ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ୮ମାସ ପୁରିଲାଣି । କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନିକସ୍ତରରେ ଶୃଙ୍ଖଳା ଓ କାର୍ଯ୍ୟଧାରା ବ୍ୟବସ୍ଥିତ ହୋଇପାରୁନି । ବରିଷ୍ଠ ଆଇଏଏସ୍ ମନୋଜ ଆହୁଜାଙ୍କ ଭଳି ଜଣେ ଅଭିଜ୍ଞ ଅଫିସରଙ୍କୁ ମୁଖ୍ୟ ସଚିବ ଭାବେ ଅବସ୍ଥାପିତ କରାଯାଇଥିଲେ ମଧ୍ୟ ରାଜ୍ୟ ପ୍ରଶାସନିକ କଳ ଏପର୍ଯ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରିବା ସମ୍ଭବପର ହୋଇପାରିନି।
ଓଲଟା ରାଜ୍ୟ ସରକାରଙ୍କ ରୁଲସ୍ ଅଫ୍ ବିଜିନେସ୍ , ପ୍ରୋଟୋକଲ ଓ ନିର୍ଦ୍ଦେଶକୁ ଖୋଲାଖୋଲି ଅଣଦେଖା କରାଯାଉଛି । ଏସବୁ ପ୍ରଶାସନିକ ବିଲକ୍ଷଣ ଏବେ ପାୱାର କରିଡରରେ ଚର୍ଚ୍ଚାର ବିଷୟ ପାଲଟିଥିଲେ ମଧ୍ୟ ମୋହନ ମାଝୀ ସରକାରଙ୍କୁ ବଦନାମ କରିବାକୁ ଏହା ପ୍ରାୟୋଜିତ କାର୍ଯ୍ୟକ୍ରମ ନୁହେଁ ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ସୂଚନା ଅନୁସାରେ, ନିଜସ୍ୱ ଦମରେ ରାଜ୍ୟରେ ପ୍ରଥମଥର ପାଇଁ ବିଜେପିର ସରକାର ଗଠନ ହୋଇଛି । ବିଜେଡିର ଏକଚାଟିଆ ଓ ମନମୁଖୀ ଶାସନ ପରେ ରାଜ୍ୟର ନେତୃତ୍ୱ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ମିଳିଛି । କିନ୍ତୁ ନୂଆ ସରକାର ଆସିବାର ଇତିମଧ୍ୟରେ ୮ମାସ ବିତିଯାଇଥିଲେ ସୁଦ୍ଧା ପ୍ରଶାସନିକ କଳ ବ୍ୟବସ୍ଥିତ ହୋଇପାରୁନି । ଯଦିଓ ରାଜ୍ୟରେ ଶାସକ ଦଳର ପରିବର୍ତ୍ତନ ହୋଇଛି ଓ ଶୀର୍ଷ ପାହ୍ୟାର ପ୍ରଶାସନିକ କଳରେ ସେଭଳି ପରିବର୍ତ୍ତନ ହୋଇନାହିଁ ତଥାପି ରାଜ୍ୟରେ ଗତ କିଛିମାସ ଧରି ପ୍ରଶାସନିକ ବିଲକ୍ଷଣ ଓ ତ୍ରୁଟିବିଚ୍ୟୁତି ଜଳଜଳ ଦିଶିବାରେ ଲାଗିଛି।
ଗୁରୁତ୍ୱପୂର୍ଣ୍ଣ ମୁଖ୍ୟ ସଚିବ ପାହ୍ୟାର ୩ଟି ପଦବୀ ଖାଲି
ରାଜ୍ୟ ପ୍ରଶାସନର ୩ଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଯଥା- କେବିକେ ମୁଖ୍ୟ ପ୍ରଶାସକ, ରାଜସ୍ୱ ପର୍ଷଦ ସଦସ୍ୟ ଓ କୃଷି ଉତ୍ପାଦନ କମିଶନର(ଏପିସି) ଭଳି ୩ଟି ପଦବୀ ଖାଲି ପଡ଼ିଛି । ରାଜ୍ୟ ସରକାରଙ୍କ ଶୀର୍ଷ ପାହ୍ୟାର ଅଫିସରମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥାଏ । କିନ୍ତୁ ଏବେ ସେସବୁ ଖାଲି ପଡ଼ିଛି । କେବିକେ ଜିଲ୍ଲାଗୁଡ଼ିକର ପ୍ରଶାସନିକ ଓ ବିକାଶ କାର୍ଯ୍ୟର ତଦାରଖ ଦାୟିତ୍ୱ କେବିକେ ମୁଖ୍ୟ ପ୍ରଶାସକଙ୍କ ଉପରେ ନ୍ୟସ୍ତ ଥାଏ । ଏହି ପଦବୀରେ ରାଜ୍ୟ ସରକାର ମୁଖ୍ୟ ସଚିବ ପାହ୍ୟାର ଅଫିସରଙ୍କୁ ଅବସ୍ଥାପିତ କରିବାର ପ୍ରାବଧାନ ରହିଛି । କିନ୍ତୁ ରାଜନୀତିକ କାରଣରୁ ଗତ ଅଗଷ୍ଟ ମାସରୁ ପଶ୍ଚିମଓଡ଼ିଶା ବିକାଶ ପରିଷଦ ପଙ୍ଗୁ ହୋଇପଡ଼ିରହିଛି।
