କୃଷ୍ଣକାୟ ବ୍ୟକ୍ତିଙ୍କୁ ଆଣ୍ଠୁ ତଳେ ଚାପିଦେଲା ଆମେରିକା ପୁଲିସ୍‌, ଚାଲିଗଲା ଜୀବନ

ଆମେରିକା ପୁଲିସ୍‌ ଦ୍ୱାରା ଗିରଫ ହେବା ସମୟରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁ ଆଖି ବୁଜିଛନ୍ତି ଜଣେ କୃଷ୍ଣକାୟ ବ୍ୟକ୍ତି। ମୃତ୍ୟୁ ପୂର୍ବରୁ ବ୍ୟକ୍ତି ଜଣକ, ମୁଁ ନିଃଶ୍ୱାସ ନେଇ ପାରୁନି, ମୋ ବେକ ବୁଲାଇ ପାରୁନି ବୋଲି କହିଥିବା ବେଳେ ଏହାକୁ ହାଲକା ଭାବେ ନେଇଥିଲା ଆମେରିକା ପୁଲିସ୍‌।

ଫ୍ରାଙ୍କ ଟାୟସନ।

  • Published: Saturday, 27 April 2024
  • , Updated: 27 April 2024, 11:07 AM IST

ଆମେରିକାରେ ପୁଣି ଥରେ ତେଜିଛି କଳା-ଗୋରା ଭେଦଭାବ। ଆମେରିକା ପୁଲିସ୍‌ ଦ୍ୱାରା ଗିରଫ ହେବା ସମୟରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁ ଆଖି ବୁଜିଛନ୍ତି ଜଣେ କୃଷ୍ଣକାୟ ବ୍ୟକ୍ତି। ମୃତ୍ୟୁ ପୂର୍ବରୁ ବ୍ୟକ୍ତିଜଣକ, ମୁଁ ନିଃଶ୍ୱାସ ନେଇ ପାରୁନି, ମୋ ବେକ ବୁଲାଇ ପାରୁନି ବୋଲି କହିଥିବା ବେଳେ ଏହାକୁ ହାଲକା ଭାବେ ନେଇଥିଲା ଆମେରିକା ପୁଲିସ୍‌। ଆଉ କିଛି ସମୟ ପରେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ଆମେରିକାର ଓହିୟୋ ସହରରେ ଏପରି ଏକ ଅସମ୍ବେଦନଶୀଳ ଘଟଣା ଘଟିଛି। ଓହିଓ ପୁଲିସ୍‌ ଡିପାର୍ଟମେଣ୍ଟ ପକ୍ଷରୁ ଜାରି ହୋଇଥିବା ବଡ଼ି-କ୍ୟାମେରା ଫୁଟେଜରେ ଦେଖିବାକୁ ମିଳୁଛି, ପୁଲିସ୍‌ କର୍ମୀ ଫ୍ରାଙ୍କ ଟାୟସନ ନାମକ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଯାଉଛନ୍ତି। ଏକ କାର୍‌ ଦୁର୍ଘଟଣା ଘଟାଇ ଟାୟସନ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଥିଲା।

ଓହିଓ ପୁଲିସ୍‌ ଡିପାର୍ଟମେଣ୍ଟ ପକ୍ଷରୁ ଜାରି ୩୬ ମିନିଟ୍‌ର ଭିଡିଓରେ ଦେଖିବାକୁ ମିଳୁଛି, ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପାଟ୍ରୋଲିଂ ଅଫିସର ତାହା ନିକଟକୁ ଯାଉଛନ୍ତି। ଏହା ଦେଖି କାର୍‌ ଡ୍ରାଇଭର ଟାୟସନ ନିକଟସ୍ଥ ବାର୍‌ରେ ପଶି ଯାଇଥିଲେ। ଏହାପରେ ପୁଲିସ୍‌ କର୍ମୀ ସେଠାରେ ପହଞ୍ଚିଥିଲେ।

