ମିଶନ ଉପରେ ମିଶନ- ଫଳଶୂନ ମିଶନ!

ଜାନକୀଶ ବଡ଼ପଣ୍ଡା ଓଡ଼ିଶାରେ ଆଳୁ ଉତ୍ପାଦନ କମ ଥିବାରୁ ଆମେ ପ୍ରତିବର୍ଷ ଆଳୁ ସଙ୍କଟର ସମ୍ମୁଖୀନ ହେଉଥିଲେ ଓ ପଶ୍ଚିମବଙ୍ଗ ଆଳୁ ଉପରେ ନିର୍ଭରଶୀଳ ହୋଇ ଆସୁଥିଲେ। ରାଜ୍ୟ ପାଇଁ ବାର୍ଷିକ ୧୪ ଲକ୍ଷ ମେଟ୍ରିକ ଟନ ଆଳୁ ଆବଶ୍ୟକ ହେଉଥିବାରୁ ଏହି ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶା ସରକାର ଆରମ୍ଭ କରିଥିଲେ ଆଳୁ ମିଶନ। ମାତ୍ର ୩ ବର୍ଷ ମଧ୍ୟରେ ଯୋଜନାବଦ୍ଧ ଭାବେ ଆଳୁ ଉତ୍ପାଦନ କରି ରାଜ୍ୟକୁ ଆଳୁ-ସ୍ୱାବଲମ୍ବନଶୀଳ କରିବାର ମହତ୍ୱାକାଂକ୍ଷୀ ଯୋଜନା ଶେଷରେ […]

Potato

Debendra Prusty
  • Published: Tuesday, 03 January 2023
  • , Updated: 03 January 2023, 05:17 PM IST
  • ଜାନକୀଶ ବଡ଼ପଣ୍ଡା

ଓଡ଼ିଶାରେ ଆଳୁ ଉତ୍ପାଦନ କମ ଥିବାରୁ ଆମେ ପ୍ରତିବର୍ଷ ଆଳୁ ସଙ୍କଟର ସମ୍ମୁଖୀନ ହେଉଥିଲେ ଓ ପଶ୍ଚିମବଙ୍ଗ ଆଳୁ ଉପରେ ନିର୍ଭରଶୀଳ ହୋଇ ଆସୁଥିଲେ। ରାଜ୍ୟ ପାଇଁ ବାର୍ଷିକ ୧୪ ଲକ୍ଷ ମେଟ୍ରିକ ଟନ ଆଳୁ ଆବଶ୍ୟକ ହେଉଥିବାରୁ ଏହି ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶା ସରକାର ଆରମ୍ଭ କରିଥିଲେ ଆଳୁ ମିଶନ। ମାତ୍ର ୩ ବର୍ଷ ମଧ୍ୟରେ ଯୋଜନାବଦ୍ଧ ଭାବେ ଆଳୁ ଉତ୍ପାଦନ କରି ରାଜ୍ୟକୁ ଆଳୁ-ସ୍ୱାବଲମ୍ବନଶୀଳ କରିବାର ମହତ୍ୱାକାଂକ୍ଷୀ ଯୋଜନା ଶେଷରେ ବିଫଳ ହେଲା। ପ୍ରଚୁର ଆଳୁ ଚାଷ ଓ ଉତ୍ପାଦନ କରିଥିଲେ ବି ବିକ୍ରିବଟା ଓ ଶୀତଳ ଭଣ୍ଡାର ଅବ୍ୟବସ୍ଥା କାରଣରୁ ଚାଷୀମାନେ ସରକାରୀ ମିଶନ ଉପରୁ ଭରସା ହରାଇଲେ। ସରକାର ବିଧାନସଭାରେ ବାରମ୍ବାର କହୁଛନ୍ତି ଯେ, ଆଳୁ ମିଶନ ଫେଲ ମାରିଛି ବୋଲି କୁହାଯାଇ ପାରିବନି। ତେବେ, ପଶ୍ଚିମବଙ୍ଗରୁ ଆଳୁ ନକିଣିଲେ ଆମର ରୋଷେଇ ବନ୍ଦ ହୋଇଯାଉଛି କାହିଁକି? ଓଡ଼ିଶା ବ୍ୟବସାୟୀମାନେ ପ୍ରତିଦିନ ଟ୍ରକ ଟ୍ରକ ଆଳୁ ପଶ୍ଚିମବଙ୍ଗ, ପଞ୍ଜାବ ଓ ଉତ୍ତର ପ୍ରଦେଶରୁ ଆମଦାନୀ କରୁଛନ୍ତି କାହିଁକି?

