ସତ୍ୟ ଶୋଭନ ଦାସ
ଏକ ଆଧୁନିକ ସମାଜର ସୁପରିକଳ୍ପନା ହେବା ଆଗରୁ ମନୁଷ୍ୟ ଜଙ୍ଗଲ, ପାହାଡ ଓନଦୀ ପାଖରେ ବସବାସ କରୁଥିଲେ।ଆମର ପୁରାତନ ସଭ୍ୟତାଗୁଡିକର ଇତିହାସ ମଧ୍ୟ ଏହାକୁ ପ୍ରମାଣିତ କରେ। ସମୟ ସ୍ରୋତରେ, ସଂଗଠିତ ସମାଜର ଗଠନ ହେଲା, ଗ୍ରାମ ଓ ସହର ବିକଶିତ ହେଲା। କିଛି ଇତିହାସକାରଙ୍କ ମତରେ ରାଜା ବିମ୍ବିସାରଙ୍କ ରାଜତ୍ୱକାଳରେ ( ଖ୍ରୀଷ୍ଟପୂର୍ବ୫୪୩ -୪୯୨) ସମୟରେ ଭୂମି, ଗୃହପାଳିତପଶୁ, କାରିଗରଙ୍କୁ ରାଜସ୍ୱ ସଂଗ୍ରହର ପ୍ରାଥମିକ ଧାରଣା ବିକଶିତ ହେଲା ଏହା ରାଜା ଅଶୋକ ଏବଂ ମୌର୍ଯ୍ୟକାଳରେ ରାଜସ୍ୱ ରେକର୍ଡ ପାଇଁ ସ୍ଥାନୀୟ ପ୍ରଶାସନିକ ବ୍ୟବସ୍ଥା ଥିଲା।ପ୍ରତ୍ୟେକ ଗାଁରେ ଜଣେ ମୁଖିଆ ଥିଲେ ଯିଏ କି ଟିକସ ସଂଗ୍ରହ ପାଇଁ ଦାୟୀ ଥିଲେ।
ଷୋଡଶ ଶତାବ୍ଦୀରେ ଶେର୍ଶାହାସୁରୀଙ୍କ ରାଜୁତିକାଳରେ ଜମି ମୂଲ୍ୟାଙ୍କନ ଓ ସମାଧାନ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ସମୟରେ ଜମି ରାଜସ୍ୱ ଏକ ପ୍ରମୁଖ ଆୟର ସାଧନ ଥିଲା। ଏହାପରେ ଆକବରଙ୍କ ଶାସନକାଳରେ ଅର୍ଥମନ୍ତ୍ରୀ ରାଜା ତୋଡରମଲ ଏହି ବ୍ୟବସ୍ଥାକୁ ପୁନଃସଂଗଠିତ କରିଥିଲେ। ଓଜନମାନକ ଏବଂ ମାପ, ଏକ ଜମି ସର୍ବେକ୍ଷଣ ଏବଂ ସମାଧାନ ବ୍ୟବସ୍ଥା, ରାଜସ୍ୱ ଜିଲ୍ଲା ଏବଂ ରାଜସ୍ୱ ଅଧିକାରୀଙ୍କ ବ୍ୟବସ୍ଥାକୁ ସାମଜରେ ପରିଚୟ କରିଥିଲେ।ଅମୀନ ବ୍ୟବସ୍ଥା ରାଜା ତୋଡରମଲଙ୍କ ସମୟରୁ ଆରମ୍ଭ ହେଲା। ପରେ ବ୍ରିଟିଶ ଶାସନ ସମୟରେ ମଧ୍ୟ ଭୂମି କର ରାଜସ୍ୱର ପ୍ରମୁଖ ଆୟଥିଲା।ସ୍ୱାଧୀନ ଭାରତ ପୂର୍ବରୁ ଦେଶରେ ତିନୋଟି ପ୍ରମୁଖ ଭୂମି ରାଜସ୍ୱ ନୀତି ଥିଲା। ଜମିଦାରୀ, ମାଲଗୁଜାରୀ ଏବଂରେୟତବାରି ( Jamindari, Mahalwari, Ryotwari)।
