ଶିଳ୍ପ ପାଇଁ ୫ ବର୍ଷରେ ୮୭୦୪ଏକର ଜମି ଅଧିଗ୍ରହଣ କରିଛି ଇଡକୋ

ବିଧାନସଭାରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ, ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡକୋ ମାଧ୍ୟମରେ ବିଭିନ୍ନ ଶିଳ୍ପାଂଚଳରେ ଜମି ଅଧିଗ୍ରହଣ କରାଯାଇଛି ।

ମନ୍ତ୍ରୀ ପ୍ରତାପ ଦେବ

  • Published: Saturday, 23 September 2023
  • , Updated: 23 September 2023, 09:56 PM IST

ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଇଡକୋ ଗତ ୫ବର୍ଷ ମଧ୍ୟରେ ସମସ୍ତ ୩୦ଟି ଜିଲ୍ଲାରେ ମୋଟ ୮୭୦୪.୩୩୨ଏକର ଜମି ଅଧିଗ୍ରହଣ କରିଛି । ସେଥିରୁ ମାତ୍ର ୧୫୨୦.୩୭୨ଏକର ଜମିରେ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌, ଏମଏସଏମଇ ପାର୍କ ଓ ଶିଳ୍ପାଂଚଳ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେଇଥିବା ରାଜ୍ୟ ସରକାର ୪୧୧୦.୩୪୨ଏକର ଜମିକୁ ବିଭିନ୍ନ ଶିଳ୍ପ ସଂସ୍ଥାକୁ ଆବଂଟନ କରିଛନ୍ତି । ଆଉ ବାକି ଥିବା ୩୦୭୩.୬୧୮ ଏକର ଜମିକୁ ବିଭିନ୍ନ ଶିଳ୍ପ ସଂସ୍ଥାଙ୍କୁ ଆବଂଟନ କରିବା ପ୍ରକ୍ରିୟା ଜାରି ରହିଛି ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି ।

ବିଧାନସଭାରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ, ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଇଡକୋ ମାଧ୍ୟମରେ ବିଭିନ୍ନ ଶିଳ୍ପାଂଚଳରେ ଜମି ଅଧିଗ୍ରହଣ କରାଯାଇଛି । ବିଶେଷକରି ଖୋର୍ଦ୍ଧା ଜିଲ୍ଲାର ଖୋଲାଦ୍ୱାର ଶିଳ୍ପାଂଚଳରେ ଏକରପିଛା ୬୦ଲକ୍ଷ ଟଙ୍କାରେ ୮୩ଏକର, ଜୟମଙ୍ଗଳ ଶିଳ୍ପାଂଚଳରେ ଏକର ପିଛା ୪୦ଲକ୍ଷ ଟଙ୍କାରେ ୯୭ଏକର, ଜଟଣୀ ହରିଡ଼ାମାଡ଼ ଶିଳ୍ପାଂଚଳରେ ଏକର ପିଛା ୨୦ଲକ୍ଷ ଟଙ୍କାରେ ୧୧୨ ଏକର, ଚମ୍ପାଝର ଶିଳ୍ପାଂଚଳରେ ଏକର ପିଛା ୨୦ଲକ୍ଷ ଟଙ୍କାରେ ୩୦ଏକର ଓ କପିଳେଶ୍ୱର ଶିଳ୍ପାଂଚଳରେ ଏକର ପିଛା ୪୦ଲକ୍ଷ ଟଙ୍କାରେ ୧୨.୪୭୦ଏକର ଜମି ଅଧିôଗ୍ରହଣ ହୋଇଛି । ଗତ ପାଂଚ ବର୍ଷ ମଧ୍ୟରେ ରାଜ୍ୟରେ ଇଡକୋ ୮ଟି ଜିଲ୍ଲାର ୧୩ଟି ଶିଳ୍ପାଂଚଳରେ ମୋଟ ୯୭୭.୭୮୨ଏକର ଜମି ଅଧିଗ୍ରହଣ କରିଥିବାବେଳେ ସେଥିରୁ ୬୯୪.୭୭୮ଏକର ଜମି ବିଭିନ୍ନ ଶିଳ୍ପ ସଂସ୍ଥାକୁ ଆବଂଟନ ହୋଇଛି ଓ ପ୍ରାୟ ୨୫୧ଏକର ଜମି ଖାଲି ପଡ଼ିଛି । ଏହାସହିତ ରାଜ୍ୟରେ ସିଙ୍ଗଲୱିଣ୍ଡୋ ମାଧ୍ୟମରେ ଶିଳ୍ପ ସ୍ଥାପନ ପାଇଁ ଅନୁମୋଦନ ପ୍ରସ୍ତାବଗୁଡ଼ିକ ତଥା ରାଜ୍ୟ ସରକାରଙ୍କ ସହିତ ଏମଓୟୁ ସ୍ୱାକ୍ଷର କରିଥିବା ଶିଳ୍ପସଂସ୍ଥାଗୁଡ଼ିକୁ ନିଯୁକ୍ତି ସମ୍ବନ୍ଧୀୟ ସରକାରଙ୍କ ପ୍ରଚଳିତ ନୀତିକୁ ପାଳନ କରିବାକୁ ସର୍ତ୍ତ ରଖାଯାଇଛି । ରାଜ୍ୟରେ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥମାନଙ୍କରେ ରାଜ୍ୟର ସ୍ଥାନୀୟ ପ୍ରାର୍ଥୀମାନଙ୍କ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ନିମନ୍ତେ ରାଜ୍ୟ ସରକାର ନିୟମ ପ୍ରଣୟନ କରିଛନ୍ତି । ଏହି ନିଯୁକ୍ତି ନିୟମାବଳୀର କାର୍ଯ୍ୟକାରିତା ଜିଲ୍ଲା ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ କରାଯିବାର ପ୍ରାବଧାନ କରାଯାଇଛି ବୋଲି ଶ୍ରୀ ଦେବ କହିଛନ୍ତି ।

Related story