୨୦୧୫ ମସିହାରେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ରପ୍ତାନି ଉପରେ କଟକଣା ଲଗାଇବାରୁ ଆଳୁ ସଙ୍କଟ ଦେଖାଦେଇଥିଲା। ଓଡ଼ିଶାର ଖାଉଟୀମାନେ ଆଳୁର ଅହେତୁକ ଦରବୃଦ୍ଧି କାରଣରୁ ବହୁ କଷ୍ଟ ଭୋଗିଥିଲେ। ଗୃହିଣୀଙ୍କ ଅସନ୍ତୋଷ ବଢ଼ିଲା। ସରକାରଙ୍କୁ ବିରୋଧୀ ରାଜନୈତିକ ଦଳଙ୍କ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ୨୦୧୫-୧୬ ଆର୍ଥିକ ବର୍ଷରେ ଆରମ୍ଭ କରିଥିଲେ ତିନି ବର୍ଷିଆ ଆଳୁ ମିଶନ। ସେଥିପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟଙ୍କୁ ସରକାର ଅତିରିକ୍ତ ୫୦ କୋଟି ଟଙ୍କା ପ୍ରଦାନ କରିଥିଲେ। ମିଶନର ଲକ୍ଷ୍ୟ ରହିଲା ଯେ, ରାଜ୍ୟରେ ୧୫ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେଉଥିଲା ବେଳେ ତାହାକୁ ବଢ଼େଇ ୩ ବର୍ଷରେ ୬୦ ହଜାର ହେକ୍ଟର ଜମିରେ ଆଳୁଚାଷ କରିବାପାଇଁ ଚାଷୀଙ୍କୁ ପ୍ରବର୍ତ୍ତାଇବା। ଉତ୍ପାଦିତ ଆଳୁକୁ ନିକଟସ୍ଥ ଶୀତଳ ଭଣ୍ଡାରରେ ସଂରକ୍ଷିତ ରଖିବା ପାଇଁ ମିଶନ ମାଧ୍ୟମରେ ୧୧୨ ନୂତନ ଶୀତଳ ଭଣ୍ଡାର ନିର୍ମାଣ କରିବା। ଏହି ଉତ୍ପାଦିତ ଆଳୁର ପରିମାଣ ଓ ଚାଷଜମି ପରିମାଣ ଯୋଜନାବଦ୍ଧ ଭାବେ କ୍ରମାନ୍ୱୟରେ ବଢ଼ିବାକୁ ଥିବାରୁ ଓ ଶୀତଳ ଭଣ୍ଡାରରେ ସଂରକ୍ଷିତ ରହିବାର ବନ୍ଦୋବସ୍ତ କରାଯାଉଥିବାରୁ ପରବର୍ତ୍ତୀ ବର୍ଷମାନଙ୍କରେ ଗୁଣାତ୍ମକ ବିହନ ରାଜ୍ୟ ମଧ୍ୟରେ ମିଳିଯିବ ବୋଲି ପରିକଳ୍ପନା କରାଯାଇଥିଲା। ମିଶନରେ ଉତ୍ପାଦିତ ଆଳୁର ବିକ୍ରିବଟା ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ସୃଷ୍ଟି କରିବାକୁ କୁହାଯାଇଥିଲା। ସେହିପରି, ଶୀତଳ ଭଣ୍ଡାର ମାଲିକମାନଙ୍କୁ ୬ ବର୍ଷ ଯାଏଁ ରିହାତି ଦରରେ ଗୁଣାତ୍ମକ ବିଦ୍ୟୁତ ଯୋଗାଣ, ୫୦%ରୁ ୭୫% ଯାଏଁ ସବସିଡ଼ି ଓ ବ୍ୟାଙ୍କ ଋଣ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ଏତେସବୁ ବ୍ୟବସ୍ଥା ସତ୍ତ୍ୱେ ମିଶନ ଅଧୀନରେ ରଖାଯାଇଥିବା ଗୋଟିଏ ବି ଲକ୍ଷ୍ୟ ପୂରଣ ହୋଇପାରିଲାନି। ୧୧୨ ନୂତନ ଶୀତଳ ଭଣ୍ଡାର ନିର୍ମାଣ କରାଯିବ କ’ଣ ତିନି ବର୍ଷରେ ମାତ୍ର ୪ଟି ନୂତନ ଶୀତଳ ଭଣ୍ଡାର ନିର୍ମିତ ହୋଇପାରିଲା। ଆଳୁ ଚାଷଜମି ୬୦ ହଜାର ହେକ୍ଟରକୁ ବଢ଼ିବା ବଦଳରେ ଚାଷୀମାନେ ମାତ୍ର ୨୫ ହଜାର ହେକ୍ଟର ଜମିରେ ଚାଷ କଲାପରେ, ଅଭାବୀ ବିକ୍ରିର ଶିକାର ହୋଇ ଆଳୁ ଚାଷରୁ ମୁହଁ ଫେରେଇନେଲେ। ଏହି ମିଶନରୁ ରାଜ୍ୟର ସବୁଠୁ ବଡ଼ କ୍ଷତି ହେଲା ଯେ, ଚାଷୀମାନେ ସରକାରୀ ମିଶନ ଉପରୁ ଭରସା ହରାଇଲେ। ଯୁବ ଉଦ୍ୟୋଗୀମାନେ ଶୀତଳ ଭଣ୍ଡାର ନିର୍ମାଣ ଆରମ୍ଭ କରି ବାବୁଙ୍କ ଅସହଯୋଗ କାରଣରୁ ସମ୍ପୂର୍ଣ୍ଣ କରିପାରିଲେନି। ବ୍ୟାଙ୍କମାନେ ସରକାରୀ ମିଶନ ମାଧ୍ୟମରେ ପ୍ରକଳ୍ପ ଋଣ ଦେବାକୁ ନିରୁତ୍ସାହିତ ହେଲେ।