ଏହି ସବୁ କର କିମ୍ବା ଟିକସ ବ୍ୟକ୍ତି ଗତ ଭୂମି ଉପରେ ଥିଲା।ଗ୍ରାମ ସମୀପ ବିସ୍ତିର୍ଣଗୋଚର, ଅନାବାଦୀ, ନଦୀ, ନାଳଖାଲ, ଜଙ୍ଗଲ ଆଦି ଜାଗା ସାମୁହିକ ଗୃହ ପାଳିତ ପଶୁମାନଙ୍କଖାଦ୍ୟ ସମସ୍ୟାର ସମାଧାନ, ଜୈବ ବିଭୀଦତା ରକ୍ଷା କରିବା ସଙ୍ଗେସଙ୍ଗେ ଖାଦ୍ୟ ଓ ରୋଜଗାରର ଏକ ମାଧ୍ୟମ ଥିଲା। ଏହି ସାର୍ବଜନିକ ଜାଗା ବ୍ୟବହାର ପାଇଁ କୌଣସି ପ୍ରକାର କର ଦେବାକୁ ପଡୁନଥାଏ। ସମାଜର ପୁରୋଧା ନେତୃତ୍ୱଙ୍କୁ ବ୍ୟକ୍ତିଗତ ସମ୍ପତ୍ତି ଛଡ଼ା ସାମୁଦାୟିକ ସଂଶାଧନର ମହତ୍ତ୍ୱ ବିଷୟରେ ଜଣାଥିଲା।
ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ଅଟେ। କୃଷି ପ୍ରଧାନ ସାମଜର ତିନୋଟି ମୁଖ୍ୟ ସମ୍ପଦ ଜଳ, ଜମି ଓ ଜଙ୍ଗଲ।ଓଡିଶା ସରକାରଙ୍କ କୃଷି ଜନଗଣନା ୨୦୧୧ ହିସାବରେ ରାଜ୍ୟରେ ମୋଟ ୪୫.୫୨ ଲକ୍ଷ ହେକ୍ଟର ଜମିରେ ଚାଷ ହେଉଛି।ଏଥି ମଧ୍ୟରୁ ସୀମାନ୍ତ କୃଷକ ୭୨.୧୫ ପ୍ରତିଶତ ଏବଂ ଛୋଟ କୃଷକ ୧୯.୬୯ ପ୍ରତିଶତ।
ଦେଖିବାକୁ ଗଲେ ରାଜ୍ୟରେ ମୋଟ କୃଷକ ମଧ୍ୟରୁ ସୀମାନ୍ତ ଓ ଛୋଟ କୃଷକଙ୍କ ସଂଖ୍ୟା ମିଶି ୯୧.୮୪ ପ୍ରତିଶତ ଅଟେ।୧୯୭୦-୭୧ମସିହାରେ ହାରାହାରି ଜମି ମାଲିକାନା ୧.୮୯ ହେକ୍ଟର ଥିବା ବେଳେ ବର୍ଷ ୨୦୧୦-୧୧ରେ ଏହା କମ ହୋଇ ୧.୦୪ ହେକ୍ଟରରେ ପହଞ୍ଚିଯାଇଥିଲା। ଦିନକୁ ଦିନ ଜମି ଧାରଣର କ୍ଷେତ୍ରଫଳ କମୁଛି।ଯେଉଁ ରାଜ୍ୟ କୃଷି ଉପରେ ନିର୍ଭର ଓ ପାଖାପାଖି ୯୨ ପ୍ରତିଶତ ଛୋଟ ଓ ସୀମାନ୍ତ କୃଷକ ତାଙ୍କର ନିର୍ଭରତା ସାମୁହିକ ସଂଶାଧନ ଉପରେ ବେଶି ହୋଇଯାଏ।ବ୍ୟକ୍ତି ଗତ ଜମି ଓ ଜଳାଶୟକୁ ଛାଡିଦେଲେ ଆଉ ସବୁ ସାମୂହିକ ସମ୍ପତ୍ତି କିମ୍ବା ସାମୂହିକ ସଂଶାଧନ ହିସାବରେ ବିବେଚନା କରୁ।
