ଆସିଲା ‘ସୁଭଦ୍ରା’ର ଗାଇଡ୍‌ଲାଇନ: କେଉଁମାନେ ଯୋଗ୍ୟ,କେଉଁମାନେ ଅଯୋଗ୍ୟ,କେମିତି କରିବେ ଆବେଦନ,କ’ଣ ସବୁ ଆବଶ୍ୟକ ଜାଣିନିଅନ୍ତୁ

ବାର୍ଷିକ ୧୦ ହଜାର ଟଙ୍କାରୁ ୫ ହଜାର ଟଙ୍କା ଲେଖାଏଁ ୨ଟି କିସ୍ତିରେ ଜମା କରାଯିବ। ପ୍ରତି ବର୍ଷ ପ୍ରଥମ କିସ୍ତି ରକ୍ଷା ବନ୍ଧନରେ ଓ ଦ୍ୱିତୀୟ କିସ୍ତି ଅନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ୮)ରେ ପ୍ରଦାନ କରାଯିବ।

Representational Image

  • Published: Monday, 26 August 2024
  • , Updated: 26 August 2024, 05:32 PM IST

ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା 'ସୁଭଦ୍ରା'ର ଗାଇଡ୍‌ଲାଇନ୍ ଆସିଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 'ସୁଭଦ୍ରା'ର ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ମିଳିବ। ବାର୍ଷିକ ୧୦ ହଜାର ଟଙ୍କା ହାରରେ ୨୦୨୪-୨୫ରୁ ୨୦୨୮-୨୯ ମଧ୍ୟରେ ଅର୍ଥାତ୍ ୫ ବର୍ଷ ମଧ୍ୟରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।

ବାର୍ଷିକ ୧୦ ହଜାର ଟଙ୍କାରୁ ୫ ହଜାର ଟଙ୍କା ଲେଖାଏଁ ୨ଟି କିସ୍ତିରେ ଜମା କରାଯିବ। ପ୍ରତି ବର୍ଷ ପ୍ରଥମ କିସ୍ତି ରକ୍ଷା ବନ୍ଧନରେ ଓ ଦ୍ୱିତୀୟ କିସ୍ତି ଅନ୍ତର୍ଜାତୀୟ ମହିଳା ଦିବସ (ମାର୍ଚ୍ଚ୮)ରେ ପ୍ରଦାନ କରାଯିବ। ଏହି ଅର୍ଥକୁ ହିତାଧିକାରୀଙ୍କ ନାମରେ ଆଧାର-ସକ୍ଷମ ଓ ଡିବିଟି- ସକ୍ଷମ ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟରେ ଆଧାର ପେମେଣ୍ଟ ବ୍ରିଜ୍ ସିଷ୍ଟମ (ଏପିବିଏସ୍‌) ବ୍ୟବହାର କରି ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ଜମା କରାଯିବ। ଡିଜିଟାଲ କରାବାରକୁ ଉତ୍ସାହିତ କରିବାପାଇଁ ସରକାର ଏକ ବ୍ୟାପକ ପୁରସ୍କାର ଓ ସ୍ୱୀକୃତି କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହା ଅଧୀନରେ ସମସ୍ତ ଗ୍ରାମ ପଞ୍ଚାୟତ/ପୌରାଞ୍ଚଳ ସଂସ୍ଥାରୁ ୧୦୦ ଜଣ ମହିଳା, ଯେଉଁମାନେ ନିର୍ଦ୍ଦିଷ୍ଟ ଆର୍ଥିକ ବର୍ଷରେ ସର୍ବାଧିକ ସଂଖ୍ୟକ ଡିଜିଟାଲ କାରବାର କରିଥିବେ, ସେମାନେ ୫୦୦ ଟଙ୍କାର ଅତିରିକ୍ତ ଲାଭ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପାଇବେ। ଏଥିପାଇଁ ବିସ୍ତୃତ ଏସ୍‌ଓପି ପ୍ରସ୍ତୁତ କରାଯାଇ ସୂଚିତ କରାଯିବ।

ଏହି ଯୋଜନା ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ସମସ୍ତ ମହିଳା ଏହି ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହେବେ।

ଯୋଗ୍ୟତା ମାନଦଣ୍ଡ

  • ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବା ଆବଶ୍ୟକ।
  • ଆବେଦନକାରୀଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ।
  • ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ହିତାଧିକାରୀଙ୍କ ବୟସ ଗଣନା ପାଇଁ ଅନ୍ତିମ ତାରିଖ ଭାବେ ଗ୍ରହଣ କରାଯିବ।
  • ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ, ତା ୦୧.୦୭.୨୦୦୪ ତାରିଖ ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍‌ ହେବା ଆବଶ୍ୟକ। ତେଣୁ ଆବେଦନକାରୀଙ୍କ ଜନ୍ମ ତାରିଖ ୦୨.୦୭.୧୯୬୪ ପୂର୍ବରୁ କିମ୍ବା ୦୧.୦୭.୨୦୦୩ ପରେ ହେବା ଉଚିତ ନୁହେଁ। ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଯୋଗ୍ୟତା ତାରିଖ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ।

