ସୂର୍ଯ୍ୟମଣି ମିଶ୍ର
ଆଟର୍ଣ୍ଣି ଜେନେରାଲ୍ଙ୍କ ସହମତି ପରେ ଯଦି କୁନାଳ କାମରାଙ୍କ ଉପରେ ମାନହାନୀ ମୋକଦ୍ଦମା ଚାଲେ ତେବେ ଚଳିତ ବର୍ଷ ଅର୍ଥାତ୍ ୨୦୨୦ର ଦ୍ୱିତୀୟ ବଡ଼ ମାନହାନୀ କାର୍ଯ୍ୟାନୁଷ୍ଠାନ ହେବ! ଯାହା ଦେଶର ଆଇନ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରଖିବ। ପ୍ରଥମେ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ମକଦ୍ଦମା କରାଯାଇଥିଲା। ଦ୍ୱିତୀୟରେ କୁନାଳଙ୍କ ବିରୋଧରେ। କୁନାଳ ନା ଜଣେ ସାମାଜିକ କର୍ମୀ ନା ଆଇନ ଉପରେ ଅଭିଜ୍ଞତା ଥିବା ବ୍ୟକ୍ତିତ୍ୱ। ବରଂ ସେ ଜଣେ ଷ୍ଟାଣ୍ଡ୍ ଅପ୍ କମେଡ଼ିଆନ୍। ତାଙ୍କର ପ୍ରତିଦିନ କାର୍ଯ୍ୟ ହେଉଛି ଲୋକଙ୍କ ମନୋରଂଜନ। ନିକଟରେ ତାଙ୍କର ୮ଟି ଟ୍ୱିଟ୍, ଆଇନ ଛାତ୍ରଙ୍କୁ ଏବଂ ଆଡ଼ଭୋକେଟ୍ମାନଙ୍କ ମନରେ ଆଘାତ ଦେଇଛି। ପୃଷ୍ଠଭୂମି ହେଉଛି ଅର୍ଣ୍ଣବ ଗୋସ୍ୱାମୀଙ୍କ ସପକ୍ଷରେ ସୁପ୍ରିମକୋର୍ଟ ଦେଇଥିବା ସଦ୍ୟତମ ନିଷ୍ପତ୍ତି। ଅର୍ଣ୍ଣବ ଗୋସ୍ୱାମୀଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଲେ ଯଦି ରାଜ୍ୟ ସରକାର ବ୍ୟକ୍ତିଙ୍କୁ ଟାର୍ଗେଟ୍ କରନ୍ତି, ତେବେ ସେ ଜାଣିବା ଉଚିତ୍ ଯେ, ନାଗରିକଙ୍କ ସ୍ୱାଧୀନତାର ସୁରକ୍ଷା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ରହିଛି। ଆମର ଗଣତନ୍ତ୍ର ଅସାଧାରଣ ଭାବେ ନାଗରିକଙ୍କୁ ସମ୍ମାନର ସହ ବଂଚିବାର ଅଧିକାର ଦେଇଛି ।