ଏହି ସବୁକୁ ଏକ ସ୍ରୋତରେ ବାନ୍ଧିଥାଏ ଆମ ସାମଜର ଲିଖିତ ଆଇନ, ଅଲିଖିତ ସଂସ୍କୃତି ଓ ପରମ୍ପରା। ଏହା ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଦୃଶ୍ୟ ମାନ କିମ୍ବା ଅଦୃଶ୍ୟ ମାନ ଭାବରେ ଜୀବିକାର ଏକ ମୁଖ୍ୟ ଉତ୍ସ ସହିତ ବିଭିନ୍ନ ପକ୍ଷୀ, ଜୀବଜନ୍ତୁ ଓ ଜୈବ ବିଭିଧତାର ସ୍ରୋତ ଅଟେ। ଜମି, ଜଙ୍ଗଲ, ଜଳସ୍ରୋତ, ଅନାବାଦି, ଗୋଚର, ସର୍ବଜନିକ ଜମି, ଜଙ୍ଗଲ, ପାହାଡ, ନଦୀ , ନାଳ,ଖାଳ, କେନାଲ , ରାସ୍ତାଘାଟ, ବିଦ୍ୟାଳୟ ଓ ଅନ୍ୟ ଶିକ୍ଷା ସଂସ୍ଥା, ହସ୍ପିଟାଲ, ମନ୍ଦିର ଓ ଧାର୍ମିକ ସ୍ଥଳ ଓ ଅନ୍ୟାନ୍ୟ ସମସ୍ତ ସମ୍ପତ୍ତି ଯାହାର ଉପଯୋଗ ସାମୁହିକହିତରେ ହୁଏ ତାହାକୁ ଆମେ ସାର୍ବଜନିକ ସମ୍ପତ୍ତି କିମ୍ବା ସାମୂହିକ ସଂଶାଧନ କହୁ। କିଛି ଉଦାହରଣରେ ଆମକୁ ବୁଝିବାକୁ ପଡ଼ିବ। ଯେଏମିତି ବିଭିନ୍ନ ଜଳାଶୟରେ ଥିବା ମାଛ, କଙ୍କଡା, ଗେଣ୍ଡା ଅନ୍ୟ ଜଳାଶୟ ଗୁଳ୍ମ, ସାମୁହିକଜମି, ଜଙ୍ଗଲ ଓ ଗୋଚରରେ ଗାଈଗୋରୁ, ଛେଳି ମେଣ୍ଢା ଆଦି ଅନ୍ୟଗୃହପାଳିତ ପଶୁ ଚରାଇବା, ଘର ଓ କୃଷି କାର୍ଯ୍ୟରେ ବ୍ୟବହୃତ କାଠ ,ବାଉଁଶ,ଘାସ, ପତ୍ର, ରୋଷେଇ ପାଇଁ ଜାଳେଣି ସହିତ ବିଭିନ୍ନ ପ୍ରକାରର କୋଳି, ଶାଗ, ଫଳମୂଳ, କନ୍ଦମୂଳ , ମହୁଆ, ଚିରଞ୍ଜି, କେନ୍ଦୁ, ଛତୁ ଏବଂ ଔଷଧ ଜଡିବୁଟି ମିଳିଥାଏ।।
