ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖାଇବା ପରେ ପ୍ରତିଦିନ ଗୁଡ଼ ଖାଇବାକୁ ଘରେ ପରାମର୍ଶ ଦେଇଥାଆନ୍ତି। ଗୁଡ଼ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବାରୁ ଗୁରୁଜନ ଏପରି ପରାମର୍ଶ ଦେଇଥାନ୍ତି। ହେଲେ ଜାଣିଛନ୍ତି, ଆପଣ ସୁନ୍ଦର ଦେଖାଯିବାରେ ମଧ୍ୟ ଗୁଡ଼ର ଯଥେଷ୍ଟ ଭୂମିକା ରହିଛି। ଏହା ଆପଣଙ୍କ ମୁଖକୁ ଉଜ୍ୱଳ କରିବା ସହ ତ୍ୱଚାକୁ ଚମକପ୍ରଦ କରିଥାଏ। ରୋଗ ସହିତ ଲଢ଼ିବା ସହ ଗୁଡ଼ଶରୀରରେ ଥିବା କଳା ଦାଗକୁ ମଧ୍ୟ ଦୂର କରିଥାଏ। ଏହା କେଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା, ସୁନ୍ଦର ଦିଶିବା ପାଇଁ ଗୁଡ଼କୁ କିପରି ବ୍ୟବହାର କରିବେ।
ବ୍ରଣ, କଳାଦାଗକୁ ଦୂର କରେ: ନିୟମିତ ଗୁଡ଼ ଖାଇଲେ ଆପଣଙ୍କ ତ୍ୱଚାରେ ଥିବା କଳା ଦାଗ ଉଭେଇ ଯିବା ସହ ବ୍ରଣ ସମସ୍ୟାରୁ ମୁକ୍ତି ମିଳିଥାଏ। ଏଥିପାଇଁ ୧ ଚାମଚ ଗୁଡ଼ରେ, ୧ ଚାମଚ ଟମାଟୋ ରସ, ଅଧା ଚାମଚ ଲେମ୍ୱୁ ରସ, ଅଳ୍ପ ହଳଦୀ ଗୁଣ୍ଡ ଏବଂ ଅଳ୍ପ ଗରମ ଗ୍ରୀନ୍ଟି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ପରେ ଏହି ମିଶ୍ରଣକୁ ମୁହଁରେ ଲଗାଇ ୧୫ ମିନିଟ୍ରଖିବା ପରେ ଧୋଇ ଦିଅନ୍ତୁ।
କେଶକୁ ସୁନ୍ଦର କରେ: ଗୁଡ଼ କେଶକୁ ଘନ ଏବଂ ସୁନ୍ଦର କରିଥାଏ। ଏଥିରେ ମୁଲ୍ତାନି ମାଟି, ଦହି ଏବଂ ପାଣି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ କେଶ ଧୋଇବାର ଏକ ଘଣ୍ଟା ପୂର୍ବରୁ ଲଗାଇ ଦିଅନ୍ତୁ। ଏହାପରେ କେଶକୁ ଧୋଇ ଦିଅନ୍ତୁ। ଏପରି କଲେ କେଶ ମୋଟା ଏବଂ କୋମଳ ହେବା ସହିତ ଚିକ୍ଚିକ୍କରିଥାଏ।
ରକ୍ତ ସଫା କରେ: ରକ୍ତ ସଫା ନ ହେବା ଯୋଗୁ ଶରୀରରେ ଅନେକ ସମସ୍ୟା ଦେଖାଯାଇଥାଏ। ଗୁଡ଼ ରକ୍ତକୁ ସଫା କରିଥାଏ ଓ ଏନିମିଆଠାରୁ ମଧ୍ୟ ରକ୍ଷା କରିଥାଏ। ଏଥିପାଇଁ ପ୍ରତିଦିନ ଗୁଡ଼ ଖାଇବା ଅଭ୍ୟାସ କରନ୍ତୁ। କିନ୍ତୁ ଅଧିକ ଓଜନ ଥିବା ବ୍ୟକ୍ତି ଏବଂ ଡାଇବେଟିସ୍ରୋଗରେ ପୀଡ଼ିତ ବ୍ୟକ୍ତି ଗୁଡ଼ ଖାଇବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।