରଚଳିତ ସଂସ୍କୃତି ଓ ପରମ୍ପରାର ବିରୋଧୀ ବୋଲି ଦାବି କରୁଥିଲେ। ଏହାଦ୍ୱାରା ଝିଅମାନେ ନଷ୍ଟ ହୋଇଯିବେ ଏବଂ ସମାଜ ଓ ପରିବାରର ଶୃଙ୍ଖଳା ଭାଙ୍ଗିଯିବ ବୋଲି ଏକ ଧାରଣା ରହିଥିଲା। ସେ ପ୍ରତିଦିନ ଘରୁ ବାହାରି ସ୍କୁଲକୁ ଯିବା ବେଳେ ରୁଢ଼ିବାଦୀ ଲୋକମାନେ ରାସ୍ତାରେ ଜଗି ତାଙ୍କ ଉପରେ ମଇଳା ପାଣି ପକାଉଥିଲେ। ସେଥିପାଇଁ ତାଙ୍କୁ ସ୍କୁଲକୁ ଗଲାବେଳେ ପ୍ରତିଦିନ ସାଥିରେ ଆଉ ଏକ ଲୁଗା ନେବାକୁ ପଡ଼ୁଥିଲା। କିନ୍ତୁ ସାବିତ୍ରୀବାଇ ସେମାନଙ୍କ ପ୍ରଚାରକୁ ଭୃକ୍ଷେପ ନକରି ନିଜ ଲକ୍ଷ୍ୟରେ ଆଗେଇଥିଲେ। ତତ୍କାଳୀନ ଭୁଲ ପରମ୍ପରା ବିରୁଦ୍ଧରେ ତାଙ୍କ ଲଢ଼େଇ ଆଜି ସମାଜର ମହିଳାମାନଙ୍କୁ ଶିକ୍ଷିତ କରିବାର ବାଟ ଖୋଲି ଦେଇଛି ଏବଂ ନୂଆ ଏକ ପରମ୍ପରାକୁ ସୃଷ୍ଟି କରିଛି।
ବ୍ରିଟିଶମାନେ ଆମଦେଶକୁ ଆସିବା ପୂର୍ବରୁ ଏଠାରେ ଗୁରୁକୁଳ ଶିକ୍ଷାର ପରମ୍ପରା ରହିଥିଲା। ଗୁରୁକୁଳମାନଙ୍କରେ କେବଳ ବ୍ରାହ୍ମଣ ଓ କ୍ଷତ୍ରୀୟ ସମ୍ପ୍ରଦାୟର ପିଲାମାନେ ଶିକ୍ଷାଲାଭର ବ୍ୟବସ୍ଥା ଥିଲା। ଶୁଦ୍ର ଓ ଦଳିତମାନେ ଶିକ୍ଷାରୁ ସମ୍ପୂର୍ଣ୍ଣ ବଂଚିତ ଥିଲେ। ମନୁସ୍ମୃତି ପରି ଶାସ୍ତ୍ରମାନଙ୍କରେ ଶୁଦ୍ର ଓ ଦଳିତମାନେ ଶିକ୍ଷାଲାଭ କରିବା ପାପ ବୋଲି କୁହାଯାଉଥିଲା। କିନ୍ତୁ ବ୍ରିଟିଶମାନଙ୍କ ଆଗମନ ପରେ ଦେଶରେ ଆଧୁନିକ ଶିକ୍ଷା ବ୍ୟବସ୍ଥାର ଆରମ୍ଭ ହେଲା। ଗୁରୁକୁଳ ପରମ୍ପରାର ସମାପ୍ତି ଘଟି ବିଦ୍ୟାଳୟର ଦ୍ୱାର ସମାଜର ସବୁ ଜାତିର ଲୋକଙ୍କ ପାଇଁ ଖୋଲାହେଲା। ପ୍ରଥମ ଥର ପାଇଁ ଦଳିତ ଓ ଶୁଦ୍ରମାନେ ଶିକ୍ଷାର ସୁଯୋଗ ପାଇଲେ। ଜ୍ୟୋତିବା ଫୁଲେ ଓ ଡ଼ଃ ଆମ୍ବେଦକରଙ୍କ ପରି ଶୁଦ୍ର ଓ ଦଳିତ ସମ୍ପ୍ରଦାୟର ଅନେକ ବ୍ୟକ୍ତି ଶିକ୍ଷାଲାଭ କରିବା ଏହି ନୂଆଁ ପରମ୍ପରାର ପରିଣତି ଥିଲା।
