Advertisment

ନେପାଳରେ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଲଢ଼େଇ କରିଥିବା ପୂର୍ବତନ ମାଓବାଦୀ ଏବେ ରାଜତନ୍ତ୍ର ସପକ୍ଷରେ କରୁଛନ୍ତି ଆନ୍ଦୋଳନ

ନେପାଳରୁ ରାଜା ଜ୍ଞାନେନ୍ଦ୍ର ଶାହଙ୍କୁ ଗାଦିଚ୍ୟୁତ କରି ସାମ୍ବିଧାନିକ ରାଜତନ୍ତ୍ରର ଅନ୍ତ କରିବାରେ ଓ ଏହାକୁ ହିନ୍ଦୁ ରାଷ୍ଟ୍ରରୁ ଏକ ଧର୍ମନିରପେକ୍ଷ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିବାରେ ଜଣେ ମାଓବାଦୀ ଭାବେ ସଂଘର୍ଷ କରିଥିବା ଦୁର୍ଗା ପ୍ରସାଇ ଏବେ ପୁଣି ଥରେ ନେପାଳର ରାଜାଙ୍କୁ ସାମ୍ବିଧାନିକ ମୁଖ୍ୟ କରି ହିନ୍ଦୁ ରାଜତନ୍ତ୍ର ପ୍ରତିଷ୍ଠା କରିବାକୁ ଅଣ୍ଟା ଭିଡ଼ିଛନ୍ତି।

Prasai

Prasai

Advertisment

ନେପାଳ ଜଳୁଛି। ମାତ୍ର ୧୭ ବର୍ଷ ତଳେ ଗଣତନ୍ତ୍ର ରାଷ୍ଟ୍ର ହୋଇଥିବା ନେପାଳରେ ପୁଣି ଥରେ ରାଜତନ୍ତ୍ର ପ୍ରତିଷ୍ଠା ପାଇଁ ଚାଲିଛି ଆନ୍ଦୋଳନ। ଗତ ଶୁକ୍ରବାର ଏହି ଆନ୍ଦୋଳନ ହିଂସାର ରୂପ ନେଇଥିଲା। ରାଜଧାନୀ କାଠମାଣ୍ଡୁରେ ଆନ୍ଦୋଳନକାରୀମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ। ସେମାନେ ଜଳାପୋଡ଼ା କରିଥିଲେ। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୁଲିସ।

Advertisment

ନେପାଳରେ ରାଜନେତାମାନଙ୍କ ବିଫଳତା ଯୋଗୁ ଆଜି ଏଭଳି ଏକ ସ୍ଥିତି ଉତ୍ପନ୍ନ ହୋଇଛି। ସେମାନେ ସ୍ଥିର ସରକାର ଦେବାରେ ବିଫଳ ହୋଇଛନ୍ତି। ଗତ ୧୭ ବର୍ଷରେ ନେପାଳ ୧୩ଟି ସରକାର ଦେଖିଲାଣି। ରାଜନେତାମାନେ ସେମାନଙ୍କ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ତା’ସାଙ୍ଗକୁ ବ୍ୟାପକ ଦୁର୍ନୀତି ସାଧାରଣ ଲୋକଙ୍କୁ ଅତିଷ୍ଠ କରି ଦେଇଛି। 

ରାଜତନ୍ତ୍ରର ପୁନଃ ପ୍ରତିଷ୍ଠା ପାଇଁ ନେପାଳରେ ଆରମ୍ଭ ହୋଇଥିବା ଆନ୍ଦୋଳନର ସବୁଠୁ ରୋଚକ କଥା ହେଉଛି ଯେ ଏହାର ନେତୃତ୍ୱ ନେଉଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମାଓବାଦୀ ଦୁର୍ଗା ପ୍ରସାଇ। ନେପାଳରୁ ରାଜା ଜ୍ଞାନେନ୍ଦ୍ର ଶାହଙ୍କୁ ଗାଦିଚ୍ୟୁତ କରି ସାମ୍ବିଧାନିକ ରାଜତନ୍ତ୍ରର ଅନ୍ତ କରିବାରେ ଓ ଏହାକୁ ହିନ୍ଦୁ ରାଷ୍ଟ୍ରରୁ ଏକ ଧର୍ମନିରପେକ୍ଷ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିବାରେ ଜଣେ ମାଓବାଦୀ ଭାବେ ସଂଘର୍ଷ କରିଥିବା ଦୁର୍ଗା ପ୍ରସାଇ ଏବେ ପୁଣି ଥରେ ନେପାଳର ରାଜାଙ୍କୁ ସାମ୍ବିଧାନିକ ମୁଖ୍ୟ କରି ହିନ୍ଦୁ ରାଜତନ୍ତ୍ର ପ୍ରତିଷ୍ଠା କରିବାକୁ ଅଣ୍ଟା ଭିଡ଼ିଛନ୍ତି।