ପୁଲିସ୍‌ ତାଙ୍କୁ ସେଠାରେ କାବୁ କରିବାକୁ ଚେଷ୍ଟା କରିବାରୁ ଉଭୟ ପକ୍ଷ ମଧ୍ୟରେ ଟଣାଓଟରା ହୋଇଥିଲା। ଏହାପରେ ପୁଲିସ୍‌ ଅଧିକାରୀ ଟାୟସନଙ୍କୁ ଚଟାଣରେ ମୁହଁ ମାଡ଼ି ପକାଇ ଦେଇ ତାଙ୍କ ହାତରେ ହାତକଡ଼ି ପିନ୍ଧାଇଥିଲେ। ଏହି ସମୟରେ ଜଣେ ପୁଲିସ୍‌ କର୍ମୀ ଟାୟସନଙ୍କ ବେକ ଉପରେ ଆଣ୍ଠୁ ମାଡ଼ି ରଖିଥିଲେ। ଫଳରେ ନିଃଶ୍ୱାସ ନେଇ ପାରୁନି ଓ ବେକ ବୁଲାଇ ପାରୁନି ବୋଲି ଟାୟସନ ଚିତ୍କାର କରି କହିଥିଲେ ମଧ୍ୟ ପୁଲିସ୍‌ କର୍ମୀ କିଛି ଶୁଣି ନ ଥିଲେ। ଏପରିକି ତୁମେ ଠିକ୍‌ ଅଛ, କିଛି ହୋଇନି ବୋଲି କହିଥିଲେ।

ନିଜକୁ ମୁକୁଳାଇବା ପାଇଁ ଟାୟସନ କିଛି ସମୟ ସଂଘର୍ଷ କରିବା ପରେ ଶାନ୍ତ ହୋଇ ଯାଇଥିଲେ। ଏପରିକି ସେ ଆଉ ହଲଚଲ ବି ହୋଇ ନ ଥିଲେ। ଏହାପରେ ସେ ନିଃଶ୍ୱାସ ନେଉଛନ୍ତି ନା ନାହିଁ ବୋଲି ପୁଲିସ୍‌ ଅଧିକାରୀ ପଚାରିଥିଲେ। ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଅପହରଣ ଓ ଚୋରି ମାମଲାରେ ଜେଲ୍‌ ଯାଇଥିବା ଫ୍ରାଙ୍କ ଟାୟସନ ୨୪ ବର୍ଷ ସଜା କାଟିବା ପରେ ଗତ ୬ ତାରିଖରେ ମୁକୁଳିଥିଲେ। ମାତ୍ର ପୁଣି ଥରେ ପୁଲିସ୍‌ ଦ୍ୱାରା ଗିରଫ ହେଉଥିବା ବେଳେ ତାଙ୍କ ଜୀବନ ଯାଇଛି। ଏହି ଘଟଣାରେ ସମ୍ପୃକ୍ତ ପୁଲିସ୍‌ ଅଧିକାରୀ ଚିହ୍ନଟ ହୋଇ ସାରିଛନ୍ତି।

ଏହି ଘଟଣା ୪ ବର୍ଷ ପୂର୍ବେ ଘଟିଥିବା ଜର୍ଜ ଫ୍ଲୟଡଙ୍କ ମୃତ୍ୟୁକୁ ମନେ ପକାଇ ଦେଇଛି। ଜଣେ ପୁଲିସ୍‌ ଅଧିକାରୀ ଜର୍ଜଙ୍କ ବେକରେ ୯ ମିନିଟ୍‌ କାଳ ଆଣ୍ଠୁ ମାଡ଼ି ରଖିବାରୁ ତାଙ୍କ ମୃତ୍ୟୁ ହୋଇଥିଲା। ଉକ୍ତ ସମୟରେ ଜର୍ଜ ମଧ୍ୟ ନିଃଶ୍ୱାସ ନେଇ ପାରୁ ନ ଥିବାରୁ ଛାଡ଼ି ଦେବାକୁ କାକୁତି ମିନତି ହେଉଥିଲେ।

ଏହି ଭିଡିଓ ଭାଇରାଲ ହେବା ପରେ ଆମେରିକାରେ କଳା ଓଗୋରାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ଯାଇଥିଲା। ଏହାପରେ ସମଗ୍ର ଦେଶରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇ ଯାଇଥିଲା। ଏହି ଘଟଣାରେ ୪ ପୁଲିସ୍‌ କର୍ମୀଙ୍କୁ ହତ୍ୟା ଅଭିଯୁକ୍ତ ସାବ୍ୟସ୍ତ କରାଯାଇଥିଲା।

Related story