କର୍ଣ୍ଣାଟକ ଓ ଗୋଆରେ ଖଣି ଖନନର ସୀମା ନିର୍ଦ୍ଧାରଣ ହୋଇସାରିଛି। ଓଡ଼ିଶାରେ ଲୁହାପଥର ଖନନର ସୀମା ନିର୍ଦ୍ଧାରଣ କରାଯିବାର ଆବଶ୍ୟକତା ଅଛି କି ନାହିଁ। ଏନେଇ ଆବଶ୍ୟକ ତଥ୍ୟ ରଖିବାକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଓଡ଼ିଶାରେ ବେଆଇନ ଖଣି କାରବାରରେ ସମ୍ପୃକ୍ତ କମ୍ପାନୀଗୁଡ଼ିକ ଉପରେ ଥିବା ବକେୟା ରାଶି ଆଦାୟର ସ୍ଥିତି କ’ଣ ରହିଛି ସେସମ୍ପର୍କରେ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ୩ଜଣିଆ ଖଣ୍ଡପୀଠ ‘କମନକଜ୍’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଦାଏର ଯାଚିକାର ଶୁଣାଣି କରି କହିଛନ୍ତି ଯେ, ପରିବେଶ ମନ୍ତ୍ରଣାଳୟ ହେଉଛି ଏକ୍ସପର୍ଟ ବଡ଼ି । ଲୁହାପଥର ଖଣି ଖନନର ପ୍ରଭାବ ପରିବେଶ ଓ ସ୍ଥାୟୀ ବିକାଶ ଉପରେ କିଭଳି ପଡ଼ୁଛି ? ଓଡ଼ିଶାରେ ଲୁହାପଥର ଖଣି ଖନନର ସୀମା ନିର୍ଦ୍ଧାରଣର ଆବଶ୍ୟକତା ଅଛି କି ନାହିଁ ତାହା ଜଣାଇବାକୁ ପରିବେଶ ମନ୍ତ୍ରଣାଳୟକୁ କହିଛନ୍ତି ।
ଓଡ଼ିଶାରେ ଖଣି ଖନନର ସୀମା ନିର୍ଦ୍ଧାରଣ କରାଗଲେ ତାହା ଦେଶର ଆର୍ଥିକ ବିକାଶକୁ ପ୍ରଭାବିତ କରିବ । ଭାରତର ଲୁହାପଥର ଉତ୍ପାଦନରେ ଓଡ଼ିଶା ହେଉଛି ମେରୁଦଣ୍ଡ । ଦେଶର ମୋଟ ଖଣିଜ ପଦାର୍ଥର ଅଧାରୁ ଅଧିକ ଯୋଗଦାନ ଓଡ଼ିଶାର ରହିଛି । ତେଣୁ ଓଡ଼ିଶାରେ ଲୁହାପଥର ଖଣି ଖନନର ସୀମା ନିର୍ଦ୍ଧାରଣ ହେଲେ ତାହା ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରିଗୁଡ଼ିକୁ ଲୁହାପଥର ରପ୍ତାନୀକୁ ପ୍ରଭାବିତ କରିବ । ଖଣି ମନ୍ତ୍ରଣାଳୟ ମଧ୍ୟ ୨୦୦୦-୦୧ରୁ ୨୦୨୨-୨୩ ମସିହା ପର୍ଯ୍ୟନ୍ତ ଲୁହାପଥର ଉତ୍ପାଦନର ବିବରଣୀ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିଥିଲା ।
ମାତ୍ର ଉକ୍ତ ସତ୍ୟପାଠରେ ପରିବେଶ ମନ୍ତ୍ରଣାଳୟର ମତ ନଥିବାରୁ ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ ଏନେଇ ପରିବେଶ ମନ୍ତ୍ରଣାଳୟକୁ ମତାମତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସୁପ୍ରିମକୋର୍ଟ ମଧ୍ୟ ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସୁଦ୍ଧା ସତ୍ୟପାଠ ଦାଖଲ କରି ଖଣି କମ୍ପାନୀଗୁଡ଼ିକ ଉପରେ ଥିବା ବକେୟା ରାଶିର ସ୍ଥିତି କ’ଣ ତାହା ଜଣାଇବାକୁ କହିଛନ୍ତି । ବେଆଇନ ଖଣି ଖନନରେ ଦୋଷୀ ସାବ୍ୟସ୍ତ ହୋଇଥିବା କମ୍ପାନୀଗୁଡ଼ିକର ସମ୍ପତ୍ତିକୁ ବ୍ୟାଜ୍ୟାପ୍ତି କରି ବକେୟା ଅର୍ଥ ଆଦାୟ ନିମନ୍ତେ ପୂର୍ବରୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ସରକାରଙ୍କ ଓକିଲ ମଧ୍ୟ ଗତ ଅଗଷ୍ଟ ୧୪ତାରିଖରେ ଏସବୁ ଖଣି କମ୍ପାନୀଗୁଡ଼ିକଠୁ ୨୬୨୨କୋଟି ଟଙ୍କା ଜୋରିମାନା ଆଦାୟ ହୋଇଛି ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରିଥିଲେ।
କମନ କଜ୍’ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରି ବେଆଇନ ଖଣି ଖନନ କରିଥିବା ଲିଜଧାରୀଙ୍କୁ ଭବିଷ୍ୟତରେ କୌଣସି ନିଲାମରେ ସାମିଲ ହେବା ଉପରେ କଟକଣା ସହ ସେମାନଙ୍କର ସମ୍ପତ୍ତି ବ୍ୟାଜାପ୍ତି କରି ବକେୟା ଅର୍ଥ ଆଦାୟ ପାଇଁ ଯୁକ୍ତି ବାଢ଼ିଥିଲେ ।