ଭାରତପୁର ଥାନା ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ହାଇକୋର୍ଟ

କୌଣସି ଘଟଣାକୁ ନେଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଦୁଇ ଜଣଙ୍କ ସହ ଥାନାରେ କ’ଣ ଘଟିଲା ଯେ ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗ ସେମାନଙ୍କ ବିରୋଧରେ ରୁଜୁ ହେଲା। ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଓଡ଼ିଶା ହାଇକୋର୍ଟ

  • Published: Monday, 23 September 2024
  • , Updated: 23 September 2024, 08:53 PM IST

ଭାରତପୁର ଥାନାରେ ଘଟିଥିବା ଘଟଣାକୁ ନେଇ ଓଡିଶା ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି। ଭରତପୁର ଥାନାରେ ସିସିଟିଭି ଭଳି ଆବଶ୍ୟକୀୟ ଉପକରଣ ନଥିବାରୁ ସେଦିନ ବାସ୍ତବରେ କ’ଣ ଘଟିଥିଲା ଜଣାପଡିବା କଷ୍ଟକର। ପୂର୍ବରୁ ଏଭଳି ଘଟଣା ଘଟୁଥିବ କିନ୍ତୁ ସାମ୍ନାକୁ ଆସୁନଥାଇପାରେ ବୋଲି କୋର୍ଟ କହିଛନ୍ତି।

ତେବେ ବିଭିନ୍ନ ଗଣମାଧ୍ୟମରେ ସମ୍ପୃକ୍ତ ମେଜର ଓ ତାଙ୍କ ବାନ୍ଧବୀଙ୍କ ପରିଚୟ ସମ୍ପର୍କରେ ଆଲୋଚନାକୁ ନେଇ ମୁଖ୍ୟ ବିଚାରପତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ସମ୍ପୃକ୍ତ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇଛନ୍ତି। କୌଣସି ଘଟଣାକୁ ନେଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଦୁଇ ଜଣଙ୍କ ସହ ଥାନାରେ କ’ଣ ଘଟିଲା ଯେ ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗ ସେମାନଙ୍କ ବିରୋଧରେ ରୁଜୁ ହେଲା। ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଭଳି ଘଟଣା ବିଷୟରେ ଜାଣିବା ପରେ ଅନ୍ୟ କୌଣସି ଲୋକ ଥାନାକୁ ଯିବ କି ବୋଲି କୋର୍ଟ ପ୍ରଶ୍ନ କରିବା ସହ ଜନସାଧାରଣଙ୍କ ଆସ୍ଥାଭାଜନ ହେବ ପାଇଁ ପଦକ୍ଷେପ ନେବାକୁ ସରକାରୀ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।

ସରକାର ଘଟଣାର ଗୁରୁତ୍ୱ ଅନୁଭବ କରି ତୁରନ୍ତ ଅଭିଯୁକ୍ତ ଆଇଆଇସିଙ୍କ ସମେତ ୫ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଏଡିଜି ପାହ୍ୟାର ଅଧିକାରୀ ଏହାର ତଦାରଖ କରୁଛନ୍ତି ବୋଲି ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଥିଲେ। କେବଳ ସେତିକି ନୁହଁ, ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କୁ ନ୍ୟାୟିକ ତଦନ୍ତ ପାଇଁ ମଧ୍ୟ ନିଯୁକ୍ତି ଦିଆଯାଇଛି ବୋଲି ସେ କହିଥିଲେ। ଅନ୍ୟପଟେ ସମସ୍ତ ଥାନାରେ ସିସିଟିଭି ଲଗାଇବା ପ୍ରସଙ୍ଗରେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ମୋଟ ୬୫୦ଟି ଥାନା ମଧ୍ୟରୁ ୪୯୩ଟି ଥାନାରେ ସିସିଟିଭି ରହିଛି। ଅନ୍ୟ ୫୭ଟିରେ ଖୁବଶୀଘ୍ର ଲଗାଯାଉଛି ବୋଲି ସେ କହିଛନ୍ତି।

ନିରପେକ୍ଷ ଓ ଉପଯୁକ୍ତ ତଦନ୍ତ କରିବା ପୁଲିସର କର୍ତ୍ତବ୍ୟ ଓ ଅଧିକାର। ସେଥିରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ମୁଖ୍ୟ ବିଚାରପତି କହିଥିଲେ। ଘଟଣାର ତୁରନ୍ତ ବାଦ ସରକାର ନେଇଥିବା ପଦକ୍ଷେପ ଗୁଡିକୁ ଖଣ୍ଡପୀଠ ପ୍ରଶଂସା କରିବା ସହ ତଦନ୍ତର ନିରପେକ୍ଷତାକୁ ନେଇ କୌଣସି ଅଭିଯୋଗ ନାହିଁ ବୋଲି କହିଥିଲେ। ଆଗକୁ ଏପରି ଅଭିଯୋଗ ଆସିଲେ କୋର୍ଟ ଉପଯୁକ୍ତ ନିର୍ଦ୍ଦେଶ ଦେବେ ବୋଲି ସୂଚିତ କରିଥିଲେ। ତେବେ ଆଗକୁ କୌଣସି ଥାନାରେ ଏପରି ଘଟଣା ଘଟିଲେ କିପରି ସମସ୍ତ ତଥ୍ୟ ସାମ୍ନାକୁ ଆସି ପରିବ, ସେ ନେଇ ପୁଲିସ ମହାନିର୍ଦ୍ଦେଶକ ସ୍ପଷ୍ଟ କରିବେ ବୋଲି କୋର୍ଟ କହିଥିଲେ। ମେଜରଙ୍କ ପରିବର୍ତ୍ତେ କୌଣସି ଆଇପିଏସ ଅଫିସର ଥାନାକୁ ଯାଇଥିଲେ ଏପରି ଘଟଣା ଘଟିଥାନ୍ତା କି ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଆର୍ମି ଲୋକଙ୍କୁ ଥାନାରେ କିଭଳି ବ୍ୟବହାର କରାଯିବ ସେନେଇ ନୀତି ନିର୍ଦ୍ଧାରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Related story