ସମାଜର ପ୍ରଥା ଓ ପରମ୍ପରା ଯେ ସର୍ବଦା ପରିବର୍ତ୍ତନଶୀଳ, ଏକଥାକୁ ପ୍ରମାଣିତ କରିବା ପାଇଁ ଆମ ପାଖରେ ଶହଶହ ଉଦାହରଣ ରହିଛି। ଯାହାକୁ ଶାସ୍ତ୍ରାନୁମୋଦିତ ଏବଂ ଅପରିବର୍ତ୍ତନୀୟ ବୋଲି ଦିନେ କୁହାଯାଉଥିଲା, ତାହା ପରେ ପରିବର୍ତ୍ତନ ହୋଇଛି। ଶହ ଶହ ବର୍ଷ ତଳେ ସେତେବେଳର ପରିସ୍ଥିତିରେ ଲେଖାଯାଇଥିବା ଶାସ୍ତ୍ରର ପରାମର୍ଶକୁ ଆଖିବୁଜି ଗ୍ରହଣ କରିବା ସମ୍ଭବ ନୁହେଁ। ଅତଏବ ପରିବର୍ତ୍ତିତ ପରିସ୍ଥିତିରେ ଅନେକ ଗୁଡ଼ିଏ ଶାସ୍ତ୍ରାନୁମୋଦିତ ପରମ୍ପରାର ପରିବର୍ତ୍ତନ ହୋଇଛି। ଖୋଦ୍ ପୁରୀ ଜଗନ୍ନାଥ ମନ୍ଦିରକୁ ନେଇ ରହିଥିବା ଅନେକ ପ୍ରଥା ଓ ପରମ୍ପରାରେ ଗତ କିଛି ଶତାବ୍ଦୀ ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି। ପୂର୍ବରୁ ପୁରୀରେ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଧ୍ୟରେ ମାଳିନୀ ନଦୀ ପ୍ରବାହିତ ହେଉଥିଲା। ରଥଯାତ୍ରା ସମୟରେ ଦୁଇପଟେ ତିନି ତିନି କରି ଛଅଟି ରଥ ନିର୍ମାଣ କରାଯାଉଥିଲା। ଶ୍ରୀମନ୍ଦିରରୁ ତିନୋଟି ରଥରେ ତିନି ଠାକୁରଙ୍କୁ ରଥରେ ନଦୀ କୂଳକୁ ନେବା ପରେ ବଡ଼ ବଡ଼ ଡଙ୍ଗାରେ ନଦୀ ପାର କରାଯାଉଥିଲା। ସେପଟେ ଆଉ ତିନୋଟି ରଥରେ ସେମାନଙ୍କୁ ଗୁଣ୍ଡିଚା ମନ୍ଦିରକୁ ନିଆଯାଉଥିଲା। କିନ୍ତୁ ତେରଶ ଶତାବ୍ଦୀରେ ଗଜପତି ଭାନୁଦେବଙ୍କ ସମୟରେ ଏତେଗୁଡ଼ିଏ ରଥ ପାଇଁ କାଠର ଅଭାବ ଓ ନଦୀ ପାର କରି ନେବାରେ ଅସୁବିଧାକୁ ଦେଖି ଏହି ଛଅଟି ରଥର ପରମ୍ପରାକୁ ସମାପ୍ତ କରାଯାଇଥିଲା। ମହାରାଣୀ ଶ୍ରଦ୍ଧାଙ୍କ ଉଦ୍ୟମରେ ପୁରୀ ସହରର ମଝିରେ ଯାଇଥିବା ମାଳିନୀ ନଦୀକୁ ବାଲିରେ ପୋତିବା ସହ ଉଭୟ ପଟକୁ ମିଶାଇ ଦିଆଯାଇଥିଲା। ତା’ପରେ ଛଅଟି ରଥ ବଦଳରେ ତିନୋଟି ରଥର ପରମ୍ପରା ଆରମ୍ଭ ହୋଇଥିଲା।
ରଥଯାତ୍ରା ସମୟରେ ପୂର୍ବରୁ ଡାହୁକ ଗୀତର ପରମ୍ପରା ରହିଥିଲା। ରଥ ଟାଣୁଥିବା ଭକ୍ତମାନଙ୍କ ମନୋବଳକୁ ବଢ଼େଇବା ନାଁରେ ଡାହୁକ ଗୀତ ନାଁରେ ରଥ ଉପରୁ ଅତ୍ୟନ୍ତ ଅଭଦ୍ର ଭାଷାରେ ଛୋଟ ଛୋଟ ଗୀତ ପରିବେଷଣ କରାଯାଉଥିଲା। ତେବେ ଏଭଳି ଗୀତର କୌଣସି ଆବଶ୍ୟକତା ନାହିଁ ବୋଲି ଅନେକ ସମାଲୋଚନା କରୁଥିଲେ। ଶେଷରେ ଅନେକ ବର୍ଷର ବିଚାର ଆଲୋଚନା ପରେ ଏହି ଡାକୁର ଗୀତର ପରମ୍ପରାକୁ ସମାପ୍ତି କରି ଦିଆଯାଇଥିଲା। ଅତଏବ ସମୟର ପରିବର୍ତ୍ତନ ସହିତ ଖୋଦ୍ ଜଗନ୍ନାଥ ମନ୍ଦିରର ଅନେକ ପ୍ରଥା ଓ ପରମ୍ପରାର ପରିବର୍ତ୍ତନ ହୋଇଛି ଏବଂ ଆଗାମୀ ଦିନରେ ଆହୁରି ମଧ୍ୟ ଯେ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