କୁହାଯାଉଛି ଯେ, ଆଳୁ ମିଶନ ପାଇଁ ସରକାର ଯେଉଁ ୫୦ କୋଟି ଟଙ୍କା ପ୍ରଦାନ କରିଥିଲେ ତାହାକୁ ଅଧିକାରୀମାନେ ଖର୍ଚ୍ଚ କରି ନପାରିବାରୁ ଚାଷୀଙ୍କ ପାଇଁ ବ୍ୟବହାର ହୋଇନପାରି ରାଜକୋଷକୁ ଫେରସ୍ତ ଚାଲିଗଲା। ସର୍ବୋଚ୍ଚଙ୍କଠାରୁ ସର୍ବନିମ୍ନ ଅଧିକାରୀଙ୍କ ଦାୟିତ୍ୱହୀନତା ଓ ସମ୍ବେଦନହୀନତା କାରଣରୁ କିପରି ସରକାରୀ ମିଶନ ବାଟବଣା ହୁଏ, ତାହାର ପ୍ରକୃଷ୍ଟ ଉଦାହରଣ ଓଡ଼ିଶାର ସମସ୍ତ କୃଷି-ମିଶନ। ଆଳୁ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ସରକାରଙ୍କ ମିଶନ ସଫଳ ହୋଇଛି ବୋଲି କୃଷି ଓ ସଶକ୍ତକରଣ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ବାହାସ୍ଫୋଟ ମାରିଥିଲେ ବି ଚାଷୀଙ୍କ ଆଳୁଚାଷ ପ୍ରତି ବୀତସ୍ପୃହା, ପ୍ରତିଦିନ ଓଡ଼ିଶାକୁ ଆମଦାନୀ ହେଉଥିବା ଟ୍ରକ ଟ୍ରକ ଆଳୁ ଓ ଆଳୁର ଚଢ଼ା ବଜାର ଦର ହିଁ ପ୍ରମାଣ କରୁଛି ଯେ, କେବଳ ଅଧିକାରୀ ନୁହନ୍ତି, ମନ୍ତ୍ରୀ ହୋଇଥିବା ଲୋକପ୍ରତିନିଧିମାନେ ମଧ୍ୟ ଦାୟିତ୍ୱହୀନ ଓ ସମ୍ବେଦନହୀନ। ଓଡ଼ିଶାର ଚାଷୀ ଆଜି ବି ବାର୍ଷିକ ୮୦ ହଜାର ମେଟ୍ରିକ ଟନ ଆଳୁ ଉତ୍ପାଦନ କରୁଛି, ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛି, ଶୀତଳ ଭଣ୍ଡାର ନଥିବାରୁ ଉତ୍ପାଦିତ ଆଳୁ ମଧ୍ୟରୁ କିଛି ପଚିସଢ଼ି ଯାଉଛି ଓ ଆମେ ଆବଶ୍ୟକ କରୁଥିବା ବାର୍ଷିକ ୧୩୨୦ ହଜାର ମେଟ୍ରିକ ଟନ ଆଳୁ ବାହାର ରାଜ୍ୟରୁ ଆମଦାନୀ କରିବାକୁ ବାଧ୍ୟ ହେଉଛେ। ସବୁ ଥାଇବି ଓଡ଼ିଶାର ଚାଷୀର ଆୟ ଯେ କାହିଁକି ମାସିକ ମାତ୍ର ୫,୧୧୨ ଟଙ୍କା ଓ ରାଜ୍ୟମାନଙ୍କର ତାଲିକାରେ ତଳ ଆଡୁ ଦ୍ଵିତୀୟ, ତାହା ସ୍ପଷ୍ଟ।

ଓଡ଼ିଶାରେ ଖୁବଶୀଘ୍ର ଆରମ୍ଭ କରାଯାଉଛି କଫି ମିଶନ। ଏନେଇ ପ୍ରମୁଖ ସଚିବ ଟ୍ୱିଟ ଜରିଆରେ ସୂଚନା ଦେଇସାରିଲେଣି। ସୂଚନା ମୁତାବକ, ଓଡ଼ିଶାର ୬ଟି ଜିଲ୍ଲାରେ ୯୦ ହଜାର ହେକ୍ଟର ଜମିରେ ଚାଷ କରାଯାଇ ୧୪,୪୬୦ ମେଟ୍ରିକ ଟନ କଫିମଞ୍ଜି ଉତ୍ପାଦନ କରାଯିବ। ରାଜ୍ୟରେ ଆଳୁ ମିଶନ, ପିଆଜ ମିଶନ, ମିଲେଟ ମିଶନ, ପଣସ ମିଶନ କାର୍ଯ୍ୟକାରୀ ହୋଇଛି। କିଛି ଦିନ ପୂର୍ବରୁ ଛତୁ ମିଶନ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ ଉଭୟ କୃଷି ସଚିବ ଓ ମନ୍ତ୍ରୀ। ଆଗକୁ ଫୁଲ ଓ ମସଲା ମିଶନ ଘୋଷଣା ହେବ। ଏଥିପାଇଁ, ପୂର୍ବପ୍ରସ୍ତୁତି କୁଆଡ଼େ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଗଲାଣି; କେବଳ ଘୋଷଣା ହେବା ବାକି ରହିଛି।

ସତୁରୀ ଦଶକରେ ଗଣନା କରାଯାଇଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ୩୪୭ ହଜାର ହେକ୍ଟର ଜମିରେ ଲାଭଜନକ ଭାବେ କଫିଚାଷ କରାଯାଇ ପାରିବ। ସେଥିମଧ୍ୟରୁ ୧୪୬ ହଜାର ହେକ୍ଟର ଜମିରେ କଫିଚାଷର କ୍ଷମତା ଥିବା ନେଇ କେନ୍ଦ୍ର ସରକାରଙ୍କ ଅଧିନସ୍ଥ କଫିବୋର୍ଡ ଆକଳନ କରିଛି। ଆମ ରାଜ୍ୟରେ ବର୍ତ୍ତମାନ ମାତ୍ର ୪.୪ ହଜାର ହେକ୍ଟର ଜମିରେ କଫିଚାଷ କରାଯାଉଛି; ଅର୍ଥାତ କଫିବୋର୍ଡଙ୍କ ଆକଳନର ମାତ୍ର ୩ ପ୍ରତିଶତ ଜମିରେ ଚାଷ ହେଉଛି। ଚଳିତ ବର୍ଷ ସରକାରଙ୍କ ସହଯୋଗରେ କୋରାପୁଟ ଜିଲ୍ଲାରେ ୩.୩ ହଜାର ହେକ୍ଟର ଓ କଳାହାଣ୍ଡି ଜିଲ୍ଲାରେ ୧୦ ହେକ୍ଟର ଜମିରେ ନୂଆକରି କଫିଚାଷ କରାଯାଇଛି। ଏସବୁ ମିଶନ ନକରି ବି ସମ୍ଭବ ହୋଇଛି। ତେବେ, ପ୍ରସ୍ତାବିତ କଫି ମିଶନ କାର୍ଯ୍ୟକାରୀ ହେଲେ ପ୍ରାଥମିକ ପର୍ଯ୍ୟାୟରେ କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, କେନ୍ଦୁଝର ଏବଂ କନ୍ଧମାଳ ଇତ୍ୟାଦି ଜିଲ୍ଲାମାନଙ୍କରେ ୯୦ ହଜାର ହେକ୍ଟର ଜମିରେ କଫିଚାଷ କରାଯିବ। ଏଥିରୁ, ସରକାର ୮୦ ହଜାର ଓ ବିଭିନ୍ନ କୃଷି ଭିତ୍ତିକ କମ୍ପାନୀ ଓ ଘରୋଇ ଉଦ୍ୟୋଗୀ ୧୦ ହଜାର ହେକ୍ଟର ଜମିରେ କଫିଚାଷ କରିବେ।