ଏହା ଆମର ଜୀବନଶୈଳୀ, ଜୀବିକାକୁ ସୁଦୃଢ କରିବା ସହିତ ଖାଦ୍ୟ ବ୍ୟବସ୍ଥାରେ ଭିନ୍ନତା ଆଣିଥାଏ। ଆର୍ଥିକ ଦୁର୍ବଳ, ମହିଳା, ଭୂମିହୀନ ଓ ବଂଚିତବର୍ଗଙ୍କପାଇଁ ଏହା ସବୁଠୁ ଅଧିକ ସୁରକ୍ଷା ପ୍ରଦାନ କରିଥାଏ। ଖାଦ୍ୟ, ଘରୋଇ ଆବଶ୍ୟକତା ଓ ଜୀବିକା ସହିତ ବିଭିନ୍ନ ପକ୍ଷୀ ଏବଂ ବନ୍ୟଜୀବ ଓ ସରୀସୃପ ସହିତ ପରସ୍ପରର ନିର୍ଭରତା ଓ ଏକ ସମୟରେ କିମ୍ବା ସମାନ ସ୍ଥାନରେ ବଞ୍ଚିବାର ରାସ୍ତା ଦେଖେଇଥାଏ।
ଆମର ସମାଜ ଏହି ସାମୂହିକ ସଂଶାଧନ ମହତ୍ତ୍ୱକୁ ସମ୍ମାନ ଦେବା ପାଇଁ ଓ ଏହାର ଚିରନ୍ତନ ରକ୍ଷଣା ବେକ୍ଷଣ ପାଇଁ ଲିଖିତ/ ଅଲିଖିତ ଆଇନ ଓ ନିୟମ ଉପରେ ଜୋର ଦେଇ ଆସିଛି। ଆମର ସଂସ୍କୃତି , ପରମ୍ପରା ଓ ପର୍ବପର୍ବାଣୀରେ ମଧ୍ୟ ଏହାର ମହତ୍ତ୍ୱ ବହୁତ ଦେଖିବାକୁ ମିଳେ। ଯେମିତି ଆମ ହିନ୍ଦୁ ଦେବଦେବୀଙ୍କ ସ୍ଥାନ ଜଙ୍ଗଲ ପାହାଡ ଓ ବାହନ ବଣ୍ୟ ପ୍ରାଣୀ ଓ ପକ୍ଷୀ।
ମହାଦେବଙ୍କ ବାସସ୍ଥାନ ହିମାଳୟ ପର୍ବତ ଓ ଗଳାରେ ସର୍ପ, କୃଷ୍ଣ ଭଗବାନଙ୍କ ବାଲ୍ୟଲୀଳା ଆମ ପଶୁ ପାଳକ ସମାଜ ଓ ଜଙ୍ଗଲ, ପାହାଡ, ଗୋଚରଭୂମି, ନଦୀର ସମ୍ପର୍କ ଓ ମହତ୍ତ୍ୱ ଖୁବ ଭଲ ଭାବରେ ଦର୍ଶାଇ ଥାଏ। ରାମାୟଣରେ ଜଟାୟୁ ପକ୍ଷୀ, ବାନର ସେନା, ଜାମ୍ବବାନ, ଗୁଣ୍ଡୁଚି ମୂଷା ଓ ଜଙ୍ଗଲ ରେଶବର ଦେଇଥିବା କୋଳିର କାହାଣୀ କାହାକୁ ଅଛପା ନାହିଁ। ଏହି ସବୁ ଧର୍ମଗ୍ରନ୍ଥ, ଇତିହାସ ଆମକୁ ପ୍ରକୃତି ଆମର ସାମୂହିକ ସଂଶାଧନ, ପକ୍ଷୀ, ବନ୍ୟପ୍ରାଣୀ, ଗୃହପାଳିତ ପ୍ରାଣୀ ସହିତ ମିଳିମିଶି ବଂଚିବା ଓ ଏହାର ଚିରନ୍ତନ ରକ୍ଷଣା ବେକ୍ଷଣାକୁ ଦର୍ଶାଇଥାଏ। ଆମର ପର୍ବପର୍ବାଣୀ ମଧ୍ୟ ଏହି ଚିନ୍ତାଧାରା ବଳବତ୍ତର କରିଥାଏ।
