ଉଚ୍ଚଶିକ୍ଷା ବିଭାଗ ଅଡିଟ୍ : ଧରାପଡ଼ିଲା ‘ରୁସା’ ପାଣ୍ଠିରେ ବ୍ୟାପକ ଅନିୟମିତତା

ଉଚ୍ଚଶିକ୍ଷା ବିଭାଗର ଆଭ୍ୟନ୍ତରୀଣ ଅଡିଟ୍ ଟିମ୍ ୨୦୧୯ ଏପ୍ରିଲରୁ ୨୦୨୨ ମାର୍ଚ୍ଚ ମାସ ମଧ୍ୟରେ ରୁସା ପାଣ୍ଠିର ଅଡିଟବେଳେ ଏହି ପାଣ୍ଠି ଖର୍ଚ୍ଚରେ ବ୍ୟାପକ ଅନିୟମିତତା ହୋଇଥିବା ଜାଣିବାକୁ ପାଇଛି।

representational image

  • Published: Thursday, 10 August 2023
  • , Updated: 10 August 2023, 10:39 PM IST

ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ସାମଗ୍ରିକ ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କ ‘ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ’(ରୁସା) ପାଣ୍ଠିର ବ୍ୟାପକ ଅନିୟମିତତା ହୋଇଛି । ଉଚ୍ଚଶିକ୍ଷା ବିଭାଗର ଆଭ୍ୟନ୍ତରୀଣ ଅଡିଟ୍ ଟିମ୍ ୨୦୧୯ ଏପ୍ରିଲରୁ ୨୦୨୨ ମାର୍ଚ୍ଚ ମାସ ମଧ୍ୟରେ ରୁସା ପାଣ୍ଠିର ଅଡିଟବେଳେ ଏହି ପାଣ୍ଠି ଖର୍ଚ୍ଚରେ ବ୍ୟାପକ ଅନିୟମିତତା ହୋଇଥିବା ଜାଣିବାକୁ ପାଇଛି।

ଏପରିକି କ୍ୟାସବୁକ୍ , ଷ୍ଟକ ରେଜିଷ୍ଟର, ଭାଉଚର ଆଦିର ଉପଯୁକ୍ତ ତଥ୍ୟ ରଖାଯାଉନଥିବା, ଏହି ଯୋଜନା ପାଇଁ ନିୟୋଜିତ କନ୍ସଲଟାଣ୍ଟମାନଙ୍କ ପ୍ରଦର୍ଶନର ସମୀକ୍ଷା ନକରି ସେମାନଙ୍କୁ ପାରିଶ୍ରମିକ ଦିଆଯାଉଥିବା ନେଇ ଅଡିଟ୍ ଟିମ୍ ଆପତ୍ତି ଉଠାଇବା ସହ ଆର୍ଥିକ ପରିଚାଳନାରେ ଅଧିକ ପାରଦର୍ଶିତା ସପକ୍ଷରେ ମତ ଦେଇ ପ୍ରଚଳିତ ନିୟମ ଓ ଗାଇଡଲାଇନ୍ ଆଧାରରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।

ରୁସା ପାଣ୍ଠିର ଅଡିଟବେଳେ ଜଣାପଡ଼ିଛି ଯେ, ରୁସା ଯୋଜନା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରେ ଦୁଇଟି ସେଭିଙ୍ଗସ୍ ଆକାଉଣ୍ଟ ରହିଛି । ଯେଉଁଥିରେ ୨୦୨୨ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ୧୮୫.୫୩କୋଟି ଟଙ୍କା ଜମା ରହିଥିଲା । ଏଥିରୁ ୯୮.୧୩କୋଟି ଟଙ୍କା ରୁସା ଅନୁଦାନ(ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ) ମିଳିଥିବାବେଳେ ୨.୭୭କୋଟି ଟଙ୍କା ମଧ୍ୟ ସୁଧ ବାବଦରେ ଓ ବିଭିନ୍ନ କଲେଜରେ ବଳକା ଥିବା ପ୍ରାୟ ୮୪.୬୦କୋଟି ଟଙ୍କା ଆସିଥିଲା । ଉକ୍ତ ଅବଧି ମଧ୍ୟରେ ଏହି ମୋଟ ପାଣ୍ଠିରୁ  ୧୧୪.୮୧କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ଯେଉଁଥିରେ ୪୮.୦୨ଲକ୍ଷ ଟଙ୍କା କେବଳ କନ୍ସଲଟାଣ୍ଟଙ୍କ ପାରିଶ୍ରମିକ ବାବଦରେ ଦିଆଯାଇଛି । ଏହି କନ୍ସଲଟାଣ୍ଟମାନଙ୍କର କାର୍ଯ୍ୟ ଓ ପ୍ରଦର୍ଶନର ସମୀକ୍ଷା ନକରି ସେମାନଙ୍କୁ ଉକ୍ତ ଅର୍ଥ ଦିଆଯାଇଥିବା ନେଇ ଅଡିଟ୍ ଟିମ୍ ଆପତ୍ତି ଉଠାଇଛି । ପ୍ରଥମେ ଏହି କନସଲଟାଣ୍ଟଙ୍କୁ ମାସିକ ୩୫ହଜାର ଟଙ୍କା ହିସାବରେ ୧.୦୫ଲକ୍ଷ ଟଙ୍କା ଓ ୨୦୨୦ ଏପ୍ରିଲରୁ ୧.୫୦ଲକ୍ଷ ଟଙ୍କା ପାରିଶ୍ରମିକ ଦିଆଯାଉଛି । ଏହି ପାରିଶ୍ରମିକ ଦିଆଯାଉଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟ ଓ ପ୍ରଦର୍ଶନକୁ କେହି ସମୀକ୍ଷା କରନ୍ତି ନାହିଁ କି କିମ୍ବା ସେମାନଙ୍କ ପାରିଶ୍ରମିକ ଉପରେ କୌଣସି ୨୫୦୦ଟଙ୍କା ଲେଖାଏ ପ୍ରଫେସନାଲ ଟ୍ୟାକ୍ସ ମଧ୍ୟ ରଖାଯାଏ ନାହିଁ।