ଆଉ ଏପଟେ ଗତବର୍ଷ ନଭେମ୍ବର ଶେଷରୁ କେବିକେ ମୁଖ୍ୟ ପ୍ରଶାସକ ପଦବୀ ବି ଖାଲି ପଡ଼ିଛି । ଅନୁରୂପ ଅବସ୍ଥା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ପର୍ଷଦ ସଦସ୍ୟ ପଦବୀର । ମୁଖ୍ୟ ସଚିବ ପାହ୍ୟାର ଏହି ପଦବୀ ଏକଦା ସର୍ବାଧିକ ପ୍ରଭାବଶାଳୀ ପଦବୀ ଥିଲା । କିନ୍ତୁ ନବୀନ ପଟ୍ଟନାୟକ ସରକାର ୨୦୧୫-୧୬ ମସିହାରେ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ ବଳରେ ରାଜସ୍ୱ ପର୍ଷଦ ସଦସ୍ୟଙ୍କ କ୍ଷମତାକୁ କାଂଟଛାଂଟ କରି ଜିଲ୍ଲାପାଳମାନଙ୍କୁ ସିଧାସଳଖ ନିଜ ନିୟନ୍ତ୍ରଣରେ ରଖିଲେ । ବ୍ୟବସ୍ଥା ଅନୁସାରେ ଆରଡିସି, ରାଜସ୍ୱ ପର୍ଷଦ ସଦସ୍ୟ ଓ ମୁଖ୍ୟସଚିବଙ୍କ ମଧ୍ୟରେ ସୀମିତ ରହୁଥିଲା । କିନ୍ତୁ ନବୀନ ସରକାର ଜିଲ୍ଲାପାଳମାନଙ୍କ ଚରିତ୍ରପଞ୍ଜିକା ଉପରେ ଟିପ୍ପଣୀ ଦେବା କ୍ଷମତା ରାଜସ୍ୱ ପର୍ଷଦ ସଦସ୍ୟଙ୍କଠୁ କାଢ଼ି ନେଲେ।
ଜିଲ୍ଲାପାଳମାନଙ୍କ ଚରିତ୍ରପଞ୍ଜିକା(ସିସିଆର) ଏବେ ଆରଡିସି ଓ ମୁଖ୍ୟ ସଚିବଙ୍କ ବାଟ ଦେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛି । ରାଜ୍ୟର ଅବକାରୀ କମିଶନର ପଦବୀ ଏବେବି ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଅଧୀନରେ ରହିଛି । ନଭେମ୍ବର ଶେଷ ସପ୍ତାହରୁ ଏହି ପଦବୀ ଖାଲି ପଡ଼ିଛି । ସେହିପରି ତତକାଳୀନ ବିଜେଡଇ ସରକାର ୨୦୨୨-୨୩ରୁ ରାଜ୍ୟ କୃଷି ଉତ୍ପାଦନ କମିଶନର(ଏପିସି) ପଦବୀକୁ ପଙ୍ଗୁ କରି ରଖିଛନ୍ତି । ଏଥିରେ କୌଣସି ଅଫିସରଙ୍କୁ ନିଯୁକ୍ତି ମଧ୍ୟ ମିଳୁନାହିଁ । ୨୦୨୪ ନଭେମ୍ବର ମାସରେ ଆଇଏଏସ୍ ସିଜେ ଭେନୁଗୋପାଳଙ୍କ ଅବସର ପରଠୁ କେବିକେ ମୁଖ୍ୟ ପ୍ରଶାସକ ଓ ରାଜସ୍ୱ ପର୍ଷଦ ସଦସ୍ୟ ପଦବୀ ଖାଲି ପଡ଼ିଛି । ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବୀର ଅତିରିକ୍ତ ଦାୟିତ୍ୱ ମଧ୍ୟ ସରକାର କାହାରିକୁ ଏପର୍ଯ୍ୟନ୍ତ ଦେବାକୁ ଉଚିତ୍ ମଣିନାହାନ୍ତି।
ପ୍ରଶାସନିକ ବଦଳି ନିର୍ଦ୍ଦେଶ ହେଉନି କାର୍ଯ୍ୟକାରୀ
