- ଦେବ ରଞ୍ଜନ
ବିଶ୍ୱର ବିଭିନ୍ନ ପ୍ରାନ୍ତରେ ମହିଳାମାନେ ଏକାଠି ହୋଇ ଧାର୍ମିକ ପରମ୍ପରା ଓ ମୌଳବାଦ ବିପକ୍ଷରେ ଲଢ଼େଇ କରୁଛନ୍ତି। ସେମାନଙ୍କର ଏହି ଲଢ଼େଇ ପୁରୁଷତାନ୍ତ୍ରିକ ଶାସନ ବ୍ୟବସ୍ଥା ବିପକ୍ଷରେ ମଧ୍ୟ ରହିଛି। ଶିଳ୍ପ ସଭ୍ୟତାର ଶୀର୍ଷରେ ରହିଥିବା ଆମେରିକାରେ ମହିଳା ଗର୍ଭପାତର ଅଧିକାର ଲାଗି ଲଢ଼େଇ କରୁଛନ୍ତି, ଇରାନରେ ମୌଳବାଦୀ ନିୟମ ‘ହିଜାବ’ ବିପକ୍ଷରେ ସେଠାର ମହିଳା ଲଢ଼େଇ କରୁଛନ୍ତି, ଆଫଗାନିସ୍ତାନରେ ମହିଳାମାନେ ଶିକ୍ଷାର ଅଧିକାର ଲାଗି ଲଢ଼େଇ କରୁଛନ୍ତି ଓ ଭାରତରେ ବଳାତ୍କାର ଓ ଯୌନ ଶୋଷଣ ବିପକ୍ଷରେ ମହିଳାଙ୍କ ଲଢ଼େଇ ଦୀର୍ଘ ବର୍ଷ ହେଲା ଚାଲିଆସିଛି।
କିନ୍ତୁ ଭାରତ ସମେତ ଅନେକ ଦେଶରେ ଚାଲିଥିବା ମହିଳାଙ୍କ ଏହି ଆନ୍ଦୋଳନ ନିଜ ରାଷ୍ଟ୍ରର ସୀମାକୁ ଡେଇଁ ଅନ୍ୟ ରାଷ୍ଟ୍ରର ସମର୍ଥନ ଯୋଗାଡ଼ କରିବାରେ ଅସମର୍ଥ ରହୁଛି। ବରଂ ମହିଳାଙ୍କ ଲଢ଼େଇକୁ ରାଷ୍ଟ୍ର ଶକ୍ତି ଯେଉଁଭଳି ଦମନ କରୁଛି ସେଥିରୁ ସ୍ପଷ୍ଟ ହେଉଛି ଯେ ନିଜେ ରାଷ୍ଟ୍ର ଶକ୍ତିର ମଧ୍ୟ ଲିଙ୍ଗଭେଦ ରହିଛି ଓ ରାଷ୍ଟ୍ରଶକ୍ତି ନିଜେ ପୁରୁଷତାନ୍ତ୍ରିକ ବିଚାର ଦ୍ଵାରା ପ୍ରଭାବିତ।
ଆଫଗାନିସ୍ତାନ ମହିଳାଙ୍କ ଖାଦ୍ୟ, କାର୍ଯ୍ୟ ଓ ସ୍ଵାଧୀନତା ଲାଗି ଲଢ଼େଇ
ଗଲା ସେପ୍ଟେମ୍ବର ୩୦ ତାରିଖରେ କାବୁଲ ସହରର ଏକ ପ୍ରାଇଭେଟ ଶିକ୍ଷାନୁଷ୍ଠାନ ସାମ୍ନାରେ ଅଚାନକ ଆକ୍ରମଣ ହେତୁ ୧୦୦ ପିଲାଙ୍କର ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରେ ପ୍ରାୟ ସମସ୍ତେ ହାଜରା ଆଦିବାସୀ ଗୋଷ୍ଠୀର ନାବାଳିକା ଓ ପ୍ରାପ୍ତବୟସ୍କା ମହିଳା ଥିଲେ। ତାଲିବାନ ଶାସନରେ ମହିଳାଙ୍କୁ ଶିକ୍ଷାନୁଷ୍ଠାନମାନଙ୍କରେ ପାଠ ପଢ଼ିବାର ସୁଯୋଗକୁ ବନ୍ଦ କରିଦିଆଯାଇଛି। ଆଜି ତାଲିବାନଙ୍କ ନିଷ୍ପତ୍ତି ଅନୁସାରେ ମହିଳା କର୍ମଚାରୀ ଓ ଛାତ୍ରୀ ଘରେ ଏକ ପ୍ରକାର ବନ୍ଦୀ। ସେମାନେ ଦୂରସ୍ଥାନକୁ ଏକୁଟିଆ ଯାତ୍ରା କରିବା ଆଇନ ଅନୁସାରେ ଦଣ୍ଡନୀୟ।
ଏକ ଆଶାର ଆଲୋକ ଭାବରେ ଯେବେ ମହିଳାମାନେ କାବୁଲ ସହରର ସେହି ପ୍ରାଇଭେଟ ଶିକ୍ଷାନୁଷ୍ଠାନର ଗେଟ ସାମ୍ନାରେ ପ୍ରବେଶିକା ପରୀକ୍ଷା ଦେବା ଲାଗି ରୁଣ୍ଡ ହୋଇଥିଲେ ସେତେବେଳେ ମହିଳାଙ୍କ ଉପରକୁ ବନ୍ଧୁକଧାରୀ ବ୍ୟକ୍ତି ଗୁଳି ଚଳାଇଥିଲା। ମହିଳାଙ୍କ ପାଠପଢ଼ାକୁ ଇସଲାମ ମୌଳବାଦୀ ସଂଗଠନ ବିରୋଧ କରୁଥିବା ହେତୁ ଏଭଳି ହତ୍ୟାକାଣ୍ଡ ଘଟିଥାଇପାରେ।
ଏହି ଗଣହତ୍ୟା ପ୍ରତିବାଦରେ କିନ୍ତୁ ଆଫଗାନିସ୍ତାନର ଅନେକ ପ୍ରଦେଶରେ “ହାଜରା ଗଣହତ୍ୟା ବନ୍ଦକର”, ଇତ୍ୟାଦି ଦାବିରେ ଶୋଭାଯାତ୍ରା ଚାଲିଛି। କିନ୍ତୁ ଏହାକୁ ଦମନ କରିବା ଲାଗି ତାଲିବାନ ପ୍ରଶାସନ ଆନ୍ଦୋଳନକାରୀ ମହିଳାଙ୍କୁ ଅଟକ ରଖୁଛନ୍ତି, ଗିରଫ କରୁଛନ୍ତି ଓ ନିର୍ଯାତନା ଦେଉଛନ୍ତି। ଆଫଗାନିସ୍ତାନର ମହିଳା ନିଜ ଅଧିକାର ପାଇଁ ସଡ଼କ ଉପରେ ବିକ୍ଷୋଭ ଆରମ୍ଭ କରିଦେଇଛନ୍ତି। ତଥାପି “ଖାଦ୍ୟ, କାର୍ଯ୍ୟ ଓ ସ୍ଵାଧୀନତା” ଦାବିରେ ଆଫଗାନିସ୍ତାନର ମହିଳାଙ୍କ ଆନ୍ଦୋଳନ ଗଲା କିଛି ମାସ ହେଲା ବିଭିନ୍ନ ପ୍ରାନ୍ତକୁ ଛୁଇଁଛି।
ମୋର ଆଫଗାନିସ୍ତାନ ସହିତ ପରିଚୟ ହୁଏ ବିଭିନ୍ନ ବୃତ୍ତଚିତ୍ର ଓ ଚଳଚ୍ଚିତ୍ରରୁ। ପୃଥିବୀର ବିଭିନ୍ନ କୋଣର ବୃତ୍ତଚିତ୍ର ହିଁ ବାସ୍ତବତା ସହିତ ପରିଚୟ କରାଇଥାଏ। ମଣିଷ ମଣିଷ ମଧ୍ୟରେ ରହିଥିବା ପ୍ରାଚୀରକୁ ଭାଙ୍ଗିବାରେ ଏହା ସାହାଯ୍ୟ କରେ। ଅତି ଅଳ୍ପ କେତେକ ମୁଁ ଦେଖିଥିବା ଫିଲ୍ମ ମଧ୍ୟରେ ହନା ମଖମଲବଫଙ୍କ (Hana Makhmalbaf) ଦ୍ଵାରା ନିର୍ମିତ ‘Buddha Collapsed Out of Shame’ ଫିଲ୍ମ ଅନ୍ୟତମ। ପ୍ରାୟ ସାତ ଆଠ ବର୍ଷର ଗ୍ରାମୀଣ ଆଦିବାସୀ ବାଳିକାଟି ସ୍କୁଲରେ ପାଠ ପଢ଼ିବା ଲାଗି ଆଗ୍ରହୀ। କିନ୍ତୁ ସେ ନିଜ ସମାଜର ତାଲିବାନୀ ବିଚାରର ଶିକାର ହେଉଛି ଯେମିତି ବାମିୟାନ ବୁଦ୍ଧ ତାଲିବାନ ଦ୍ଵାରା ଦିନେ ଧ୍ଵଂସ ହୋଇଥିଲେ।
ସେହିଭଳି ସେଦିଘ ବରମକଙ୍କ (Sedigh Barmak) ‘ଓସାମା’ (OSAMA) ଚିତ୍ରରେ ୧୦–୧୨ ବର୍ଷର ଝିଅ ଓସାମା ପୁଅମାନଙ୍କ ଭଳି ବାଳ କାଟି ଓ ପୁଅର ପୋଷାକ ପିନ୍ଧି ଏକୁଟିଆ ରହୁଥିବା ନିଜ ମା’କୁ ବଜାର କରିବାରେ ସାହାଯ୍ୟ କରୁଛି। କିନ୍ତୁ ଶେଷରେ ଝିଅଟି ଧରା ପଡୁଛି ଓ ତାକୁ ଫାଶୀ ଦିଆଯିବା ସମୟରେ ବୃଦ୍ଧ ମୁଲ୍ଲା ନାବାଳିକାକୁ ବିବାହ କରିବାର ପ୍ରସ୍ତାବ ଦେଇ ବିଚାରପତିଙ୍କଠାରୁ ମୁକୁଳାଇ ନେଉଛି। ଏକ କୋଠରୀରେ ଗୃହବନ୍ଦୀ କରି ରଖିବା ଆଗରୁ ଝିଅକୁ କୋଡ଼ିଏ କି ତିରିଶଟି ତାଲା ଦେଖାଇ ନିଜ ସ୍ଵାଧୀନତା ଅନୁସାରେ ସେହି ଭିତରୁ ‘ତୋ ପସନ୍ଦର’ ତାଲାଟିଏ ବାଛିବାକୁ ମୁଲ୍ଲା ଜଣକ ପ୍ରସ୍ତାବ ଦେଉଛି। ସତରେ କେତେ ଭୟଙ୍କର?
ଏ ସମସ୍ତ ଫିଲ୍ମ ୨୦୦୧ ମସିହା ପରେ ତିଆରି ହୋଇଛି ଓ ଏହି ସବୁ ଫିଲ୍ମରେ ତାଲିବାନ ଅଧୀନରେ ଥିବା ସମୟର (୧୯୯୬-୨୦୦୧) ଦୃଶ୍ୟକୁ ବିଶ୍ଵବାସୀଙ୍କୁ ଦେଖାଇ ଦିଆଯାଇଛି। ଅଥଚ ସମଗ୍ର ବିଶ୍ଵ ଯେମିତି ଏବେ ଆଫଗାନୀ ମହିଳାଙ୍କ ଆନ୍ଦୋଳନକୁ ନେଇ ଆଦୌ ଚିନ୍ତିତ ନୁହେଁ। ଯେଉଁମାନେ ବର୍ଷକ ତଳେ ତାଲିବାନ ଶାସକଙ୍କୁ ବିରୋଧ କରି ‘ଅରାଜକ ଆଫଗାନିସ୍ତାନ’, ‘କୁରୁସଭା’ର ମନ୍ତବ୍ୟ ଦେଇଥିଲେ ସେମାନେ ଆଜି କିନ୍ତୁ ନୀରବ ଅଛନ୍ତି।
ଅଷ୍ଟ୍ରେଲିଆରେ ଚାଲିଥିବା ବିଶ୍ଵ ପୁରୁଷ ସୀମିତ ଓଭର (ଟି୨୦) କ୍ରିକେଟ ଚମ୍ପିୟାନଶିପରେ ଆଫଗାନିସ୍ତାନ ପୁରୁଷ କ୍ରିକେଟ ଦଳ ଯୋଗଦେଇଛନ୍ତି। ଏହା ପୂର୍ବରୁ ନିୟୁଜିଲ୍ୟାଣ୍ଡରେ ସମାପ୍ତ ବିଶ୍ଵ ମହିଳା ସୀମିତ ଓଭର (ଟି୨୦) କ୍ରିକେଟ ଚମ୍ପିୟାନଶିପରେ ଆଫଗାନିସ୍ତାନ ମହିଳା କ୍ରିକେଟ ଦଳ ଯୋଗଦେବାର ଥିଲା। ଏହା ସେମାନଙ୍କର ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ପଦାର୍ପଣ ହୋଇଥାନ୍ତା।
ଆଫଗାନିସ୍ତାନ ମହିଳା ଫୁଟବଲ ଟିମ ବିଶ୍ଵ ସ୍ତରରେ କିନ୍ତୁ ଏକ ଉନ୍ନତ ଦଳର ମାନ୍ୟତା ପାଇସାରିଥିଲା। ତାଲିବାନଙ୍କ ଲାଗି ମହିଳାଙ୍କର କୌଣସି ଖେଳ ଗ୍ରହଣଯୋଗ୍ୟ ନୁହେଁ। ଏଥିଲାଗି ଆଫଗାନିସ୍ତାନ ମହିଳା ଫୁଟବଲ ଟିମର ସମସ୍ତ ସଦସ୍ୟ ଓ ସେମାନଙ୍କ ପରିବାର ତାଲିବାନ ଶାସନକୁ ଆସିବା ପରଠାରୁ ନିଜ ଦେଶ ଛାଡ଼ି ଅଷ୍ଟ୍ରେଲିଆରେ ଆଶ୍ରୟ ନେଇଛନ୍ତି। ଏବେ ବଡ଼ ପ୍ରଶ୍ନ ଯେ ସେମାନେ କ’ଣ ଅନ୍ତର୍ଜାତୀୟ ସ୍ତରର ଖେଳରେ ଯୋଗ ଦେଇପାରିବେ ଯଦି ସେମାନଙ୍କ ନିଜସ୍ଵ ତାଲିବାନ ଶାସକ ସେମାନଙ୍କୁ ଅନୁମତି ନଦିଅନ୍ତି? ବିଶ୍ଵ ଆନ୍ତର୍ଜାତିକ ମହିଳା ଦିବସ ସରକାରୀ ସ୍ତରରେ ପାଳନ ହେଉଥିବା ସତ୍ତ୍ୱେ ବିଶ୍ଵର ଅନେକ ଦେଶ ଆଜି ଆଫଗାନିସ୍ତାନ ମହିଳାଙ୍କ ସ୍ଥିତିକୁ ନେଇ ନୀରବ।
ହିଜାବ ବିରୁଦ୍ଧରେ ଇରାନୀ ମହିଳା
ଇରାନ ବିଶ୍ଵ ଫିଲ୍ମ କ୍ଷେତ୍ରରେକୁ ଅନେକ ଦେଇଛି। ମାଜିଦ ମାଜିଦିଙ୍କ The Color of Paradiseରେ ଅନ୍ଧ ବାଳକର କାହାଣୀ ଓ The Song of Sparrowsରେ ଶ୍ରମିକର ଦୈନନ୍ଦିନ ଜୀବନର କାହାଣୀ ସହିତ ବିଶ୍ଵର ଅନେକ ଅଞ୍ଚଳର ଲୋକେ ନିଜ ଜୀବନ ସହିତ ଘଟୁଥିବା ଘଟଣାକୁ ଏଥିରେ ସାମିଲ କରିପାରିବେ। ‘ଦି ଫ୍ରୋଜୋନ ରୋଜ’ ଏକ କ୍ଷୁଦ୍ର ଇରାନିଆନ ଫିଲ୍ମ ଯେଉଁଥିରେ ଇରାନ – ଇରାକ ଯୁଦ୍ଧକୁ ଟ୍ରେନରେ ଯାଉଥିବା ସୈନିକମାନଙ୍କୁ ଫୁଲ ଦେଉଥିବା ଝିଅ ଅପେକ୍ଷା କରୁଛି ଯେ ତା’ର ମୃତ ବାପା ଦିନେ ନିଶ୍ଚୟ ଫେରିଆସିବେ। ସତରେ ଏହି କାହାଣୀ ଭିତରେ ଯୁଦ୍ଧକୁ ବିରୋଧ କରିବାର ବାର୍ତ୍ତା ବାପା ଓ ଝିଅର ସମ୍ପର୍କ ଭିତରେ ସୁନ୍ଦର ଭାବରେ ଦେଖାଇ ଦିଆଯାଇଛି। ସାରା ବିଶ୍ଵର ଅନେକ ଫିଲ୍ମପ୍ରେମୀ ଏହି ବାର୍ତ୍ତା ଦ୍ଵାରା ପ୍ରଭାବିତ ହୋଇଛନ୍ତି।
ସୃଜନଶୀଳତା କଦାପି ଏକ ଚାପଗ୍ରସ୍ତ ସମାଜରେ ବିକାଶ ପାଇନଥାଏ। ଆଜି ଇରାନରେ ମାହସା ଆମିନୀଙ୍କ ସରକାରୀ ପୁଲିସ ଦ୍ଵାରା ହତ୍ୟା ପରେ ହିଜାବ ବିରୁଦ୍ଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଇରାନର ଅନେକ ଅଞ୍ଚଳକୁ ବ୍ୟାପୀ ଯାଇଛି। ୨୦୨୦ ମସିହାର ଏକ ସର୍ଭେ ଅନୁସାରେ ଦେଶର ୭୨% ଲୋକ ହିଜାବକୁ ବାଧ୍ୟତାମୂଳକ କରିବା ବିପକ୍ଷରେ ମତ ଦେଇଥିଲେ। (India Today, October ୦୯, ୨୦୨୨) ହିଜାବ ଧାର୍ମିକ ମୌଳବାଦ ବିରୁଦ୍ଧରେ ଏକ ପ୍ରତୀକ।
ସରକାରଙ୍କ ସମସ୍ତ ଦମନମୂଳକ ପଦକ୍ଷେପ ସତ୍ତ୍ୱେ ଗଲା ୨୬ ଅକ୍ଟୋବର ୨୦୨୨ ଦିନ ୮ କିଲୋମିଟର ବ୍ୟାପୀ ଏକ ପ୍ରତିବାଦ ରାଲି ଇରାନର ତେହେରାନ ଆଡ଼କୁ ଯାଇଥିଲା। ଏଥିରେ ୩୫୦୦ ଫିଲ୍ମ ମେକରଙ୍କ ସମେତ ଅନେକ କବି, ଲେଖକ, ସାମ୍ବାଦିକ ମଧ୍ୟ ଯୋଗଦେଇଥିଲେ। କିନ୍ତୁ ବିଶ୍ଵ ଗଣମାଧ୍ୟମ ଓ ସମସ୍ତ ଦେଶର ରାଷ୍ଟ୍ର ନାୟକ ଏ ସମ୍ପର୍କରେ ସଂପୂର୍ଣ୍ଣ ନୀରବ ରହିଛନ୍ତି।
ଇରାନର ମହିଳାମାନେ ହିଜାବ ବିରୁଦ୍ଧରେ ଲଢ଼େଇ ଆରମ୍ଭ କରିବା ସମୟରେ କଲେ ତାହାକୁ ଇସଲାମ ବିରୋଧୀ ଦେଶମାନେ ଇସ୍ଲାମିକ ମୌଳବାଦକୁ ପରିହାସ କରିବାକୁ ଯାଇ କିଛି ଚର୍ଚ୍ଚା କରିଥିଲେ। କିନ୍ତୁ ଇରାନର ମହିଳାଙ୍କ ଲଢ଼େଇକୁ ବିଶ୍ଵ ସ୍ତରରେ ସମର୍ଥନ ଦେବାରେ କୌଣସି ଉଦ୍ୟମ ହୋଇପାରିଲା ନାହିଁ। ନଚେତ ଇରାନର ଇସଲାମ ମୌଳବାଦୀ ଶାସକ ଏହାକୁ ଦମନ କରିବାରେ ସମର୍ଥନ ହୋଇନଥାନ୍ତେ।
ଆମେରିକାରେ ଗର୍ଭପାତ ଅଧିକାର ଲାଗି ଲଢ଼େଇ
ଆମେରିକା ଭଳି ଏକ ଉନ୍ନତ ଦେଶରେ ଆଜି ଗର୍ଭପାତ ସପକ୍ଷରେ ଉନ୍ନତ ଦେଶର ମହିଳାଙ୍କର ଦୀର୍ଘ ଲଢ଼େଇ ଚାଲିଛି। ଗର୍ଭପାତ ଅଧିକାର ବିରୁଦ୍ଧରେ କ୍ୟାଥୋଲିକ ଖ୍ରୀଷ୍ଟିୟାନ ମୌଳବାଦୀ ଗୋଷ୍ଠୀ କିନ୍ତୁ ମହିଳାଙ୍କ ଏହି ଅଧିକାରକୁ ବିରୋଧ କରୁଛି। ସେମାନେ ଏତେ ଶକ୍ତିଶାଳୀ ହୋଇଯାଇଛନ୍ତି ଯେ ଉଭୟ ରିପବ୍ଲିକାନ ଓ ଡେମୋକ୍ରାଟ ଦଳର ସଦସ୍ୟ ଗର୍ଭପାତ ବିପକ୍ଷରେ କେବଳ ନିଜର ଭୋଟ ଲାଗି ମତ ଦେବା ଆରମ୍ଭ କରିଛନ୍ତି। ସେମାନେ ପ୍ରତିଯୋଗୀତା କରି ଖ୍ରୀଷ୍ଟିୟାନ ମୌଳବାଦ ସହିତ ରହିବା ଲାଗି ଅଧିକ ଉଚିତ ମନେକରୁଛନ୍ତି। ଭାରତରେ ଯଦି ଗର୍ଭପାତକୁ ଆଇନଗତ ଅଧିକାର ମିଳିପାରୁଛି ତେବେ ଆମେରିକୀୟ ମହିଳାଙ୍କ ଲଢ଼େଇକୁ ସମର୍ଥନ ଦେବା ଲାଗି ଭାରତ ଅପ୍ରସ୍ତୁତ କାହିଁକି? ଗର୍ଭପାତ କରିବା ନାରୀର ନିଜସ୍ଵ ବ୍ୟାପାର ଯେ ସେ ନିଜ ପେଟରେ ଛୁଆକୁ ରଖିବ କି ନାହିଁ। (ନିରାପଦ ଗର୍ଭପାତ କ୍ଷେତ୍ରରେ ଏହା ପ୍ରଯୁଜ୍ୟ।)
ବିଶ୍ୱରେ ଅତି ଉଦବେଗଜନକ ଭାବରେ ମାନବ ଚାଲାଣ ସମସ୍ୟା ବଢ଼ିବାରେ ଲାଗିଛି। ଏହି ମାନବ ଚାଲାଣରେ ୭୦ ପ୍ରତିଶତ ମହିଳା ଓ ବାଳିକାଙ୍କୁ ଯୌନ ବ୍ୟବସାୟ, ବଳପୂର୍ବକ ବିବାହ ଓ ଗୃହକାର୍ଯ୍ୟରେ ବାଧ୍ୟତାମୂଳକ ନିଯୁକ୍ତ କରିଦିଆଯାଉଛି। ଜାତିସଂଘ ବର୍ଷକରେ ଗୋଟିଏ ଦିନ ମାନବ ଚାଲାଣ ଦିବସ (ଜୁଲାଇ ୩୦) ବାଛି ଏହାର ଦାୟିତ୍ଵ ସାରିଦେଇଛି। ମାନବ ଚାଲାଣରେ ପ୍ରମୁଖ ଦଶଟି ଦେଶ ଚୀନ, ଭାରତ, ଆମେରିକା, ଇଣ୍ଡୋନେସିଆ, ପାକିସ୍ତାନ, ନାଇଜେରିଆ, ବ୍ରାଜିଲ, ବଙ୍ଗଳାଦେଶ ଓ ରୁଷିଆର ଶାସକମାନେ ଯେବେ ଜାତିସଂଘରେ ବା ଦ୍ଵିପାଖିକ ଚୁକ୍ତି ଲାଗି ଏକାଠି ହେଉଛନ୍ତି ସେତେବେଳେ କିନ୍ତୁ ମହିଳାଙ୍କ ଲାଗି ସୁରକ୍ଷିତ ସମାଜର ଆବଶ୍ୟକତା ସମ୍ପର୍କରେ ଆଲୋଚନା ହେଉନାହିଁ କିମ୍ବା କୌଣସି ନିଷ୍ପତ୍ତି ନିଆଯାଉନାହିଁ। ତେଣୁ ସେହି କଥା ଆସୁଛି, ଶାସନ ବ୍ୟବସ୍ଥାର ଲିଙ୍ଗ ଯଦି ପଚରାଯାଏ ତେବେ ଏହା ପୁରୁଷ ଦୃଶ୍ୟ ହେଉଛି।
ବଳାତ୍କାର ବିରୁଦ୍ଧରେ ଭାରତୀୟ ମହିଳାଙ୍କ ଲଢ଼େଇ
ବିଶ୍ୱରେ ଇସ୍ଲାମିକ ମୌଳବାଦ ଭଳି ଖ୍ରୀଷ୍ଟିୟାନ ମୌଳବାଦ ମଧ୍ୟ ଏକ ବିପଦ ସୃଷ୍ଟି କରୁଛି। ଏହା ସହିତ ତାଳ ଦେଇ ହିନ୍ଦୁ ମୌଳବାଦ ମଧ୍ୟ ନାରୀ ବିରୋଧୀ ମାନସିକତାକୁ ଭାରତରେ ମଜଭୁତ କରୁଛି। ଭାରତରେ ମହିଳା ସବୁଠାରୁ ବଡ଼ ସମସ୍ଯା ହେଲା ବଳାତ୍କାର ଓ ଯୌନ ଶୋଷଣ ଓ ଏହା ବିପକ୍ଷରେ ମହିଳା ଲଢ଼ି ଆସୁଛନ୍ତି। ଅଧିକ ସଂଖ୍ୟାରେ ଆଦିବାସୀ, ଦଳିତ, ଅଳ୍ପସଂଖ୍ୟକ ଓ ଗରିବ ମହିଳା ବହୁ ଶୀଘ୍ର ଶିକାର ହୋଇଯାଉଛନ୍ତି। କିନ୍ତୁ ଯେବେ ମଧ୍ୟବିତ୍ତ ସହରୀ ଶିକ୍ଷିତ ମହିଳା ଶିକାର ହେଉଛନ୍ତି ସେବେ ଏହା ଅଧିକ ଚର୍ଚ୍ଚାରେ ଆସିପାରୁଛି।
ସୁରକ୍ଷା କର୍ମୀଙ୍କ ଦ୍ଵାରା ବଳାତ୍କାରର ଶିକାର ହେବାର ଅନେକ ଉଦାହରଣ ଉତ୍ତର ପୂର୍ବ ରାଜ୍ୟ, କାଶ୍ମୀର ଓ ମଧ୍ୟ ଭାରତର ଆଦିବାସୀ ଅଞ୍ଚଳରେ ରହିଛି। ରାଜନୈତିକ ନେତାଙ୍କ ବିପକ୍ଷରେ ବଳାତ୍କାର ଅଭିଯୋଗ ନୂଆ ନୁହେଁ। ସାମ୍ପ୍ରଦାୟିକ ଦଙ୍ଗା ଓ ଜାତିଗତ ହିଂସା କ୍ଷେତ୍ରରେ ମହିଳାମାନେ ହିଁ ଆକ୍ରମଣକାରୀଙ୍କ ଭୋଗ୍ୟ ପାଲଟିଯା’ନ୍ତି। ଗୁଜୁରାଟର ବିଲକିସ ବାନୁଙ୍କ କ୍ଷେତ୍ରରେ ଗଣଧର୍ଷଣକାରୀ ଓ ହତ୍ୟାକାରୀ ଅଭିଯୁକ୍ତଙ୍କୁ ସରକାରୀ ଉଦ୍ୟମରେ ମୁକ୍ତ କରାଯିବା ପରେ ଫୁଲ ମାଳ ଦେଇ ଜେଲ ସାମ୍ନାରୁ ପାଛୋଟି ନିଆଯିବାକୁ କ’ଣ କୁହାଯିବ? ସାମ୍ପ୍ରଦାୟିକ ଦଙ୍ଗା ଓ ବଳାତ୍କାର ପାଇଁ ସରକାରୀ ସମର୍ଥନ?