ରୁସା ଯୋଜନାର ପାଣ୍ଠିରୁ ଅଗ୍ରୀମ ନେବା ଓ ଖର୍ଚ୍ଚ ବାବଦ ତଥ୍ୟ ରଖିବା ନିମନ୍ତେ କୌଣସି ଆଡଭାନ୍ସ ରେଜିଷ୍ଟର ମଧ୍ୟ ରଖାଯାଇନି । କ୍ୟାସବୁକ୍ ଓ ରେଜିଷ୍ଟରରେ କିଛି ଉଲ୍ଲେଖ ନକରି ଚୂଡ଼ାନ୍ତ ଖର୍ଚ୍ଚ କରାଯାଉଥିବା ଦେଖିବାକୁ ମିଳିଛି । ଏପରିକି ରୁସା ସେକ୍ସନ ଦାୟିତ୍ୱରେ ଥିବା ଅଧିକାରୀମାନେ ପାଣ୍ଠି ଖର୍ଚ୍ଚର ବିଲ୍ , ଭାଉଚର ଓ ରେକର୍ଡ ଆଦିର ହିସାବ ସଠିକ୍ ଭାବେ ଦେଇପାରିନାହାନ୍ତି । ଯେଉଁଥିପାଇଁ ଏହି ଅବଧିରେ ୮୫.୯୮ଲକ୍ଷ ଟଙ୍କାର ଭାଉଚର ଉପରେ ଅଡିଟ୍ ଟିମ୍ ଆପତ୍ତି ଉଠାଇଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରୀୟ ଯୋଜନା ‘ରୁସା’ରେ ରାଜ୍ୟ ସରକାରଙ୍କର ୪୦ ପ୍ରତିଶତ ଅଂଶଧନ ଥିବାବେଳେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅନୁଦାନ ଦେଇଥାଏ। ଏହି ପାଣ୍ଠି ଖର୍ଚ୍ଚ କରିବାରେ ଦିଗରେ ଉଚ୍ଚଶିକ୍ଷା ବିଭାଗର ରୁସା ସେକ୍ସନର ବେପରୁୱା ଓ ଅବହେଳାକୁ ଅଡିଟ୍ ଟିମ୍ ପଦାରେ ପକାଇଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କଠୁ କନସଲଟାଣ୍ଟମାନେ ପ୍ରଦର୍ଶନର ପ୍ରମାଣପତ୍ର ନଆଣିଲେ ସେମାନଙ୍କୁ ପାରିଶ୍ରମିକ ନଦେବାକୁ ଅଡିଟ୍ ଟିମ୍ ପରାମର୍ଶ ଦେଇଛନ୍ତି । ରୁସା ପାଣ୍ଠିର ଏହି ସ୍ୱତନ୍ତ୍ର ଅଡିଟ୍ ୨୦୧୯ ଏପ୍ରିଲରୁ ୨୦୨୨ ମାର୍ଚ୍ଚ ମଧ୍ୟରେ ହୋଇଥିବା ଆର୍ଥିକ ଗତିବିଧିକୁ ନେଇ ହୋଇଥିଲା।

Related story