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାଜନୀତିକ-ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ବରିଷ୍ଠ ଓଏଏସ୍ ଅଫିସରମାନଙ୍କ ବଦଳି କରାଗଲା । ଅଫିସରମାନଙ୍କ ବଦଳି ମଧ୍ୟ ଏକ ସ୍ୱାଭାବିକ ପ୍ରଶାସନିକ ପ୍ରକ୍ରିୟା । କିନ୍ତୁ ସ୍ଥିତି ଏପରି ହୋଇଛି ଯେ ବାରମ୍ବାର ତାଗିଦ୍ କରିବା ପରେ ମଧ୍ୟ ଅଫିସରମାନେ ଏହାକୁ ମାନିଲେ ନାହିଁ । ଗତ ସପ୍ତାହରେ ସରକାର ପୁଣିଥରେ କଡ଼ା ତାଗିଦ୍ କଲାଭଳି ଏକ ଚିଠି ଲେଖି ଜାନୁୟାରୀ ୩୧ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ।
ତଥାପି ଏବେବି ଏକ ଡଜନରୁ ଅଧିକ ବରିଷ୍ଠ ଓଏଏସ୍ ଅଫିସର ନାନାଦି କାରଣ ଦେଖାଇ ନିଜ ବଦଳି ସ୍ଥାନରେ ଯୋଗ ଦେଇନଥିବା ଜଣାପଡ଼ିଛି । ୨୦୨୪ ଜୁଲାଇ ୨ରୁ ୨୦୨୫ ଜାନୁୟାରୀ ୨୪ତାରିଖ ମଧ୍ୟରେ ବରିଷ୍ଠ ଓଏଏସ୍ ଅଫିସରମାନଙ୍କ ମୋଟ ୩୭ଟି ବଦଳି ନିର୍ଦ୍ଦେଶ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିଲା ।
ମୁଖ୍ୟ ସଚିବଙ୍କୁ ମୁଖ୍ୟ ଆବାସିକ କମିଶନର ଦାୟିତ୍ୱ
ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଜଣେ ଫୁଲଟାଇମ୍ ମୁଖ୍ୟ ସଚିବଙ୍କୁ ନୂଆଦିଲ୍ଲୀସ୍ଥିତ ଆବାସିକ କାର୍ଯ୍ୟାଳୟର ମୁଖ୍ୟ ଆବାସିକ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସରକାରଙ୍କ ଏଭଳି ପଦକ୍ଷେପକୁ ନେଇ ପ୍ରଶାସନିକସ୍ତରରେ ଭୃକୁଂଚନ ସୃଷ୍ଟି ହୋଇଛି । ଆଉ ସବୁଠୁ ସଙ୍ଗୀନ କଥା ହେଉଛି ଯେଉଁ ପ୍ରଶାସନିକ ନିର୍ଦ୍ଦେଶ ବଳରେ ଏହି ଦାୟିତ୍ୱ ମୁଖ୍ୟ ସଚିବଙ୍କୁ ନ୍ୟସ୍ତ ହୋଇଛି, ତାହାବି ତ୍ରୁଟିପୂର୍ଣ୍ଣ ଥିଲା । ୨୦୨୫ ଜାନୁୟାରୀ ୨୪ରେ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଜାରି କରି ମୁଖ୍ୟସଚିବ ଶ୍ରୀ ଆହୁଜାଙ୍କୁ ‘ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଧ୍ୟକ୍ଷ’ର ଅତିରିକ୍ତ ଦାୟିତ୍ୱ ସହ ନୂଆଦିଲ୍ଲୀସ୍ଥିତ ‘ମୁଖ୍ୟ ଆବାସିକ କମିଶନର’ ଦାୟିତ୍ୱ ନ୍ୟସ୍ତ କରାଗଲା । ଯାହାକୁ ୩ଦିନ ଧରି ପକାଇ ରଖିବା ପରେ ଜାନୁୟାରୀ ୨୭ତାରିଖରେ ବିଭାଗ ଏକ ସଂଶୋଧନ ଜାରି କଲା।
ଶ୍ରୀ ଆହୁଜା ‘ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଧ୍ୟକ୍ଷ’ ନୁହଁନ୍ତି ବରଂ ‘କାର୍ଯ୍ୟକାରୀ ଅଧ୍ୟକ୍ଷ’ ବୋଲି ପଢ଼ିବାକୁ କୁହାଗଲା । ତେବେ ମୁଖ୍ୟ ସଚିବଙ୍କ ନିଯୁକ୍ତି ସଂକ୍ରାନ୍ତ ଫାଇଲ୍ ମୁଭମେଂଟବେଳେ ଓ ସରକାରୀ ବିଜ୍ଞପ୍ତି ଜାରି ପୂର୍ବରୁ ଏହାକୁ କିଭଳି ଯାଂଚ କରାଗଲାନି ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ । ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର କାର୍ଯ୍ୟାଳୟରେ ମୁଖ୍ୟ ଆବାସିକ କମିଶନର ଆଇଏଏସ୍ ବିଶାଳ ଗଗନ ଓ ସ୍ୱତନ୍ତ୍ର ଆବାସିକ କମିଶନର ଆଇପିଏସ୍ ରୀତୁ ଅରୋରାଙ୍କ ଭଳି ଦୁଇଜଣ ବରିଷ୍ଠ ଅଫିସର ଏବଂ ସେମାନଙ୍କ ଟିମ୍ ଥିବାବେଳେ ଶ୍ରୀ ଆହୁଜା ‘ମୁଖ୍ୟ ଆବାସିକ କମିଶନର’ ପଦବୀରେ ଅବସ୍ଥାପିତ ହେବା ପଛରେ ରହସ୍ୟ ଏବେବି ଅସ୍ପଷ୍ଟ।
ପ୍ରୋଟୋକଲକୁ ଅଣଦେଖା, ବିଜେଡି ଶାସନର ଇଫେକ୍ଟ
ରାଜ୍ୟରେ ବିଜେଡି ସରକାରରେ ଭିକେ ପାଣ୍ଡିଆନଙ୍କ ଭଳି ଅଫିସରମାନେ ନୀତିନିୟମକୁ ଫୁ’କରି ନିଜ ମନମର୍ଜିରେ ପ୍ରଶାସନିକ କଳକୁ ପରିଚାଳନା କରୁଥିଲେ । ଆଉ ଯେଉଁଥିରେ ଅତିଷ୍ଠ ହୋଇ ରାଜ୍ୟବାସୀ ବିଜେଡିକୁ କ୍ଷମତାଚ୍ୟୁତ କରି ବିଜେପିକୁ ଶାସନ ଭାର ଦେଇଛନ୍ତି । କିନ୍ତୁ ବିଜେଡି ଶାସନର ଛାପ ଏବେବି ପ୍ରଶାସନିକ ଅଫିସରମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ନା ପ୍ରୋଟୋକଲ ପାଳନ ହେଉଛି ନା ରୁଲସ୍ ଅଫ ବିଜିନେସକୁ ଗୁରୁତ୍ୱ ମିଳୁଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସଚିବ ଭାବେ ନିକୁଞ୍ଜ ବିହାରୀ ଧଳ କାର୍ଯ୍ୟ କରୁଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଫିସର ଶ୍ରୀ ଧଳଙ୍କୁ ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବୈଠକ ଏପରିକି ମୁଖ୍ୟମନ୍ତ୍ରୀ ଯେଉଁ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ସେଥିରେ ମଧ୍ୟ ତାଙ୍କୁ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କ ବାମପାଶ୍ୱର୍ରେ ବସିଥିବାର ଅଧିକାଂଶ ସମୟ ଦେଖିବାକୁ ମିଳୁଛି ।
ଯଦିଓ ଏଭଳି ପରମ୍ପରା ଓ ବ୍ୟତିକ୍ରମ ଓଡ଼ିଶା ପ୍ରଶାସନରେ ପୂର୍ବରୁ ଦେଖିବାକୁ ମିଳୁନଥିଲା । କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଯେଉଁସବୁ ବିଭାଗୀୟ ସମୀକ୍ଷା ବୈଠକ କରୁଛନ୍ତି ସେଥିରେ ଶ୍ରୀ ଧଳ ସକ୍ରିୟ ଭାବେ ଭାଗ ନେଉଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ସାମିଲ ହେଉଥିବା ବୈଠକରେ ତାଙ୍କ କାର୍ଯ୍ୟାଳୟର ସଚିବ ଓ ବ୍ୟକ୍ତିଗତ ସଚିବଙ୍କୁ ଠିକ୍ ତାଙ୍କ ପଛପଟେ ପଡ଼ୁଥିବା ଚେୟାରରେ ଦେଖିବାକୁ ମିଳୁଥିଲା । ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକତା ପଡ଼ିଲେ ତାଙ୍କ ଅଫିସରମାନେ ପ୍ରଶାସନିକ ସହଯୋଗ କରୁଥିଲେ।
କିନ୍ତୁ ଏବେ ସେଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଯଦି ବିଗତ ଦୁଇମାସ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ବିଶିଷ୍ଟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସଚିବ ଶ୍ରୀ ଧଳ ତାଙ୍କଠୁ ସିନିୟର ଥିବା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଫିସର ଅନୁ ଗର୍ଗ(ଗୋଟିଏ ବୈଠକରେ), ସତ୍ୟବ୍ରତ ସାହୁ ଓ ଦେଓରଞ୍ଜନ ସିଂକୁ ଏଡ଼ାଇ ମୁଖ୍ୟ ସଚିବ ଶ୍ରୀ ଆହୁଜାଙ୍କ ବାମପାଶ୍ୱର୍ରେ ବସୁଥିବାର ଫଟୋଚିତ୍ର ସରକାରଙ୍କ ଦ୍ୱାରା ଗଣମାଧ୍ୟମକୁ ଜାରି ହେଉଛି।
ତେବେ ଜଣେ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ରୁଲସ୍ ଅଫ ବିଜିନେସ ଅନୁସାରେ ‘ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସଚିବ’ ରାଜ୍ୟ ସରକାରଙ୍କ କୌଣସି ଫାଇଲରେ କୌଣସି ମତାମତ ଲିଖିତ ଭାବେ ଦେଇପାରିବେ ନାହିଁ । ଯେକୌଣସି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ତଳୁ ବିଭାଗୀୟ ସଚିବ, ମୁଖ୍ୟ ସଚିବ ଅବା ଉନ୍ନୟନ କମିଶନରଙ୍କ ବାଟ ଦେଇ ବିଭାଗୀୟ ମନ୍ତ୍ରୀ ଓ ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆସିଥାଏ । କିଛି ଫାଇଲ୍ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନରଙ୍କ ବାଟ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଆସିଥାଏ। ଏହି ସବୁ ଫାଇଲରେ କେଉଁଠି ‘ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସଚିବ’ ନିଜର ମତାମତ ଦେବାର ପ୍ରାବଧାନ ନାହିଁ । ତଳୁ ଆସିଥିବା ଫାଇଲରେ ମୁଖ୍ୟମନ୍ତ୍ରୀ ଆବଶ୍ୟକ କଲେ ସେ ଅନୌପଚାରିକ ପରାମର୍ଶ ଦେଇପାରିବେ ଓ ମୁଖ୍ୟମନ୍ତ୍ରୀ ସେହି ଫାଇଲରେ ନିଜର ମତାମତ ଦେଇ ଦସ୍ତଖତ କରିଥାନ୍ତି।
ଅବଶ୍ୟ ଓଡ଼ିଶାରେ ସିଏମଓରେ ପ୍ରତ୍ୟେକ ଫାଇଲର ଏକ ‘ଡମି ଫାଇଲ’ ତିଆରି ହୁଏ, ଯାହା ସାର୍ବଜନୀନ ହୁଏନି । ଏହା କେବଳ ମୁଖ୍ୟମନ୍ତ୍ରୀ ନିଜର ସୁବିଧା ପାଇଁ ଉପଯୋଗ କରନ୍ତି ଓ କେଉଁ ପ୍ରସଙ୍ଗରେ ତାଙ୍କ କାର୍ଯ୍ୟାଳୟର ସଚିବ ତାଙ୍କୁ କ’ଣ ମତାମତ ଦେଇଛନ୍ତି ତାହା ଭବିଷ୍ୟତରେ ଜାଣିବା ପାଇଁ ଉପଯୋଗ ହୋଇଥାଏ । ତେଣୁ ଯଦି ଜଣେ ଅଫିସର ନିଜର ମତାମତ ଦେଇପାରିବେ ନାହିଁ ସେ ସମୀକ୍ଷା ବୈଠକରେ ଭାଗିଦାର ହେବେ କାହିଁକି । ତାଙ୍କର ‘ବସ୍’ ମୁଖ୍ୟମନ୍ତ୍ରୀ ବୈଠକରେ ରହୁଛନ୍ତି । ସେ ପଛରେ ବସି ତାଙ୍କୁ ସହଯୋଗ କରିପାରିବେ କିନ୍ତୁ ଆଗରେ ନୁହେଁ କିମ୍ବା ତାଙ୍କ ସହ ସମାନ ଟେବୁଲରେ ନୁହେଁ । ଯଦି ସେଭଳି ହେଉଥାନ୍ତା ତା’ହେଲେ ବୈଠକକୁ ମନ୍ତ୍ରୀମାନଙ୍କ ସଚିବ ଓ ମୁଖ୍ୟ ସଚିବଙ୍କ ଓଏସଡି ବି ଆସି ବୈଠକରେ ସାମିଲ ହେଉଥାନ୍ତେ । ତେଣୁ ଏଭଳି ପ୍ରଶାସନିକ ତ୍ରୁଟିବିଚ୍ୟୁତ ପ୍ରତି ସରକାର ଯତ୍ନବାନ ହେବାର ଆବଶ୍ୟକତା ରହିଛି ।
ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ, ଏ ସରକାରରେ ବିଭିନ୍ନ ପ୍ରକାରର ପ୍ରଶାସନିକ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଯଦି ଶୀର୍ଷ ପାହ୍ୟାର ଅଫିସରମାନେ ପ୍ରୋଟୋକଲ ପାଳନ ନକରିବେ ତା’ହେଲେ ସରକାର ସେମାନଙ୍କ ପ୍ରତି କଠୋର ହେବାର ଆବଶ୍ୟକତା ରହିଛି । ପୂର୍ବର ନବୀନ ପଟ୍ଟନାୟକ ସରକାରେ ଜଣେ ଅଫିସର କିଭଳି ସବୁ ପ୍ରୋଟୋକଲକୁ ନିଜ ମର୍ଜିରେ ପାଳନ କରୁଥିଲେ ତାହା ରାଜ୍ୟବାସୀ ଦେଖିଛନ୍ତି । ତେଣୁ ଯେମିତି କରିବେ ସେମିତି ଭୋଗିବେ ବୋଲି ସେ ସତର୍କ କରାଇ ଦେଇଛନ୍ତି।
ଅନ୍ୟପକ୍ଷରେ ଅବସରପ୍ରାପ୍ତ ଆଇଏଏସ୍ ପୂର୍ବତନ ମୁଖ୍ୟ ସଚିବ ସହଦେବ ସାହୁ କହିଛନ୍ତି ଯେ “ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ବୈଠକ ନିଅନ୍ତି, ସେହି ବୈଠକରେ ତାଙ୍କ ସଚିବଙ୍କ ପାଇଁ ପଛରେ ସିଟ୍ ସଂରକ୍ଷିତ ରହିଥାଏ । ରୁଲ୍ ଅଫ ବିଜିନେସରେ ‘ମୁଖ୍ୟମନ୍ତ୍ରୀଙ୍କ ସଚିବ’ଙ୍କ ବସିବାକୁ ନେଇ ସେଭଳି କିଛି ଉଲ୍ଲେଖ ନାହିଁ । ଶ୍ରୀ ଧଳ ଯେହେତୁ ଜଣେ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଫିସର ସେ ପଛରେ ନବସି ମୁଖ୍ୟ ସଚିବଙ୍କ ପାଶ୍ୱର୍ରେ ବସୁଥିବେ ।କିନ୍ତୁ ପରମ୍ପରା ଦୃଷ୍ଟିରୁ ବରିଷ୍ଠ ଅଫିସରମାନେ କ୍ରମାନ୍ୱୟନରେ ବସିଥାନ୍ତି ।”