Advertisment

ସ୍ୱାସ୍ଥ୍ୟ ସେବା ଶିଳ୍ପ ସହିତ ଜଡ଼ିତ ଦୁର୍ଗା ପ୍ରସାଇ ଏବେ ଫେରାର ଅଛନ୍ତି। ପୁଲିସ ତାଙ୍କୁ ଖୋଜୁଛି। ତେବେ ସେ ନେପାଳବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ପ୍ରେରଣ କରିଛନ୍ତି। ସେ କହିଛନ୍ତି ଯେ ସେ କାଠମାଣ୍ଡୁର ଏକ ମନ୍ଦିରରେ ଅଛନ୍ତି। ସେ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସରକାରକୁ ଭାଙ୍ଗିବାକୁ ଓ ହିନ୍ଦୁ ରାଜତନ୍ତ୍ରର ପୁନଃ ପ୍ରତିଷ୍ଠା କରିବାକୁ ପଣ କରିଥିବା କହିଛନ୍ତି। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ୨୦୧୭ରେ ପ୍ରସାଇଙ୍କ ଏକ ଫଟୋ ଭାଇରାଲ ହୋଇଥିଲା। ଏହି ଫଟୋଟି ତାଙ୍କ ବାସଭବନର ଥିଲା। ସେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ (ପ୍ରଚଣ୍ଡ) ଓ କେପି ଶର୍ମା ଓଲିଙ୍କୁ ତାଙ୍କ ବାସଭବନକୁ ଭୋଜନ କରିବାକୁ ନିମନ୍ତ୍ରଣ କରିଥିଲେ। ପ୍ରଚଣ୍ଡ ଓ ଓଲିଙ୍କ ସହିତ ସେ ନିଜ ବାସଭବନରେ ଭୋଜନ କରିବାର ଫଟୋ ଭାଇରାଲ ହୋଇଥିଲା। ଏହା ବି କୁହାଯାଏ ଯେ ନିଜ ନିଜ ମଧ୍ୟରେ ଲଢ଼େଇ କରୁଥିବା ବାମ ଦଳଗୁଡ଼ିକୁ ଏକାଠି କରି ବାମ ମେଣ୍ଟ ଗଠନ କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏକଦା ନେପାଳ ରାଜନୀତିରେ ପ୍ରସାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ବେଳେ ଦେଶର ଜଣେ ପ୍ରମୁଖ ବ୍ୟକ୍ତି ଭାବେ ଉଭା ହୋଇଥିଲେ। ନେପାଳରେ ସେ ଜଣେ ବେଶ୍ ଜଣାଶୁଣା ବ୍ୟକ୍ତି।

ନେପାଳର ଝାପାରେ ଏକ କୃଷକ ପରିବାରରେ ଜନ୍ମ ହୋଇଥିବା ପ୍ରସାଇଙ୍କ ବାଲ୍ୟକାଳ ଭାରି ଅଭାବ ଅନଟନରେ ବିତିଥିଲା। ସେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ବଡ଼ ହେବା ପରେ ସେ ମଇଁଷି ଚାଷ ଆରମ୍ଭ କରିଥିଲେ। କିନ୍ତୁ ଋଣଗ୍ରସ୍ତ ହେବାରୁ ଏହି ବ୍ୟବସାୟକୁ ଛାଡ଼ି ଦେଇଥିଲେ। ସେ ପ୍ରଥମେ ନେପାଳୀ କଂଗ୍ରେସ ସହିତ ଥିଲେ। ରାଜତନ୍ତ୍ର ବିରୋଧରେ ବିଦ୍ରୋହ ଚାଲିଥିବା ବେଳେ ସେ ସିପିଏନ୍ (ମାଓବାଦୀ)ରେ ଯୋଗ ଦେଇଥିଲେ। ଯୁଦ୍ଧ ପରେ ସେ ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ସିପିଏନ୍‌ (ଏମ୍‌ସି)ରେ ଯୋଗ ଦେଇଥିଲେ। ପରେ ସେ କେପି ଶର୍ମା ଓଲିଙ୍କ ସିପିଏନ୍ (ୟୁଏମ୍‌ଏଲ୍‌)ରେ ଯୋଗ ଦେଇଥିଲେ। ସେ ସିପିଏନ୍ (ୟୁଏମ୍‌ଏଲ୍‌)ର କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲେ। ତାଙ୍କର ଖୁବ୍ ପ୍ରଭାବ ଥିଲା। ୨୦୨୨ରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ସେ ଖୋଲାଖୋଲି ଭାବେ ରାଜତନ୍ତ୍ର ସପକ୍ଷରେ ଯୁକ୍ତି ବାଢ଼ିବା ଯୋଗୁ ଦଳ ତାଙ୍କୁ ବହିଷ୍କାର କରିଥିଲା।

