- ଶୁଭ୍ରାଂଶୁ ଶେଖର
କ୍ୟାନ୍ସର୍, ଏଡ୍ସ୍ ଭଳି ରୋଗର ଏଯାବତ୍ ୧୦୦ ପ୍ରତିଶତ ଭ୍ୟାକ୍ସିନ୍ କି ଔଷଧ ବାହାରିପାରିନି । କ୍ୟାନ୍ସର୍ ପାଇଁ ଯଦିଓ କେମୋ ରହିଛି ହେଲେ ଏହା ଶତ ପ୍ରତିଶତ ଜୀବନ ରକ୍ଷା କରିପାରିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ । ଯଦି ପୂର୍ବରୁ ପୋଲିଓ, ଏବୋଲା ଆଦି ରୋଗକୁ ଦେଖିବା ତା'ହେଲେ ଜାଣିବା ଯେ ଭାଇରସ୍ ପାଇଁ କ୍ୱ୍ୱଚିତ୍ ସଫଳ ଭ୍ୟାକ୍ସିନ୍ ବାହାରିଛି । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ତଥା ଏଡ୍ସ୍ ଭାଇରସ୍କୁ ଖୋଜି ବାହାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନୋବେଲ ବିଜେତା ଲୁକ୍ ମୋଣ୍ଟାଗନିୟର କହିଛନ୍ତି, କରୋନା ଭାଇରସ୍ ଭ୍ୟାକ୍ସିନ୍ ସଫଳତାର ସହିତ ବିକଶିତ ହୋଇପାରିବ ବୋଲି ଗ୍ୟାରେଣ୍ଟି ନାହିଁ । ଏହି ମାହାମାରୀର ଯେତେ ପର୍ଯ୍ୟନ୍ତ ଭ୍ୟାକ୍ସିନ୍ ବାହାରିନି ସେତେ ଦିନ ପର୍ଯ୍ୟନ୍ତ ସାମାଜିକ ଦୂରତା ବଜାୟ ରଖିବାକୁ ସରକାର ନିର୍ଦ୍ଦେଶ ଦେଇପାରନ୍ତି । ନହେଲେ ଲୋକେ ନିଜେ ଭୂତାଣୁ ସଂକ୍ରମଣରୁ ମୁକ୍ତ ରହିବା ପାଇଁ ଏହି ନିୟମ ପାଳନ କରିପାରନ୍ତି । ଏପରି ହେଲେ ଏହି ସମୟ ମଧ୍ୟରେ ହେବାକୁ ଥିବା ନିର୍ବାଚନ ଓ ଭୋଟ୍ଗ୍ରହଣ ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ।
ଏହି ମହାମାରୀର ଭ୍ୟାକ୍ସିନ୍ ବାହାରିବାକୁ ୨୦୨୧ ହୋଇଯିବ ବୋଲି କୁହାଯାଉଛି । ହେଲେ ଚଳିତ ବର୍ଷ ଶେଷ ବେଳକୁ ବିହାର ବିଧାନସଭା ନିର୍ବାଚନ ରହିଛି । ପରେ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସେହିପରି ଓଡ଼ିଶାରେ ପୌର ନିର୍ବାଚନ ରହିଛି । ଗତମାସରେ ରାଜ୍ୟସଭା ନିର୍ବାଚନ ଥିଲା । ହେଲେ କରୋନା ମହାମାରୀକୁ ଦେଖି ନିର୍ବାଚନ ଏବେ ବାତିଲ ରହିଛି । ରାଜ୍ୟସଭା ନିର୍ବାଚନ ଲୋକଙ୍କ ପ୍ରତିନିଧି ଦ୍ୱାରା ହେଉଥିବାରୁ ଆଗାମୀ ଦିନରେ କରୋନା ଏହି ନିର୍ବାଚନକୁ ପ୍ରଭାବିତ କରିପାରିବନି । ହେଲେ ଲୋକସଭା, ବିଧାନସଭା ଓ ପଞ୍ଚାୟତ ନିର୍ବାଚନଗୁଡ଼ିକରେ ଜନସାଧାରଣ ସିଧାସଳଖ ଭୋଟ୍ ଦେଉଥିବାରୁ ଏଗୁଡ଼ିକ କରୋନା ଦ୍ୱାରା ପ୍ରଭାବିତ ହେବା ଏକ ପ୍ରକାର ଥୟ । ନିର୍ବାଚନରେ ଲୋକଙ୍କ ସଂପୃକ୍ତି ଅଧିକ ରହିଥିବାରୁ ଏହି ଭାଇରସ ଆଗାମୀ ଦିନରେ ଦେଶ ଓ ରାଜ୍ୟର ନିର୍ବାଚନ ପର୍ବକୁ ଫିକା ପକାଇ ଦେବ । କରୋନା ଭୟରେ ଲୋକମାନେ ଏବେ ସଚେତନ ହେବା ଆରମ୍ଭ କରିଛନ୍ତି । ଯେଉଁ ଚାଳ ଛପର ଘରେ ଟିଭି, ଫ୍ରିଜ ରହୁଥିଲା ହେଲେ ହ୍ୟାଣ୍ଡ ୱାଶ ରହୁନଥିଲା ସେହି ଘରେ ଏବେ ନାମୀଦାମୀ ହ୍ୟାଣ୍ଡ ୱାଶ ରହୁଛି । ତେଣୁ ଲୋକଙ୍କ ଚଳଣି ବଦଳିଛି । ଯାହାକି ଭଲ କଥା । ଆଉ ଆଗାମୀ ଦିନରେ ଏହି ଚଳଣି ଜାରି ରୁହେ ତା’ହେଲେ ନେତାଙ୍କ ପ୍ରଚାର ମୈଦାନରେ କିଏ ଭିଡ଼ ଜମାଇବ? କାରଣ ଯେଉଁମାନେ ଯିବେ ତାଙ୍କ ପାଇଁ କରୋନା ଭୟ ରହିବ।
ଭୋଟ୍ ଦେବା ବେଳେ ଲମ୍ୱା ଲାଇନରେ ଛିଡ଼ା ହେବାକୁ ହେଉ ଅବା ପ୍ରଚାର ବେଳେ ଅନେକଙ୍କ ସଂପର୍କରେ ଆସି ଘରକୁ ଫେରିବା ବେଳେ କରୋନାର ଭୟ ରହିବ। ନିଜ ପରିବାରର ସୁରକ୍ଷାକୁ ଦେଖି ନେତା ହେଉ ଅବା କର୍ମୀ କି ସାଧାରଣ ଜନତା ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବା ପୂର୍ବରୁ ଦୁଇ ଥର ଭାବିବେ।
କରୋନା ବେଳେ ଗତ ସପ୍ତାହରେ ଦକ୍ଷିଣ କୋରିଆରେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି । ଶାସକ ଦଳ ଡେମୋକ୍ରାଟିକ ପାର୍ଟି ଅଫ୍ କୋରିଆର ସଭାପତି ମୁନ୍ ଜାଏ-ଇନ୍ ପୁଣିଥରେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି । ଏଠାରେ ୧୦, ୬୭୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୩୬ ଜଣଙ୍କର ମୃତ୍ୟୁ ଘଟିଛି । ୫.୧୬ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ବାଲାଟ ଜରିଆରେ ଭୋଟିଂ ହୋଇଛି । ଲୋକମାନେ ଧାଡିରେ ଆସି ଭୋଟ୍ ଦେଇଛନ୍ତି । ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାତରେ ଗ୍ଲୋଭସ, ସାନିଟାଇଜର ଏବଂ ବୁଥ ଭିତରକୁ ପ୍ରବେଶ କରିବା ବେଳକୁ ଥର୍ମାଲ ସ୍କ୍ରିନିଂ ହୋଇଥିଲା । ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ମଧ୍ୟ ଗ୍ଲୋଭସ, ସାନିଟାଇଜର ଆଦି ବ୍ୟବହାର କରିଥିଲେ । ତେଣୁ ଆଗାମୀ ଦିନରେ ବିହାର ବିଧାନସଭା ନିର୍ବାଚନ ହେଉ କି ଅନ୍ୟ ନିର୍ବାଚନ ବେଳେ ଲୋକମାନେ ଏହି ଶୈଳୀରେ ମତଦାନ ଦେଇପାରିବେ । ହେଲେ ଏହା କାର୍ଯ୍ୟକାରୀ କେମିତି ହେଉଛି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା । ଏଥିପାଇଁ ନିର୍ବାଚନ କମିଶନ ମଧ୍ୟ ଗାଇଡ୍ ଲାଇନ୍ ଜାରି କରିପାରନ୍ତି ।
୨୦୧୪ ଲୋକସଭା ନିର୍ବାଚନ ବେଳେ ସେତେବେଳର ପ୍ରଧାନମନ୍ତ୍ରୀ ମୋଦି ଅନ୍ତିମ ସମୟରେ ଭିଡିଓ ୱାଲ୍ ମାଧ୍ୟମରେ ଥ୍ରୀଡି ଶୈଳୀରେ ପ୍ରଚାର କରିଥିଲେ । ଏକା ସାଙ୍ଗରେ ୬ରୁ ୭ଟି ସ୍ଥାନରେ ଲାଗିଥିବା ଭିଡିଓ କନ୍ଫରେନ୍ସିଂ ୱାଲ୍ ଜରିଆରେ ପ୍ରଚାର କରିଥିଲେ । କିନ୍ତୁ ଏହି ସ୍ଥାନ ଗୁଡ଼ିକରେ ଲୋକଙ୍କର ଭିଡ଼ ରହିଥିଲା । ଏବେ କରୋନାକୁ ଡରି ଆଗାମୀ ଦିନରେ ବିଜେପି, କଂଗ୍ରେସ, ବିଜେଡି ମଧ୍ୟ ଏହି ଭଳି ପ୍ରଚାର କରିପାରନ୍ତି । ହେଲେ ଉଦାହରଣ ସ୍ୱରୂପ ଛୋଟିଆ ଦଳ ଉତ୍କଳ ଭାରତ ଯଦି ପ୍ରଚାର କରିବ ତା’ହେଲେ ଭିଡିଓ ୱାଲ୍ ପ୍ରଚାର କରିବା ପାଇଁ ଆବଶ୍ୟକ ସମ୍ୱଳ ଆସିବ କେଉଁଠୁ? ବିନା ଲୋକଙ୍କ ଉପସ୍ଥିତିରେ ନେତାମାନେ ସେହିଭଳି ଭାବରେ ପ୍ରଭାବଶାଳୀ ଉଦବୋଧନ ଦେଇପାରିବେ କି ନାହିଁ ତାହା ଏବେ ଆଉ ଏକ ପ୍ରଶ୍ନ । ଏହାବାଦ ଲୋକମାନଙ୍କ ପାଖରେ ପହଞ୍ଚିବାକୁ ସୋଶାଲ ମିଡିଆକୁ ବ୍ୟବହାର କରିବେ ନେତାମାନେ ।
ଏବେ ଦେଶବାସୀ ସୋଶାଲ ମିଡିଆକୁ ନିଜ ଜୀବନଶୈଳୀରେ ସାମିଲ୍ କରିସାରିଛନ୍ତି । ତେଣୁ ଏହି ମାଧ୍ୟମରେ ପ୍ରଚାର ହୋଇପାରିବ । ହେଲେ ଏହି ପ୍ରଚାର ବେଳେ ଫେକ୍ ପ୍ରଚାର ହେବାର ମଧ୍ୟ ଆଶଙ୍କା ଅଧିକ ରହିଛି । ସୋଶାଲ ମିଡିଆରେ ଫେକ୍ ଆଇଡି ତିଆରି ଉପରେ ଯେତେ ପର୍ଯ୍ୟନ୍ତ ରୋକ୍ ନଲାଗିଛି ସେତେ ଦିନ ପର୍ଯ୍ୟନ୍ତ ଫେକ୍ ନ୍ୟୁଜ ପୋଷ୍ଟ ରହିବ । ୟୁଟ୍ୟୁବ୍, ଫେସ୍ବୁକ୍, ଟୁଇଟର୍ ଭଳି ସୋଶାଲ୍ ମିଡିଆ ପ୍ଲାଟ୍ଫର୍ମରେ ନେତାମାନେ ଲାଇଭ୍ ପ୍ରଚାର କରିପାରିବେ । ହେଲେ ଏଥିରେ ଲୋକମାନେ କେତେ ପ୍ରଭାବିତ ହେବେ ତାହା ବଡ଼ ପ୍ରଶ୍ନବାଚୀ । ନେତାଙ୍କୁ ଜନତା ଦେଖା ନଗଲେ ସେ କେମିତି ନିଜର ଉଦ୍ବୋଧନକୁ ପ୍ରଭାବଶାଳୀ କରିବେ ତାହା ବଡ଼ ପ୍ରଶ୍ନବାଚୀ । ଲୋକମାନେ ଗୋଟିଏ ସ୍ଥାନକୁ ଆସି ନେତାଙ୍କ ବାବଦରେ ଟୁପୁରୁ ଟାପୁର ହୋଇ ଯେଉଁଭଳି ନିର୍ଯାସରେ ପହଞ୍ଚୁଥିଲେ ତାହା ସୋଶାଲ ମିଡିଆ ଜରିଆରେ କ'ଣ ପ୍ରଭାବ ପକାଇବ ତାହା ଏବେ କହିବା ମୁସ୍କିଲ୍ ।