ଏବେ ଆମ ରାଜ୍ୟରେ ୪୬୦ ମେଟ୍ରିକ ଟନ କଫି ମଞ୍ଜି ଉତ୍ପାଦିତ ହେଉଛି। କୋରାପୁଟ କଫି ଏକ ଅନ୍ତର୍ଜାତୀୟ ବ୍ରାଣ୍ଡ ହୋଇ ପାରିଛି ଓ ଦେଶର ବିଭିନ୍ନ ରାଜ୍ୟକୁ ତଥା ଜାପାନ ସମେତ ବିଭିନ୍ନ ରାଷ୍ଟ୍ରକୁ ରପ୍ତାନି କରାଯାଉଛି। ମିଶନ କାର୍ଯ୍ୟକାରୀ ହେବା ପରେ ଆମେ ଆହୁରି ଅଧିକ ୧୦ ହଜାର ମେଟ୍ରିକ ଟନ କଫି ମଞ୍ଜି ଉତ୍ପାଦନ କରି ପାରିବା। କଫି ମିଶନ ମାଧ୍ୟମରେ ଅଳ୍ପ କିଛି କୃଷି ଭିତ୍ତିକ କମ୍ପାନୀ ଓ ଘରୋଇ ଉଦ୍ୟୋଗୀ ୧୦ ହଜାର ହେକ୍ଟର ଜମିରେ କଫିଚାଷ କରିବେ ଓ ତାହାର ୮ ଗୁଣ ଅଧିକ ଜମିରେ ସରକାର କଫି ଚାଷ କରିବାର ଥିବାରୁ କଫି ମିଶନ ଘୋଷଣା ଅନାବଶ୍ୟକ ମନେହୁଏ। ବରଂ ସରକାର ନିଜେ ଏତେ ଅଧିକ ଜମିରେ କଫି ଚାଷ କରୁଥିବାରୁ ସମ୍ପୃକ୍ତ ଅଧିକାରୀଙ୍କୁ ଲାଭ କ୍ଷତି ଓ ପରିଚାଳନା ନିମନ୍ତେ ଉତ୍ତରଦାୟୀ କରିବା ପାଇଁ ବ୍ୟବସ୍ଥା ହେବା ଦରକାର; ଯାହା ପାଇଁ ମିଶନ ଅନାବଶ୍ୟକ। ସେହିପରି, କଫି ଚାଷ କରାଯାଉଥିବା ବଗିଚାରେ ଅଧା ଖରା, ଅଧା ଛାଇ ଭିତରେ ଗୋଲମରିଚ, ଅଳେଇଚ, ଗୁଜୁରାତି ଓ ଡାଳଚିନି ଭଳି ମସଲା ଚାଷ କରାଯାଉଥିବାରୁ ସ୍ୱତନ୍ତ୍ର ମସଲା-ମିଶନ ଗଠନ ଉପରେ ସନ୍ଦେହ ଘନୀଭୂତ ହେଉଛି। ଓଡ଼ିଶାର ବେକାର ଯୁବବର୍ଗ ନିଜର ଷ୍ଟାର୍ଟ ଅପ ମାଧ୍ୟମରେ ମିଶନର ଲାଭ ପାଇବେ କି ବଡ଼ବଡ଼ିଆମାନେ ତାହା ହଡ଼ପ କରିନେବେ, ତାହା ଏବେ ଆଲୋଚନା ହେଉଛି।