ବାଲେଶ୍ୱର ସହିତ ଓଡ଼ିଶାର ଅନ୍ୟସ୍ଥାନରେ ଗର୍ଭଣା ସଂକ୍ରାନ୍ତି ଦିନ ଖାଡୀ(ଡାଳ କିମ୍ବା ପତ୍ର)କୁ ପୂଜା କରି ନିଜର ଜମି ସହିତ ପଦା, ଗୋଚର ଓ ସାର୍ବଜନିକ ଜାଗା ଦେଖିବାକୁ ଯାଅନ୍ତି।କିଛି ବିଦ୍ୱାନଙ୍କ ହିସାବରେ ଏହା ଏକ ପାରମ୍ପରିକ ଅଲିଖତ ଜ୍ଞାନ। ନିଜ ଜମିର ଫସଲର ସ୍ଥିତି ଓ ଆକଳନ ସହିତ ନିଜ ଗ୍ରାମର ସାମୂହିକ ସମ୍ପତ୍ତିକୁ କବଜା ଓ ଖରା ପସ୍ଥିତିରୁ ରକ୍ଷା କରିବା ପାଇଁ ଏହା ଏକପ୍ରକାର ପ୍ରକ୍ରିୟା।
ଧାନ ଖଳାରେ ଅମଳ ହେଲା ପରେ ଗୁରୁବାରରେ ଖଳାପୂଜା ହୁଏ ମା ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ। ମା ଲକ୍ଷ୍ମୀ ହେଉଛନ୍ତି ଧନ ଓ ସୁଖର ଦେବୀ। ପୂଜା ଆରମ୍ଭ କରିବା ପାଇଁ ଗୋଟିଏ ସମୟ ନିର୍ଧାରିତ ଥାଏ। ତାହେଉଛି ପାଖ ଜଙ୍ଗଲ କିମ୍ବା କିଆଁ ବନରେ ଥିବା ଶିଆଳର ହୁକେହୁ ଡାକ। ଏହା ଆମର ଜୀବନଶୈଳୀରେ ସାମୁହିକ ସଂଶାଧନ ଓ ବନ୍ୟ ପ୍ରାଣୀର ସମ୍ପକକୁ ଦର୍ଶlଇଥାଏ।
ଆଜି କିନ୍ତୁ ଏହି ସବୁ ପର୍ବର ମୁଖ୍ୟ ଉଦ୍ଦେଶ୍ୟର ରଙ୍ଗଫିକା ପଡ଼ିଲାଣି।ଏହି ସବୁ ସମ୍ପତ୍ତିକୁ ଭିନ୍ନଭିନ୍ନ ସମୟରେ ସମାଜ ବିଭିନ୍ନ ପ୍ରକାର ରୀତିନିୟମରେ ଏହାର ମହତ୍ତ୍ୱ ଓ ରକ୍ଷଣାବେକ୍ଷଣ କରି ଆସୁଛି। ଏହି ସାମୂହିକ ସଂଶାଧନ ଏବେ ବିପଦପୂର୍ଣ୍ଣ ସ୍ଥିତିରେ ପହଂଚିଛି।ଗ୍ରାମର ପାରମ୍ପରିକ ଶାସନ ଏବେ ଭଗ୍ନ ଓ ଚୁରମାର ହେବାକୁ ବସିଛି। ଲୋକଙ୍କ ଲୋଭ, ସରକାରଙ୍କ ନୀରବତା, ସ୍ଥାନୀୟ ଲୋକଙ୍କ କମ କିମ୍ବା ନାମମାତ୍ରର ପ୍ରାଥମିକତା ଏବଂ ରୁଗ୍ଣ ରାଜନୀତିରେ ବଳି ପଡୁଛି ଏହି ସମ୍ପଦ।