ଦକ୍ଷିଣ କରୋଆରେ ନିର୍ବାଚନ ପ୍ରଚାର ପାଇଁ ପ୍ରତି ଛକରେ ଥିବା କମ୍ୟୁନିଟି ସେଣ୍ଟର ନିରୂପଣ କରାଯାଇଥାଏ । ଯେଉଁଠି କେବଳ ବ୍ୟାନର ବାନ୍ଧିହେବ । ସେହି ସ୍ଥାନକୁ ପ୍ରାର୍ଥୀମାନେ ଖୋଲା ଜିପରେ ଆସି ନିଜର ମତାମତ ଦିଅନ୍ତି । ଲୋକମାନେ ଘରେ ରହି ପ୍ରାର୍ଥୀଙ୍କ ମତାମତ ଶୁଣନ୍ତି । ପ୍ରତିଦିନି ଟିଭିରେ ସୂଚନା ମିଳିଥାଏ କେଉଁ ପ୍ରାର୍ଥୀ କେଉଁ ସମୟରେ କେଉଁ କମ୍ୟୁନିଟି ସେଣ୍ଟର ଯାଇ ପ୍ରଚାର କରିବେ । ସବୁଠୁ ବଡ଼ କଥା ହେଲା ପ୍ରଚାର ବେଳେ ସମସ୍ତ ଦଳର ପ୍ରାର୍ଥୀ ଦେଶର ବିକାଶ ଓ ପୂର୍ବ ସରକାରର ବିକାଶକୁ ନେଇ ମତାମତ ରଖନ୍ତି । କୌଣସି ନେତା ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପ କରନ୍ତି ନାହିଁ । ଭାରତରେ କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଥାଏ । ଦଳୀୟ କର୍ମୀଙ୍କ ମନରେ ଉତ୍ସାହ ଓ ବିବାଦୀୟ ମନ୍ତବ୍ୟ ଦେଇ ଲୋକଲୋଚନରେ ରହିବାକୁ ଯାଇ ପ୍ରାର୍ଥୀମାନେ ଏଭଳି ମତାମତ ଦିଅନ୍ତି । ଆମେରିକାରେ ମଧ୍ୟ ଚଳିତ ବର୍ଷ ନଭେମ୍ୱରରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏଠାରେ ମଧ୍ୟ ଦକ୍ଷିଣ କୋରିଆ ଶୈଳୀରେ ନିର୍ବାଚନ ହୁଏ । ତେଣୁ ଆମେରିକା ପାଇଁ ମଧ୍ୟ ଏତେଟା କଷ୍ଟକର ହେବ ନାହିଁ । କରୋନାର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଚାଇନାରେ କମ୍ୟୁନିଷ୍ଟ ସରକାର ରହିଛି । ତେଣୁ ସେଠାରେ ନିର୍ବାଚନ ଭୟ ନାହିଁ । ହେଲେ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତର ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି ।
କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଏବେ ଡିଜିଟାଲ ଭୋଟିଂ ବାବଦରେ ଚିନ୍ତା କରିବାର ଆବଶ୍ୟକ ରହିଛି । ଏହାଦ୍ୱାରା ଦେଶର ନିର୍ବାଚନ ଆଉ ବ୍ୟୟବହୁଳ ହେବନି । କିନ୍ତୁ ନିର୍ବାଚନ ମତଦାନକୁ ନେଇ ଚିନ୍ତା ପ୍ରକଟ କରିବାର ଆବଶ୍ୟକ ରହିଛି । ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, "ଡିଜିଟାଲ୍ ଭାବେ ମତଦାନ କରିବା ପାଇଁ ସଫ୍ଟୱେର ବିକଶିତ କରିବା ବିଷୟରେ ଅନେକ ଆଲୋଚନା ହୋଇଛି ଏବଂ ଆଟଲାଣ୍ଟିକ୍ କାଉନସିଲରେ (ଯେଉଁଥିରେ ଶ୍ରୀ ତିୱାରୀ ଜଣେ ସଦସ୍ୟ), ଆମେ ଇଷ୍ଟୋନିଆର ଉଦାହରଣକୁ ଦେଖି ଏହା ଉପରେ ସମୀକ୍ଷା କରିଥିଲୁ । ମୁଖ୍ୟ ପ୍ରସଙ୍ଗ ଟେକ୍ନୋଲୋଜି ନୁହେଁ, ବରଂ ଏହାକୁ କିପରି ବଦଳାଇ ଦିଆଯାଇପାରିବ ଏବଂ ଭୋଟିଂ ପ୍ରକ୍ରିୟାକୁ କିଭଳି ସୁନିଶ୍ଚିତ କରାଯାଇପାରିବ ସେ ବାବଦରେ ଆଲୋଚନା କରିବା ଦରକାର'। ଏଯାବତ ଦେଶର ଭୋଟର ତାଲିକାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ରହିଛି । ନୂତନ ଜନଗଣନା ବେଳେ ଭୋଟର ସଂଖ୍ୟା ନେଇ କ’ଣ ରିପୋର୍ଟ ଆସୁଛି ଏବେ ଦେଖିବା ଦରକାର । ବହୁ ପରିମାଣରେ ଭୋଟର ତାଲିକା, ଆଧାର ନମ୍ୱର ଏବଂ ମୋବାଇଲ୍ ଫୋନ୍ ମଧ୍ୟରେ ସଂଯୋଗ ପ୍ରୟାସ କରାଯିବା ଉଚିତ୍ । ଏବେ ଏହା ବର୍ତ୍ତମାନ ପ୍ରାୟ ୩୦% ପହଞ୍ଚିଛି ଏବଂ ଏହାକୁ ବୃଦ୍ଧି କରାଯିବା ଆବଶ୍ୟକ । ଯଦି ଏହା ଶତ ପ୍ରତିଶତ ହୋଇପାରିବ ତାହେଲେ ଡିଜିଟାଲ ମାଧ୍ୟମରେ ଆବଶ୍ୟକ ଗାଇଡ୍ ଲାଇନ୍ ତିଆରି କରି ଭୋଟିଂ ଦେଇହେବ ବୋଲି ଆଶା ରଖିପାରିବା।
ବୁଥକୁ ଆସିଲେ ଲୋକଙ୍କ ଗହଳି ରହିବା ସ୍ୱାଭାବିକ। ହଜାର ହଜାର ଲୋକ ନିର୍ଦ୍ଦିଷ୍ଟ କିଛି ବଟନକୁ ପ୍ରେସ କରିବେ ତେଣୁ କରୋନା ସଂକ୍ରମଣର ଭୟ ରହିବ। ଯଦିଓ ଲୋକମାନେ ସାନିଟାଇଜର କି ଅନ୍ୟାନ୍ୟ ଉପକରଣ ସଂକ୍ରମଣ ନହେବା ପାଇଁ ବ୍ୟବହାର କରିବେ ହେଲେ ଏହି ଭାଇରସର ଚରିତ୍ର ଏଯାଏ ସ୍ପଷ୍ଟ ହୋଇନଥିବାରୁ ଲୋକଙ୍କ ଭୟ ମଧ୍ୟ ରହିଛି। ହେଲେ ଘରେ ରହି ଯଦି ଭୋଟର ଡିଜିଟାଲ ମାଧ୍ୟମରେ ଭୋଟ୍ ଦେଇପାରିବ ତାହେଲେ ଭୋଟ୍ ସଂଖ୍ୟା ବଢ଼ିବା ଏକ ପ୍ରକାର ଥୟ। ଅନ୍ୟପଟେ ଯେଉଁମାନେ ବିଦେଶରେ କିମ୍ୱା ଦୂରରେ ଥିବାରୁ ମତଦାନ ଦେଇପାରୁନଥିଲେ ସେମାନେ ମଧ୍ୟ ଭୋଟ୍ ଦେଇପାରିବେ। ଏହାଦ୍ୱାରା ବୟବହୁଳ ନିର୍ବାଚନକୁ ଲଗାମ ଦେଇ ହେବ। ଏଥିସହ ମତଦାନ ହାର ଅଧିକକୁ ଅଧିକ ହେବାର ସମ୍ଭାବନା ମଧ୍ୟ ରହିବ।