ଅଯୋଗ୍ୟ ମାନଦଣ୍ଡ

ଯେଉଁ ମହିଳାମାନେ ନିମ୍ନଲିଖିତ ମାନଦଣ୍ଡ ମଧ୍ୟରୁ କୌଣସିଟି ପୂରଣ କରୁଥିବେ, ସେମାନେ ଏହି ଯୋଜନା ଅଧୀନରେ ଲାଭ ପାଇବାକୁ ଅଯୋଗ୍ୟ ହେବେ

  • ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ ବର୍ଷରୁ କମ୍ ଏବଂ ୬୦ ବର୍ଷରୁ ଅଧିକ କୌଣସି ମହିଳା ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଯୋଗ୍ୟ ହେବେ ନାହିଁ।
  • ଯେକୌଣସି ମହିଳା ମାସକୁ ୧୫୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ କିମ୍ବା ବାର୍ଷିକ ୧୮ ହଜାର ଟଙ୍କା ବା ତା’ଠାରୁ ଅଧିକ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା, ଯଥା- ପେନସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି, ସେମାନେ ଯୋଗ୍ୟ ବିବେଚିତ ହେବେ ନାହିଁ।
  • ଜଣେ ମହିଳା ନିଜେ କିମ୍ବା ନିଜର ପରିବାରର ସଦସ୍ୟ ଯଦି- ବର୍ତ୍ତମାନର କିମ୍ବା ପୂର୍ବତନ ସାଂସଦ କିମ୍ବା ବିଧାନସଭା ସଦସ୍ୟ ହୋଇଥିବେ, ତା’ହେଲେ ସେ ଏହି ଯୋଜନାର ସୁବିଧା ପାଇବେ ନାହିଁ। ଆୟକର ଦେୟ ହିତାଧିକାରୀ ହୋଇଥିଲେ ’ସୁଭଦ୍ରା’ ଟଙ୍କା ପାଇବେ ନାହିଁ। ଯେ କୌଣସି ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା କିମ୍ବା ପଞ୍ଚାୟତି ରାଜ ଅନୁଷ୍ଠାନରେ ନିର୍ବାଚିତ ଜନ ପ୍ରତିନିଧି ହୋଇଥିବେ (କେବଳ ୱାର୍ଡ ମେମ୍ବର,ସ୍ଥାନୀୟ ପରିଷଦ ସଦସ୍ୟ ବ୍ୟତୀତ) ଏହାର ଲାଭ ପାଇବେ ନାହିଁ।
  • ସେହିପରି ଜଣେ ମହିଳା ନିଜେ କିମ୍ବା ନିଜର ପରିବାରର ସଦସ୍ୟ ଯଦି- ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି ଅଣ୍ଡରଟେକିଂ/ବୋର୍ଡ/ସ୍ଥାନୀୟ ସଂସ୍ଥା/ସଂଗଠନ/ନିୟମିତ/ସ୍ଥାୟୀ/ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ ନିଯୁକ୍ତ କିମ୍ବା ଅବସର ପରେ ପେନସନ ଗ୍ରହଣ କରୁଥିବେ, ତା’ହେଲେ ଏହି ଯୋଜନାର ଫାଇଦା ଉଠାଇ ପାରିବେ ନାହିଁ।
  • ଯେ କୌଣସି ସରକାରୀ ବିଭାଗ/ଅଣ୍ଡରଟେକିଂ/ବୋର୍ଡ/ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କର ମନୋନୀତ ପ୍ରତିନିଧି ହୋଇଥିବେ, ତା’ହେଲେ ପାଇବେ ନାହିଁ।
  • ଆବେଦନକାରୀଙ୍କ ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧିକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ହୋଇଥିଲେ ମଧ୍ୟ ସେ ଏହି ଯୋଜନାର ଫାଇଦା ଉଠାଇ ପାରିବେ ନାହିଁ।
  • ମିନି ଟ୍ରକ, ଟ୍ରାକ୍ଟର,ଛୋଟ ବାଣିଜ୍ୟିକ ଯାନ ଓ ଅନ୍ୟ ସମାନ ହାଲୁକା ସାମଗ୍ରୀ ଯାନ ବ୍ୟତୀତ ୪ ଚକିଆ ମୋଟର ଯାନର ମାଲିକ ହୋଇଥିଲେ ସୁଭଦ୍ର ଯୋଜନାର ଲାଭ ଉଠାଇ ପାରିବେ ନାହିଁ।
  • ଯେଉଁ ମହିଳାଙ୍କ ପରିବାରର ଆୟ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଓ ସେମାନେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ/ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍‌ଏଫଏସ୍‌ଏ/ଏସ୍‌ଏଫଏସଏସ)ରେ ସାମିଲ ନଥିବେ, ସେମାନଙ୍କୁ ସୁଭଦ୍ରା ଯୋଜନାରୁ ଲାଭ ମିଳିବନାହିଁ।

କେମିତି କରିବେ ଆବେଦନ

  • ‘ସୁଭଦ୍ରା’ ଯୋଜନାର ଲାଭ ଉଠାଇବା ପାଇଁ ଫର୍ମ ପୂରଣ କରି ଅଫ୍‌ଲାଇନରେ ତଥା ସୁଭଦ୍ରା ପୋର୍ଟାଲରେ ଅନ୍‌ଲାଇନରେ ଆବେଦନ କରାଯାଇପାରିବ। ଅଙ୍ଗନୱାଡି କେନ୍ଦ୍ର,ବ୍ଲକ, ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ମୁଦ୍ରିତ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ହେବ।
  • ଆବେଦନକାରୀମାନେ ଫର୍ମପୂରଣ କରି ଏହାକୁ ନିକଟସ୍ଥ ମୋ ସେବାକେନ୍ଦ୍ର/ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିବାକୁ ପଡ଼ିବ। ଆବେଦନକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଫର୍ମ ଓ ଆଧାର କାର୍ଡରେ କୌଣସି ଅସଙ୍ଗତି ଥିଲେ, ଆଧାରରରେ ଥିବା ସୂଚନାକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ। ସଂଗୃହୀତ ସମସ୍ତ ଆବେଦନକୁ ସରକାଙ୍କ ପାଖରେ ସଦ୍ୟତମ ଉପଲବ୍ଧ ଡାଟାବେସ ସହିତ ଯାଞ୍ଚ କରାଯିବ ଓ ଆବଶ୍ୟକ ସ୍ଥଳରେ କ୍ଷେତ୍ର ଅନୁସନ୍ଧାନ ମାଧ୍ୟମରେ ଯାଞ୍ଚ କରାଯିବ।

ଆଉ କ’ଣ କରିବାକୁ ପଡ଼ିବ

ସମସ୍ତ ଆବେଦକାରୀ ସୁଭଦ୍ରା ଅଧୀନରେ ଯୋଗ୍ୟ ବିବେଚିତ ହେବା ପାଇଁ e-KYC ନିମିତ୍ତ ନିଜର ଘୋଷଣା ନାମା ଦେବେ। e-KYCର ଚେହେରା-ପ୍ରାମାଣିକ ପଦ୍ଧତ୍ତି ମାଧ୍ୟମରେ ହିତାଧିକାରୀମାନେ ସେମାନଙ୍କର ଆଧାର ନମ୍ବର ପ୍ରଦାନ କରି ସୁଭଦ୍ରା ପୋର୍ଟାଲ/ସୁଭଦ୍ରା ମୋବାଇଲ ଆପ୍ ମାଧ୍ୟମରେ ଏହି ପ୍ରକ୍ରିୟା ସମ୍ପାଦନ କରିପାରିବେ।

ଯେଉଁ ମହିଳାମାନେ ଯୋଗ୍ୟ ଅଟନ୍ତି ଓ ସୁଭଦ୍ର ଅଧୀନରେ ଲାଭ ପାଇବାକୁ ଆବେଦନ କରିବାକୁ ଚାହିଁବେ, ସେମାନଙ୍କର ନିଜ ନାମରେ ଆଧାରକାର୍ଡ/ଆଧାର ନମ୍ବର ରହିବା ଆବଶ୍ୟକ। ସେମାନେ ନିଶ୍ଚିତ ଭାବରେ ସେମାନଙ୍କର ମୋବାଇଲ ନମ୍ବରକୁ ଆଧାର କାର୍ଡ ସହିତ ଲିଙ୍କ୍ କରିଥିବେ। ସେମାନଙ୍କର ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ। ଯଦି ହିତାଧିକାରୀଙ୍କ ପାଖରେ ଆଧାର ନମ୍ବର ନାହିଁ କିମ୍ବା ତାଙ୍କ ଆଧାରକାର୍ଡରେ ତଥ୍ୟ ମେଳ ଖାଉ ନାହିଁ,ତା’ହେଲେ ତାଙ୍କୁ ଆଧାର ଅଧୀନରେ ନିଜକୁ ପଞ୍ଜୀକରଣ କରିବାକୁ ପଡ଼ିବ କିମ୍ବା ଆବଶ୍ୟକ ଅନୁଯାୟୀ ତଥ୍ୟ ସଂଶୋଧନ କରିବାକୁ ପଡ଼ିବ। ଯଦି ହିତାଧିକାରୀଙ୍କର ଏକକ ଆଧାର-ସକ୍ଷମ ଓ ଡିବିଟି-ସକ୍ଷମ ବ୍ୟାଙ୍କ ଆକାଉଣ୍ଟ ନାହିଁ, ତାଙ୍କୁ ଏକକ ଧାରକ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ବ୍ୟାଙ୍କ ଆକାଉଣ୍ଟକୁ ଆଧାର-ସକ୍ଷମ କରିବା, ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି-ସକ୍ଷମ କରିବା ଓ E-KYC ପ୍ରକ୍ରିୟା ସଂପୂର୍ଣ୍ଣ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରାଯିବ।