ପୂର୍ବେ ଦରିଆପାର ହୋଇ ବିଦେଶକୁ ଗଲେ ଜାତି ଚାଲିଯିବାର ପରମ୍ପରା ଥିଲା। ଆଜି କିନ୍ତୁ ବିଦେଶକୁ ଯିବା ଏକ ଆଭିଜାତ୍ୟର ପ୍ରତୀକ ହୋଇଯାଇଛି। ଲୋକେ ବିଦେଶ ଯିବାକୁ ଗର୍ବ ଅନୁଭବ କରୁଛନ୍ତି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍ କେନ୍ଦ୍ରରେ ବା ଅନ୍ନଛତ୍ରରେ ଖାଇବାକୁ ଭଲରେ ନିଆଯାଉ ନଥିଲା। ଛତରରେ ଖାଇବା ଲୋକଙ୍କୁ ‘ଛତରଖିଆ’ (ଏକ ଗାଳି) ବୋଲି କହି ବାସନ୍ଦ କରାଯାଉଥିଲା। ଆଜି କିନ୍ତୁ ରିଲିଫ୍ ଯୋଗାଣ ବିପର୍ଯ୍ୟୟ ସମୟରେ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ ହୋଇଯାଇଛି। ଲୋକେ ବିନା କୌଣସି ସାମାଜିକ ପ୍ରତିବନ୍ଧକରେ ରିଲିଫ୍ କେନ୍ଦ୍ରକୁ ଯାଇ ସରକାରୀ ରିଲିଫ୍ ନେବାରେ ଆଉ ଅସୁବିଧା ହେଉନି। ଅତିତରେ ଆମ ସମାଜରେ ହୋଟେଲ ସଂସ୍କୃତି ନଥିଲା। ଲୋକେ ଘର ବାହାରକୁ ଗଲେ ସାଥିରେ ରୋଷେଇ କରିବାକୁ ସାମଗ୍ରୀ ନେଉଥିଲେ ଅଥବା କୌଣସି ମନ୍ଦିର ବା ମଠରେ ଅଭ୍ୟାଗତ ଭୋଜନ କରୁଥିଲେ। ପରେ ପଇସା ଦେଇ ଭୋଜନ କରିବାର ହୋଟେଲ ସଂସ୍କୃତି ଆରମ୍ଭ ହେଲା। ବ୍ରହ୍ମପୁରରେ ଯେଉଁ ସାହିରେ ପ୍ରଥମେ ହୋଟେଲଟିଏ ଆରମ୍ଭ ହେଲା, ତାକୁ ଲୋକେ ‘ଭାତବିକା ସାହି’ ବୋଲି ବି କହିଲେ। କିନ୍ତୁ ଆଜି ଛୋଟ ବଡ଼ ସବୁ ସହରରେ ଏପରି ଗାଁମାନଙ୍କରେ ଶହ ଶହ ଭଳିକି ଭଳି ହୋଟେଲ ଗଢ଼ି ଉଠିବା ସହିତ ସେଠାରେ ପରିବାର ସହ ଯାଇ ଖାଇବାର ଏକ ସଂସ୍କୃତି ସୃଷ୍ଟି ହୋଇଛି। ସମାଜର ବିକାଶ ସହିତ ପୁରୁଣା ପରମ୍ପରା ଭାଙ୍ଗି ନୂଆ ପରମ୍ପରା ସୃଷ୍ଟି ହୋଇଛି।