ଦିନେ ଯେଉଁ ପଦାରେ କିଶୋର କିଶୋରୀ ଓ ଯୁବକ ଯୁବତୀ ଖେଳ କୂଦ କରୁଥିଲେ ଆଜି କିଛି ଲୋଭି ଲୋକଙ୍କ କବଜାରେ। ଗାଈ, ବଳଦ, ମେଣ୍ଢା ଛେଳି ଚାରିଉଥିବା ଗୋଚର ଜମିର ଅଧିକାଂଶ ଭାଗ ଏବେ ଲୋକଙ୍କ କବଜାରେ କିମ୍ବା ଗଢି ଉଟିଛି ସରକାରୀ ଓ କିଛି ଗୋଷ୍ଠୀଙ୍କ ଭବନ। କେନାଲ, ଖାଲ ଓ ଗୋହିରୀ ଆମର ପାରମ୍ପରିକ ସ୍ରୋତ ଥିଲା ବର୍ଷା ପାଣି ନିଷ୍କାସନ ପାଇଁ। ହେଲେ ଆଜି ସେଗୁଡ଼ିକ ବିପଦ ପୂର୍ଣ୍ଣ ସ୍ଥିତିରେ। ନିକଟ ଅତୀତରେ ଭୁବନେଶ୍ୱରର ବନ୍ୟା ଏହାର ଜ୍ଵଳନ୍ତ ଉଦାହରଣ।ସେହିଭଳି ବାଲିଆପାଳରେ ଶୋଳସାପାଣ୍ଠରେ ଗତ ଖରିଫରେ ଧାନ ଚାଷ ଅତ୍ୟଧିକ ପାଣି ଜମି ରହିବା ଓ ପାଣି ନିଷ୍କାସନନ ହେବାରୁ ହଜାର ହଜାର ହେକ୍ଟର ଜମିରେ ଚାଷ ହୋଇନଥିଲା।
ଏବେ ପାରମ୍ପରିକ ଜଳନିଷ୍କାସନ ସ୍ରୋତ ପ୍ରଭାବଶାଳୀ ଲୋକଙ୍କ କବଜାରେ ଓ ଏହି ସମ୍ପତ୍ତିର ପରିଚାଳନାଗତ ତ୍ରୁଟିକୁ ଦର୍ଶାଇଥାଏ।ଜଙ୍ଗଲ ବିଭାଗ ଲୋକଙ୍କ ହିତକୁ ଅଣଦେଖା କରି ତାରବାଡ଼ ଓ ବ୍ୟବସାୟିକ ବୃକ୍ଷରୋପଣ କରିବାକୁ ପଛାଉନାହିଁ। ଏହି ସାମୂହିକ ସଂଶାଧନଗୁଡିକର ସୁରକ୍ଷା ପାଇଁ ସମାନ ଦାୟିତ୍ୱ ନେବା ଦରକାର। ସମାନ ଅଧିକାର ସହିତ ଜାତିଭିତ୍ତିକ ଭେଦଭାବ ବିରୁଦ୍ଧରେ ଆଇନକୁ ପ୍ରଭାବଶାଳୀ କରାଯିବା ସହ ନିରପେକ୍ଷ ଭାବରେ କାର୍ଯ୍ୟକାରୀ କରାଯିବା ଉଚିତ୍। ଏହି ଗ୍ରାମୀଣ ସଂଶାଧନଗୁଡିକର ସୁରକ୍ଷା ଏବଂ ପରିଚାଳନା ପାଇଁ ନୂତନ ନିୟମ ପ୍ରଣୟ ନକରିବା ଆବଶ୍ୟକ। ପ୍ରଭାବଶାଳୀ ଭୂ-ମାଫିଆ ଓ ପୁଞ୍ଜିବାଦୀଙ୍କ ନଜରରୁ ଏହି ସମ୍ପତ୍ତିକୁ ରକ୍ଷା କରିବା ଏକ ଆହ୍ୱାନ।