ବଳାତ୍କାର ବଳାତ୍କାରୀକୁ ଅଧିକ ଦଣ୍ଡ ଦେଲେ ବାକି ଅପରାଧୀ ଡରିଯିବେ ଓ ଅପରାଧ ବନ୍ଦ ହୋଇଯିବ ଏହି ବିଶ୍ଵାସରେ ସାତ ବର୍ଷରୁ ଆରମ୍ଭ କରି ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ପ୍ରାବଧାନ ରହିବା ସତ୍ତ୍ୱେ ଏହା କମୁନାହିଁ। ସମାଜର ସବଳ ଗୋଷ୍ଠୀ ଲାଗି ସରକାରୀ ହସ୍ତକ୍ଷେପ ସର୍ବଦା ରହିଆସିଛି। ଏବେ ସଂସ୍କୃତିର ସୁରକ୍ଷା ଲାଗି ନୈତିକ କର୍ମୀମାନଙ୍କର ଆବିର୍ଭାବ ଘଟିଛି। ସେମାନେ ସଂସ୍କୃତିର ସୁରକ୍ଷା ନାମରେ ନୈତିକ ପୁଲିସର କାମ କରୁଛନ୍ତି। ଦେଶରେ ସେମାନେ ସେହି ପୁରୁଷତାନ୍ତ୍ରିକ ସମାଜ ନୀତି ସୁରକ୍ଷା କରୁଛନ୍ତି ଯାହା ନିଜେ ବଳାତ୍କାର ପ୍ରବଣ।
ଶେଷରେ
ଆଫଗାନିସ୍ତାନ, ଇରାନ, ଆମେରିକା ଓ ଭାରତ ସମେତେ ବିଶ୍ଵର ବିଭିନ୍ନ ଦେଶରେ ଏହା ସତ୍ତ୍ୱେ ଇସ୍ଲାମିକ, ଖ୍ରୀଷ୍ଟିୟାନ ଓ ହିନ୍ଦୁ ମୌଳବାଦ ବିପକ୍ଷରେ ମହିଳାଙ୍କ ଆନ୍ଦୋଳନ ବେଶ ସ୍ପଷ୍ଟ ଓ ଦୃଢ଼। ସେମାନେ ଏକ ପୁରୁଷତାନ୍ତ୍ରିକ ସମାଜ ବିପକ୍ଷରେ ବିଭିନ୍ନ ଦେଶରେ ଲଢୁଛନ୍ତି। ଯେହେତୁ ଶାସନ ବ୍ୟବସ୍ଥା ପୁରୁଷତାନ୍ତ୍ରିକ ଓ ମୌଳବାଦୀଙ୍କ କବଜାରେ ତେଣୁ ସେମାନଙ୍କୁ ନ୍ୟାୟ ମିଳିପାରୁନାହିଁ।
ଭାରତ ସମେତ ଅନେକ ଦେଶର ବୈଦେଶିକ ସମ୍ପର୍କ ଆଜି କେବଳ ବ୍ୟାବସାୟିକ ଚୁକ୍ତିରେ ପରିଣତ ହୋଇଯାଇଛି। ଏପ୍ରକାରର ବୈଦେଶିକ ନୀତିରେ ବହୁରାଷ୍ଟ୍ରୀୟ କମ୍ପାନୀମାନେ ହିଁ ଉପକୃତ ହେଉଛନ୍ତି। ବିଶ୍ୱରେ ବିଭିନ୍ନ ଦେଶର ଗଣତାନ୍ତ୍ରିକ ସରକାରଙ୍କ ଲାଗି ନିଜର ମୂଲ୍ୟବୋଧ ହେଲା ଧାର୍ମିକ ମୌଳବାଦ ଓ କର୍ପୋରେଟ ବିଚାରକୁ ଗୁରୁତ୍ଵ ଦେବା। ତେଣୁ ମହିଳାଙ୍କ ଅଧିକାର ଆନ୍ଦୋଳନ ଉପରେ ଦମନ ହେଉଛି। ଭାରତ ସମେତ ବିଶ୍ୱର ଅନେକ ଦେଶର ସରକାରୀ ବ୍ୟବସ୍ଥାରେ ହୁଏତ ମହିଳାଙ୍କ ଅଂଶ ଗ୍ରହଣ ବଢ଼ିବାରେ ଲାଗିଛି। କିନ୍ତୁ ଏହି ସବୁ ଦେଶର ସରକାରୀ ବ୍ୟବସ୍ଥା ପୁରୁଷମାନସିକତାରୁ ମୁକ୍ତ ନୁହେଁ। କେବଳ ଧାର୍ମିକ ମୌଳବାଦମୁକ୍ତ ସମାଜ ହିଁ ମହିଳାଙ୍କୁ ସ୍ଥାୟୀ ସୁରକ୍ଷା ଦେଇପାରିବ। ସେଦିଗରେ ବିଶ୍ଵବ୍ୟାପୀ ଉଦ୍ୟମ କାହିଁ?
ମୋବାଇଲ: ୮୪୫୬୯୩୧୪୨୩