ଅନ୍ୟାନ୍ୟ ଜାଣିବା କଥା

ଜଣେ ହିତାଧିକାରୀ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଓଡ଼ିଶାରେ ଥିବା ତାଙ୍କ ସାଥୀ ଅନ୍ୟ ସମକ୍ଷକ ଭଉଣୀମାନଙ୍କ ସଶକ୍ତିକରଣ ଏବଂ କଳ୍ୟାଣକୁ ସମର୍ଥନ କରିବା ପାଇଁ ସ୍ୱ-ଇଚ୍ଛାରେ ସୁଭଦ୍ରାରୁ ବାହାରିବା ପାଇଁ ଚୟନ କରିପାରିବେ।

ଯଦି ଅନୁମୋଦିତ ହିତାଧିକାରୀ ଦୁର୍ଭାଗ୍ୟଜନକ ଘଟଣାରେ ମୃତ ଘୋଷିତ ହୁଅନ୍ତି, ତା’ହେଲେ ଅନୁମୋଦିତ ସହାୟତା ବାତିଲ କରି ଦିଆଯିବ।

ଏହି ଯୋଜନାର ପ୍ରଭାବଶାଳୀ କାର୍ଯ୍ୟକାରିତା ତଦାରଖ କରିବା ପାଇଁ ରାଜ୍ୟସ୍ତରରେ ଏକ ରାଜ୍ୟ ସ୍ତରୀୟ ପରିଚାଳନା ଓ ତଦାରଖ କମିଟି (ଏସ୍‌ଏଲ୍‌ଏସ୍‌ଏମ୍‌ସି) ଗଠନ କରାଯିବ। ମୁଖ୍ୟ ଶାସନ ସଚିବ ଏହାର ଅଧ୍ୟକ୍ଷ ଓ ଉନ୍ନୟନ କମିଶନର ଏହା ଉପାଧ୍ୟକ୍ଷ ରହିବେ। ସେହିଭଳି ଜିଲ୍ଲା ସ୍ତରରେ ଜିଲ୍ଲା ସ୍ତରୀୟ ତଦାରଖ କମିଟି (ଡିଏଲ୍‌ଏମ୍‌ସି) ଗଠନ କରାଯିବ। ଏହାର ଅଧ୍ୟକ୍ଷ ରହିବେ ଜିଲ୍ଲାପାଳ। ବ୍ଲକ ସ୍ତରରେ ବିଡିଓଙ୍କ ଅଧ୍ୟକ୍ଷତାରେ ବ୍ଳକ ସ୍ତରୀୟ ଯାଞ୍ଚ କମିଟି ଗଠଦ କରାଯିବ। ସହରାଞ୍ଚଳ ନଗର/ନିଗମ ସ୍ତରରେ ସହରାଞ୍ଚଳ ସ୍ତରୀୟ ଯାଞ୍ଚ କମିଟି ଗଠନ ହେବ।

ମହିଳା ଓ ଶିଶୁ ବିକାଶ ବିଭାଗ ‘ସୁଭଦ୍ରା’ ଯୋଜନାର ନୋଡାଲ ବିଭାଗ ହେବ। ଏହି ଯୋଜନାର ସଫଳ ରୂପାୟନକୁ ସକ୍ଷମ କରିବେକୁ ମହିଳା ଓ ଶିଶୁ ବିଭାଗ ନିୟମିତ ବ୍ୟବଧାନରେ ଆଦେଶ ଓ ନିର୍ଦ୍ଦେଶାବଳୀ ଜାରି କରିବ। ଯଦି ଏହି ଯୋଜନାର ବ୍ୟାଖ୍ୟା କିମ୍ବା କାର୍ଯ୍ୟକାରିତା ସମ୍ବନ୍ଧରେ କୌଣସି ବିବାଦ ଥାଏ, ମହିଳା ଓ ଶିଶୁ ବିକାଶ ବିଭାଗର ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ହେବ।

Related story