ମହାତ୍ମା ଗାନ୍ଧୀଜୀଙ୍କ ଲବଣ ସତ୍ୟାଗ୍ରହ ଏହି ସାମୂହିକ ସଂଶାଧନର ହକ ସ୍ଥାପନା କରିବା ଓ ପୁଞ୍ଜିବାଦୀ କରଣ ରୋକିବାକୁ ଏକ ପ୍ରଥମ ସାମୂହିକ ପ୍ରୟାସ କରିଥିଲେ।ନିକଟ ଅତୀତରେ ଆଦିବାସୀଙ୍କର ନୀୟମଗିରି ପର୍ବତ ଆନ୍ଦୋଳନ ଏକ ସାମୂହିକ ସାହସ ଏବଂ ସାମୂହିକ ସମ୍ପତ୍ତି ରକ୍ଷା କରିବା ଏକ ନିଆରା ଉଦାହରଣ। ଜୈବ ବିଭିଧତା, ଜୀବନ ଓ ଜୀବିକାର ପ୍ରାଥମିକ ଉତ୍ସ ଭାବରେ ଦୁର୍ବଳ ଓ କବଜା ସଂଶାଧନକୁ ବିଭିନ୍ନ ସ୍ତରରେ ଚିହ୍ନଟ କରାଯିବା ଉଚିତ (ସ୍ଥାନୀୟ ଗ୍ରାମଞ୍ଚଳଠାରୁ ରାଜ୍ୟ ଓ ଜାତୀୟସ୍ତର ପର୍ଯ୍ୟନ୍ତ) ଏବଂ ଏହି ସାମୂହିକ ସଂଶାଧନକୁ ଆଇନଗତ ସୁରକ୍ଷା ଦିଆଯିବା ଉଚିତ। ସାମାଜିକ-ଗଣତାନ୍ତ୍ରିକ ଆଦର୍ଶ ଗୁଡିକ ଆଧାର କରି ଆମକୁ ସବୁ ବର୍ଗ ଓ ଜାତିର ଲୋକଙ୍କୁ ଅନ୍ତର୍ଭୂକ୍ତ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରଣାଳୀ ମାଧ୍ୟମରେ ସାମାଜିକ ଧାରଣା ଉପରେ ଆଧାର କରି ଏକ ବିକାଶ ମଡେଲ ନିର୍ମାଣ କରିବାକୁ ପଡିବ।
ରାଜ୍ୟରେ ଗ୍ରାମସଭାବା ପଞ୍ଚାୟତ ସ୍ଥାନୀୟ ନିୟମ ପ୍ରଣୟନ ଓ ପରିଚାଳନା ପାଇଁ ଆଦର୍ଶ ଅଟେ।ପଞ୍ଚାୟତ ଓ ଗ୍ରାମସଭା ତୃଣମୂଳସ୍ତରରେ ଏହି ସାମୂହିକ ସଂଶଧାନକୁ କବଜା ମୁକ୍ତ କରିବା ସହିତ ସୁପ୍ରବନ୍ଧନ କରିବାର ମୂଳଦୁଆ ପକେଇଲେ ବିକାଶର ଏକ ନୂଆ ଅଧ୍ୟାୟ ଆରମ୍ଭ ହୁଅନ୍ତା। ଆମେ ଭାଗ୍ୟବାନଯେ ଆମ ରାଜ୍ୟରେ ୩୭.୩୪% ଜମି ଜଙ୍ଗଲ ଏବଂ ଏହି ଜଙ୍ଗଲରେ ୬୨ ପ୍ରକାରର ଜନଜାତି, ବିଶେଷଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTGs) ଏବଂ ଅନ୍ୟାନ୍ୟ ପାରମ୍ପାରିକ ଜଙ୍ଗଲବାସୀ ଏହି ଜଙ୍ଗଲ ଉପରେ ନିର୍ଭରଶୀଳ।