ମହାରାଷ୍ଟ୍ର ସରକାର ଅର୍ଣ୍ଣବ ଟିଭିରେ ଯେଭଳି ଚିତ୍କାର କରନ୍ତି ନାଚନ୍ତି, ଉଠନ୍ତି, ବସନ୍ତି, ଗଳାଫଟାଇ କହନ୍ତି ତାହାକୁ ଅଣଦେଖା କରିବା ଉଚିତ୍। ଯଦି ଆମେ ଏକ ସାମ୍ବିଧାନିକ ନ୍ୟାୟାଳୟ ଭାବରେ ବ୍ୟକ୍ତିଗତ ସ୍ୱାଧୀନତାର ସୁରକ୍ଷା କରିବା ନାଇଁ ତେବେ କିଏ କରିବେ? ଯଦି କୌଣସି ରାଜ୍ୟ କୌଣସି ବ୍ୟକ୍ତିଙ୍କୁ ଜାଣିଶୁଣି ଟାର୍ଗେଟ କରୁଛନ୍ତି ତେବେ ଏହା ଉପରେ ଏକ ଦୃଢ ସଶକ୍ତ ବାର୍ତ୍ତା ଦେବାର ଆବଶ୍ୟକତା ରହିଛି। ସୁପ୍ରିମକୋର୍ଟ ଅର୍ଣ୍ଣବ ମାମଲାରେ ଏପରି ମନ୍ତବ୍ୟ ଦେଇ ବ୍ୟକ୍ତି ସ୍ୱାଧୀନତାର ସିଦ୍ଧାନ୍ତକୁ ପ୍ରାଥମିକତା ଦେଇଛନ୍ତି। ଯାହା ଏକ ଉତ୍ତମ ତଥା ବାସ୍ତବ ଦୃଷ୍ଟିକୋଣ। ଏହା ଅଭିନନ୍ଦନୀୟ ତଥା ଅନୁକରଣୀୟ। ଆଉ ଏହି ସବୁକୁ ସମାନ ଭାବରେ କାର୍ଯ୍ୟକାରୀ କରାଯିବା ଉଚିତ୍। ରାଜ୍ୟର କୌଣସି ଜଣେ ନାଗରିକଙ୍କୁ ପ୍ରତାଡିତ-ନିର୍ଯାତିତ କରିବାର ଅଧିକାର ନାହିଁ। ବାସ୍ତବ ସତ୍ୟ ହେଉଛି ଏହି କାର୍ଯ୍ୟ ବା ଚିନ୍ତା ସିଲେକ୍ଟିଭ୍ ହେବା ଉଚିତ୍ ନୁହେଁ? ଆଜିର ମତ ହେଉଛି କ’ଣ ଏହି ସ୍ଥିତି କେବଳ ଏକ ବିଶେଷ ମାମଲା ପାଇଁ ବା ପୁଣି ସୁପ୍ରିମକୋର୍ଟ ଏହି ସୁପ୍ରିମ ସିଦ୍ଧାନ୍ତକୁ ସମସ୍ତ ନାଗରିକଙ୍କ ପାଇଁ କାର୍ଯ୍ୟକାରି କରିବା ନିମନ୍ତେ ଚିନ୍ତା କରୁଛନ୍ତି? ନିକଟରେ ସଚିତ କୁମାର ଜୈନ୍ ସୂଚନା ଅଧିକାର ଆଇନ ବଳରେ ଯେଉଁ ତଥ୍ୟ ପାଇଛନ୍ତି ତାହା ଉପରେ ଆଖି ପକାଇଲେ ମନରେ ସ୍ୱତଃ ପ୍ରଶ୍ନ ସୃଷ୍ଟି ହେଉଛି। ସୁପ୍ରିମକୋର୍ଟ ଲମ୍ବିତ ଅନ୍ତରୀଣ ଜାମିନ୍ ମାମଲା ସଂଖ୍ୟା କେତେ ତାହା ଉପରେ ସମୀକ୍ଷା କରିଛନ୍ତି କି? ହାରାହାରି ଗୋଟିଏ ଅନ୍ତରୀଣ ଜାମିନର ଅର୍ଜିର ଶୁଣାଣି ପାଇଁ ଲାଗୁ ହେଉଥିବା ସମୟ କେତେ? ଗୋଟିଏ ଅନ୍ତରୀଣ ଜାମିନର ଯାଚିକାର ଶୁଣାଣି ପାଇଁ ସୂଚୀବଦ୍ଧ କରିବା ନିମନ୍ତେ ଲାଗୁଥିବା ସମୟ କେତେ? ବ୍ୟକ୍ତି ସ୍ୱାଧୀନତା କେବଳ ଜଣେ ବ୍ୟକ୍ତିଙ୍କ ପାଇଁ ସାମ୍ବିଧାନିକ ଅଧିକାର ନୁହେଁ। ବରଂ ସମସ୍ତ ନାଗରିକଙ୍କର ମୌଳିକ ଅଧିକାର। ଯେଉଁଥିପାଇଁ ସମସ୍ତ ପୀଡ଼ିତ ନାଗରିକ ନିଜର ଜାମିନ ପାଇଁ ଅଦାଲତରେ ପହଂଚି ପାରିବେ।
