ଆଣ୍ଠୁ ଯନ୍ତ୍ରଣା ଥରେ ଆରମ୍ଭ ହେଲେ ଶୀଘ୍ର ଭଲ ହୋଇନଥାଏ। ଅନେକଙ୍କ କ୍ଷେତ୍ରରେ ଯନ୍ତ୍ରଣା ବଢ଼ିଲେ ଔଷଧ ବି କାମ କରେ ନାହିଁ। ଯନ୍ତ୍ରଣା ଅସହ୍ୟ ହେଲେ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦିଆଯାଏ। କିନ୍ତୁ ଉଚିତ ଖାଦ୍ୟ ଗ୍ରହଣ, ମାଲିସ୍ ଓ ଯୋଗାଭ୍ୟାସ ଆଣ୍ଠୁ ରୋଗୀଙ୍କୁ ଆରାମ ଦେଇଥାଏ।
କାରଣ
ଅଧିକ ଚାଲିବା, ସିଢ଼ି ଚଢ଼ିବା, ଅଧିକ ସମୟ ଧରି ବୁଲିବା କିମ୍ୱା ଦୌଡ଼ିବା, ଭାରି ଜିନିଷ ଉଠାଇବା, ଭୁଲ ବ୍ୟାୟାମ କରିବା ଓ ଶରୀରର ଓଜନ ବଢ଼ିବା ଦ୍ୱାରା ଆଣ୍ଠୁ ଉପରେ ଏହାର ପ୍ରଭାବ ପଡ଼ିଥାଏ। ଆଣ୍ଠୁ ଉପରେ ଅଧିକ ଚାପ ପଡ଼ିବା ଭଳି କାର୍ଯ୍ୟ ଗୁଡ଼ିକ ଅଧିକମାତ୍ରାରେ କଲେ ଆଣ୍ଠୁ ଜଏଣ୍ଟରେ ଥିବା କାଟିର୍ଲେଜ୍ କ୍ଷୟ ହୋଇଥାଏ। ଫଳରେ ହାଡ଼ଗୁଡ଼ିକ ପରସ୍ପର ସହିତ ଲାଗି ଯାଆନ୍ତି ଅବା ଅଙ୍କାବଙ୍କା ହୋଇଯାଆନ୍ତି ଏବଂ ଆଣ୍ଠୁରେ ଯନ୍ତ୍ରଣା ହୁଏ। ଅଚାନକ ଝଟକା ଲାଗିଲେ ଅବା ମୋଡ଼ି ହୋଇଗଲେ ଆଣ୍ଠୁରେ ଯନ୍ତ୍ରଣା ହୁଏ। ସେହିଭଳି କୌଣସି କାରଣରୁ ଲିଗାମେଟ୍ରେ ଆଘାତ ଲାଗିଲେ ମଧ୍ୟ ଆଣ୍ଠୁରେ ଯନ୍ତ୍ରଣା ହୁଏ। ଇନ୍ଫେକ୍ସନ୍ ଓ ୟୁରିକ୍ ଏସିଡ୍ର ମାତ୍ରା ଅଧିକ ହୋଇଗଲେ ମଧ୍ୟ ଆଣ୍ଠୁରେ ଯନ୍ତ୍ରଣା ହୁଏ।
କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ
ଆଣ୍ଠୁ ଯନ୍ତ୍ରଣା ହେଉଥିବା ବ୍ୟକ୍ତି ପାଳଙ୍ଗ ଶାଗ, ଡାଲଚିନି, ଧନିଆ, ହଳଦି, ଅଦା ଓ ମେଥି ଖାଆନ୍ତୁ। ଏଗୁଡ଼ିକ ବେଶ୍ ଉପାଦେୟ ହୋଇଥାଏ। ଏହାସହିତ ଭିଟାମିନ୍ ଡି, ବି, ଓ ସି ଥିବା ଖାଦ୍ୟ ବଢ଼ାଇବା ଉଚିତ। ଯନ୍ତ୍ରଣା ଲାଘବ କରିବା ପାଇଁ ମିଳୁଥିବା ତେଲ ପ୍ରତିଦିନ ମାଲିସ କରନ୍ତୁ। ଖାଦ୍ୟପ୍ରେୟ ଉପରେ ଅଧିକ ଧ୍ୟାନ ରଖନ୍ତୁ। ଭେଣ୍ଡି, ଫୁଲ କୋବି, ଆଳୁ, ଭାତ, ଦହି, ଲସି, ରାଜମା, ଓ ଡାଲି ପରି ବାତବର୍ଦ୍ଧକ ଖାଦ୍ୟ ଖାଆନ୍ତୁ ନାହିଁ। ଖାଇବାରେ ଲୁଣ ଓ ଚିନି ମାତ୍ରା କମ୍ କରନ୍ତୁ।
କ’ଣ କରିବେ ନାହିଁ
ଆଣ୍ଠୁ ଭାଙ୍ଗି ହୋଇ ବସନ୍ତୁ ନାହିଁ। ବଜ୍ରାସନ ଓ ସୁଖାସନ ଭଳି ଆସନ ଯେଉଁଗୁଡ଼ିକରେ ଆଣ୍ଠୁ ମୋଡ଼ିବାକୁ ପଡ଼େ ସେଗୁଡ଼ିକୁ କରନ୍ତୁ ନାହିଁ। ଆଣ୍ଠୁ ଉପରେ ଭରା ଦେଇ କୌଣସି କାମ କରନ୍ତୁ ନାହିଁ। ତଳେ ବସି କରିବାକୁ ପଡ଼ୁଥିବା କୌଣସି କାର୍ଯ୍ୟ କରନ୍ତୁ ନାହିଁ।
କ’ଣ କରିବେ
ବରଫ ଓ ଗରମ ସେକ ଦେଲେ ଯନ୍ତ୍ରଣାରୁ ଆରାମ ଦେଇଥାଏ। ଆଣ୍ଠୁରେ ବ୍ରେସ୍ ପିନ୍ଧନ୍ତୁ, ଫଳରେ ଅଧିକ ହଲିନଥାଏ। ଯଦି ଶରୀର ଓଜନ ଅଧିକ ଅଛି, ତେବେ ଓଜନ କମ୍ କରନ୍ତୁ। ଅଧିକ ସମୟ ପର୍ଯ୍ୟନ୍ତ ଠିଆ ହୁଅନ୍ତୁ ନାହିଁ। ଶୋଇବା ସମୟରେ କଡ଼ ଲେଉଟିବା ବେଳେ ଆଣ୍ଠୁ ପାଖରେ ତକିଆ ଦିଅନ୍ତୁ। ହାଇ-ହିଲ୍ ଥିବା ଚପଲ ଓ ଜୋତା ପିନ୍ଧନ୍ତୁ ନାହିଁ।