ରକ୍ଷଣାବେକ୍ଷଣ ସହିତ ସେମାନେ ଏହି ଉତ୍ସ ଗୁଡ଼ିକର ବ୍ୟବହାର ମଧ୍ୟ କରନ୍ତି। ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପାରିକ ଜଙ୍ଗଲନିବାସୀ (ଜଙ୍ଗଲ ଅଧିକାରର ସ୍ୱୀକୃତି) ଅଧିନିୟମ -୨୦୦୬ ଏବଂ ନିୟମ ୨୦୦୮ ଏବଂ “ସଂଶୋଧନ ନିୟମ -୨୦୧୨” ପାରିତ ହେଲା। ଏହି ନିୟମ ଅନୁଯାୟୀ ସମ୍ପ୍ରଦାୟର ଜଙ୍ଗଲ ସମ୍ପଦକୁ ସଂରକ୍ଷଣ, ପୁନଃନିର୍ମାଣ, ଏବଂ ପରିଚାଳନା କରିବାର ସମ୍ପ୍ରଦାୟର ଅଧିକାର ଅଛି, ଯାହାକି ସେମାନେ ପିଢ଼ି ପରେ ପିଢ଼ି କ୍ରମାଗତ ଭାବରେ ବ୍ୟବହାର କରିଆସୁଛନ୍ତି।
ପୂର୍ଣ୍ଣ ଶକ୍ତି ଓ ମନୋବଳ ସହିତ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଅଛି।ବିକାଶ ପ୍ରକ୍ରିୟାରେ ଏକ ନୂତନ ମୂଲ୍ୟବ୍ୟବସ୍ଥା, ପାରମ୍ପାରିକ ସଂସ୍କୃତିକୁ ନଷ୍ଟ କରିବା ପାଇଁ ନୁହେଁ ବରଂ ଏହାକୁ ପୁନଃନିର୍ମା ଣକରିବା। ସ୍ଥାୟୀ ବିକାଶ ପାଇଁ ପରିବେଶ ଏବଂ ଅର୍ଥନୀତି ମଧ୍ୟରେ ସମ୍ପର୍କକୁ ସମୀକ୍ଷା କରିବା ପାଇଁ ଏକ ପ୍ରକ୍ରିୟା ହେବା ଉଚିତ୍।
ସମାନତା ଆଧାରରେ ପ୍ରାକୃତିକ ସମ୍ପଦର ପ୍ରବେଶ, ବ୍ୟବହାର ଏବଂ ସମ୍ପର୍କକୁ ପୁନର୍ଜିବିତ କରିବାକୁ ପ୍ରୟାସ ହେବା ଉଚିତ୍।।ସାମୂହିକ ସମ୍ପତ୍ତିକୁ ଦ୍ରବ୍ୟ ଏବଂ ସମ୍ପତ୍ତିରେ ପରିଣତ କରିବା ପ୍ରୟାସକୁ ପ୍ରତିରୋଧ କରାଯିବା ଦରକାର। ସମ୍ମାନ ସହିତ ଏକ ସରଳ ଜୀବନଶୈଳୀ ଏବଂ ସଂରକ୍ଷିତ ଉତ୍ସ ଗୁଡିକର ସୁବିନିଯୋଗ ସୁନିଶ୍ଚିତ କରିବା ସହିତ ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ସ୍ଥାୟୀ କାର୍ଯ୍ୟକ୍ଷମ ବ୍ୟବସ୍ଥା ସୃଷ୍ଟିକରିବ।
ସାମାଜିକକର୍ମୀ
ଘରଠିକଣା- କରଞ୍ଜ, ବାଲିଆପାଳ , ବାଲେଶ୍ୱର