ପ୍ରଶ୍ନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ, ୩୧ ଡିସେମ୍ବର ୨୦୧୯ ସୁଦ୍ଧା ଦେଶରେ ମୋଟ ୩ ଲକ୍ଷ ୩୦ ହଜାର ୪୮୭ ଜଣ ଲୋକ ବିଚାରାଧୀନ କଏଦୀ ବା ବନ୍ଦୀ ଭାବରେ ଜେଲ୍ର ବନ୍ଦ କୋଠରୀ ଭିତରେ ରହିଛନ୍ତି। କ’ଣ ଏହି ସମସ୍ତ ମାମଲାରେ ଉଚିତ୍ ନ୍ୟାୟିକ ଏବଂ ଆଇନ ପ୍ରକ୍ରିୟା ପାଳନ ହେଉଛି କି? ଏଥି ମଧ୍ୟରୁ ଅର୍ଥାତ୍ ୩ ଲକ୍ଷ ୩୦ ହଜାର ୪୮୭ ଜଣଙ୍କ ମଧ୍ୟରୁ କେତେ ଜଣ ଲୋକ ଏପରି ଅଛନ୍ତି ଯେଉଁମାନେ ଜାମିନ ପାଇବା ପାଇଁ ଯୋଗ୍ୟ ହେବେ ନାହିଁ ବା ବାସ୍ତବରେ ଅପରାଧୀ ହେବେ? ଏଥି ମଧ୍ୟରୁ ୪୧୫୧୧ ଜଣ ଲୋକ ଦୁଇବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ବନ୍ଦୀ ଭାବରେ ଜୀବନ କାଟୁଛନ୍ତି। ୩୩୦୪୮୭ ଜଣ ଲୋକଙ୍କ ମଧ୍ୟରୁ ୬୯୩୦୨ ଜଣ ଲୋକ ଅନୁସୂଚିତ ଜାତି ଏବଂ ୩୪୭୫୬ ଜଣ ଅନୁସୂଚିତ ଜନଜାତିର ଲୋକ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି। ମଧ୍ୟପ୍ରଦେଶରେ ସବୁଠୁ ଅଧିକ ୫୮୯୪ ଜଣ ଆଦିବାସୀ ଏବଂ ଉତ୍ତର ପ୍ରଦେଶରେ ୧୭୯୯୫ ଜଣ ଅନୁସୂଚିତ ଜାତିର ଲୋକ ଜେଲରେ ବିଚାରାଧୀନ ବନ୍ଦୀ ଭାବେ ଜୀବନ କାଟୁଛନ୍ତି। ବିଚାରାଧୀନ ବନ୍ଦୀଙ୍କ ମଧ୍ୟରେ ୯୪୫୩୩ ଜଣ ଲୋକ ନିରକ୍ଷର ଏବଂ ୧୩୪୭୪୯ ଜଣ ବିଚାରାଧୀନ ବନ୍ଦୀ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢିଛନ୍ତି। ଏହି ମୋଟ ବିଚାରାଧୀନ ବନ୍ଦୀଙ୍କ ମଧ୍ୟରୁ ୧୨୧୨ ଜଣ ବିଚାରାଧୀନ ମହିଳା ବନ୍ଦୀ ନିଜ ଶିଶୁଙ୍କ ସହ ବନ୍ଦ କୋଠରୀରେ ରହିଛନ୍ତି। ଏହି ମହିଳାଙ୍କ ସହ ୧୪୦୯ ଜଣ ଶିଶୁ ଜେଲରେ। ଆମ ସମ୍ବିଧାନ ସ୍ପଷ୍ଟ ଭାବେ ସୂଚାଇଛି। ଦେଶର ପ୍ରତ୍ୟେକ ନାଗରିକ ସ୍ୱତନ୍ତ୍ରତା, ସମାନତା, ବନ୍ଦୁତ୍ୱ ସହ ସମସ୍ତ ଗଣତାନ୍ତ୍ରିକ ଅଧିକାର ପାଇବେ। ଏହି ଅଧିକାର ପ୍ରଦାନର ଦାୟିତ୍ୱ ହେଉଛି ରାଷ୍ଟ୍ରର। କୁନାଳ କାମରା ସୁପ୍ରିମକୋର୍ଟଙ୍କ ଦ୍ୱାରା ଅର୍ଣ୍ଣବ ପ୍ରସଙ୍ଗରେ ନିଷ୍ପତ୍ତି ଉପରେ ଯେଉଁ ଟିପ୍ପଣୀ ଦେଇଛନ୍ତି ତାହା ହେଲା ଭୀମାକୋରେଗାଓଁ ମାମଲାରେ ୮୫ ବର୍ଷର ଅଭିଯୁକ୍ତ ଷ୍ଟେନ୍ ସ୍ୱାମୀଙ୍କୁ ଜାମିନ୍ ମିଳୁନାହିଁ। ଏହିପରି ବରିଷ୍ଠ କବି ବର୍ବର ରାଓଙ୍କୁ ମଧ୍ୟ ଜାମିନ୍ ମିଳିପାରିନାହିଁ। ଦେଶରେ ଆଇନ୍ ବଦଳିନାହିଁ। ବ୍ୟାଖ୍ୟା ଏବଂ ପ୍ରାଥମିକତା ବଦଳିଯାଇଥିବା ମନେ ହେଉଛି। ଅଦାଲତର ଦୃଷ୍ଟିକୋଣ ପରିବର୍ତ୍ତନ ହେଉଥିବା ନେଇ କୁନାଳ ନିଜର ମତ ଦେଇ କହିଛନ୍ତି ଯେ, ଯାହା ବିଚାରଣୀୟ କୁନାଳଙ୍କ ବିରୋଧରେ କଣ୍ଟେମ୍ପ ଅଫ୍ କୋର୍ଟ ବା ଅଦାଲତ ଅବମାନନା ଅନୁଯାୟୀ ମକଦ୍ଦମା ହୋଇପାରେ। ସେ କିନ୍ତୁ କହିଛନ୍ତି, ମୁଁ ଅଦାଲତରେ ମୋ ପାଇଁ କୌଣସି ଓକିଲ ଦେବି ନାହିଁ କି ଅଦାଲତ ଯଦି ମୋ ଉପରେ ଜୋରିମାନା କରନ୍ତି ତେବେ ଦେବିନାହିଁ। କୁନାଳଙ୍କ ମତ ଅଦାଲତ ବିରୋଧରେ ନିଶ୍ଚୟ। କିନ୍ତୁ ଦେଶରେ ହଜାର ସଂଖ୍ୟକ ନାଗରିକ ଆଜି ଦିନରେ ବିନା କାରଣରେ ବିଚାରାଧୀନ ବନ୍ଦୀ ଭାବେ ରହୁଥିବା ନାଗରିକଙ୍କ ଜାମିନ ଆବେଦନକୁ ନେଇ ପ୍ରଶ୍ନ ଉଠାଇବା ସ୍ୱାଭାବିକ।