ଆମେ ସମଗ୍ର ବିଶ୍ୱରେ ୨୦୨୩ ବର୍ଷଟିକୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରିବାକୁ ଯାଉଛେ। ଆମ ସରକାର ମଧ୍ୟ ଆଗୁଆ ମିଲେଟ ମିଶନ ଆରମ୍ଭ କରିସାରିଛନ୍ତି ଓ ଏହି ମିଶନ ମାଧ୍ୟମରେ ମୁଖ୍ୟତଃ ମାଣ୍ଡିଆ ସମେତ ବିଭିନ୍ନ ପ୍ରକାର କ୍ଷୁଦ୍ରଶସ୍ୟ (ମିଲେଟ) ଚାଷକୁ ଗୁରୁତ୍ୱ ଦେଉଛନ୍ତି। ଦେଖା ଯାଉଛି ଯେ ମିଲେଟ ଚାଷ ଉପରେ ଯେତିକି ବ୍ୟବସ୍ଥାଗତ ଗୁରୁତ୍ୱ ଦିଆଯାଉଛି ଅଗ୍ରାଧିକାର ଭିତ୍ତିରେ ତାହାଠୁ ଅଧିକ ପ୍ରଚାର କରାଯାଉଛି। ସେଥିଲାଗି ପ୍ରକୃତରେ ଓଡ଼ିଶାର ମାଣ୍ଡିଆ ଚାଷୀ ବିଶେଷ ଉପକୃତ ନହୋଇ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ମାଫିଆ ବେପାରୀ ଅଧିକ ଉପକୃତ ହେଉଛନ୍ତି। ନିଜ ରାଜ୍ୟରୁ ସ୍ୱଳ୍ପ ମୂଲ୍ୟରେ ମାଣ୍ଡିଆ କିଣି, ଓଡ଼ିଶା ସରକାରଙ୍କ ମାଣ୍ଡିଆ କ୍ରୟ କେନ୍ଦ୍ରମାନଙ୍କରେ ନିର୍ଧାରିତ ଅଧିକ ମୂଲ୍ୟ ହଡ଼ପ କରି ନେଉଛନ୍ତି। ଏହି କଥାଟି କ୍ରୟକେନ୍ଦ୍ର ବାବୁମାନେ ଜାଣି ବି ଅଜଣା ରହୁଥିବାର ଦେଖାଯାଉଛି। ଆନ୍ଧ୍ର ପ୍ରଦେଶର କିଛି ଅଣ-ସରକାରୀ ସଂସ୍ଥାମାନଙ୍କ ସହ ଆମରାଜ୍ୟର ପଦାଧିକାରୀଙ୍କ ସଲା ସୁତୁରାରେ ଏଭଳି ଲୁଟ ଚାଲିଛି ବୋଲି ଓଡ଼ିଶାର ପ୍ରମୁଖ ଚାଷୀ ସଂଘ ନବନିର୍ମାଣ କୃଷକ ସଙ୍ଗଠନ ଅଭିଯୋଗ କରିଛି।

ଚଳିତ ବର୍ଷ ପ୍ରାୟ ୧୧୪ଟି ବ୍ଲକରେ ମାଣ୍ଡିଆ ଚାଷ କରାଯାଉଛି ଓ ବ୍ଲକ ପିଛା ୫୮ ଲକ୍ଷ ଟଙ୍କା ଅନୁଦାନ ଅର୍ଥ ଦିଆଯାଉଛି ବୋଲି ସରକାର କହୁଛନ୍ତି। ତେବେ, ଏହି ଅନୁଦାନ ଅର୍ଥର ସିଂହଭାଗ ଖର୍ଚ୍ଚ ହେଉଛି ବୈଠକ, ପରିଦର୍ଶନ, ଦକ୍ଷତା ତାଲିମ ଓ ମିଲେଟ ଉତ୍ସବ ପାଳନ କରିବାରେ। ରାଜ୍ୟ କୃଷି ବିଭାଗରେ ଆବଶ୍ୟକୀୟ କ୍ଷେତ୍ର କର୍ମଚାରୀ ନାହାନ୍ତି। ତାହା ପୂରଣ କରିଥିଲେ ଓ ସେମାନେ ଚାଷୀଙ୍କୁ ବିଭିନ୍ନ ପ୍ରକାର ଫସଲ ଚାଷ କରିବାକୁ ପ୍ରବର୍ତ୍ତାଇ ଥିଲେ ଓଡ଼ିଆ ଚାଷୀ କେବେଠୁ ସର୍ବାଧୁନିକ ପ୍ରଣାଳୀରେ ମାଣ୍ଡିଆ ଚାଷନିପୁଣ ହୋଇସାରନ୍ତେଣି। କିନ୍ତୁ ତାହା କରାନଯାଇ ବିଭିନ୍ନ ପରିଚାଳନା ସଂସ୍ଥା, ପରାମର୍ଶଦାତାଙ୍କ ମାଧ୍ୟମରେ ରାଜ୍ୟରେ ହଜାର ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହେଉଛି ବୋଲି ରଙ୍ଗୀନ ଚିତ୍ର ପ୍ରସାର କରାଯାଉଛି। ଅଥଚ, ତୃଣମୂଳ ସ୍ତରରେ ବାସ୍ତବ ଦୃଶ୍ୟ ଭିନ୍ନ। ଯେଉଁ ଚାଷୀ କେବେଠୁ ମାଣ୍ଡିଆ ଚାଷ ଛାଡ଼ି ସାରିଛନ୍ତି ଓ ନିଜ ଚାଷ ଜମିରେ ଅନ୍ୟ ଫସଲ କରୁଛନ୍ତି କିମ୍ବା ପଡ଼ିଆ ପକାଇଛନ୍ତି ସେମାନଙ୍କ ନାମ ପଞ୍ଜିକରଣ କରାଯାଇ ଟଙ୍କା ଉଠାଯାଉଛି। ଏପରି ଅଭିଯୋଗ କରିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନ। ତୃଣମୂଳ ସ୍ତରୀୟ ଉଦାହରଣ ମଧ୍ୟ ଦେଇଛନ୍ତି ଯେ, ଫିରିଙ୍ଗିଆ ବ୍ଲକ ଓ କୋଟଗଡ଼ରେ ଚାଷୀମାନେ ଅଳ୍ପ କିଛି ଜମିରେ ମାଣ୍ଡିଆ ଚାଷ କରିଥିଲେ ବି ରିପୋର୍ଟରେ ଗୋଲାପୀ ଚିତ୍ର ସ୍ଥାନିତ ହୋଇଛି। ଏକାଭଳି ଅବସ୍ଥା କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକରେ, ଗଜପତିର ଗୁମ୍ମା, ଗୋସାଣୀ ଓ କାଶୀନଗର ବ୍ଲକରେ। ୧୧୪ଟି ବ୍ଲକର ବାସ୍ତବ ଚିତ୍ର ଊଣାଅଧିକ ଏକାଭଳି।

କୃଷକ ସଙ୍ଗଠନର ଅଭିଯୋଗ ସତ୍ୟ ବୋଲି ପରୋକ୍ଷରେ ସ୍ଵୀକାର କରିଛନ୍ତି ଓଡ଼ିଶା କୃଷି ବିଭାଗର ପ୍ରମୁଖ ସଚିବ। ରାଜ୍ୟରେ ଖରିଫ ୨୦୨୨-୨୩ ବର୍ଷରେ ଚାଷୀମାନଙ୍କଠାରୁ ମାଣ୍ଡିଆ ସଂଗ୍ରହକୁ ସ୍ୱଚ୍ଛ କରିବାକୁ ସେ ଗଂଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ମାଣ୍ଡିଆ ସଂଗ୍ରହ କାଳରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ସ୍ୱୟଂକ୍ରୀୟ ଏମ-ପାସ୍ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇ ପ୍ରମୁଖ ସଚିବ ଲେଖିଛନ୍ତି ଯେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ପଡ଼ୋଶୀ ରାଜ୍ୟରୁ କମ ମୂଲ୍ୟରେ ମାଣ୍ଡିଆ କିଣି ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ସଂଗ୍ରହ ଓ ବିକ୍ରି କରାଯାଇଥିବାରୁ ମାଣ୍ଡିଆ ସଂଗ୍ରହକୁ ସ୍ୱଚ୍ଛ ଓ ବହୁ ସ୍ତରୀୟ ସ୍ୱୟଂକ୍ରୀୟ ଯାଞ୍ଚ ବ୍ୟବସ୍ଥା ଏମ-ପାସ୍ ବ୍ୟବହାର କରନ୍ତୁ।