ମାଓବାଦୀରୁ ବିବାଦୀୟ ବ୍ୟବସାୟୀ ପାଲଟିଥିବା ପ୍ରସାଇ ପରବର୍ତ୍ତୀ ସମୟରେ ଦୁର୍ନୀତି ଓ ଅର୍ଥନୀତିକ ମାନ୍ଦାବସ୍ଥାରେ ନିରାଶ ହୋଇ ରାଜନୀତିରୁ ଦୂରେଇ ଯାଇଥିଲେ। ନେପାଳରେ ଧର୍ମନିରପେକ୍ଷ ଗଣତନ୍ତ୍ର ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି ବୋଲି ଖୋଲାଖୋଲି ଦାବି କରିଥିଲେ। ୨୦୨୩ ଫେବ୍ରୁଆରୀ ମାସରୁ ସେ ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହଙ୍କ ସହିତ ମିଶି ପୁଣି ଥରେ ନେପାଳରେ ରାଜତନ୍ତ୍ର ପ୍ରତିଷ୍ଠା କରିବା ଓ ଏହାକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ପାଇଁ ଅଭିଯାନ ଆରମ୍ଭ କରି ଦେଇଥିଲେ। ଗଣ ବିକ୍ଷୋଭ ସହିତ ସୋଶାଲ ମିଡିଆରେ ତାଙ୍କର ଏହି ଅଭିଯାନ ତାଙ୍କୁ ରାଜପରିବାରର ନିକଟତର କରି ଦେଇଛି। ଦୁଇ ବର୍ଷ ହେଲାଣି ରାଜତନ୍ତ୍ର ପ୍ରତିଷ୍ଠା ପାଇଁ ଆନ୍ଦୋଳନ କରୁଥିବା ପ୍ରସାଇ ପୂର୍ବରୁ ଦୁର୍ନୀତି ଅଭିଯୋଗରେ ଗିରଫ ମଧ୍ୟ ହୋଇଥିଲେ।

ରାଜତନ୍ତ୍ର ସପକ୍ଷରେ ଚାଲିଥିବା ଆନ୍ଦୋଳନରେ ଅନ୍ୟ ଯେଉଁ ନେତା ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି, ସେ ହେଉଛନ୍ତି କମଳ ଥାପା। ସେ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ନେପାଳ (ଆରପିପିଏନ୍‌)ର ସଦସ୍ୟ। ଗତକାଲି କାଠମାଣ୍ଡୁରେ ହିଂସାକାଣ୍ଡ ପରେ ପ୍ରସାଇଙ୍କ ଅନେକ ସମର୍ଥକ ଗିରଫ ହୋଇଥିବା ବେଳେ ଆରପିପିଏନ୍‌ର ଦୁଇ ଜଣ ବରିଷ୍ଠ ସଦସ୍ୟ ଗିରଫ ହୋଇଛନ୍ତି। ପ୍ରସାଇ ପୁଲିସ ରାଡାରରେ ଅଛନ୍ତି। ପ୍ରସାଇଙ୍କ ଲଢ଼େଇ ନେପାଳରେ ନୂଆ ଇତିହାସ ଲେଖିବାରେ ସଫଳ ହେବ ନା ନାହିଁ ଜଣାନାହିଁ, ତେବେ ଏହା ଏକ ବଡ଼ ବିତର୍କ ସୃଷ୍ଟି କରିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe