ସବୁ ଏସଏଚଜି ମହିଳାଙ୍କୁ ୟୁନିଫର୍ମ ପାଇଁ ମିଳିବ ହଜାରେ ଟଙ୍କା, ଖର୍ଚ୍ଚ ହେବ ୭୩୦କୋଟି

ମିଶନ ଶକ୍ତିରେ ଜଡ଼ିତ ୭୦ଲକ୍ଷ ମହିଳା ଏସଏଚଜି ସଦସ୍ୟାଙ୍କୁ ୟୁନିଫର୍ମ ନିମନ୍ତେ ହଜାରେ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ । 

ଲୋକସେବା ଭବନ

  • Published: Friday, 16 February 2024
  • , Updated: 16 February 2024, 07:48 PM IST

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ମହିଳା ତୁଷ୍ଟୀକରଣ ପାଇଁ ରାଜକୋଷକୁ ଉନ୍ମୁକ୍ତ କରିଦେଇଛନ୍ତି । ରାଜ୍ୟର ୭୦ଲକ୍ଷ ମହିଳା ଏଚଏଚଜିଙ୍କୁ ସରକାର ୟୁନିଫର୍ମ ପାଇଁ ହଜାରେ ଟଙ୍କା ଲେଖାଏଁ ସହାୟତା ଦେବେ । ଏହାସହିତ ପ୍ରାୟ ୧.୫ଲକ୍ଷ ପରିଚାଳନା କମିଟି(ଏମସି) ଓ କାର୍ଯ୍ୟନିର୍ବାହୀ କମିଟି(ଇସି) ସଦସ୍ୟଙ୍କୁ ବ୍ଲେଜର ପାଇଁ ୨ହଜାର ଟଙ୍କା ଲେଖାଏଁ ମିଳିବ ।  ରାଜ୍ୟ ସରକାର ମିଶନଶକ୍ତି ବାବଦରେ ୭୩୦କୋଟି ଟଙ୍କା ବ୍ୟୟ କରିବେ। ଆଜି ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବ ପାରିତ ହୋଇଛି ।

ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ୧୦ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଏଥିରେ ମିଶନ ଶକ୍ତିରେ ଜଡ଼ିତ ୭୦ଲକ୍ଷ ମହିଳା ଏସଏଚଜି ସଦସ୍ୟାଙ୍କୁ ୟୁନିଫର୍ମ ନିମନ୍ତେ ହଜାରେ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ ।  ଏହାସହିତ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ପଂଚାୟତସ୍ତରୀୟ ମହାସଂଘ(ଜିପିଏଲଏଫ), ବ୍ଲକସ୍ତରୀୟ ମହାସଂଘ(ବିଏଲଏଫ) ଓ ଜିଲ୍ଲାସ୍ତରୀୟ ମହାସଂଘ(ଡିଏଲଏଫ) ଓ ସହରାଂଚଳ ଅଧୀନରେ ଥିବା ଆଂଚଳିକ ମହାସଂଘର(ଏଲଏଫ)ର ଏମସି ଓ ଇସି ସଦସ୍ୟମାନଙ୍କୁ ବ୍ଲେଜର ପାଇଁ ୨ହଜାର ଟଙ୍କା ଲେଖାଏଁ ମିଳିବ । ମହିଳାମାନେ ନିଜ ପସନ୍ଦର ୟୁନିଫର୍ମ ଓ ବ୍ଲେଜର ଚୟନ କରିପାରିବେ । ଏହି ଅର୍ଥ ରାଶି ଏସଏଚଜି ଓ ମହାସଂଘର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ ବୋଲି ଶ୍ରୀ ଜେନା କହିଛନ୍ତି ।

ନିର୍ବାଚନ ପୂର୍ବରୁ ୭୦ଲକ୍ଷ ମହିଳା ଭୋଟକୁ ନିଜ ସପକ୍ଷରେ ରଖିବା ପାଇଁ ବିଜେଡି ସରକାର ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା । ସେହିପରି ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’ ଏବଂ ‘ନୂଆ ଓ-ଛାତ୍ରବୃତ୍ତି’ ଯୋଜନାକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ଆଜି ଅନୁମୋଦନ କରିଛନ୍ତି ।

Related story