୨୦୨୨ ଡିସେମ୍ବର ୨୭ ତାରିଖରେ ଓଡ଼ିଶା କ୍ୟାବିନେଟ ବୈଠକରେ ସ୍ଥିର କରାଯାଇଛି ଯେ ଆଳୁ, ପିଆଜ, ପନିପରିବା ଓ ମସଲା ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରି ଚାଷୀଙ୍କ ଆୟ ବଢ଼ାଇବାକୁ ୧୧୪୨.୨୪ କୋଟି ଟଙ୍କାର ରିହାତି ଦିଆଯିବ। ସେହିପରି, ରାଜ୍ୟରେ ଛତୁଚାଷକୁ ଦୁଇଗୁଣା କରିବା, ବୋତାମ ଛତୁ ଓ ଫୁଲ ଉତ୍ପାଦନରେ ଆତ୍ମନିର୍ଭର ହେବା ପାଇଁ ଆଗାମୀ ୫ ବର୍ଷରେ ୩୬୭.୧୯ କୋଟି ଟଙ୍କା ବିନିଯୋଗ କରିବେ। ରାଜ୍ୟ କୃଷି ବିଭାଗର ଯୋଜନାର ଲକ୍ଷ୍ୟ ଓ ରୂପରେଖର ଉଦଘୋଷଣା ନିଶ୍ଚୟ ଅନେକଙ୍କୁ ଖୁସି କରୁଥିବ। ବିଲାତିଠାରୁ ଆଳୁ-ପିଆଜ, ମାଣ୍ଡିଆଠାରୁ କଫି-ମସଲା, ଏହିପରି ଅନେକ ଯୋଜନା, ମିଶନ ଆମେ କରିଥିଲେ ବି ଆମର ବରଗଡ଼ ଚାଷୀ କାହିଁକି ଅମଳଯୋଗ୍ୟ ବନ୍ଧାକୋବି ଫସଲ ଉପରେ ଟ୍ରାକ୍ଟର ଚଢ଼ାଇ ହଳ କରିଦେଲେ? ଏହି ପ୍ରଶ୍ନର ଉତ୍ତର ଅଛିକି କୃଷି ମନ୍ତ୍ରୀ ଓ ସଚିବଙ୍କ ଭୁବନେଶ୍ୱରର ଶୀତତାପ ନିୟନ୍ତ୍ରିତ କୋଠରୀରେ? ଯଦି ଅଛି, ସେମାନେ ନିଜ ଉପରକୁ ଦାୟିତ୍ୱ ନେଇ ଆଗାମୀ ୫ ବର୍ଷ ପରେ ଓଡ଼ିଶା ଚାଷୀ ପରିବାରର ମାସିକ ରୋଜଗାର ଅନ୍ତତଃ ମେଘାଳୟ ଚାଷୀଙ୍କ ରୋଜଗାର ସହ ସମାନ କରି ପାରିବେକି? ଯଦି ପାରିବେ, ମିଶନ କରନ୍ତୁ। ଯଦି ପାରିବେନି, ମିଶନ ନାମରେ ଯାତ୍ରା ନକରି ଆବଶ୍ୟକ ସଂଖ୍ୟକ କ୍ଷେତ୍ର କର୍ମଚାରୀ ନିଯୁକ୍ତି ଦେଇ, ସେମାନଙ୍କୁ କାମରେ ଲଗାନ୍ତୁ। ଆଧୁନିକ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରନ୍ତୁ, ଜମିକୁ ପାଣି, ଚାଷୀକୁ ସାହସ ଦିଅନ୍ତୁ। ମିଶନ ଉପରେ ମିଶନ କରି ଉପଦେଷ୍ଟା, ପ୍ରକଳ୍ପ ପରିଚାଳକ ନିଯୁକ୍ତି ବଦଳରେ କ୍ଷେତ୍ର କର୍ମଚାରୀଙ୍କୁ ଅଧିକ ତାଲିମ ଦିଅନ୍ତୁ। ଚାଷୀକୁ ବିଶ୍ୱାସ ଦିଅନ୍ତୁ ଯେ, ଆମେ ଖୁସି ନୁହେଁ, ସୁଖୀ କରିବାକୁ ପ୍ରତିଶୃତିବଦ୍ଧ।

ଫୋ-୯୪୩୮୨୯୯୦୩୭

Related story