ଗତ କିଛି ଶତାବ୍ଦୀ ମଧ୍ୟରେ ଆମର ଖାଦ୍ୟପେୟ, ବେଶପୋଷାକ ଓ ସଂସ୍କୃତିରେ ଦେଖାଦେଇଥିବା ପରିବର୍ତ୍ତନ ଏହାର ପ୍ରମାଣ ଅଟେ। ପୂର୍ବରୁ ଭାରତରେ ପୁରୁଷମାନେ ଧୋତି ପଞ୍ଜାବୀ ପିନ୍ଧିବାର ପରମ୍ପରା ଥିଲା। ମୋଗଲମାନଙ୍କ ଆଗମନ ପରେ ଏଠାରେ ଲୁଙ୍ଗି ପିନ୍ଧିବାର ଓ ବ୍ରିଟିଶମାନଙ୍କ ଆଗମନ ପରେ ପ୍ୟାଣ୍ଟସାର୍ଟ ପିନ୍ଧିବାର ପରମ୍ପରା ଆରମ୍ଭ ହେଲା। ବର୍ତ୍ତମାନ ଉଭୟ ପୁଅ ଓ ଝିଅ ଜିନ୍ ପିନ୍ଧିବା ଏକ ସାଧାରଣ କଥା ହୋଇଯାଇଛି। ଲୋକେ ନିଜର ସୁବିଧା ଓ ପସନ୍ଦ ଅନୁଯାୟୀ ପୋଷାକ ପିନ୍ଧୁଛନ୍ତି। କିନ୍ତୁ ପରମ୍ପରାବାଦୀମାନେ ଏଭଳି ଜିନ୍ ପିନ୍ଧାକୁ ଗ୍ରହଣ କରିପାରୁ ନଥିବା ଜଣାପଡ଼ିଛି। ହରିଆନା ଓ ଉତ୍ତର ପ୍ରଦେଶରେ ଖାପ୍ ପଂଚାୟତଗୁଡ଼ିକ ଯୁବତୀମାନେ ଜିନ୍ ପିନ୍ଧିବା ଉପରେ କଟକଣା ଜାରୀ କରିଥିବା ଦେଖାଯାଇଛି।
ଆମର ଜନ୍ମବାର୍ଷିକୀ ଓ ବିବାହ ଉତ୍ସବ ରହିଥିବା ଅନେକ ଗୁଡ଼ିଏ ପରମ୍ପରାରେ ବି ପରିବର୍ତ୍ତନ ହୋଇଛି। ପୂର୍ବରୁ ପିଲାଙ୍କ ଜନ୍ମଦିବସ ସମୟରେ ମାଆମାନେ କ୍ଷୀରି, ଚକୁଳି କରି ପୂଜା କରୁଥିବା ବେଳେ ଏବେ ଜନ୍ମଦିନକୁ ଏକ ଉତ୍ସବ ଭାବେ କେକ୍ କାଟି ପାଳନ କରାଯାଉଛି। ସେହିପରି ବିବାହ ବେଳେ ପୂର୍ବରୁ ଝିଅର ମତାମତ ନିଆଯାଉ ନଥିବା ଏବଂ ପୁଅମାନେ କନ୍ୟାକୁ ନଦେଖି ଅଭିଭାବକମାନେ ସ୍ଥିର କରିବା ଅନୁଯାୟୀ ବିବାହ କରୁଥିବା ବେଳେ ଆଜିକାଲି ବିବାହ ପୂର୍ବରୁ ଉଭୟ ପରସ୍ପରକୁ ଜାଣିବା ଏବଂ ସହମତି ଅନିବାର୍ଯ୍ୟ ହୋଇପଡ଼ିଛି। ଅତୀତରେ ବରଯାତ୍ରୀରେ ମହିଳାମାନେ ଯିବା ମନାଥିବା ବେଳେ ଆଜିକାଲି ମହିଳାମାନଙ୍କ ଅଂଶଗ୍ରହଣ ସାଧାରଣ କଥା ହୋଇଯାଇଛି।
ଶେଷରେ ଏତିକି କୁହାଯାଇପାରେ ଯେ ମଣିଷ ନିଜର ସାମାଜିକ ଜୀବନରେ ନିଜର ବୁଦ୍ଧିମତାକୁ ନେଇ ପ୍ରଥା ଓ ପରମ୍ପରାର ସୃଷ୍ଟି କରିଥାଏ। କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ନିଜର ଆବଶ୍ୟକତା ଓ ସୁବିଧା ଅନୁଯାୟୀ ସେସବୁ ପରମ୍ପରାରେ ପରିବର୍ତ୍ତନ ମଧ୍ୟ କରିଥାଏ। ତେବେ ଯେଉଁ ପରମ୍ପରା ବିଜ୍ଞାନ ସମ୍ମତ ଓ ଯୁକ୍ତିଯୁକ୍ତ ସେହି ପରମ୍ପରା ହିଁ ସମାଜରେ ବିଳମ୍ବରେ ହେଲେ ବି ଆଦୃତି ଲାଭ କରିଥାଏ।
ଫୋନ ନଂ - ୯୪୩୭୧୬୬୩୯୧