ଏହା କେବଳ ଦେଶର ଚିତ୍ର ନୁହେଁ, ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ସରକାରୀ ଦମନର ଚିତ୍ର ଦେଖିବାକୁ ମିଳୁଛି। ଏହି ଦମନରୁ ଓଟିଭି ଭଳି ଗଣମାଧ୍ୟମ ହେଉ ଅବା ପୁରୀରେ ନିକଟରେ ଘଟିଥିବା କେ. ରମେଶଙ୍କ ହାଜତ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ସଚିତ କୁମାର ଜୈନ ସୂଚନା ଅଧିକାର ଆଇନ ବଳରେ ଯେଉଁ ତଥ୍ୟ ପାଇଛନ୍ତି ସେହି ତଥ୍ୟ ଅନୁଯାୟୀ ଓଡ଼ିଶାରେ ୩୧ ଡିସେମ୍ବର ୨୦୧୯ ସୁଦ୍ଧା ୩ ମାସ ଯାଏ ୪୫୬୩ ଜଣ ପୁରୁଷ ଓ ୧୬୩ ଜଣ ମହିଳା ବିଚାରାଧୀନ ବନ୍ଦୀ ଭାବେ ଜୀବନ କାଟିଥିଲେ। ଏହିପରି ୩ରୁ ୬ ମାସ ଯାଏ ଓଡ଼ିଶାର ୩୩୫୩ ଜଣ ପୁରୁଷ ଏବଂ ୧୦୮ ଜଣ ମହିଳା, ୬ରୁ ୧୨ ମାସ ଯାଏ ୧୮୦୬ ଜଣ ପୁରୁଷ ଓ ୫୮ ଜଣ ମହିଳା, ୧ରୁ ୨ ବର୍ଷ ଯାଏ ୧୭୮୦ ଜଣ ପୁରୁଷ ଓ ୬୯ ଜଣ ମହିଳା, ୨ରୁ ୩ ବର୍ଷ ଯାଏ ୮୨୨ ଜଣ ପୁରୁଷ ଓ ୩୭ ଜଣ ମହିଳା, ୩ରୁ ୫ ବର୍ଷ ଯାଏ ୭୫୦ ଜଣ ପୁରୁଷ ଓ ୧୯ ଜଣ ମହିଳା, ୫ ବର୍ଷରୁ ଅଧିକ ୨୬୯ ଜଣ ପୁରୁଷ ଏବଂ ୬ ଜଣ ମହିଳା ମୋଟ ୧୩,୩୪୩ ଜଣ ପୁରୁଷ, ୪୬୦ ଜଣ ମହିଳା ବିଚାରାଧୀନ ବନ୍ଦୀ ଭାବେ ରହିଥିଲେ। ଏହା ସୂଚାଇ ଦେଉଛି ନାଗରିକଙ୍କ ସ୍ୱାଧୀନତା ନାଗରିକଙ୍କ ପାଇଁ ସମାନତା ଏବଂ ଗଣତାନ୍ତ୍ରିକ ଅଧିକାର କେତେ ସୁରକ୍ଷିତ? ଦେଶରେ ୩.୩୦ ଲକ୍ଷରୁ ଅଧିକ ବିଚାରାଧୀନ ବନ୍ଦୀ ଭାବେ ରହିବା ଭାରତର ସମସ୍ତ ଅଦାଲତ ପାଇଁ ବଡ଼ ଅବମାନନା ପ୍ରସଙ୍ଗ ନୁହେଁ କି? ଯଦି ଅଦାଲତ ମାନବୀୟ ମୁକ୍ତିର ମୂଲ୍ୟକୁ ପାଳନ କରିବେ ତେବେ ଏହି ଅବମାନନା ଦୂର ହେବା ସହ ପ୍ରତିଟି ନାଗରିକଙ୍କ ସମାନତାର ଅଧିକାର ଏବଂ ସ୍ୱାଧୀନତାର ଅଧିକାର ସୁରକ୍ଷିତ ହେବ । ରାଷ୍ଟ୍ର ବା ରାଜ୍ୟ ଏଭଳି ଦମନ ପଦକ୍ଷେପରୁ କ୍ଷାନ୍ତ ରହିପାରିବ ।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଦୂରଭାଷ: ୯୪୩୮୦୦୬୨୧୫